ହେଡଲାଇନସ୍:

ମୟୂରଭଞ୍ଜରେ ଅମ୍ଫାନ୍ ରଚିଲା ତାଣ୍ଡବ - ଭାଙ୍ଗିଲା ଗଛ, ଉଡ଼ିଲା ଘର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଚାଷୀଙ୍କ ମୁଣ୍ଡରେ ଚଡକ, ଜଳାର୍ଣ୍ଣବ ହେଲା ଧାନ ଓ ପରିବା କ୍ଷେତ-୨୨ହଜାରରୁ ଉର୍ଦ୍ଧ୍ବ ସ୍ଥାନାନ୍ତର 

ବାରିପଦା(ଦିଲ୍ଲୀପ ମହାନ୍ତି): ମୟୂରଭଞ୍ଜରେ ଅମ୍ଫାନ୍ ରଚିଲା ତାଣ୍ଡବ ।  ପ୍ରବଳ  ବର୍ଷା ସାଙ୍ଗକୁ ପବନ ସବୁ କିଛି ଉଜାଡ଼ି ଦେଇଛି । ଗତକାଲି ମଧ୍ୟରାତ୍ରରୁ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲା। ସକାଳୁ ସକାଳୁ ପାଗ ପୁରା କୋହଲା ରହିବା ସହିତ ବର୍ଷା ଲାଗିରହିଥିଲା।  ମଧ୍ୟାହ୍ନ ପ୍ରାୟ ୧୨ଟା ପରେ ପବନର ବେଗ କ୍ରମଶଃ ବଢ଼ିଥିଲା। ଏହା ପ୍ରଭାବରେ ଜିଲ୍ଲାର ଅଧିକାଂଶ ସ୍ଥାନରେ ଗଛ ଉପୁଡ଼ିବା ସହିତ ଘର ଭାଙ୍ଗିବାର ଜଣାପଡିଛି । ବିଶେଷକରି ଜିଲ୍ଲାର ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, ଶ୍ୟାମାଖୁଣ୍ଟା, ସାରସକଣା, କପ୍ତିପଦା, ମୋରଡ଼ା, ବାରିପଦା ଆଦି ବ୍ଲକଗୁଡିକରେ ଅମ୍ଫାନର ପ୍ରଭାବ ବେଶ୍ ଅନୁଭୁତ ହୋଇଛି। ଏହା ପୂର୍ବରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଜିଲ୍ଲାରେ ପ୍ରାୟ ୨୨ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଜିଲ୍ଲାରେ ପ୍ରାୟ ୯୫୫ରୁ ଅଧିକ ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଥିବାର  ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି। ଜିଲ୍ଲାର ସଦର ମହକୁମା ବାରିପଦାରେ ମଧୁବନ, ସୁନାମୁହିଁ ଆଦି ଅନେକ ସ୍ଥାନରେ ଗଛ ଭାଙ୍ଗି ବିଦ୍ୟୁତ ଖୁଣ୍ଟ ଉପରେ ପଡିଥିବାର ଖବର ରହିଛି। ବାରିପଦାର ବେଲଗଡ଼ିଆ ପିଏଚ୍ଡ଼ି  କଲୋନୀ ସରକାରୀ କ୍ବାର୍ଟର ଉପରେ ଗଛ ପଡ଼ିଥିବାର ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଏହାକୁ ସଫା କରାଯାଇଥିଲା। ସେହିପରି ବାରିପଦା ସର୍କଲ୍ ଜେଲ୍ ଭିତରେ ମଧ୍ୟ ଗଛ ଭାଙ୍ଗିଥିବା ଜଣାପଡ଼ିଛି। ବାରୁଣୀ ରୋଡ୍ ଚର୍ଚ୍ଚ ଛକ, ପଞ୍ଚମ ବାଟାଲିୟନ୍ ରୋଡ୍ ଉପରେ ଗଛ ପଡ଼ି ରାସ୍ତା ଅବ‌ୋଧ ହୋଇଥିଲା। ତେବେ ବାରିପଦା ଅଗ୍ନିଶମ ବାହିନୀ ପକ୍ଷରୁ ତ୍ବରିତ ପଦକ୍ଷେପ ସ୍ବରୂପ ଏହାକୁ ସଫା କରାଯାଇ ରାସ୍ତା ଖାଲି କରାଯାଇଛି। ସେହିପରି ଅମ୍ଫାନ୍  ଚାଷୀ କୂଳକୁ ଉଜାଡ଼ି ଦେଇଛି ।ଜିଲ୍ଲାରେ ଅଦ୍ୟାବଧି ପ୍ରାୟ ୧୨ଶହ ହେକ୍ଟର ଶସ୍ୟକ୍ଷେତ୍ରରେ ଧାନ କଟାହୋଇନି।  କ୍ଷେତରେ ପାଚିଲା ଧାନ ପାଣିରେ ଭାସୁଛି ଥିବା ବେଳେ ପନିପରିବା , ମୁଗ ବିରି ଆଦି ଡାଲି ଜାତୀୟ କ୍ଷେତକୁ ଉଜାଡ଼ି ଦେଇଛି , ଯାହା ଚାଷୀଙ୍କ ମୁଣ୍ଡରେ ଚଡକ ସଦୃଶ୍ୟ କାଳ ସାଜିଛି।  