ପ୍ରଶାସନର ଖାମଖିଆଲି କାର୍ଯ୍ୟକୁ ନେଇ ଉଦ୍ବେଗ!
ବାଲେଶ୍ୱର,(ଉଜ୍ଜ୍ୱଳ କର ): ଲକ୍ ଡାଉନ୍ ସତ୍ତେ୍ୱ ପଶ୍ଚିମ ବଙ୍ଗରେ କାର୍ଯ୍ୟ କରୁଥିବା ଶହ ଶହ ଲୋକେ ସୀମା ଡେଇଁ ବାଲେଶ୍ୱରକୁ ପ୍ରବେଶ କରିଥିବା ନେଇ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସୂଚନା ପରେ ଜିଲ୍ଲାର କରୋନା ମୁକାବିଲା ଉପରେ ଲାଗିଛି ବିରାଟ ପ୍ରଶ୍ନବାଚୀ । ତେବେ ଅନୁପ୍ରବେଶ ନେଇ ଅଭିଯୋଗ ଉଠିବା ପରେ ଏବେ ବାଲେଶ୍ୱରକୁ ସରକାରଙ୍କ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀଙ୍କ ସୁଅ ଛୁଟିଛି । ତେବେ ଆରଡିସି ଇଂଜିନିୟର ଅନୀଲ କୁମାର ସାମଲ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହି ନିଚ୍ଛକ ସତ୍ୟ କହି ପକାଇଛନ୍ତିି । ଗତ ୨ ମାସ ମଧ୍ୟରେ ୨୭ଶହରୁ ଅଧିକ ଲୋକ ଲୁଚିଛପି ବାଲେଶ୍ୱର ସୀମାନ୍ତ ଦେଇ ଓଡ଼ିଶାକୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛନ୍ତି । ଏମିତିକି ଲକ୍ ଡାଉନ ପରେ ମଧ୍ୟ ଲୋକେ ଚାଲି ଆସିଥିବା ସେ ପ୍ରକାଶ କରିଛନ୍ତି । ସବୁଠାରୁ ବଡ଼କଥା ହେଲା ଲକ୍ ଡାଉନ୍କୁ ୧ମାସ ପୂରିଥିବା ବେଳେ ଜିଲ୍ଲାକୁ ସିଲ୍ କରାଯାଇଥିବା ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ବାରମ୍ବାର ଗଣମାଧ୍ୟକୁ ଅବଗତ କରାଯାଉଛି । ଏହା ସତ୍ତେ୍ୱ ମୁଗୁରା ମୁହଁ ମେଲା ହେବା ଭଳି ପରିସ୍ଥିତି ଉପୁଜିବାର କାରଣ କ’ଣ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠିଛି । ବାସ୍ତବତା କିନ୍ତୁ ଭିନ୍ନ ଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜାରି ହୋଇଥିବା ଲକ୍ ଡାଉନ୍ ବାଲେଶ୍ୱରରେ ଶତ ପ୍ରତିଶତ ପାଳିତ ହେଉଥିବା ନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ଡିଣ୍ଡିମ ପିଟା ଯାଉଥିଲା । ଏମିତିକି ବାଲେଶ୍ୱରରେ ସଂକ୍ରମିତଙ୍କ ଶୂନ୍ୟ ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ପ୍ରଶଂସା କେବଳ ବାହସ୍ପଟ ଥିଲା ବୋଲି ପ୍ରମାଣିତ ହୋଇଛି । ତେବେ ଉଲ୍ଲେଖନୀୟ ବିଷୟ ହେଲା ବାଲେଶ୍ୱରର ପୁଲିସ ଓ ପ୍ରଶାସନର ଖାମଖିଆଲି କାର୍ଯ୍ୟଧାରାର ପରିଣାମ ଏବେ କେବଳ ଏହି ଜିଲ୍ଲା ନୁହେଁ ବରଂ ଉତ୍ତର ଓଡ଼ିଶାର ଭଦ୍ରକ ଯାଜପୁର, କେନ୍ଦ୍ରପଡ଼ା ପାଇଁ ବିପଦ ଆଣି ଦେଇଛି ବୋଲି ଆଶଙ୍କା କରାଯାଇଛି । ଯଦିଚଃ ପୁଲିସ ମହାନିଦେ୍ର୍ଧଶକ ଶ୍ରୀ ଅଭୟ ଆଜି ସୀମାନ୍ତ ଲକ୍ଷ୍ମଣନାଥ୍ ଟୋଲ ପ୍ଲାଜା ନିକଟକୁ ଯାଇ ସେଠାରେ ନିୟୋଜିତ ପୁଲିସ ଓ ନିରାପତ୍ତା କର୍ମଚାରୀଙ୍କୁ କଡ଼ାକଡ଼ି ଯାଞ୍ଚ ପାଇଁ ନିଦେ୍ର୍ଧଶ ଦେଇଛନ୍ତି, ତେବେ ତାହା କିଭଳି ପାଳନ କରାଯାଉଛି ଦେଖିବାକୁ ବାକି ରହିଲା । ଅନ୍ୟପକ୍ଷରେ ପଶ୍ଚିମମବଙ୍ଗରେ କରୋନା କାୟା ବିସ୍ତାର କରି ସଙ୍ଗୀନ ପରିସ୍ଥିତିରେ ପହଞ୍ଚିଥିବା ବେଳେ ସେଠାରୁ ବାଲେଶ୍ୱର ଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲି ଆସିଥିବା ସଂକ୍ରମିତଙ୍କୁ ଠାବ କରିବା ଏବେ ଦୂରୁହ ବ୍ୟାପାର ହୋଇଛି । ବିଭିନ୍ନ ଜିଲ୍ଲାର ସରପଞ୍ଚମାନେ ସରକାରଙ୍କ ନିର୍ଦ୍ଦେଶକୁ କେତେ ମାତ୍ରାରେ ପାଳନ କରିବେ ତାହା ଭବିଷ୍ୟତ କହିବ । ତେବେ ପଶ୍ଚିମବଙ୍ଗ ଲିଙ୍କ୍ ହିଁ ଉପକୂଳ ଓଡ଼ିଶାରେ କରୋନା ସଂକ୍ରମଣକୁ ବୃଦ୍ଧି କରିବ ଏଥିରେ ସନ୍ଦେହ ନାହିଁ ।