ରାଜ୍ୟବାସୀ ଓ ଓଡ଼ିଆ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
-
କୋବିଦ ଲଢେଇ ମଜଭୁତିର ସହ ଲଢ଼ିବା ପାଇଁ ସରପଂଚଙ୍କୁ ଅଧିକ କ୍ଷମତା
-
ଆପଣମାନଙ୍କ ଧୈର୍ଯ୍ୟ, ନିଷ୍ଠା ଓ ତ୍ୟାଗ ଫଳରେ ଏ ଲଢେଇ ସହଜ ହୋଇପାରିଛି
-
ପ୍ରବାସୀ ଫେରିବେ, ହେଲେ ପଞ୍ଜିକରଣ କରି ରହିବେ ସରକାରୀ କ୍ୱାରେଣ୍ଟାଇନରେ
-
କ୍ୱାରେଣ୍ଟାଇନ ଅବଧି ସାରିବା ପରେ ଦିଆଯିବ ପ୍ରୋତ୍ସାହନ ରାଶି ୨୦୦୦ ଟଙ୍କା
ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରବାସୀ ଓଡ଼ିଆ ପ୍ରବାସରୁ ଆସୁଛନ୍ତି !!! ଯଦି ଆସୁଛନ୍ତି ତେବେ ଆସନ୍ତୁ | ହେଲେ ଆସି ତୁରନ୍ତ ପଞ୍ଜିକରଣ କରିବେ | ଆଉ ୧୪ ଦିନ ସଙ୍ଗ ରୋଧରେ ରହିବେ | ଆଉ ସଙ୍ଗ ରୋଧ ଅବଧି ସାରିବା ପରେ ରାଜ୍ୟ ସରକାର ଆପଣମାନଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବେ | ଏଭଳି ଏହା ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀ ଓ ଓଡ଼ିଆ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଭିଡିଓ ବାର୍ତ୍ତା ଅବସରରେ | କେବଳ ସେତିକି ନୁହେ, କରୋନା ମୁକାବିଲା ପାଇଁ ତଥା ସରକାର ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରପଂଚମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିଛନ୍ତି , ଯାହାକି ଜିଲ୍ଲାପାଳ ଦ୍ୱାରା ବ୍ୟବହୃତ ହେଉଥିଲା ।
ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତାରେ କହିଛନ୍ତି
‘ ପ୍ରିୟ ଭାଇ ଓ ଭଉଣୀ ମାନେ
ଗତ ୯ ତାରିଖ ଦିନ ମୁଁ ଆପଣମାନଙ୍କ ସହ କଥା ହୋଇଥିଲି । ଏହି ୧୦ ଦିନ ମଧ୍ୟରେ ବିଶ୍ୱରେ କରୋନା ପଜିଟିଭ କେସ ୧୫ ଲକ୍ଷରୁ ବଢି ୨୩ ଲକ୍ଷରେ ପହଂଚିଲାଣି । ଆମ ଦେଶରେ କରୋନା ପଜେଟିଭ କେସ ୩ ଗୁଣ ହୋଇ ୧୫ ହଜାରରେ ପହଂଚିଲାଣି । ମୃତ୍ୟୁ ସଂଖ୍ୟା ୨ ଗୁଣରୁ ଅଧିକ ହୋଇ ୨ ଶହରୁ ବଢି ୫ ଶହରୁ ଅଧିକ ହେଲାଣି । ଗତ ୯ ତାରିଖରେ ଓଡିଶାରେ ପଜିଟିଭ କେସ ୪୨ ଥିଲା ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ କେସ ୬୧ରେ ପହଂଚିଛି । ଆମ ଟେଷ୍ଟ ୩ ଗୁଣ କରାଯାଇଛି ଏବଂ ଆକ୍ଟିଭ କେସ ମଧ୍ୟ କମିଛି । ଏହା କେବଳ ସମ୍ଭବ ହୋଇପାରିଛି ଆପଣମାନଙ୍କର ସହଯୋଗ ଓ ତ୍ୟାଗ ପାଇଁ ଏଥିରେ ଅଛି ପ୍ରତି ଲୋକର ତ୍ୟାଗ , ପ୍ରତି ପରିବାରର ତ୍ୟାଗ , ମା ମାନଙ୍କ ତ୍ୟାଗ ଏବଂ ନିଷ୍ଠାସହ କାମ କରିଥିବା ଆମ ସମସ୍ତଙ୍କର ତ୍ୟାଗ । ଏ ଲଢେଇ ଲମ୍ବା ଲଢେଇ । ସେଥିପାଇଁ ଆମକୁ ଆଗକୁ ସାବଧାନ ହେବାକୁ ପଡିବ । ଓଡିଶାରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମର ମାଣ୍ଡଟରି ରେଜିଷ୍ଟ୍ରସନ କରିବାର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଦେଶରୁ ଆସିଥିବା ଭାଇଭଉଣୀ ମାନଙ୍କୁ ରେଜିଷ୍ଟ୍ରସନ ଏବଂ ବାଧ୍ୟତାମୂଳକ କ୍ୱାରେଂଟାଇନରେ ରଖିବା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି । ଆମେ ସେମାନଙ୍କର ଯତ୍ନ ନେଉଛୁ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡିଶାର ଲକ୍ଷ ଲକ୍ଷ ଭାଇଭଉଣୀ ରହିଯାଇଛନ୍ତି । ତୀର୍ଥ ପାଇଁ ଯାଇଥିବା ଲୋକ, ଛାତ୍ରଛାତ୍ରୀ, ରୋଗୀ ସମସ୍ତେ ରହିଯାଇଛନ୍ତି । ସେମାନଙ୍କର ଅବସ୍ଥା ମଧ୍ୟ ବହୁତ ଦୁଃଖ ଦେଇଛି । ଆମ ରାଜ୍ୟର ତଥା ସେହି ରାଜ୍ୟର ଉଦ୍ୟମ ସତ୍ୱେ ସେମାନଙ୍କର ଜୀବନ ସ୍ୱାଭାବିକ ହୋଇପାରିନାହିଁ । ଯେତେବେଳେ କଟକଣା ଉଠିଯିବ ସେତେବେଳେ ଆମେ କେନ୍ଦ୍ର ସରକାର ତଥା ଅନ୍ୟ ରାଜ୍ୟମାନଙ୍କ ସହିତ ଆଲୋଚନା କରିବୁ । ଆମର ଲୋକମାନେ ଯେପରି ସୁବିଧାରେ ଫେରିବେ ସେଥିପାଇଁ ଆମେ ବ୍ୟବସ୍ଥା କରିବୁ । ଏଥିପାଇଁ ଆମେ ଟେକ୍ନୋଲୋଜୀର ସୁବିଧା ନେବୁ । କିନ୍ତୁ ସମସ୍ୟା ବହୁତ ବଡ । ସେଥିପାଇଁ ଡିସେଣ୍ଟ୍ରାଲାଇଜଡ ଆପ୍ରୋଚ ନେବାକୁ ହେବ । ମାନବିକତା ଦୃଷ୍ଟିରୁ ନିଷ୍ପତି ନେବାକୁ ହେବ । ଏଥିପାଇଁ କମ୍ୟୁନିଟିର ସହଯୋଗ ଦରକାର । ଗ୍ରାମପଂଚାୟତ ଓ ଅର୍ବାନ ଲୋକାଲ ବଡିମାନଙ୍କୁ ସାଥିରେ ନେଇ କାମ କରିବା ଦରକାର । ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରସନ ସୁବିଦା ରହିବ । ଅନ୍ୟରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରସନ ମାଣ୍ଡେଟୋରି କରାଯାଇଛି । ସେମାନଙ୍କର ପରିବାର ଓ ବନ୍ଧୁମାନେ ହିଁ ପଞ୍ଚାୟତରେ ରେଜିଷ୍ଟ୍ରସନ କରିପାରିବେ । ସେମାନଙ୍କୁ ସେମାନଙ୍କ ପଞ୍ଚାୟତରେ ହିଁ କ୍ୱାରେଣ୍ଟାଇନରେ ରଖାଯିବ । ସେମାନଙ୍କ ରହିବା ଖାଇବା ସବୁ ମାଗଣାରେ ମିଳିବ । କ୍ୱାରେଂଟାଇନ ପିରିୟଡ ସରିବା ପରେ ୨ ହଜାର ଟଙ୍କା ଇନସେନଟିଭ( ପ୍ରୋତ୍ସାହନ ରାଶି) ଭାବରେ ଦିଆଯିବ । ଅନ୍ୟରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ ରେଜିଷ୍ଟ୍ରେସନ ଓ କ୍ୱାରେଣ୍ଟାଇନ ସେମାନଙ୍କର ତଥା ସେମାନଙ୍କ ପରିବାରର ସମାଜ ଓ ରାଜ୍ୟର ମଙ୍ଗଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ ଭାବରେ କାର୍ଯକାରୀ କରିବା ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । କୋଭିଡ ୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏତିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଇଛି । ଅସାଧାରଣ ପରିସ୍ଥିତି ଏସାଧାରଣ ସମାଧାନ ଆବଶ୍ୟକ କରେ । ପଂଚାୟତ ଏବଂ ଅର୍ବାନ ଲୋକାଲ ବଡିମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ ଭାବରେ ମୁକାବିଲା କରିପାରିବା । ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା । କୋଭିଡ ୧୯ ବିରୋଧରେ ଆମ ଲଢେଇକୁ ଆହୁରି ମଜଭୁତ କରିପାରିବା । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ସମ୍ମାନଜନକ ଭାବରେ ପ୍ରିତିଟି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ ମୋର ବିଶ୍ୱାସ କୋଭିଡ ୧୯ ଲଢେଇରେ ପଂଚାୟତି ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରିପାରିବ’ ।