ହେଡଲାଇନସ୍:

ବିନା ଅନୁଭବରେ ଏ ସନ ଗାଏବ ହୋଇଗଲା ଚଇତିର ମହକ ‘ଚୈତ୍ର ପର୍ବ’

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲର ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ ଛଉନୃତ୍ୟ ଓ ଭକ୍ତା ମେଲଣ । ଚୈତ୍ର ମାସର ଶେଷରେ ଗ୍ରୀଷ୍ମଋତୁର ବୈଶାଖ ମାସର ଅୟମାରମ୍ଭ ହୁଏ ଚୈତ୍ରପର୍ବ ଦିନରୁ । ଏହାକୁ ମହାବିଶୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ମଧ୍ୟ କୁହାଯାଉଥିବା ବେଳେ ଜିଲ୍ଲାର ଗଣପର୍ବ ଭାବେ ଖ୍ୟାତି ଲାଭ କରିଛି । ଛଉନୃତ୍ୟରେ ଶୈବ ଉପାଖ୍ୟାନ ମାତ୍ରାଧିକ ଭାବେ ପରିଲକ୍ଷିତ ହୋଇଥାଏ । ଶିବଙ୍କ ଭକ୍ତମାନେ ଭକ୍ତା ନାମରେ ପରିଚିତ । ଛଉ ସହିତ ସମ୍ପୃକ୍ତ ପୂଜା ଓ ଉପାସନାରେ ଭକ୍ତାମାନେ ଜଡ଼ିତ । ଶିବ ଭକ୍ତମାନେ ଚୈତ୍ର ମାସରେ ହବିଷ୍ୟ ବିଧି ପାଳନ କରିବା ସଂଗେସଂଗେ ମହାବିଷୁବ ସଂକ୍ରାନ୍ତିର ପ୍ରାୟ ସପ୍ତାହକ ପୂର୍ବରୁ ନିଜର ମୂଳ ଗୋତ୍ର ଥୟାଗ କରି ଶିବଗୋତ୍ର ଧାରଣ ପୂର୍ବକ ଶିବ ଓ ଶକ୍ତିପୂଜାର ଉପାସନା ଆରମ୍ଭ କରିଥାନ୍ତି ।   

