ହେଡଲାଇନସ୍:

କୁଆଡେ ଗଲା ରନ୍ଧା ଖାଦ୍ୟ , ମୁଠାଏ ବି ମିଳିଲାନି ଭୋକ ଲଢେଇରେ ଧନ୍ଦି ହେଉଥିବା ଧୂଁଦିଙ୍କୁ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଅନାହାର ମୃତ୍ୟୁ ଅଭିଯୋଗ ଆଣିଲେ ବିସିପୁର ପଞ୍ଚାୟତ ସମିତି ସଦସ୍ୟା 

  • ପ୍ରଶାସନ ନିକଟରେ ଖବର ନାହିଁ, ବିଧାୟକ କହିଲେ ନେବେ ଆବଶ୍ୟକ ପଦକ୍ଷେପ 

  • କୁଆଡେ ଗଲେ ବିଡ଼ିଓ, ପଂଚାୟତ ଲୋକପ୍ରତିନିଧି ଓ କାର୍ଯ୍ୟନିର୍ବାହୀ- କୁଆଡେ ଗଲା ମାନବିକତା !

  • ଅଭିଯୋଗର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ କି ପ୍ରଶାସନ

ବାରିପଦା(ଦିଲ୍ଲୀପ ମହାନ୍ତି )- ଚାଲିଛି କରୋନା ମହାମାରୀର ମୁକାବିଲା ନିମନ୍ତେ ମହାସଂଗ୍ରାମ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ୩:୦ ପର୍ଯାୟ ଲକ୍ ଡ଼ାଉନ ଜାରି ରହିଛି । ଏହି ସମୟରେ ଅନାହାରରେ କୌଣସି ବ୍ୟକ୍ତିର ମୃତ୍ୟୁ ନ ହେଉ ସେଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ବ୍ୟାପକ ପଧକ୍ଷେପ ଗ୍ରହଣ କରିବା ସହିତ ନିସ୍ୱ, ଗରୀବ, ଅସହାୟ, ଭିକ୍ଷୁକ, ନିରାଶ୍ରୟ, ଭିନ୍ନକ୍ଷମ, ବୃଦ୍ଧ ଓ ବୃଦ୍ଧା ଆଦିଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଇବା ନିମନ୍ତେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ  ଦେଇଛନ୍ତି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ଅଧୀନ ଭାଗବତଚନ୍ଦ୍ରପୁର ପଞ୍ଚାୟତର ଧାନଶୋଳ ଗ୍ରାମରେ ଅନୁସୂଚିତ ଜନଜାତି ସମ୍ପ୍ରଦାୟ(ଲୋଧା)ର ପ୍ରାୟ ୭୫ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ସାମନାକୁ ଆସିଛି । ଏହି ଅଭିଯୋଗ ଆଣିଛନ୍ତି ବିସିପୁର ପଞ୍ଚାୟତ ସମିତି ସଦସ୍ୟା ଲାବଣ୍ୟବତୀ ମହାନ୍ତ । 

