ସୋଆର 156 ଶଯ୍ୟା ବିଶିଷ୍ଟ ତୃତୀୟ କୋଭିଡ ହସ୍ପିଟାଲ ତାଳଚେରରେ କାର୍ଯ୍ୟକ୍ଷମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁଖ୍ୟମନ୍ତ୍ରୀ ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଭିଡିଓ କନଫରେନସିଂରେ ହେଲା ଲୋକାର୍ପିତ

ଭୁବନେଶ୍ୱର(ଶାସକ ପ୍ରଶାସକ):ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ ମେଡିକାଲ ସାଇନ୍ସେସ ଓ ସମ ହସ୍ପିଟାଲର ତୃତୀୟ ସମ କୋଭିଡ 19 ହସ୍ପିଟାଲ ଅନୁଗୁଳ ଜିଲ୍ଲା ତାଳଚେରଠାରେ ସୋମବାର କାର୍ଯ୍ୟକ୍ଷମ ହୋଇଛି | କରୋନା ମହାମାରୀ ଆକ୍ରାନ୍ତଙ୍କୁ ଏହି ଦୁଃସାଧ୍ୟ ବ୍ୟାଧିରୁ ରକ୍ଷା କରିବା ନିମନ୍ତେ ସୋଆର ଏହି ପ୍ରୟାସକୁ ସହଯୋଗ କରିଛି ମହାନଦୀ କୋଲ ଫିଲଡ ଲିମିଟେଡ଼ |  ତାଳଚେର ସ୍ଥିତ ଏମସିଏଲ ହସ୍ପିଟାଲ ପରିସରରେ ସମ କୋଭିଡ 19 ହସ୍ପିଟାଲ ପ୍ରସ୍ତୁତ ହୋଇଥିବାବେଳେ ଭିଡ଼ିଓ କାନଫରେନସିଂ ମାଧ୍ୟମରେ ଏହାର ଉଦଘାଟନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର  ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ  ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ |
ହସ୍ପିଟାଲ ଉଦଘାଟନ ହେବାପୂର୍ବରୁ ସୋମବାର ସକାଳେ  ସମ ହସ୍ପିଟାଲ, ଏମସିଏଲ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ 156 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ନେଇ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା |  ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଓ ଏମସିଏଲ ତାଳଚେରର ଜେନେରାଲ ମ୍ୟାନେଜର ଏନ. ଜି. ବ୍ରହ୍ମପୁରକର ଏହି ଚୁକ୍ତିନାମା ସ୍ଵାକ୍ଷରିତ କରିଥିଲେ | 156 ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ନିମନ୍ତେ ଏମସିଏଲ ଆର୍ଥିକ ସହାୟତା କରୁଥିବା ବେଳେ ଡାକ୍ତର, ନର୍ସ, ଏବଂ ଅନ୍ୟାନ୍ୟ ସମସ୍ତ  ଆନୁସଙ୍ଗିକ ଡାକ୍ତରୀ ବ୍ୟବସ୍ଥା ସମ ପକ୍ଷରୁ ଯୋଗାଇ ଦିଆଯିବ |
ଏହି ଭିଡିଓ କନଫରେନସିଂ ରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଡାକ୍ତର, ଏବଂ ମେଡିକାଲ ଷ୍ଟାଫ ମାନେ  କରୋନା ରୋଗୀ ମାନଙ୍କୁ ଚିକିତ୍ସା କରୁଥିବା ହେତୁ ଧନ୍ୟବାଦ ଅର୍ପଣ କରିଥିଲେ |  ହସ୍ପିଟାଲକୁ ନେଇ ଏମସିଏଲ ର ସହଯୋଗକୁ ପ୍ରଶଂସା କରିବା ସହ ସୋଆର ଉଦ୍ୟମ ଓ ଦାୟିତ୍ୱବୋଧତା କୁ ନେଇ ମଧ୍ୟ ଆନନ୍ଦବ୍ୟକ୍ତ କରିଥିଲେ | 
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାରାଦେଶରେ 682 ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବ ବେଳେ ଓଡିଶା ଏ ଦିଗରେ ଅଗ୍ରଣୀ ଭୂମିକା ନେଇଛି |  ତେବେ ଆଗାମୀ 6 ମାସ ପର୍ଯ୍ୟନ୍ତ କୌଣସି ଏହି ହସ୍ପିଟାଲ ଗୁଡିକୁ କେହି କରୋନା ରୋଗୀ ନ ଆସନ୍ତୁ ବୋଲି ସେ ଆଶା କରିବା ସହ ଏକ ବର୍ଷ ପର୍ଯ୍ୟନ୍ତ କିନ୍ତୁ ଆମକୁ ବିଶ୍ୱରୁ କରୋନା ସମ୍ପୂର୍ଣ ହଟିବା ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ପଡିବ ବୋଲିସେ କହିଥିଲେ |
ଏହି ଅବସରରେ ମୁଖ୍ୟଶାସନ ସଚିବ ଅସିତ କୁମାର  ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର , 5ଟି ସଚିବ ଭି କେ ପାଣ୍ଡିଆନ ଓ କୋଭିଡ 19 ନିମନ୍ତେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚି ପ୍ରମୁଖ ଉପସ୍ଥିତ ଥିଲେ |
ସୋମବାର ତାଳଚେର ସମେତ ଜଗତସିଂହପୁର, ନବରଙ୍ଗପୁର, ବରଗଡ ଓ ସୁନ୍ଦରଗଡ଼ ରେ ମଧ୍ୟ ଆଇଓସିଏଲ, ପାରାଦ୍ୱୀପ ପୋର୍ଟ ଲିମିଟେଡ଼ ଓ ଏନଟିପିସି ର ସହଯୋଗରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି |
ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ଓଡିଶାର 22 ଟି ଜିଲ୍ଲାରେ 5000 ରୁ ଉର୍ଧ୍ଵ ଶଯ୍ୟା ବିଶିଷ୍ଟ 25 ଟି କୋଭିଡ ହସ୍ପିଟାଲ ସ୍ଥାପନ ହୋଇସାରିଥିବା ବେଳେ ସୋମବାର ଆଉ 825 ଶଯ୍ୟା ବିଶିଷ୍ଟ 5 ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି |
ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ନିର୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସୋଆ ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସମ ହସ୍ପିଟାଲ ର ବରିଷ୍ଠ ଡାକ୍ତର ଈଶ୍ୱର ବେହେରା ଏବଂ ଡାକ୍ତର ବସନ୍ତ କୁମାର ପତି ପ୍ରମୁଖ ତାଳଚେରରେ ଉପସ୍ଥିତ ଥିଲେ |
ଏପ୍ରିଲ 6 ତାରିଖରେ 525 ଶଯ୍ୟା ବିଶିଷ୍ଟ  ଓଡିଶାର ବୃହତମ କୋଭିଡ ହସ୍ପିଟାଲ ସୋଆ ପକ୍ଷରୁ କ୍ୟାମ୍ପସ 2 ରେ ଆରମ୍ଭ ହୋଇଥିବା ବେଳେ ନିକଟରେ କେନ୍ଦ୍ରାପଡ଼ା ର ଛତା ଠାରେ ସମ ପକ୍ଷରୁ 110 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି |

0
0
0
s2sdefault