ହେଡଲାଇନସ୍:

"ବନ ବିଭାଗର ଦାୟିତ୍ୱହୀନତା ଓ ଦୂରଦୃଷ୍ଟିର ଅଭାବ ୨ ଅଜଗର ମୃତ୍ୟୁର କାରଣ ପାଲଟିଲା ।" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କଲେ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ

ବାରିପଦା(ଦିଲ୍ଲୀପ ମହାନ୍ତି )- ଏପ୍ରିଲ ୧୨ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନରେ ଥିବା ଆହାରି ଗ୍ରାମ୍ୟ ରାସ୍ତାରେ ଏକ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨  ସିଡ୍ୟୁଲ-୧ ପ୍ରଜାତିର ଅଜଗର ସାପକୁ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ବନ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ତେବେ ଉକ୍ତ ଅଜଗର ସାପଟିକୁ ଗତ କାଲି ରାତିରେ ମୃତ୍ୟୁ ହୋଇଥିବାର ଅନୁମାନ କରାଯାଇଥିବା ବେଳେ ତାର ଶରୀରରେ ରହିଥିବା ଆଘାତରୁ ଏହାକୁ ପିଟି ପିଟି ମାରି ଦିଆଯାଇଥିବାର ଜଣାପଡ଼ିଛି । ଏଥି ନିମନ୍ତେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ । ଏଥି ସହିତ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ଦାୟିତ୍ୱହୀନ ଓ ଦୂରଦୃଷ୍ଟି ଅଭାବକୁ ଉତ୍ତର ଦାୟୀ କରାଇବା ସଙ୍ଗେ ସଙ୍ଗେ ଏହାତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନିମନ୍ତେ ଦାବି କରିଛନ୍ତି । ଶ୍ରୀଆଚାର୍ଯ୍ୟଙ୍କ କହିବା ଅନୁସାରେ ପ୍ରାୟ ୪/୫ ମାସ ପୂର୍ବେ ବନ ବିଭାଗ ପକ୍ଷରୁ କୁଳିଅଣା ଓ ଆନିଆପାଳ ଅଞ୍ଚଳରୁ ୩ଟି ବନ୍ୟ ପ୍ରାଣୀ ସିଡ୍ୟୁଲ -୧ ପ୍ରଜାତିର ଅଜଗର ସାପକୁ ଉଦ୍ଧାର କରାଯାଇଥିଲା । ଏହି ସମୟରେ ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ ଛୁଟିରେ ରହିଥିବାରୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ  ଯଜ୍ଞଦତ୍ତ ପତି ବାରିପଦା  ଡ଼ିଏଫଓ ଦାୟିତ୍ୱରେ ରହିଥିଲେ । ଉଦ୍ଧାର କରାଯାଇଥିବା ଅଜଗର ସାପକୁ ପରିବେଶ ସହିତ ଖାପ ଖୁଆଇ ପାରୁଥିବା  ଶିମିଳିପାଳ ଜଙ୍ଗଲ ମଧ୍ୟରେ  ଛଡ଼ା ଯିବା ସପକ୍ଷରେ ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶ୍ରୀଆଚାର୍ଯ୍ୟ ମତ ପ୍ରକାଶ କରିଥିଲେ । ମାତ୍ର ଏହାକୁ ହସରେ ଉଡ଼ାଇ ଦେଇଥିଲେ ଡ଼ିଏଫଓ ଦାୟିତ୍ୱରେ ଥିବା ଏସଟିଆରର  ଡେପୁଟୀ  ଡ଼ାଇରେକ୍ଟର ଶ୍ରୀ ପତି ଏବଂ ଅଜଗର ସାପକୁ ବାରିପଦା ସହର ଉପକଣ୍ଠରେ ଥିବା ମଞ୍ଚାବନ୍ଧା ଜଙ୍ଗଲ ମଧ୍ୟରେ ଛାଡ଼ି ଦେବାକୁ ନିର୍ଦ୍ଦେଶ  ଦେଇଥିଲେ । ଉକ୍ତ ୩ଟି ବନ୍ୟ ପ୍ରାଣୀ ସିଡ୍ୟୁଲ-୧ ପ୍ରଜାତିର ଅଜଗର ସାପ ମଧ୍ୟରୁ ଗୋଟାଏ ସାପର କିଛି ଦିନ ପୂର୍ବରୁ ମୃତ୍ୟୁ ହୋଇସାରିଥିବା ବେଳେ ଗୋଟାଏ ଗତ କାଲି ଲୋମାନେ ପିଟି ପିଟି ମାରି ଦେଇଥିବାର ଅନୁମାନ କରାଯାଇଛି । ଏହି ସମୟରେ ଅନ୍ୟ ଅଜଗର ସାପଟିର ଜୀବନ ଉପରେ ବିପଦ ରହିଛି ବୋଲି ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱଧାରକ ଶ୍ରୀଆଚାର୍ଯ୍ୟ ପ୍ରକାଶ  କରିଛନ୍ତି । ତେବେ ମୃତ ଅଜଗର ସାପର ମୃତ୍ୟୁକୁ ନେଇ ଜନସାଧାରଣରେ ଭିନ୍ନ ଚର୍ଚ୍ଚା ହେଉଛି । ସାପଟିକୁ ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରାଇବା ନିମନ୍ତେ ବନ ବିଭାଗକୁ ଖବର ଦେଇଥିଲେ । ମାତ୍ର ସେହି ସମୟରେ ବନ ବିଭାଗ କାର୍ଯ୍ୟାଳୟରେ ସାପ ଉଦ୍ଧାର କରିବା ନିମନ୍ତେ ଦକ୍ଷ ତଥା ଅଭିଜ୍ଞ କର୍ମଚାରୀ ଅନୁପସ୍ଥିତ ରହିଥିବାରୁ ଅନ୍ୟ ଜଣେ କର୍ମଚାରୀକୁ ପଠାଇ ଦିଆଯାଇଥିଲା । ମାତ୍ର ସେ ଅଜଗରକୁ ଧରିବାରେ ସଫଳ ନ ହେବାରୁ ସାପଟି ଉପସ୍ଥିତ ଜନସାଧାରଣ ଭିତରକୁ ଚାଲିଯାଇଥିଲା । ସେହି ସମୟରେ କୌଣସି ବ୍ୟକ୍ତିଙ୍କ ପ୍ରହାରରେ ସାପର ମୃତ୍ୟୁ  ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ତେବେ ଘଟଣାର ସତ୍ୟତା ଯାଞ୍ଚ କରିବା ନିମନ୍ତେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ ମୋବାଇଲ ନମ୍ବର ୯୪୩୭୯୬୨୬୯୬ରେ  ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା ।

 

0
0
0
s2sdefault