 ଭକ୍ତାମାନଙ୍କର ପିଠିରେ ହୁକ ଲଗାଇ ମୁକ୍ତ ଭାବେ ଝୁଲିଥାନ୍ତି, ଯାହାକୁ ଉଡ଼ାପର୍ବ କୁହାଯାଏ । ସେହିପରି କଣ୍ଟା ଉପରେ ଗଡ଼ିବା ଓ ଜଳୁଥିବା ନିଆଁ ଅଙ୍ଗାର ଉପରେ ଚାଲିବା ଆଦିକୁ ଦର୍ଶକମାନେ ମନଭରି ଉପଭୋଗ କରିଥାନ୍ତି । ମୟୂରଭଞ୍ଜରେ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଶାସନ ସମୟରେ  ଭକ୍ତାମାନେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଜଣେ ଲେଖାଏଁ ପାଟଭକ୍ତାଙ୍କ ନେତୃତ୍ୱରେ ୧୩ ଜଣିଆ ଭକ୍ତାକୁ ନେଇ ଗୋଟିଏ ଗୋଷ୍ଠୀ ମହାରାଜା ଓ ଅନ୍ୟ ଗୋଷ୍ଠୀ ମହାରାଣୀଙ୍କ ପୃଷ୍ଠପୋଷକରେ ବିଭକ୍ତ ହୋଇ ହାତରେ ବେତ ଧାରଣ କରିକାଳିକା, ଅମ୍ବିକା ଦେବବୀଙ୍କ ସହିତ ଅନ୍ୟାନ୍ୟ ଶାକ୍ତଦେବୀମାନଙ୍କୁ ପୂଜାର୍ଚ୍ଚନା କରିନ୍ତି । ବିଭିନ୍ନ୍ ଉପଚାରରେ ପୂଜା କରିବା ସମୟରେ ଲାଲ ରଙ୍ଗର ପତାକାକୁ ଟେକି ଧରିଥାନ୍ତି । ଚୈତ୍ର ସଂକ୍ରାନ୍ତିର ତିନି ଦିନ ପୂର୍ବରୁ ପ୍ରାୟ ୩୮ ଉପଚାର ଶକ୍ତିପୂଜା କରିବା ଭକ୍ତାମାନଙ୍କର ବହୁ ପ୍ରାଚୀନ ପରମ୍ପରା । ଭକ୍ତାମାନଙ୍କର ଶୂନ୍ୟଘଟ, ନିଶାଘଟ ଓ ଯାତ୍ରାଘଟ ରହିଥାଏ । ଶୂନ୍ୟଘଟକୁ ଶିବ ମନ୍ଦିର ମଧ୍ୟରେ ଲୁକ୍କାୟିତ କରି ରଖୁଥିବା ବେଳେ ନିଶାଘଟକୁ ଅଗ୍ନିଉପରେ ଚାଲିବା ସମୟରେ ବାହାରକୁ ଆଣିଥାନ୍ତି । ସେହିପରି ଯାତ୍ରାଘଟକୁ ଛଉନୃତ୍ୟର ଶେଷ ରାତିରେ ଅର୍ଥାତ ଠିକ୍ ଆଜିର ଦିନରେ ଛଉ ମଣ୍ଡପକୁ ନେଇ ଆସିଥାନ୍ତି । ମା ଅମ୍ବିକାଙ୍କ ନିକଟରେ ପୂଜାର୍ଚ୍ଚନା ଶେଷ ହେବା ପରେ ମୟୂରଭଞ୍ଜର ଲୌକିକ ପରମ୍ପରା ଅନୁସାରେ ଠିକ୍ ମଧ୍ୟ ରାତ୍ରରେ ଭକ୍ତାମାନେ ମୟୂରଭଞ୍ଜ ମହାରାଜାଙ୍କ(ବର୍ତ୍ତମାନ ଜିଲ୍ଲାପାଳ) ଦ୍ୱାରା ସମ୍ବର୍ଦ୍ଧିତ ହୁଅନ୍ତି । ଏହି ସମୟରେ ଭକ୍ତାମାନଙ୍କ ସହିତ ବାରିପଦା ଉତ୍ତରସାହି ଓ ଦକ୍ଷିଣସାହିର ଛଉ କଳାକାରମାନେ ମଧ୍ୟ ସାମିଲ ହୋଇଥାନ୍ତି ।

