ହେଡଲାଇନସ୍:

ଭୋକିଲାଙ୍କୁ ମିଳୁନି ରନ୍ଧା ଖାଦ୍ୟ : ସନ୍ଦେହ ଘେରରେ ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟଶୈଳୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ - କରୋନା ଭୁତାଣୁ ସଂକ୍ରମଣରୁ ଜନସାଧାରଣଙ୍କ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ସମ୍ପୂର୍ଣ୍ଣ ଦେଶବାସୀ ଲକ୍‌ଡ଼ାଉନ୍ ଅବସ୍ଥାରେ | କରୋନା  ସଂକ୍ରମଣ ମୁକାବିଳା ପରିସ୍ଥିତିରେ ଗ୍ରାମ ପଞ୍ଚାୟତ ଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପଞ୍ଚାୟତ ମାନଙ୍କୁ ସରକାର ଲକ୍ଡ଼ାଉନ୍ ପ୍ରଭାବରେ ଖାଦ୍ୟରୁ ବଞ୍ଚିତ ହେଉଥିବା ଗରିବ ଅସହାୟ  ଲୋକଙ୍କୁ ରନ୍ଧା ଖାଦ୍ୟ ଆବଶ୍ୟକୀୟ ଯୋଗାଇ ଦେବାକୁ ଦାୟିତ୍ୱ ଅର୍ପଣ କରିଛନ୍ତି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଅନେକ ଗରିବ ଅସହାୟ ଲୋକଙ୍କ ପରିସ୍ଥିତି ଅସମ୍ଭାଳ ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ  ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକ କିରିପସିରା ପଞ୍ଚାୟତରେ ୨୦୦  ଲୋକଙ୍କ ପାଇଁ ରୋଷେଇ କରିବା ପରିବର୍ତ୍ତେ ମାତ୍ର ୧୦ ଜଣଙ୍କ ପାଇଁ ରୋଷେଇ ହେଉଥିବା ବେଳେ ଗାଁର ଅନେକ ଗରିବ ଅସହାୟ ବୃଦ୍ଧା କିମ୍ବା ଗାଁକୁ ଅନ୍ୟ ଅଞ୍ଚଳରୁ ଆସିଥିବା ବ୍ୟକ୍ତି ରନ୍ଧା ଖାଦ୍ୟରୁ ବଞ୍ଚିତ ହୋଇ ଭୋକରେ ଛଟପଟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଦେଖିବା ପାଇଁ ଗଲେ ଏଭଳି ଘଟଣା ଏହି ଗୋଟିଏ ବ୍ଲକରେ ସୀମିତ ନୁହେଁ ଏହା ସୁନ୍ଦରଗଡ଼ ଜିଲ୍ଲାର ୧୭ ଗୋଟି ବ୍ଲକର ଅଧିକାଂଶ  ପଞ୍ଚାୟତ ଗୁଡିକରେ ହେଉଥିବା ଚର୍ଚ୍ଚା ହେଉଛି | କିଛିଦିନ ପୂର୍ବରୁ ସବଡେଗା ବ୍ଲକ ହମିରପୁର ପଞ୍ଚାୟତର ଏକାନ୍ତବାସ କକ୍ଷରେ ମଧ୍ୟ ତାଲା ଝୁଲୁଥିବାର ଦୃଷ୍ଟିଗୋଚର ହୋଇଥିଲା | ଅନ୍ୟପକ୍ଷରେ ପଞ୍ଚାୟତ ଗୁଡ଼ିକରେ ଅସହାୟ ଲୋକ ନଥିବା ଦର୍ଶାଇ ଗୁରୁତ୍ୱପୂର୍ଣ୍ଣ ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ରକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି ।  