ଭଉଣୀ କହି ଖସିଯିବାକୁ ଉଦ୍ୟମ, ଫୋଟୋ ପ୍ରମାଣିତ କରୁଛି କିଭଳି ପ୍ରେମ !!!
ଥାନାରେ ମାମଲା ରୁଜୁ: କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଲେ ବିଡିଓ
ବାରିପଦା(ଦିଲ୍ଲୀପ ମହାନ୍ତି ): ପଞ୍ଚାୟତ କାର୍ୟ୍ୟାଳୟରେ ଜନୈକା ଯୁବତୀଙ୍କ ସହିତ ଅଶୋଭନୀୟ ଆଚରଣ କରି ଫସିଛନ୍ତି ରସିକିଆ ଜିଆରଏସ ରାଜୀବ କୁମାର ମହାକୁଡ଼। ଗତ ଗୁରୁବାର(୧୪ତାରିଖ) ଦିନ ଶୁକୃଳି ବ୍ଲକ୍ ଗାଲୁସାହି ପଞ୍ଚାୟତ କାର୍ୟ୍ୟାଳୟରେ ଜଣେ ଯୁବତୀଙ୍କ ସହିତ ତାଙ୍କର କିଛି ଅଶ୍ଳୀଳ ଭିଡିଓ ଭାଇରାଲ୍ ହେବା ପରେ ଜିଆରଏସ ରାଜୀବ କୁମାର ମହାକୁଡ଼ଙ୍କ ବିରୋଧରେ ଉକ୍ତ ପଞ୍ଚାୟତ ପିଇଓ ମାୟାଧର ପାତ୍ର ଏବଂ ସରପଞ୍ଚ ଅଧିକାରୀ ନାୟକ ଶୁକୃଳି ଥାନାରେ ଅଭିଯୋଗ କରିବା ସହିତ ବିଡିଓ କସ୍ତୁରୀବାଳା ଜେନାଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ଏହି ଘଟଣା ସମ୍ପର୍କରେ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ସରକାରୀ କାର୍ୟ୍ୟାଳୟରେ ବେଆଇନ କାମ କରିଥିଲେ ଉଚିତ୍ କାର୍ୟ୍ୟାନୁଷ୍ଠାନ ହେବାନେଇ ବିଡିଓ ସୂଚନା ଦେଇଛନ୍ତି। ଏନେଇ ରରୁଁଆ ଥାନାରେ କେସ୍ ନଂ-୩୬ ମୂଳେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଜିଆରଏସଙ୍କ ଘରକୁ ତଦନ୍ତ ନିମନ୍ତେ ପୁଲିସ୍ ଯାଇଥିଲେ ମଧ୍ୟ ସେ ଘରେ ନଥିବାରୁ ପୁଲିସ୍ ଫେରିଆସିଥିବା ଜଣାପଡ଼ିଛି। କାର୍ୟ୍ୟାନୁଷ୍ଠାନ ଭୟରେ ଜିଆରଏସ ଜଣଙ୍କ ଫେରାର୍ ହୋଇଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ସେହିପରି ଗାଲୁସାହି ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ କରଞ୍ଜିଆ ଉପଜିଲ୍ଲାପାଳ ଦୁଃଖିବନ୍ଧୁ ନାୟକଙ୍କ ନିକଟରେ ଉକ୍ତ ଜିଆରଏସଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ରଙ୍ଗିଲା ମିଜାଜର ଉକ୍ତ ଜିଆରଏସ ଏହି ପଞ୍ଚାୟତ କାର୍ୟ୍ୟାଳୟରେ ପୂର୍ବରୁ ମଧ୍ୟ ଏପରି କାର୍ୟ୍ୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ଏହିଥର ତାଙ୍କର ଏପରି ରସିକିଆ କାମ ପର୍ଦ୍ଦାଫାସ୍ ହେବା ପରେ ବ୍ଲକ୍ର ସରକାରୀ କର୍ମଚାରୀମାନେ ମଧ୍ୟ ଲଜ୍ଜାବୋଧ କରୁଥିବା ଜଣାପଡ଼ିଛି। ଏହି ଭିଡିଓ ଭାଇରାଲ୍ ହେବା ପରେ ଜିଆରଏସ ଜଣଙ୍କ ଯୁବତୀଙ୍କୁ ନିଜର ଭଉଣୀ କହି ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ଭିଡିଓରେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ୁଥିବାରୁ ସେ ଅଠାକାଠିରେ ପଡ଼ିଥିବା ଚର୍ଚ୍ଚା ହେଉଛି। କରୋନା ପରି ମହାମାରୀ ସମୟରେ ଏକ ସର୍ବସାଧାରଣ ସ୍ଥାନରେ ଜଣେ ସରକାରୀ କର୍ମଚାରୀଙ୍କ ଏପରି କାର୍ୟ୍ୟକୁ ନେଇ ସାଧାରଣରେ ସମାଲୋଚନା ହେଉଛି। ପୂର୍ବରୁ ଉକ୍ତ ଜିଆରଏସ ଜଣଙ୍କ ବିବାଦୀୟ ହୋଇ ଏହି ପଞ୍ଚାୟତରୁ ବଦଳି ହୋଇଥିଲେ।