ଏହାପରେ ଉତ୍ତରସାହି ଓ ଦକ୍ଷିଣସାହିର ଛଉ କଳାକାରମାନେ ଅଲଗା ଅଲଗା ଭାବେ ଛଉନୃତ୍ୟ ପରିବେଷଣ କରିଥାନ୍ତି । ଏହି ଦୁଇ ସାହି ମଧ୍ୟରେ ପ୍ରତିଯୋଗିତା ମୂଳକ ନୃତ୍ୟକୁ ଜିଲ୍ଲା ତଥା ଜିଲ୍ଲାବାହାରୁ ହଜାର ହଜାର ସଂଖ୍ୟାରେ ଆସିଥିବା ଦର୍ଶକ ସାରା ରାତି ମନଭରି ଉପଭୋଗ କରିଥାନ୍ତି । ମହାରାଜାଙ୍କ ଶାସନ ସମୟରେ ଛଉନୃତ୍ୟ ରାଜଦରବାର ମଧ୍ୟରେ ହେଉଥିବା ବେଳେ ପରବର୍ତ୍ତି ସମୟରେ ଛଉପଡ଼ିଆକୁ ସ୍ଥାନାନ୍ତରିତ ହୋଇଥିଲା । ସେହିପରି ଛଉନୃତ୍ୟ ପୂର୍ବରୁ ୫ ରାତି ଚାଲୁଥିବା ବେଳେ କାଳକ୍ରମେ ଏହା ୩ ରାତି ପରିବେଷଣ ହଲେ । ପ୍ରଥମ ରାତିରେ ଅର୍ଥାତ୍ ଏପ୍ରିଲ ୧୧ରେ ଜିଲ୍ଲାର ଗ୍ରାମାଞ୍ଚଳ ଓ ଦ୍ୱିତୀୟ, ତୃତୀୟ ରାତିରେ ବାରିପଦା ଦକ୍ଷିଣସାହି, ଉତ୍ତରସାହି ଛଉନୃତ୍ୟ ପ୍ରଦର୍ଶନ କରୁଥିଲେ । ପୁଣି ଏହାର ପରିବେଷଣ ସମୟ ସାରଣୀରେ ପରିବର୍ତ୍ତନ କରାଯାଇ ରାତି ୧୨ରୁ ଗୋଟାଏ ମଧ୍ୟରେ ସିମୀତ ରଖାଗଲା । ଛଉନୃତ୍ୟରେ ବ୍ୟବହୃତ ବାଦ୍ୟଯନ୍ତ୍ର ସମୟରେ ଧୁମସା, ଚଡ଼ଚଡ଼ି,ଲେଢ଼ାଲ ଓ ମହୁରୀ ନାଦ କାହି କେତେଦୂରରୁ ଦର୍ଶକମାନଙ୍କୁ ପଡ଼ିଆକୁ ଆକୃଷ୍ଟ କରାଇ ଆଣୁଥାଏ । ଚଳିତ ବର୍ଷ ଜିଲ୍ଲାପ୍ରଶାସନ ପକ୍ଷରୁ ମୟୂରଭଞ୍ଜର ଗଣପର୍ବ ଚୈତ୍ରପର୍ବକୁ ରୁଦ୍ଧିମନ୍ତ କରାଇବା ସହ ଦର୍ଶକମାନଙ୍କୁ ଅଧିକ ଆକୃଷ୍ଟ କରାଇବା ନିମନ୍ତେ ଆନ୍ତଃରାଜ୍ୟ ପଲ୍ଲୀଶ୍ରୀମେଳା ଆଦିର ଆୟୋଜନ କରିବାର ନିଷ୍ପତ୍ତି ନେଇଥିଲେ ।  କିନ୍ତୁ, ଚଳିତ ବର୍ଷ କରୋନା ଭୂତାଣୁ କୋଭିଡ଼-୧୯କୁ ନେଇ ଜିଲ୍ଲାରେ ଜାରି ହୋଇଥିବା ଲକ୍ ଡ଼ାଉନ ବାରିପଦା ଛଉପଡ଼ିଆରେ ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ସହି ପଲ୍ଲୀଶ୍ରୀମେଳା ଆୟୋଜନ ସାଙ୍ଗକୁ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଭୋଜନ ଉପରେ କଟକଣା କାରଣରୁ ଫିକାପଡ଼ିଗଲା । ଚଇତିର ମହକ ‘ଚୈତ୍ର ପର୍ବ’ ବିନା ଅନୁଭବରେ ସମାପ୍ତ ହେଲା । ଯାହା ସମଗ୍ର ଜିଲ୍ଲାବାସୀ ତଥା ଜିଲ୍ଲାବାହାରୁ ଆସୁଥିବା ଦର୍ଶକମାନଙ୍କ ହୃଦୟରେ ଅପୂରଣୀୟ ଆଘାତ ଦେଇ ଗଲା । ବାରିପଦା ଛଉପଡ଼ିଆ ହଜାର ହଜାର ଦର୍ଶକମାନଙ୍କ ଗହଣରେ ପରିପୂର୍ଣ୍ଣ ହେବା ବଦଳରେ ଶୂନଶାନ୍ ରହିଗଲା । 

 

0
0
0
s2sdefault