ହେଡଲାଇନସ୍:

ପ୍ରବାସୀ ଶ୍ରମିକଙ୍କୁ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବା ପ୍ରସଙ୍ଗରେ ସମସ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାୱାରୀ ସୂଚୀ ସହ କେନ୍ଦ୍ର ସରକାର ଏବଂ ରେଳ ବିଭାଗର ସହଯୋଗରେ ଶ୍ରମିକମାନଙ୍କୁ ନିଜ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବାର ସୁବ୍ୟବସ୍ଥା କରାଯାଉ : ବିଜେପି

ଭୁବନେଶ୍ୱର(ଶାସକ ପ୍ରଶାସକ): ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ଶ୍ରମିକମାନଙ୍କ ସୂଚୀ, କାର୍ଯ୍ୟସ୍ଥଳୀ, ସ୍ଥାନ ଆଦିର ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଉଭୟ କେନ୍ଦ୍ର ସରକାର ଏବଂ ରେଳ ବିଭାଗର ସହଯୋଗରେ ସେମାନଙ୍କୁ ଭଲ ଭାବେ ନିଜ ନିଜ ଜନ୍ମସ୍ଥାନକୁ ଫେରାଇ ଆଣିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଆଜି ରାଜ୍ୟର ସମସ୍ତ ଜିଲ୍ଲା ବିଜେପି ତରଫରୁ ସ୍ଥାନୀୟ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଏହି ସ୍ମାରକ ପତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଛି ଯେ, ବୈଶ୍ୱିକ ମହାମାରୀ କୋଭିଡ୍‌-୧୯ ଜନିତ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ୨ ମାସ ବିତି ସାରିଛି । ବର୍ତମାନ ପ୍ରବାସୀ ଶ୍ରମିକଙ୍କ ଦୁଖଃ ଓ ଦୁର୍ଦ୍ଦଶା ସମଗ୍ର ଦେଶବାସୀଙ୍କ ଅନ୍ତର ଆତ୍ମାକୁ ଦୋହଲାଇ ଦେଇଛି । ଏଭଳି ସ୍ଥିତିରେ କରୋନା ଭୂତାଣୁଜନିତ ଲକ୍‌ଡାଉନ୍ କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତିକ୍ରମେ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ଏପରିକି ‘ଶ୍ରମିକ ସ୍ପେସିଆଲ୍ ଟ୍ରେନ୍‌’ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରେଳ ମନ୍ତ୍ରାଳୟ ସୁବନ୍ଦୋବସ୍ତ କରିଛନ୍ତି ।

ଅନ୍ୟ ପଟେ ଏହି ଲକ୍‌ଡାଉନ୍ କାରଣରୁ ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଆଦି ରାଜ୍ୟରେ କାର୍ଯ୍ୟରତ ପ୍ରବାସୀ ଓଡିଆ ଶ୍ରମିକମାନେ ମଧ୍ୟ ନିଜ ନିଜ ଗାଁକୁ ପ୍ରତ୍ୟାବର୍ତନ କରୁଛନ୍ତି । ଶାରୀରିକ ଓ ମାନସିକ ଯନ୍ତ୍ରଣା ଭୋଗି ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତନ ସମୟର ବାସ୍ତବ ଚିତ୍ର ଅତ୍ୟନ୍ତ ଦୁଃଖଦାୟକ, କରୁଣାଦାୟକ ଏବଂ  ଅବର୍ଣ୍ଣନୀୟ । ଏ ସମସ୍ତ ରାଜ୍ୟମାନଙ୍କରେ ଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ବାସଗୃହ, ଖାଦ୍ୟ, ଔଷଧ, ପାନୀୟ ଜଳ ଭଳି ସାମାନ୍ୟ ମୈାଳିକ ସୁବିଧା ନପାଇ ନାନଦି ହଇରାଣର ଶିକାର ହେବା ସହ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।

ତେଣୁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରି ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ସଂପୂର୍ଣ୍ଣ ତଥ୍ୟ ସହ ରେଳ ମନ୍ତ୍ରାଳୟକୁ ପ୍ରଦାନ କରି ସେମାନଙ୍କୁ ନିଜ ନିଜ ଜନ୍ମ ମାଟିକୁ ଫେରାଇ ଆଣିବା ପାଇଁ ସମସ୍ତ ଜିଲ୍ଲା ସଭାପତିମାନେ ନିଜ ନିଜ ଜିଲ୍ଲାରେ ଜିଲ୍ଲାପାଳମାନଙ୍କୁ ଭେଟି ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହି ଅବସରରେ ଉକ୍ତ ପ୍ରତିନିଧି ଦଳରେ ଅନ୍ୟାନ୍ୟ ପ୍ରମୁଖ ରାଜ୍ୟ ଓ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

 

0
0
0
s2sdefault