ହେଡଲାଇନସ୍:

ଦୀର୍ଘଦିନର ଅସୁସ୍ଥତା ପରେ ଆଖିବୁଝିଲେ  ଲୋକପ୍ରିୟ ନେତା-ପୂର୍ବତନ ମନ୍ତ୍ରୀ ସନାତନ ବିଶି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶୋକସନ୍ତପ୍ତ ପରିବାରକୁ ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍  ରମାକାନ୍ତ ବିଶ୍ବାଳ: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ସନାତନ ବିଶିଙ୍କର ମଙ୍ଗଳବାର ସକାଳ ୬ଟା ସମୟରେ ପରଲୋକ ହୋଇଛି l  ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା l ସମ୍ବଲପୁର ସହରର ହୀରାକୁଦ କଲୋନୀ ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବାର ସୂଚନା ମିଳିଛି l  ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଯାଜ୍ଞସେନୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ l ସନାତନ ବିଶି ୧୯୯୪ରୁ ୨୦୦୦ ମସିହା ଯାଏଁ ଜନତା ଦଳର ରାଜ୍ୟସଭା ସଦସ୍ୟ ଥିଲେ l  ଏହାପରେ ସେ ୨୦୦୦ ଓ ୨୦୦୪ରେ ଦୁଇ ଥର  ବିଜେଡି ଟିକେଟରେ ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ସେ ରାଜ୍ୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ l ସନାତନ ବିଶି ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ l ତାଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି l 

ଶ୍ରୀ ବିଶିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି | ସ୍ବର୍ଗତ ଶ୍ରୀ ବିଶିଙ୍କୁ ଜଣେ ଉତ୍ସର୍ଗୀତ ସମାଜସେବୀ ଭାବେ ଅଭିହିତ କରିବା ସହ ନିଜ ସରଳତା ପାଇଁ ସେ ସବୁ ଦଳର ନେତାଙ୍କ ପ୍ରିୟପାତ୍ର ଥିଲେ | ଶ୍ରୀ ବିଶିଙ୍କ ଦେହାନ୍ତକୁ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକ ସନ୍ତପ୍ତ ପରିବାରବର୍ଗକୁ ନିଜ ସମବେଦନା ଜଣାଇଛନ୍ତି | 

ଶ୍ରୀ ଶ୍ରୀ ବିଶିଙ୍କ ବିୟୋଗ ଖବର ପାଇଁ ବରଗଡ ସାଂସଦ ସୁରେଶ ପୂଜାରୀ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ବିଜେଡି ଜ଼ିଲ୍ଲା ସଭାପତି ସିଦ୍ଧାର୍ଥ ଦାଶ, ବିଜେପି ଜ଼ିଲ୍ଲା ସଭାପତି ଗିରିଶ ପଟେଲ, ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ଡ଼.ପ୍ରମୋଦ ରଥ, ଶ୍ରମିକ ନେତା ଗୋକୁଳ ମେହେର, ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ହିରଲାଲ ବେହେରା, ମାନେଶ୍ଵର ବ୍ଲକ ବିଜେଡି ସଭାପତି ଗୋପୀ ରଞ୍ଜନ ବେହେରା, ଅଶୋକ ବିଶି, ଦୁଲାଲ ପ୍ରଧାନ, ପ୍ରବୀଣ ସିଂଦେଓ, ଵିଚିତେନ୍ଦ୍ରିୟ ପ୍ରଧାନ, ଦୁଷ୍ମନ୍ତ ପଣ୍ଡା, ପ୍ରମୁଖ  ହୀରାକୁଦ କଲୋନୀ ସ୍ଥିତ ବାସଭବନ ପହଂଚି ସ୍ୱର୍ଗତ ସନାତନ ବିଶିଙ୍କ  ମର ଶରୀରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଶେଷ ଦର୍ଶନ କରିଥିଲେ l ଏହା ସହିତ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l  ଆଜି ସ୍ଥାନୀୟ ରାଜଘାଟ ରେ ଶେଷ କୃତ୍ୟ ସମ୍ପର୍ଣ ହୋଇଥିବା ବେଳେ ପୁଅ ଆଶିଷ ବିଶି ମୁଖାଗ୍ନି ଦେଇଥିଲେ l

 

0
0
0
s2sdefault