ଆଗକୁ ଖରିଫ୍ ଋତୁ ଆସୁଥିବାବେଳେ ବିଲ କିନ୍ତୁ ଜଳାର୍ଣ୍ଣବ ହୋଇପଡ଼ିଛି। ଫଳରେ ଖରିଫ୍ ଚାଷକୁ ନେଇ ଚାଷୀଭାଇମାନେ ପ୍ରମାଦ ଗଣିଲେଣି। ତେବେ ଅମ୍ଫାନ୍ ପରେ କ୍ଷୟକ୍ଷତିର ଆକଳନ କରାଯାଇ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କୁ ରିପୋର୍ଟ ଦିଆଯିବାନେଇ କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ସୂଚନା ଦେଇଛନ୍ତି। ଆଶ୍ରୟସ୍ଥଳରେ ରହିବାକୁ ଆସୁଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ଚୁଡ଼ା ଗୁଡ଼ ସହିତ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଉଛି। ସେହିପରି କରନାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ବଜାୟ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଉଥିବା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି  କହିଛନ୍ତି। ଆଶ୍ରୟସ୍ଥଳରେ ଲୋକମାନଙ୍କୁ ମାସ୍କ ମଧ୍ୟ ବଣ୍ଟା ଯାଉଛି। ଜିଲ୍ଲାରେ ଥିବା ୧୦ଟି ଆଶ୍ରୟସ୍ଥଳ ମଧ୍ୟରୁ ଦୁଇଟି କ୍ବାରାଣ୍ଟିନ୍ କେନ୍ଦ୍ର ଭାବ‌େ କାର୍ଯ୍ୟ କରୁଛି। ଅନ୍ୟ ୮ଟି ଆଶ୍ରୟସ୍ଥଳ ସହିତ ବିଭିନ୍ନ ବିଦ୍ୟାଳୟ ଏବଂ ସରକାରୀ ପକ୍କା ଘର ଜିଲ୍ଲାରେ ଆଶ୍ରୟସ୍ଥଳ ଭାବେ କାର୍ଯ୍ୟ କରୁଛି। ତେବେ ଜିଲ୍ଲାରେ ଅମ୍ଫାନ୍ କାରଣରୁ କୌଣସି ଜୀବନ ହାନୀ ହୋଇନଥିବା ଜଣାପଡ଼ିଛି। ଅମ୍ଫାନ୍ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆଜି ପ୍ରାତଃ ସମୟରୁ ବିଦ୍ୟୁତ ଯୋଗାନକୁ ବିଛିନ୍ନ । ପ୍ରାୟ ୬୦ଟି ବିଦ୍ୟୁତ ଖୁଣ୍ଟି ଏହି ବାତ୍ୟା କାରଣରୁ ପ୍ରଭାବିତ ହୋଇଛି। ସେହିପରି ୩୭ଟି ଷ୍ଟ୍ରକ୍ଚର ଓ ୧୬ଟି ସବଷ୍ଟେସନ ପ୍ରଭାବିତ ହୋଇଛି। ବେତନଟୀ, ମୋରଡ଼ା, ଶୁଳିଆପଦା, ବାରିପଦା ଆଦି ବ୍ଲକରେ ବିଦ୍ୟୁତ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ନେସ୍କୋ ବାରିପଦା ଅଧୀକ୍ଷଣ ଯନ୍ତ୍ରୀ କ୍ଷୀରୋଦ ବେହେରା ସୂଚନା ଦେଇଛନ୍ତି। ସେହିପରି ଆପଡକାଳୀନ ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲାରେ ୪ଟି ଓଡ୍ରାଫ୍ ଟିମ୍ ସହିତ ଗୋଟିଏ ଏନଡିଆରଏଫ ଟିମ୍  ପ୍ରସ୍ତୁତ ଅଛନ୍ତି। ତେବେ ଜିଲ୍ଲାରେ ସ୍ଥାନାନ୍ତରଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିବାର ଯଥେଷ୍ଟ ସମ୍ଭାବନ ରହିଛି। ଫନୀ ସମୟରେ ପ୍ରାୟ ୮୪ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ କାଜୁଆଲିଟି ସଂଖ୍ୟା ୪ ଥିଲା। ଚଳିତ ଥର କିନ୍ତୁ ଜିରୋ କାଜୁଆଲ୍ଟି ପାଇଁ ଜିଲ୍ଲାପ୍ରଶାସନ ଲକ୍ଷ୍ୟ ରଖିଥିବା ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ପ୍ରକାଶ କରିଛନ୍ତି। ମୟୂରଭଞ୍ଜବାସୀ ଫାଇଲିନ୍ ଏବଂ ଫନୀର ବିଭୀଷିକା ପରେ ଅମ୍ଫାନର ଚଳିତ ବର୍ଷ  କରୋନା ସହିତ ସଂଗ୍ରାମ ଜାରି ରଖିଥିବା ସମୟରେ ଅମ୍ଫାନ  ପ୍ରକୋପକୁ ସାମ୍ନା କରିଛନ୍ତି। କରୋନା ଏବଂ ଅମ୍ଫାନ୍ ଭଳି ଦୁଇ ଦୁଇଟି ପ୍ରାକୃତିକ ବିପତ୍ତିକୁ ଏକାବେଳେ ସଫଳତାର ସହିତ ମୁକାବିଲା କରୁଥିବା ପରିଲକ୍ଷିତ ହୋଇଛି। 

 

0
0
0
s2sdefault