-
ଅବୈଧଭାବେ ରେଳ ଟ୍ରାକ୍ ଉପରେ ଚଳପ୍ରଚଳ କରୁଥିବା ବ୍ୟକ୍ତିଙ୍କୁ ଦେଖିଲେ ସଂପୃକ୍ତ ସମସ୍ତଙ୍କୁ ସତର୍କ କରାଇଦେବାକୁ ରେଳ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।
-
ରେଳ ଟ୍ରାକ୍ କିମ୍ବା ଏହାର ନିକଟରେ ଅବୈଧ ଭାବେ କୌଣସି ବ୍ୟକ୍ତି ଯାତାୟତ କରୁଥିବାର ଦେଖିଲେ ରେଳ ସୁରକ୍ଷାବଳ (ଆର୍.ପି.ଏଫ୍) ସୁରକ୍ଷା ହେଲପ୍ଲାଇନ୍ ନମ୍ବର ୧୮୨କୁ ଜଣାଇବାକୁ ଅନୁରୋଧ ।
ଭୁବନେଶ୍ୱର : କୋଭିଡ଼୍-୧୯ ଭୂତାଣୁ ସଂକ୍ରମଣ ଫଳରେ ସାରା ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ସମସ୍ତ ଯାତ୍ରୀବାହୀ ଟ୍ରେନକୁ ବାତିଲ୍ କରାଯାଇଛି | କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରିବାକୁ ନିରବଚ୍ଛିନ୍ନ ଭାବେ ସମସ୍ତ ରେଳ ଟ୍ରାକ୍ ଉପରେ ମାଲବାହୀ ଓ ପାର୍ସେଲ୍ ଟ୍ରେନ୍ ଗୁଡ଼ିକ ଚଳାଚଳ କରୁଛି । ସଦ୍ୟଭାବେ ସାରା ଦେଶରେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଆରମ୍ଭ କରିଛି ଏବଂ ଏହି ସବୁ ଟ୍ରେନ୍ ପୂର୍ବ ତଟ ରେଳପଥ ପରିସୀମାରେ ମଧ୍ୟ ଚଳାଚଳ କରୁଛି ।
ତେଣୁ ଟ୍ରାକ୍ କିମ୍ବା ରେଳ ଧାରଣା ଉପରେ ଶାଲିବା ଅତ୍ୟନ୍ତ ଭୟଙ୍କର ଏବଂ ଏହା ସଂପୂର୍ଣ୍ଣ ନିଷେଧ । ଜନ ସାଧାରଣଙ୍କୁ ରେଳ ଟ୍ରାକ୍ ଓ ଧାରଣା ଉପରେ ଚାଲିବା ପରିବର୍ତ୍ତେ ସ୍ପଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗ ଓ ପ୍ରହରୀଥିବା ଲେଭଲ୍ କ୍ରସିଂ ଫାଟକ ଦେଇ ଯାତାୟତ କରିବାକୁ ପୂର୍ବ ତଟ ରେଳପଥ ବିଭିନ୍ନ ସମୟରେ ଜନ ସାଧାରଣଙ୍କୁ ସଚେତନ ଓ ଶିକ୍ଷିତ କରିଆସୁଛି ।
ଯଦି ଏହିଭଳି କେହି ଅନୁପ୍ରବେଶକାରୀଙ୍କୁ ଦେଖନ୍ତି ତେବେ ଯଥାଶୀଘ୍ର ବାଧାଦେବା ସହ ରିପୋର୍ଟ କରିବାକୁ ଟ୍ରାକମ୍ୟାନ , ପୋଲ ମରାମତି କର୍ମଚାରୀ, ଷ୍ଟେସନ୍ ମାଷ୍ଟର୍, ଓଭର ହେଡ୍ ବିଦ୍ୟୁତ ମରାମତି କର୍ମଚାରୀ, ରେଳ ସୁରକ୍ଷାବଳ କର୍ମଚାରୀ ଏବଂ ଅନ୍ୟ ରେଳ କର୍ମଚାରୀମାନଙ୍କୁ ସତର୍କ କରାଯାଇଛି ।
ଏତେସବୁ ସଚେତନତା କାର୍ଯ୍ୟକ୍ରମ ସତ୍ତ୍ୱେ ଲୋକମାନେ ରେଳ ଟ୍ରାକ୍ ଓ ଧାରଣା ଅତିକ୍ରମ କରି ନିଜର ଜୀବନକୁ ବିପଦରେ ପକାଇବା ବାରମ୍ବାର ଦେଖିବାକୁ ମିଳୁଛି । ଏହି ଅଭ୍ୟାସ ସଂପୂର୍ଣ୍ଣ ଭାବେ ନିଷେଧ ଏବଂ ରେଲୱେ ଅଧିନିୟମ ଧାରା ୧୪୭ ଅନୁସାରେ ଦଣ୍ଡନୀୟ ଅପରାଧ । ରେଲୱେ ନିୟମ ଅନୁସାରେ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ । ଏହିଭଳି ଏକ ସଂକଟଜନକ ପରିସ୍ଥିତିରେ ରେଲୱେ ଚାହେଁନା କୌଣସି ବ୍ୟକ୍ତିଙ୍କୁ ଦଣ୍ଡିତ କରିବା କିମ୍ବା କାହା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା, ତଥାପି, ନିଜର ବ୍ୟକ୍ତିଗତ ନିରାପତ୍ତାକୁ ଭୁଲି ରେଳ ଟ୍ରାକ୍ ଉପରେ କି ନିକଟରେ ଚଳପ୍ରଚଳ ନକରିବା ପାଇଁ ଜନସାଧାରଣଙ୍କୁ ଉଚିତ ଭାବେ ସଚେତନ କରାଇବା ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।