ଶ୍ରମତୀ ମହାନ୍ତଙ୍କ ଅଭିଯୋଗ ଆଧାରରେ ଧାନଶୋଳ ଗ୍ରାମର ଧୁନ୍ଦି ମଳିକଙ୍କର ଖାଦ୍ୟ ଅଭାବରେ ମୃତ୍ୟୁ  ହୋଇଛି । ତାଙ୍କୁ ଦୁଇ ମୁଠା ରାନ୍ଧି ଖାଇବାକୁ ଦେବା ନିମନ୍ତେ କେହି ନାହାନ୍ତି ।  ନିସ୍ୱ, ଗରୀବ, ଅସହାୟ, ଭିକ୍ଷୁକ, ନିରାଶ୍ରୟ, ଭିନ୍ନକ୍ଷମ, ବୃଦ୍ଧ ଓ ବୃଦ୍ଧା ଆଦିଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଇବା ନିମନ୍ତେ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ପ୍ରସ୍ତୁତ ହୋଇଥିବା ତାଲିକାରେ ମୃତ ଧୁନ୍ଦି ମଳିକଙ୍କର ନାମ ଥିଲା ।  କେବଳ ଧୁନ୍ଦି ନୁହନ୍ତି ଏହି ପରି ପ୍ରାୟ ୨ ଶହରୁ ଅଧିକ ଯୋଗ୍ୟ ହିତାଧିକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ବାରିପଦା ବ୍ଲକ ପକ୍ଷରୁ ଏହାକୁ କାଟଛାଟ କରାଯାଇଛି । ଫଳରେ ରନ୍ଧା ଖାଦ୍ୟ ପାଇବାରୁ ଅନେକ ବାଦ ପଡ଼ିଯାଇଛନ୍ତି । ଏହାକୁ ନେଇ ପିଡ଼ି ଡ଼ିଆରଡ଼ିଏଙ୍କ ଦୃଷ୍ଟି ଆକର୍ଷଣ କରାଇବା ପରେ ବର୍ତ୍ତମାନ୪୦ରୁ ବୃଦ୍ଧି ପାଇ ୫୫ ଜଣଙ୍କୁ ରନ୍ଧା ଖାଦ୍ୟ ମିଳୁଛି । ବାରିପଦା ବ୍ଲକରେ ବିଡ଼ିଓ ଲକ୍ ଡ଼ାଉନ ପୂର୍ବରୁ କରୋନା ମୁକାବିଲା ନିମନ୍ତେ କେବଳ ଥରୋଟିଏ  ବୈଠକ ଡ଼କାଇ  କିପରି ସତର୍କ ରହିବେ ସେ ସମ୍ପର୍କରେ ଆଲୋଚନା କରିବା ବ୍ୟତୀତ ଅନ୍ୟ କୌଣସି ବୈଠକ ଡ଼କାଇ ନାହାନ୍ତି । ଯଦି ଧୁନ୍ଦି ମଳିକଙ୍କ ମୃତୁ୍ୟ ନିମନ୍ତେ ପ୍ରଶାସନକୁ ଉତ୍ତରଦାୟୀ କରାଇଥିବା ସହ ସଠିକ୍ ଭାବେ ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ପରିଚାଳନା କରାଯାଇଥିଲେ ଆଜି ହୁଏତ ଧୁନ୍ଦିଙ୍କ ମୃତୁ୍ୟର ଖବର ସାମନାକୁ ଆସିନଥାନ୍ତା ବୋଲି କହିଥିଲେ ।  ଏଥି ସହିତ ଭବିଷ୍ୟତରେ ଏହି ପ୍ରକାରର ଦୁଃଖଦାୟକ ଅଭାବନୀୟ ଘଟଣାର ପୁନରାବୃତ୍ତି ନ ଘଟେ ସେଥି ନିମନ୍ତେ ପ୍ରଶାସନ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ସେହିପରି ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ କହିବା ଅନୁସାରେ ଆଜି ସକାଳ ସମୟରେ ଖବର ପାଇ ଅନାହାର ମୃତୁ୍ୟ ଅଭିଯୋଗ ଖବରର ସତ୍ୟତା ଜାଣିବା ନିମନ୍ତେ ଧାନଶୋଳ ଗ୍ରାମରେ ପହଁଞ୍ଚି ସ୍ଥାନୀୟ ଜନସାଧାରଣ ଓ ଧୁନ୍ଦି ମଳିକଙ୍କ ପାଖ ପଡେ଼ାଶୀମାନଙ୍କୁ ପଚାରି ବୁଝିଥିଲେ । ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ କରୋନା ପରିଚାଳନା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ରନ୍ଧାଖାଦ୍ୟ ପାଇବା ନିମନ୍ତେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ମିଳୁ ନାହିଁ । ଏହା ପୂର୍ବରୁ ବିସିପୁର ପଞ୍ଚାୟତର ପଡେ଼ାଶୀ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ ଉପରେ ଅଭିଯୋଗ ଆଣିଥିଲେ । ୨ ଶହରୁ ଅଧିକ ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୭୫ ଜଣଙ୍କୁ ଦେବା ନିମନ୍ତେ ବିଡ଼ିଓ ନିର୍ଦ୍ଦେଶ  ଦେଲେ । ଫଳରେ ଭୋକିଲା ଲୋକମାନଙ୍କର କଷ୍ଟକୁ ସହ୍ୟ କରି ନ ପାରି ସ୍ଥାନୀୟ ୮ଟି ଏସଏସଜି ଗ୍ରୁପ ପକ୍ଷରୁ ନିଜସ୍ୱ ଖର୍ଚ୍ଚରେ  ଦୈନିକ ୧୨୫ ଜଣଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଆସୁଛନ୍ତି । ଏହି ଖବର ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ମାତ୍ର ପ୍ରଶାସନ ଏହା ଉପରେ ବିହିତ ପଦକ୍ଷେପ ନେବା ବଦଳରେ ନୀରବଦ୍ରଷ୍ଟା ସାଜିଲେ । ବାରିପଦା ବ୍ଲକ ବିଡ଼ିଓଙ୍କର ବ୍ଲକ ପରିଚାଳନାର ଦକ୍ଷତା ଅଭାବ ଥିବାର ଜାଣି ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତାଙ୍କର ବଦଳି ଆଦେଶ ଜାରି କରିଥିଲେ ଏବଂ ସେଣ୍ଟ୍ରାଲି ମେ ୫ରେ ରିଲିଭ ହୋଇ ୮ରେ ବିଶ୍ରାରେ ଜଏନ କରିବାକୁ ନିଦେ୍ର୍ଧଶ ଦିଆଯାଇଥିଲେ ମଧ୍ୟ ବିଡ଼ିଓ ଏହାକୁ ପାଳନ କରିନାହାନ୍ତି । ଏହି ପ୍ରକାରର ବିଡ଼ିଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ପଛରେ କେଉଁ କାରଣ ଥାଇ ପାରେ ବୋଲି ପ୍ରଶ୍ନ କରିଛନ୍ତି । ଏଥି ସହିତ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ରନ୍ଧାଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଅଧିକ ତ୍ୱାରାନ୍ନିତ କରାଇ ସମସ୍ତ ଯୋଗ୍ୟ ବ୍ୟକ୍ତିମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା କରାଇବା ନିମନ୍ତେ ଦାବି କରିଛନ୍ତି । ଏହି ଅନାହାର ମୃତ୍ୟୁ  ଅଭିଯୋଗ ଉପରେ ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କର ମୋବାଇଲ ନମ୍ବର ୯୪୩୭୦୩୪୧୮୪ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ସେହିପରି ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ମଧ୍ୟ ଫୋନ ଉଠାଇ ନ ଥିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁ କଣ ହୋଇଛି ଦେଖିବା ଓ ବୁଝିବା ବୋଲି କହିଥିଲେ ଏବଂ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଅଭିଯୋଗ ଉପରେ ତଦନ୍ତ କରିବେ ବୋଲି କହିଥିଲେ । 

