ବାରିପଦା(ଦିଲ୍ଲୀପ ମହାନ୍ତି )-- ବିଭିନ୍ନ କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ବ୍ରାଣ୍ଡର ଗଚ୍ଛିତ ରହିଥିବା ଏକ ଵିଦେଶୀ ମଦ ଗୋଦାମ ଉପରେ ଅବକାରୀ ଓ ପୁଲିସ ପକ୍ଷରୁ ଅତର୍କିତ ଭାବେ ମିଳିତ ଚଢ଼ାଉ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ ବିଜ୍ଞାପିତ କ୍ଷେତ୍ର ପରିଷଦର ୧ ନମ୍ବର ୱାର୍ଡ଼ର ଗୋଲେଇ ନିକଟ ମାର୍କେଟ କମ୍ପ୍ଲେକ୍ସ ଘର ଉପରେ ଗତକାଲି ରାତିରେ ଏହି ଚଢ଼ାଉ କରାଯାଇ ପାଖାପାଖି ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବିଦେଶୀ ମଦ ଜବତ କରିବା ସହ ମାଲିକ ସତ୍ୟଜିତ ସାହୁଙ୍କୁ ଥାନାରେ ଅଟକ ରଖାଯାଇଛି । ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ଲାଗିରହିଥିବା ମହାମାରୀ କରୋନା ସଂକ୍ରମଣ ମୁକାବିଲା ପାଇଁ ସାରାରାଜ୍ୟରେ ଲକଡାଉନ ସମୟରେ କେବଳ ତେଜରାତି, ଗ୍ରୋସାରୀ, ପରିବା, ଦୁଗ୍ଧଜାତ ଦ୍ରବ୍ୟ, ଔଷଧ, ପେଟ୍ରୋଲ ପମ୍ପ ଆଦି କେତେକ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ବାଦ ଦେଇ ଅନ୍ୟ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଦୋକାନ ବଜାର ବନ୍ଦ ରହିଛି। ସେହିପରି ସ୍ୱୀକୃତିପ୍ରାପ୍ତ ସରକାରୀ ମଦଦୋକାନ ଗୁଡିକୁ ମଧ୍ୟ ସିଲ କରିଛି ଜିଲ୍ଲା ପ୍ରଶାସନ । ଏହା ସତ୍ତ୍ୱେ କରଞ୍ଜିଆ ଵିଜ୍ଞାପିତ ଅଞ୍ଚଳରେ ପୂର୍ବତନ ଅଧ୍ୟକ୍ଷଙ୍କ ବଡଭାଇ ସତ୍ୟଜିତ ସାହୁ ଅବକାରୀ ଓ ପୁଲିସ ଆଖିରେ ଧୂଳିଦେଇ ମାର୍କେଟ କମ୍ପ୍ଲେକ୍ସର ଏକ ଘରେ ପାଖାପାଖି ୪ ରୁ ୫ଶହ ପେଟି ବିଦେଶୀ ମଦ ଗଚ୍ଛିତ ରଖିଥିଲେ। ଯାହାର ଅନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ ହବ ବୋଲି ଚଢ଼ାଉରେ ସାମିଲ ଥିବା ଅବକାରୀ ବିଭାଗ ସୂତ୍ରରୁ ଜଣାପଡିଛି ।
ଲକଡାଉନ ସମୟରେ ମଦର ଅଭାବକୁ ଦୃଷ୍ଟିରେ ରଖି କଳାବଜାରୀ ମାଧ୍ୟମରେ ଚୋରା ବେପାରୀମାନଙ୍କୁ ଚଢା ଦରରେ ବିଦେଶୀ ମଦ ଯୋଗାଉଥିଲେ ଅଭିଯୁକ୍ତ ମଦ ବ୍ୟବସାୟୀ ସତ୍ୟଜିତ ସାହୁ। କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ ଉପ-ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ, କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ଦେହୁରୀ, କରଞ୍ଜିଆ ଅବକାରୀ ଇନ୍ସପେକ୍ଟର କ୍ଷିତିଶ ଦାସ, କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ ଅତର୍କିତ ଭାବେ ମାର୍କେଟ କମ୍ପ୍ଲେକ୍ସ ଉପରେ ଚଡାଉ କରି ବିପୁଳ ପରିମାଣର ଗଚ୍ଛିତ ଥିବା ବିଦେଶୀ ମଦ ଜବତ କରିଥିଲେ । ତେବେ ଏହି ବିପୁକ ପରିମାଣରେ ବିଦେଶୀ ମଦ ଜବତ ହେବା ପରେ ଜନସାଧାରଣ ଅବକାରୀ ବିଭାଗର ପରିବା ପାଣିଆକୁ ପଦାରେ ପକାଇ ଦେଇଛି । ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ୨୪ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଲକ ଡାଉନ ହୋଇଥିଲା । ଏହା ପରେ ସତ୍ୟଜିତ ସାହୁଙ୍କ ଦ୍ୱାରା ପରିଚାଳିତ ସରକାରୀ ମଦ ଦୋକାନ ସହିତ ଜିଲାରେ ସମସ୍ତ ସରକାରୀ ମଦ ଦୋକାନଗୁଡିକୁ ଅବକାରୀ ବିଭାଗ ପକ୍ଷରୁ ସିଲ କରାଯାଇଥିଲା । ତେବେ ସତ୍ୟଜିତ ସାହୁଙ୍କ ଏହି ଗୋଦାମ ମଧ୍ୟକୁ ବିଦେଶୀ ମଦ ଆସିଲା କିପରି । ଯଦି ମଦ ବ୍ୟବସାୟୀ ସତ୍ୟଜିତ ଏହାକୁ ନିଜ ମଦ ଦୋକାନର ଗୋଦାମ ଭାବେ ବ୍ୟବହାର ନିମନ୍ତେ ଅବକାରୀ ବିଭାଗ ନିକଟରୁ ଅନୁମତି ନେଇଥିବେ ତେବେ ବିଭାଗ କାହିଁକି ଉକ୍ତ ମଦ ଗୋଦାମକୁ ସିଲ କଲା ନାହିଁ । ସେହିପରି ଯଦି ମଦ ଗୋଦାମ ଭାବେ ବ୍ୟବହାର ପାଇଁ ଅନୁମତି ନେଇ ନ ଥିଲେ, ତେବେ ଗୋଦାମ ଭିତରକୁ ବିପୁଳ ପରିମାଣରେ ମଦ ଆସିଲା କିପରି । ଅବକାରୀ ବିଭାଗ ଓ ପୁଲିସ ଏ ବିଷୟରେ ଜାଣି ପାରିଲେ ନାହିଁ କିପରି । ପ୍ରତ୍ୟେକ ସରକାରୀ ମଦ ଦୋକାନରେ ଏକ ଷ୍ଟକ ଓ ସେଲ ରେଜିଷ୍ଟର ରହିଥାଏ ଏବଂ ଅବକାରୀ ବିଭାଗ ଏହି ଷ୍ଟକ ଓ ସେଲ ରେଜିଷ୍ଟର ଅନୁସାରେ ବ୍ୟବସାୟୀ ମଦ ନିଗମରୁ ଉଠାଇଥିବା ମଦର ପରିମାଣ ସଠିକ ରହିଛି କି ନାହିଁ ତାହାକୁ ଯାଞ୍ଚ କରି ରେଜିଷ୍ଟାରରେ ପ୍ରତ୍ୟେକ ମାସ ସ୍ବାକ୍ଷର କରିବାର ନିୟମ ରହିଛି । ପୁଣି ମଦ ଦୋକାନ ସିଲ ସମୟରେ ଷ୍ଟକ ଓ ସେଲ ରେଜିଷ୍ଟାରକୁ ଯାଞ୍ଚ କରାଯାଇଥିବ । ତେବେ ମଦ ବ୍ୟବସାୟୀ ସତ୍ୟଜିତ ସାହୁଙ୍କ ଉକ୍ତ ଗୋଦାମ ମଧ୍ୟକୁ ମଦ ଆସିଲା କିପରି ତା ଉପରକୁ ଜନସାଧାରଣ ଆଙ୍ଗୁଳି ଉଠାଇଛନ୍ତି । ଏହି ଘଟଣା ମଧ୍ୟ ଅବକାରୀ ବିଭାଗର ପାରିବା ପାଣିଆକୁ ପଦାରେ ପକାଇ ଦେଇଛି । ତେଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର କର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଜନସାଧାରଣରେ ଦାବି ହୋଇଛି ।