ଜିଲ୍ଲାର ଅନେକ ଗ୍ରାମ ପଞ୍ଚାୟତର ଗାଁ ଗଣ୍ଡାର ଅସହାୟ ଗରିବ ଲୋକମାନେ ଏହି ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି। ବାହାର ଅଞ୍ଚଳରୁ ଆସୁଥିବା ଲୋକମାନଙ୍କୁ ସଙ୍ଗରୋଧ କକ୍ଷରେ ରଖିବା ପାଇଁ ମଧ୍ୟ ଅବହେଳା କରାଯାଉଥିବାର ନଜିର ରହିଛି । ବାଲିସଙ୍କରା ବ୍ଲକର କୁସୁମୁରା ପଞ୍ଚାୟତର ଏକାନ୍ତବାସ କକ୍ଷ ଖାଲି ନାମକୁ ମାତ୍ର ରହିଛି | ସେଠାରେ ନା ହେଉଛି ରୋଷଇ ନା ହେଉଛି ଅସହାୟ ଗରିବ ଲୋକ ମାନଙ୍କୁ ଖାଦ୍ୟ ବିତରଣ | ନିକଟରେ ସ୍ୱାସ୍ଥ୍ୟ ବିଭାଗର ସୁପାରିଶରେ ପଠାଯାଇଥିବା ଜଣେ ଯୁବତୀଙ୍କୁ ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯିବାର ମାତ୍ର କେଇ ଘଣ୍ଟା ମଧ୍ୟରେ ସଂପୃକ୍ତ ଯୁବତୀକୁ ସଙ୍ଗରୋଧ କକ୍ଷରୁ ଛାଡ଼ି ଦେଇଥିବା ସ୍ଥଳେ ଏହି ପଞ୍ଚାୟତକୁ ଆସିଥିବା କେତେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ସଙ୍ଗରୋଧ କକ୍ଷରେ ରହିବାକୁ ଚାହୁଁଥିଲେ ସୁଦ୍ଧା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦେଖାନଥିବାରୁ ସେମାନେ ରହିପାରୁ ନଥିବା ଭଳି ଗୁରୁତର ଅଭିଯୋଗ ହୋଇଛି ।  ଏଭଳିକି ଜଣେ ଅସହାୟ ବ୍ୟକ୍ତି କିରିପସିରା ଗ୍ରାମରେ ରହୁଥିବା ବେଳେ ସେ ମୁଠାଏ ଖାଦ୍ୟ ପାଇଁ ପଞ୍ଚାୟତ ରନ୍ଧା ଖାଦ୍ୟ ଖାଇବା ପାଇଁ ଯାଇଥିବା ବେଳେ ତାହାକୁ ଖାଦ୍ୟ ମଧ୍ୟ ଦିଆଁନଯାଇ ଫେରେଇ ଦେବା ଘଟଣା ଅତି ନିନ୍ଦନୀୟ ବୋଲି ଗ୍ରାମର ରହିମ ପଟେଲ ବୋଲି ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି |  ସେପଟେ ଜିଲ୍ଲାରେ ତିନୋଟି କରୋନା ପଜିଟିଭ ଘଟଣା ସାମ୍ନାକୁ ଆସିଲାପରେ ଲୋକଙ୍କ ମଧ୍ୟରେ ଭୟସଞ୍ଚାର ହୋଇଥିବା ସ୍ଥଳେ ସରପଞ୍ଚ ଏବଂ ପଞ୍ଚାୟତ କର୍ମଚାରୀଙ୍କ ଦେଖା ନମିଳିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସ୍ଥାନୀୟ ସରପଞ୍ଚଙ୍କୁ ପଞ୍ଚାୟତର ଅନେକ ଅସହାୟ ଲୋକ ଯୋଗାଯୋଗ କରି ବିଫଳ ହୋଇଥିବା ବେଳେ ସେ ଲୋକଙ୍କ ଫୋନ୍ ମଧ୍ୟ ଉଠାଉ ନଥିବା ଅଭିଯୋଗ ଆସିଛି । ସଂପ୍ରତି ଦ୍ୱିତୀୟ ଲକ୍‌ଡ଼ାଉନ୍ ଅବଧି ସରି ଆସୁଥିବା ବେଳେ ସରପଞ୍ଚ ମାନଙ୍କ ପଞ୍ଚାୟତରେ ଦେଖା ନମିଳିବା ଏବଂ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପଞ୍ଚାୟତବାସୀ ସେବାରୁ ବଞ୍ଚିତ ହେବା କଥା ସରକାରୀ ବ୍ୟବସ୍ଥା ପ୍ରତି ଅନେକ ପ୍ରଶ୍ନ ଆଙ୍କିଦେଇଛି ।ଜାତୀୟ ବିପତ୍ତି ସମୟରେ ସହାୟତା ଯୋଜନାରେ ବିଭ୍ରାଟ ସୃଷ୍ଟି ହେବା ଏବଂ ଏଭଳି ସମୟରେ ହିଁ ପଞ୍ଚାୟତ ଅଫିସ କିମ୍ବା ଏକାନ୍ତବାସ କକ୍ଷ ଗୁଡ଼ିକ ସଠିକ ଭାବରେ ପରିଚାଳିତ ହେଉନଥିବା ଘଟଣାକୁ ସବୁ ମହଳରେ ନିନ୍ଦା କରାଯାଇଥିବା ବେଳେ ସଂପୃକ୍ତ ସରପଞ୍ଚ ଏବଂ ପଞ୍ଚାୟତ ଉପରେ ବ୍ଲକ୍ ଏବଂ ଜିଲ୍ଲା ପ୍ରଶାସନ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀହୋଇଛି ।

0
0
0
s2sdefault