ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପିପିଇ ମହଜୁଦ ରହିଛି : ପ୍ରତାପ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କରୋନା ମୁକାବିଲା ପାଇଁ ସବୁ ସ୍ତରରେ ତାଲିମକୁ ମନ୍ତ୍ରୀସ୍ତରୀୟ ବୈଠକରେ ଗୁରୁତ୍ୱ

ଭୁବନେଶ୍ୱର(ଭୁବନେଶ୍ୱର): କରୋନା ମୁକାବିଲା ଲାଗି ଅଧିକରୁ ଅଧିକ ସଂଖ୍ୟାରେ ଅଙ୍ଗନବାଡି, ଆଶାକର୍ମୀ, ଏଏନଏମ, ନର୍ସ ଓ ଡାକ୍ତରମାନଙ୍କୁ ତାଲିମ ପ୍ରଦାନ କରାଯିବ । ବର୍ତମାନ ସୁଦ୍ଧା ଏକ ଲକ୍ଷ ୫୩ ହଜାର ଜଣଙ୍କୁ ତାଲିମ ପ୍ରଦାନ କରାଯାଇଥିବାବେଳେ ଗୋଷ୍ଠୀ  ସ୍ତରରେ କିଭଳି ଅଧିକ ତାଲିମ ଦିଆଯିବ ତାହା ଉପରେ ମନ୍ତ୍ରୀ ସ୍ତରୀୟ ବୈଠକରେ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ରାଜ୍ୟ ପଚାଂୟତିରାଜ, ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଆଜି ବସିଥିବା ଉଚ୍ଚ କ୍ଷମତା ସମ୍ପନ୍ନ ମନ୍ତ୍ରୀ ସ୍ତରୀୟ ବୈଠକପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ କ୍ଷେତ୍ର ସ୍ତରରେ ଅଧିକରୁ ଅଧିକ କର୍ମୀଙ୍କୁ ତାଲିମ ପ୍ରଦାନ କରାଗଲେ ପରବର୍ତୀ ସମୟରେ କରୋନା ମୁକାବିଲାରେ ସେମାନଙ୍କୁ ବ୍ୟବହାର କରାଯାଇ ପାରିବ । ଏଥି ସହିତ ସମସ୍ତ ମେଡିକାଲ କଲେଜରେ କରୋନା ପରୀକ୍ଷା ପାଇଁ ପରୀକ୍ଷାଗାର ସ୍ଥାପନ ନେଇ ବୈଠକରେ ଆଲୋଚନା ହୋଇଛି । କରୋନା ପରୀକ୍ଷା ଲାଗି ଆବଶ୍ୟକ ପଡୁଥିବା ରାପିଡ ଟେଷ୍ଟ କିଟ୍ ଓ ଆଜିଥ୍ରୋମାଇସିନ ଭଳି ଔଷଧ ଖରିଦ କରିବା ଲାଗି ଆସିଥିବା ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି । ସେହିଭଳି ପ୍ରତିଷ୍ଠା  ହେବାକୁ ଥିବା କରୋନା ପରୀକ୍ଷାଗାର ଗୁଡିକରେ ଆବଶ୍ୟକ ମାନବସମ୍ବଳ ଚୁକ୍ତି ଭିତିରେ ମୁତୟନ ଉପରେ ମଧ୍ୟ ଆଲୋଚନା ହୋଇଛି ।

ଆବଶ୍ୟକ ଥିବା ବ୍ୟକ୍ତିଗତ ସୁରକ୍ଷା କିଟ୍ (ପିପିଇ) ସଂକ୍ରାନ୍ତରେ ଶ୍ରୀ ଜେନା କହିଛନ୍ତି ଯେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପିପିଇ ମହଜୁଦ ରହିଛି । ଏହାର କୌଣସି ଅଭାବ ନାହିଁ । ଯଦି ଅଧିକ ଆବଶ୍ୟକ ହୁଏ ତେବେ ରାଜ୍ୟସରକାର ତୁରନ୍ତ ତାହା ଯୋଗାଇଦେବେ । ପ୍ରବାସୀ ଓଡିଆ ଶ୍ରମିକମାନଙ୍କ ସଂକ୍ରାନ୍ତରେ ମନ୍ତ୍ରୀ କହିଛନ୍ତି ଯେ ପ୍ରବାସୀ ଓଡିଆମାନଙ୍କ କଥା ବୁଝିବାପାଇଁ  ମୁଖ୍ୟମନ୍ତ୍ରୀ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ପ୍ରତ୍ୟେକ ଜିଲ୍ଲାପାଇଁ ଜଣେ ଜଣେ ନୋଡାଲ ଅଫିସର ନିଯୁକ୍ତ ହୋଇଛନ୍ତି । ଯେଉଁସବୁ ରାଜ୍ୟରେ ଓଡିଆ ଶ୍ରମିକମାନେ ଅଟକି ରହିଛନ୍ତି ସେଠାକାର ପ୍ରଶାସନ ସହିତ କଥାହୋଇ ସମସ୍ତ ପ୍ରକାର ସୁବିଧା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି |

0
0
0
s2sdefault