ହେଡଲାଇନସ୍:

ବିଜେପୁର ଠାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଜେପୁର ବ୍ଲକ ର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ, ଶିଳ୍ପ, ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ଗୁଣ ପ୍ରଦର୍ଶନ କରିଥିଲେ।
କାର୍ଯ୍ୟକ୍ରମ ର ଉଦଘାଟନ ବିଜେପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୟକୃଷ୍ଣ ଡନସେନା ଙ୍କ ହସ୍ତେ ହୋଇଥିଲା। ସେ ନିଜ ଅଭିଭାଷଣ ରେ କହିଥିଲେ — “ଆମ ପିଲାମାନେ ଅସୀମ ପ୍ରତିଭା ରଖନ୍ତି, ସେମାନେ ଯଦି ଭଲ ପରିଶ୍ରମ କରନ୍ତି, ନିଶ୍ଚିତ ଭାବରେ ଜିଲ୍ଲା ଓ ରାଜ୍ୟସ୍ତରରେ ସଫଳତା ଅର୍ଜନ କରିବେ। ଶିଶୁ ମହୋତ୍ସବ ହେଉଛି ଗୋଟିଏ ଅବସର ଯେଉଁଠାରେ ପିଲାମାନେ ନିଜ ଗୁଣ ଓ ସାମର୍ଥ୍ୟ ଦେଖାଇପାରନ୍ତି।”
ଏହି ଅବସରରେ ବିଜେପୁର ତହସିଲଦାର ଶ୍ରୀ ମୁକ୍ତେଶ୍ଵର ପାଣିଗ୍ରାହୀ, ଯୋଖିପାଲି ସରପଞ୍ଚ ଶ୍ରୀମତୀ ସବିତା ସାହୁଏବଂ ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ରଜନୀକାନ୍ତ ଦାଶ ଆଦି ଅତିଥିମାନେ ଯୋଗଦାନ କରିଥିଲେ।
ଶ୍ରୀ ରଜନୀକାନ୍ତ ଦାଶ ନିଜ ଅଭିଭାଷଣ ରେ କହିଥିଲେ — “ଗୋଟିଏ ମଂଚ ଉପରେ ଯେତେବେଳେ ଶିକ୍ଷକ, ଅଭିଭାବକ ଓ ଛାତ୍ର ଏକତ୍ର ହୁଅନ୍ତି, ଶିକ୍ଷା ବିଭାଗ ର କାର୍ଯ୍ୟ ଆହୁରି ଜୀବନ୍ତ ଓ ପ୍ରେରଣାଦାୟକ ହୋଇଯାଏ।”
ଏହି ସମଗ୍ର କାର୍ଯ୍ୟକ୍ରମ ର ସଫଳ ପରିଚାଳନା ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବଲ୍ଳଭ ମେହେର ଙ୍କ ସଭାପତିତ୍ୱ ରେ ହୋଇଥିଲା। ଏହି ମହୋତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା — ଶିଶୁମାନଙ୍କ ଠାରେ ଥିବା ଅନ୍ତର୍ନିହିତ ଗୁଣ ଓ ସାମର୍ଥ୍ୟ ର ପରିପ୍ରକାଶ ଏବଂ ସେମାନଙ୍କ ସମଗ୍ର ବିକାଶ।
ଦିନ ଭରି ଚାଲିଥିବା ଏହି ଉତ୍ସବ ର ଶେଷ ପର୍ଯ୍ୟାୟ ବେଳେ ଉତ୍ସବର ଉତ୍ସର୍ଗ ସଭା ଆୟୋଜିତ ହୋଇଥିଲା। ଏଥିରେ ବିଜେପୁର ବିଜ୍ଞାପିତ ଅଂଚଳ ପରିଷଦ ର ଅଧ୍ୟକ୍ଷା ଶ୍ରୀମତୀ ସୀତା ବାରିକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସେ ନିଜ ଅଭିଭାଷଣ ରେ କହିଥିଲେ — “ପିଲାମାନେ ଆମ ଭବିଷ୍ୟତ, ତେଣୁ ସେମାନଙ୍କ ପ୍ରତିଭା ଓ ଗୁଣ ଉନ୍ନୟନ ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ।”
ଏହି ସଭାରେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁରେଶ କୁମାର ରାଉତରାୟ, ଶ୍ରୀ ଗଗନ ବେହେରା, ଏବଂ ବିଜେପୁର ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିବାକର ବରିହା, ଶ୍ରୀ ସୁଶାନ୍ତ ପାଣ୍ଡେ, ଓ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଧାନ ଯୋଗଦାନ କରିଥିଲେ। ସେମାନେ ନିଜର ଅଭିଭାଷଣ ରେ ଶିକ୍ଷା ଓ ସଂସ୍କୃତି ର ସମନ୍ୱୟ ଉପରେ ଆଲୋକପାତ କରିଥିଲେ।
