ଦି ବର୍ଷ ବିତିବା ପରେ ବି  ତର୍ଜମା ଦୁଇବର୍ଷ ଧରି ସରୁନାହିଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କଳ ପ୍ରସଙ୍ଗରେ ବିଜୁଙ୍କ ନାମରେ ଆପତ୍ତିଜନକ ଲେଖା ପ୍ରସଙ୍ଗ 

ଭୁବନେଶ୍ୱର, ୧୭ା୦୪: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ସରକାରୀ ପତ୍ରିକାରେ ଆପତ୍ତିଜନକ ଓ ଅପମାନସୂଚକ ଲେଖା ପ୍ରକାଶ ପାଇଥିବା ଅଭିଯୋଗ ଉଠିବା ପରେ ଦୁଇବର୍ଷ ଧରି ତର୍ଜମା ଚାଲିଛି । ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ ଲାଗି ଯେଉଁ ବିଶେଷଜ୍ଞମାନଙ୍କୁ ନିଯୁକ୍ତି କରାଯାଇଛି ସେମାନଙ୍କ ଚୂଡ଼ାନ୍ତ ମତାମତ କି ରିପୋର୍ଟ ଏଯାବତ୍ ସରକାରଙ୍କ ହସ୍ତଗତ ହୋଇନାହିଁ । ଏ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟ ଉଠାଇଥିବା ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଓଡ଼ିଶା ସରକାର ଉତ୍କଳ ପ୍ରସଙ୍ଗରେ ୨୦୧୬ ପ୍ରାରମ୍ଭରେ କେତେକ ମନଗଢ଼ା, ଅସତ୍ୟ ଓ ଅତିରଞ୍ଜିତ ତଥ୍ୟ ପ୍ରକାଶ ପାଇବା ଘେନି ଉଠିଥିବା ଆପତ୍ତି ଆଧାରରେ ଯେଉଁ ତଦନ୍ତ କରାଯାଉଥିଲା ତାହା ଉପରେ କି କାର୍ଯ୍ୟାନୁଷ୍ଠାନ  ହୋଇଛି ବୋଲି ବିଧାୟକ ଶ୍ରୀ ରାୟ ଜାଣିବାକୁ ଚାହିଁଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଉତ୍କଳ ପ୍ରସଙ୍ଗରେ ୨୦୧୬ ଫେବୃଆରୀ, ମାର୍ଚ୍ଚ ଓ ଅପ୍ରେଲ ମାସ ସଂସ୍କରଣରେ ପ୍ରକାଶ ପାଇଥିବା ଲେଖାରେ ତଥ୍ୟଗତ ତ୍ରୁଟି ଥିବା ଘେନି ଗଣମାଧ୍ୟମରେ ଆପତ୍ତି ଉଠିଥିଲା । ଏହାକୁ ତର୍ଜମା କରିବା ପାଇଁ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ଓ ବ୍ରଜମୋହନ ମହାନ୍ତିଙ୍କୁ ଉକ୍ରଳ ପ୍ରସଙ୍ଗର ସମ୍ପାଦକ ଦାୟିତ୍ୱ ଦେଇଛନ୍ତି । ଏଯାବତ୍ ଏମାନଙ୍କ ରିପୋର୍ଟ ବିଭାଗର ହସ୍ତଗତ ହୋଇନାହିଁ । ବିଶେଷଜ୍ଞମାନଙ୍କ ରିପୋର୍ଟ ହସ୍ତଗତ ହେବା ପରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ବିଧାନସଭାରେ ସରକାରଙ୍କ ପକ୍ଷରୁ ଏହା କୁହାଯାଇଛି । 

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାରଙ୍କ ଉତ୍କଳ  ପ୍ରସଙ୍ଗର ଉପରୋକ୍ତ ସଂସ୍କରଣଗୁଡ଼ିକରେ ବିଜୁବାବୁ ଜେଲ୍ ଡେଇଁ ପଳାଇଲା ବେଳେ ତାଙ୍କ ହାତ ଭାଙ୍ଗିବା, ଜେଲ୍ରୁ ଖସି ପଳାଇବା ପରେ ସେ ଜାଲ୍ନୋଟ୍ ଛପାଇବା ପାଇଁ ଉଦ୍ୟମ କରିବା, ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ସହ ବନ୍ୟାଞ୍ଚଳରେ ରିଲିଫ୍ ବାଣ୍ଟିବା  ପାଇଁ ଡଙ୍ଗାରେ ଯାଉଥିବା ବେଳେ ଦାସେ ଆପଣଙ୍କ ଛତା ଉଡ଼ିଯିବାରୁ ବିଜୁବାବୁ ନଦୀକୁ ଡେଇଁ ଛତା ଉଦ୍ଧାର କରିବା, ଗାନ୍ଧୀଜୀଙ୍କୁ ଦର୍ଶନ କରିବାକୁ ୧୯୨୦ ଦଶକରେ ବିଜୁ ବାବୁ ଆସିଥିବା ବେଳେ ପୋଲିସ ମାଡ଼ରେ ତାଙ୍କ ମୁଣ୍ଡ ଫାଟିବା ଓ ଏଥିଘେନି ଗାନ୍ଧୀଜୀ ପୋଲିସକୁ ଗାଳିଦେବା, ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ବିଜୁବାବୁ ଭାରତ ନେଇ ପଳାଇଆସିବା ଭଳି ଅନେକ ତଥ୍ୟ ପ୍ରକାଶ ପାଇଛି । ଏଥିରୁ କେତେଗୁଡ଼ିଏ ତଥ୍ୟଗତ ତ୍ରୁଟିଯୁକ୍ତ ଏବଂ ଅପମାନସୂଚକ ବୋଲି ବିଭିନ୍ନ ମହଲରୁ ସେତେବେଳେ ଅଭିଯୋଗ ଉଠିଥିଲା ଓ ଏ ସଂକ୍ରାନ୍ତିରେ ଗଣମାଧ୍ୟମରେ ଟିପ୍ପଣୀ ପ୍ରକାଶ ପାଇବାରୁ ତର୍ଜମା ଲାଗି ଦୁଇଜଣ ବିଶେଷଜ୍ଞଙ୍କୁ ଦାୟିତ୍ୱ ଦିଆଯାଇଥଇଲା । କିନ୍ତୁ ଦୁଇ ବର୍ଷ ତଳର ଏହି ଘଟଣା ତର୍ଜମା ଏଯାବତ୍ ସରିନାହିଁ କିମ୍ବା ରିପୋର୍ଟ ମିଳିନଥିବାରୁ କାର୍ଯ୍ୟାନୁଷ୍ଠାନ  ବି ହୋଇପାରିନାହିଁ । 

0
0
0
s2sdefault