ସରକାରଙ୍କ ଯୋଜନା ମାଳ ମାଳ, ହେଲେ ଜୟନ୍ତୀଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ନାହିଁ ଚାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାନସିକ ରୋଗୀ ସ୍ୱାମୀ ଓ ଦି ଛୁଆଙ୍କୁ ନେଇ ସମାନ କରୁଛନ୍ତି ଜୀବନ ଜଂଜାଳ  

ବଲାଙ୍ଗୀର/ନିରୋଜ ମିଶ୍ର :ସ୍ୱୀମୀ ମାନସିକ ରୋଗୀ, ଦୁଇ ଦୁଇଟି ଛୋଟ ଛୁଆ । ପରଘରେ ମୂଲ ଲାଗିଲେ ମେଣ୍ଟେ ଗୁଜୁରାଣ । ବାସସ୍ଥାନ କହିଲେ, ପଲିଥିନ୍ ଟଣା ମାଟିଘର । ଗତ ଅଗଷ୍ଟ ମାସ ବନ୍ୟା ପରେ ବିପଦ ସଙ୍କୁଳ ଘରକୁ ସଜାଡ଼ି କଷ୍ଟେମଷ୍ଟେ ରହୁଥିଲେ ସପରିବାର । ପୁଣି ପ୍ରକୃତି ସାଧିଲା ଦାଉ ଅଦିନିଆ ଝଡ଼ ପବନ ଉଡ଼ାଇ ନେଇଛି ପଲିଥିନ ଢ଼ଙ୍କା ନଡ଼ା ଛପର । ମାସ ଦୁଇଟା ପରେ ଆସିଯିବ ବର୍ଷା ଋତୁ । ସରକାର ପ୍ରଶାସନ ସମସ୍ତେ କରୋନା ସଂକ୍ରମଣ ରୋକିବା ସଜବାଜରେ ଚିନ୍ତିତ ଥିବାବେଳେ ମୁଣ୍ଡ ଗୁଞ୍ଜିବା ଚିନ୍ତାରେ ଚିନ୍ତିତ ଜୟନ୍ତୀ ଖମାରୀ । ପୁଇଁତଲା ବ୍ଳକ ଅଙ୍କରିଆପଦର ନିବାସୀ ପର୍ଶୁରାମ ଖମାରୀ ଦୁଇବର୍ଷ ପାଖାପାଖି ହେବ ମାନସିକ ଭାରସାମ୍ୟ ହରାଇଛନ୍ତି । ସ୍ତ୍ରୀ ଉପରେ ସ୍ୱାମୀ ଓ ଛୁଆ ଦୁଇଟାର ଭବିଷ୍ୟତ । ଏସ୍‌ଭିଏସ୍ , ବିଂ ହ୍ୟୁମାନ, ସ୍ମାଇଲ ଇଣ୍ଡିଆ ଆଦି ସ୍ୱେଚ୍ଛାସେବୀ ସଂଗଠନର ଚେଷ୍ଟା ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଭତ୍ତା ଓ ଚାଉଳ ମିଳୁଛି । କିନ୍ତୁ ଏ ସବୁ ପରେ ବି ଅଧିକାରୀଙ୍କ ସହ ଆଲୋଚନା ଓ ସେମାନଙ୍କ ପରିଦର୍ଶନ ସତ୍ୱେ ଆବାସ ଯୋଜନାର ଘରଟିଏ ମିଳିନାହିଁ । ଉପଜିଲ୍ଲାପାଳ,ତହସିଲଦାର, ବିଡ଼ିଓ ସମସ୍ତେ ଦେଖିଛନ୍ତି, ଉକ୍ତ ସଂଗଠନ ସଦସ୍ୟମାନେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଥଚ ଅପେକ୍ଷା ସରିନାହିଁ । ତାଲିକାରେ ନାଁ ଆସି ପାରୁନାହିଁ । କୁହାଯାଏ ବିପଦ ଯେବେ ଆସେ ସାଙ୍ଗସାଥି ସହ ଆସିଥାଏ । ଗତ୨୪ତାରିଖ ଅଦିନିଆ ବର୍ଷାପବନ ଯୋଗୁଁ ନଡ଼ା ଛପର ଉଡ଼ିଯାଇଛି,ମୁଣ୍ଡଗୁଞ୍ଜିବାକୁ ପର ଦୟାରେ ପର ଘରେ ରହୁଛନ୍ତି । ବଡ଼ ବଡ଼ ଘୋଷଣା କରୁଥିବା ସରକାର ସ୍ୱତନ୍ତ୍ର ପରିସ୍ଥିତି ଓ ବିଭିନ୍ନ କାରଣରୁ ବାଦ ପଡ଼ିଯାଉଥିବା ଖମାରୀଙ୍କୁ ଆବାସ ଘରଟିଏ ଦେବା ପାଇଁ ଅଧିକାରୀଙ୍କୁ କ୍ଷମତା ଦିଆଯାଇ ନାହିଁ କି ? ଯଦି ଦିଆଯାଇଛି ବା ଯେଉଁ ପଦସ୍ଥ ଅଧିକାରୀଙ୍କ କ୍ଷମତା ଅଛି ଦେବାରେ ବିଳମ୍ବ କାହିଁକି ? ତୁରନ୍ତ ଘରଟିଏ ଯୋଗାଇବା ପାଇଁ ଏସ୍‌ଭିଏସ୍ ସଂଗଠନ ଓ ଅଂଚଳରେ ଦାବୀ ହେଉଛି ।

0
0
0
s2sdefault