ଉତ୍ସବ ଅବସରରେ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ଅଭିନୟ, ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହୋଇଥିଲା। ଦର୍ଶକ ମାନେ ପିଲାମାନଙ୍କ ପ୍ରଦର୍ଶନ ଦେଖି ତାଳି ଦେଇ ଉତ୍ସାହିତ କରିଥିଲେ।
ସମାପନ ସଭାରେ ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପୁରସ୍କାର ହସ୍ତାନ୍ତର କରି ଅତିଥିମାନେ କହିଥିଲେ — “ପୁରସ୍କାର ମାତ୍ର ଜିତିବା ନୁହେଁ, ଏହା ଆଗାମୀ ଜୀବନ ରେ ଶିଖିବା ଓ ଆଗେଇବା ପାଇଁ ପ୍ରେରଣା।”
ଏହି ମଞ୍ଚ ରେ ସାମ୍ବାଦିକ ଙ୍କ ପ୍ରଶ୍ନ ରେ ବିଜେପୁର A.B.O. ଶ୍ରୀ ସୁଶାନ୍ତ ପାଣ୍ଡେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ। ସେ କହିଥିଲେ — “ଶିକ୍ଷାର ଗୁଣତ୍ତ୍ୱ ଉନ୍ନତି ପାଇଁ ଶିକ୍ଷକ ଅଭାବ ଏକ ଚ୍ୟାଲେଞ୍ଜ ହେଲେ ମଧ୍ୟ ଆମେ ଲଗାତାର ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରୁଛୁ। ପ୍ରତିବର୍ଷ ୧୫ରୁ ୨୦ ଜଣ ଶିକ୍ଷକ ଅବସର ନେଉଥିବା ବେଳେ ସେହି ଅନୁପାତ ରେ ନୂତନ ନିଯୁକ୍ତି ହେଉନାହିଁ। ନୂତନ ଶିକ୍ଷା ନୀତି ରେ ଶିଶୁ ବାଟିକା ଆସିଥିବାରୁ ଅନେକ ସ୍କୁଲ ରେ ୧ ରୁ ୬ ପର୍ଯ୍ୟନ୍ତ କେବଳ ୨ ଜଣ ଶିକ୍ଷକ ଅଛନ୍ତି। ତେବେ ଉପରିସ୍ଥ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ ନୂତନ ନିଯୁକ୍ତି ହେଲେ ବିଜେପୁର ବ୍ଲକକୁ ଯଥେଷ୍ଟ ଶିକ୍ଷକ ଯୋଗାଇ ଦିଆଯିବ।”
ଶ୍ରୀ ପାଣ୍ଡେ ଙ୍କ ମତ ଅନୁଯାୟୀ, ଶିକ୍ଷକ ଅଭାବ ହେଲେ ମଧ୍ୟ ଶିକ୍ଷକ ମାନେ ନିଜ ଦାୟିତ୍ୱରେ ନିଷ୍ଠା ସହ କାର୍ଯ୍ୟ କରୁଛନ୍ତି ଏବଂ ସେହି ଉଦ୍ୟମ ଦ୍ୱାରା ଆଜି ବିଜେପୁର ବ୍ଲକ ର ଶିକ୍ଷା ଫଳାଫଳ ଉନ୍ନତି ଅଭିମୁଖୀ ହୋଇଛି।ଶେଷରେ ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ପାଣ୍ଡବ ପଧାନ,ସୁନୀଲ କୁମାର ମେହେର, ଜିତେନ୍ଦ୍ର ମେହେର, ଆକାଶ ମେହେର, ଜଗନ୍ନାଥ କୁମ୍ଭାର, ଅମୁଲ୍ୟ ସୁନା, ସୁଶାନ୍ତ ସାହୁ ଙ୍କୁ ଉପଢ଼ୋକନ ଦେଇ ସମ୍ବାନିତ କରିଥିଲେ
ସର୍ବଶେଷରେ ବିଜେପୁର ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଦିବାକର ବରିହା ଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ର ସମାପନ ହୋଇଥିଲା। ସମଗ୍ର ଅବସର ଆନନ୍ଦ, ଉତ୍ସାହ ଓ ଗର୍ବ ରେ ପୂର୍ଣ୍ଣଥିଲା।

0
0
0
s2sdefault