"ମୃତ ଧୁନ୍ଦି ମଳିକ  ଖାଦ୍ୟ ଖାଇବାକୁ ନ ପାଇ ଆଜି ରାତି ସାଢେ଼ ୩ଟା ସମୟରେ ଆମର ଅଜାବୁଢ଼ୀର ମୃତ୍ୟୁ ହୋଇଛି । ରେସନରେ ଚାଉଳ ପାଇଥିଲେ | ମାତ୍ର ବୁଢ଼ୀଙ୍କୁ  ରାନ୍ଧିବାଡ଼ି ଦେବା ନିମନ୍ତେ କେହି ନଥିଲେ । ଫଳରେ ଖାଇବାକୁ ନ ପାଇ ଅଜାବୁଢ଼ୀଙ୍କ ମୃତ୍ୟୁ ହୋଇଛି । ରନ୍ଧା ଖାଦ୍ୟ ପାଇଥିଲେ ହୁଏତ ତାଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ଜଟ ଭକ୍ତା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ୭୦ ବର୍ଷୀୟା ବୃଦ୍ଧା ତଥା ଅନ୍ଧୁଣି ପାଗଳୀ ଭକ୍ତା ରନ୍ଧା ଖାଦ୍ୟ ପାଉ ନାହାନ୍ତି ଅଥବା ଭତ୍ତା ପାଉନ ନ ଥିବାର ଅଭିଯୋଗ କରିବା ସହ ମୋତେ ଭତ୍ତା କରାଇ ଦିଅ ଓ ରନ୍ଧା ଖାଦ୍ୟ ଯୋଗାଇ ଦେବା ନିମନ୍ତେ ପ୍ରଶାସନକୁ ନିବେଦନ କରିଛନ୍ତି । 

ଏ ସମ୍ପର୍କରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ପଚାରିବାରୁ " ଏ ବିଷୟରେ ସେ ଏବେ ସୂଚନା ପାଇଲେ | ସେ ବିଷୟରେ ଖବର ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ " ବୋଲି ପ୍ରତିଶ୍ରୁତି ଦେଇଛନ୍ତି | 

0
0
0
s2sdefault