ବଲାଙ୍ଗୀର/ ନିରୋଜ ମିଶ୍ର : ନାମ ଯୁଗୀନ୍ଦ୍ର, ବୟସ ଏକାନବେ | ସମ୍ବଳ ବୋଲି ସରକାରଙ୍କ ପାଖରୁ ପାଉଥିବା ମାସକୁ ୫୦୦ ଟଙ୍କା ଭତ୍ତା ଆଉ ୫କିଲେ ଚାଉଳ | ହେଲେ କରୋନା ଯୁଦ୍ଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଡ଼ାକରାରେ ବରିଷ୍ଠ ନାଗରିକ ଯୁଗୀନ୍ଦ୍ର ଯାହା କରିଛନ୍ତି ତାହା ସେଥିରୁ ସେ ପ୍ରମାଣିତ କରିଦେଇଛନ୍ତି ଯେ ତାଙ୍କ ପାଖରେ ଧନ ସିନା ନାହିଁ ହୃଦୟରେ ସେ ଇନ୍ଦ୍ର |
କରୋନା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜକୋଷ ଏକ ପ୍ରକାର ଖାଲି ହେଉଛି । ରାଜ୍ୟର ଏପରି ସଙ୍କଟ ସମୟରେ ସରକାର ରାଜ୍ୟବାସୀଙ୍କ ଠାରୁ ଆର୍ଥିକ ସହାୟତାର ହାତ ପାତିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଏ କେତେ ଧନୀ ମାନୀ ଦାନ କରୁଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୪୦୦୦ ଟଙ୍କା ଦାନ କରିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ଗାଁର ଯୁଗୀନ୍ଦ୍ର ସାହୁ । ଯୁଗୀନ୍ଦ୍ର ଜଣେ ନିସନ୍ତାନ ବ୍ୟକ୍ତି । ଭୂମିହୀନ ବି । ଜଣେ ସମ୍ବଳହୀନ ନିଶ୍ବ ଗରିବ ବୋଲି ସରକାର ତାଙ୍କୁ ମାସିକ ୫୦୦ ଟଙ୍କା ଓ ରାସନ ବାବଦକୁ ମାସିକ ୫ କିଲୋ ଚାଉଳ ଦିଅନ୍ତି ।
ବାସ୍ , ସେତିକି ତାଙ୍କର ସମ୍ବଳ । ଗାଁରେ ରହି ଦୁଃଖ କଷ୍ଟରେ ଚଳିଯାନ୍ତି ଯୁଗୀନ୍ଦ୍ର । ସରକାର ଦେଉଥିବା ଏହି ଭତ୍ତା ଆଉ ରାସନରୁ କିଛିକିଛି ନିଜ ପେଟରୁ କାଟି ଯୁଗୀନ୍ଦ୍ର ସଞ୍ଚୟ କରିଥିଲେ ୪ ହଜାର ଟଙ୍କା । ରାଜ୍ୟର ଏହି ବିପତ୍ତି ସମୟରେ ଏସବୁ ସଞ୍ଚୟ ଟଙ୍କା ଗୁଡିକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବାକୁ ମନସ୍ଥ କଲେ । ଗତ ୧୮ ତାରିଖରେ ଯୁଗୀନ୍ଦ୍ର ଆଗଲପୁର ବ୍ଲକରେ ପହଞ୍ଚି, ବିଡିଓ ବିଜୟ ହୋତାଙ୍କ ହାତକୁ ଏହି ଟଙ୍କା ତକ ଟେକି ଦେଇଛନ୍ତି । ଯେଉଁ ବିଡିଓ ପ୍ରତି ମାସରେ ତାଙ୍କୁ ୫୦୦ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଦିଅନ୍ତି, ସେହି ବିଡିଓ ଯୁଗୀନ୍ଦ୍ରଙ୍କ ହାତରୁ ୮ ମାସର ବାର୍ଦ୍ଧକ୍ୟ ଭତ୍ତା ବାବଦରେ ଦେଇଥିବା ୪୦୦୦ ଟଙ୍କା ଗ୍ରହଣକରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇଛନ୍ତି । ଯୁଗୀନ୍ଦ୍ରଙ୍କ ପରି ଏମିତି ବିଶାଳ ହୃଦୟର ମଣିଷ ଏଯୁଗରେ ଦେଖିବା ବିରଳ ନିଶ୍ଚୟ । ଜୀବନ ସାରା ସମାଜସେବା କରି କରି ଆସିଥିବା ଯୁଗୀନ୍ଦ୍ର, ୯୧ ବର୍ଷ ବୟସରେ କରିଥିବା ଏପରି ତ୍ୟାଗ ପାଇଁ ପ୍ରଶଂସାର ସୁଅ ଛୁଟୁଛି |
ରାଜ୍ୟ
ଏମିତି ହୃଦୟ ତୁମର, ସତରେ କୋଟି ନମସ୍କାର
- Hits: 415