ହେଡଲାଇନସ୍:

୫୬୮୬୪୮କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୯୨ଟି ଶିଳ୍ପ ପ୍ରତିଷ୍ଠା  ଲାଗି ଏମ୍ଓୟୁ: ୩୮ଟି କାର୍ଯ୍ୟକ୍ଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା  ପାଇଁ ୯୨ଟି ଶିଳ୍ପ ସଂସ୍ଥା ସହ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ବେଳେ ସେଥିରୁ ୮ଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୩୦ଟି ଆଂଶିକ କାର୍ଯ୍ୟକ୍ଷମ ହୋଇଛି । ଆଉ ୮ଟି ଶିଳ୍ପ ସଂସ୍ଥା ପ୍ରତିଷ୍ଠା  ହେବା ପରେ ଏବେ ଅଚଳ ହୋଇ ରହିଛି । ତେବେ ଏଯାବତ୍ ଗୋଟିଏ ହେଲେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା  ପାଇଁ ଏହି ବୁଝାମଣାପତ୍ର ଆଧାରରେ ପୁଞ୍ଜି ବିନିଯୋଗ କରାଯାଇନାହିଁ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା  ସଂକ୍ରାନ୍ତରେ ବିଧାୟକ ଦିଲିପ ରାୟ ପ·ରିଥିବା ଏକ ପ୍ରଶ୍ନର ଉତ୍ତରରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ରାଜ୍ୟ ସରକାରଙ୍କ ସହ ଯେଉଁ ୯୨ଟି ଶିଳ୍ପ ସଂସ୍ଥା ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ସେମାନେ ୫,୬୮,୬୪୮ କୋଟି ୩୯ ଲକ୍ଷ ଟଙ୍କାର ପୁଞ୍ଜିନିବେଶ କରିବା କଥା । ତେବେ ଏଥିମଧ୍ୟରୁ ୪୬ଟି ଶିଳ୍ପ ସଂସ୍ଥା ୨,୫୪,୧୯୮ କୋଟି ୯୩ ଲକ୍ଷ ଟଙ୍କା ପୁଞ୍ଜିନିବେଶରେ ରାଜ୍ୟରେ କିଛି ପୂର୍ଣ୍ଣାଙ୍ଗ ଶିଳ୍ପ ସ୍ଥାପନ କରିଥିବା ବେଳେ ଆଉ କିଛି ଆଂଶିକ ଅବସ୍ଥାରେ ରହିଛି । ଏଥିମଧ୍ୟରୁ ୧୦ଟି ପ୍ରକଳ୍ପ ଇତିମଧ୍ୟରେ ଓହରି ଯାଇଛନ୍ତି । ଯେଉଁ ସଂସ୍ଥାମାନେ ଏମ୍ଓୟୁ କରିବା ପରେ ପ୍ରକଳ୍ପରୁ ଓହରି ଯାଇଛନ୍ତି ସେଗୁଡ଼ିକ ମଧ୍ୟରେ ଅଛନ୍ତି ୪୦ ହଜାର କୋଟି ଟଙ୍କା ପୁଞ୍ଜିବିନିଯୋଗର ସ୍ୱପ୍ନ ଦେଖାଇଥିବା ଆର୍ସେଲର୍ ମିତ୍ତଲ ଓ ୫୧ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ କଥା କହିଥିବା ପୋସ୍କୋ । ଭୂଷଣ ଏନର୍ଜି ଘଣ୍ଟିଗାଡ଼ିଆ, ଆରତି ଷ୍ଟିଲ୍ର ଘଣ୍ଟିଖାଲ ଶକ୍ତି ପ୍ରକଳ୍ପ, ସିଇଏସ୍ଇର ନେଉଳପୋଇ ଶକ୍ତି ପ୍ରକଳ୍ପ, କଳିଙ୍ଗ ଏନର୍ଜିର ସୋଡ଼ାମାଲ ପ୍ରକଳ୍ପ, ବିଜିଆର ଏନର୍ଜିର ଭାପୁର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ । 

ଦୀର୍ଘ ବର୍ଷ ତଳୁ ଏମ୍ଓୟୁ କରିଥିଲେ ମଧ୍ୟ ଆଉ ଅନେକଗୁଡ଼ିଏ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇନାହିଁ । ସେହିପରି ଏମ୍ଓୟୁ ପରେ ଯେଉଁ ୪୬ଟି ପ୍ରକଳ୍ପ କାମ ଆରମ୍ଭ କରିଥିଲା ସେଥିରୁ ୮ଟିରେ ଉତ୍ପାଦନ ବନ୍ଦ ରହିଛି । 

ରାଜ୍ୟ ସରକାର ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଏମ୍ଓୟୁ କରିଛନ୍ତି ସେଥିରୁ କେତୋଟି କୃଷିଭିତ୍ତିକ ବୃହତ୍ ଶିଳ୍ପ ଏବଂ ଏହି କୃଷି ଶିଳ୍ପ ଲାଗି କେତେ ପୁଞ୍ଜି ବିନିଯୋଗ ଲାଗି ପ୍ରସ୍ତାବ ଥିଲା ଓ ଅଦ୍ୟାବଧି କୃଷି ଭିତ୍ତିକ ଶିଳ୍ପ କେଉଁଠି କେତେ ପୁଞ୍ଜି ବିନିଯୋଗରେ  ହୋଇଛି ଓ ଆଉ କେତେ ପୁଞ୍ଜି କୃଷିଭିତ୍ତିକ ଶିଳ୍ପ ଲାଗି ଖଟାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବିଧାୟକ ଶ୍ରୀ ରାୟ ନିର୍ଦ୍ଧିଷ୍ଟ ଭାବେ ଜାଣିବାକୁ ଚାହିଁ ଥିଲେ । ଏହାର ଉତ୍ତରରେ ଶିଳ୍ପମନ୍ତ୍ରୀ ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି ଯେ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା ୯୨ଟି ଶିଳ୍ପ ପ୍ରକଳ୍ପ ପ୍ରସ୍ତାବ ମଧ୍ୟରୁ କୃଷିଭିତ୍ତିକ ଶିଳ୍ପ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରାଯାଇନାହିଁ । ଓଡ଼ିଶାର ଅର୍ଥନୀତି କୃଷିଭିତ୍ତିକ ହୋଇଥିବା ପରିପ୍ରେକ୍ଷୀରେ ଆଗାମୀ ମେକ୍ ଇନ୍ ଓଡ଼ିଶା କନକ୍ଳେଭ ରାଜ୍ୟର ପ୍ରତି ଜିଲ୍ଲାରେ ମିଳୁଥିବା କଞ୍ଚାମାଲ ଓ ରାଜ୍ୟର ଆବଶ୍ୟକତା ତଥା ରପ୍ତାନୀକୁ ଆଖିଆଗରେ ରଖି ବ୍ୟାପକ ସଂଖ୍ୟକ ପରିବେଶ ଅନୁକୂଳ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା  ଲାଗି ପୁଞ୍ଜି ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି । 

 

 

0
0
0
s2sdefault