ହେଡଲାଇନସ୍:

ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାଦ ପଡ଼ିଲେ ଶତାଧିକ ଯୋଗ୍ୟ ଉଠାଦୋକାନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ଭୂତାଣୁ କୋଭିଡ଼-୧୯କୁ ପ୍ରତିହତ କରାଇବା ନିମନ୍ତେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ହୋଇଆସୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ଉଠାଦୋକାନୀ ମାନଙ୍କ ନିମନ୍ତେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାର ଘୋଷଣା କରିଥିଲେ । ଏଥିରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମାସ୍ଥିତ ବାରିପଦା ପୌରପରିଷଦରେ ସହାୟତା ରାଶି ପାଇବା ନିମନ୍ତେ ଶତାଧିକ ଯୋଗ୍ୟ ଉଠା ଦୋକାନୀ ବାଦ ପଡ଼ିଛନ୍ତି । ଏବିଷୟରେ ବାଦ ପଡ଼ିଥିବା ଉଠା ଦୋକାନୀମାନେ ପୌରନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ବାରିପଦା ବ୍ଲକ ବିଡ଼ିଓ ସରୋଜ କୁମାର ଦାଶ ଓ ନଗରପାଳ ଦାୟିତ୍ୱରେ ରହିଥିବା ମୟୂରଭଞ୍ଜ ଜିଲ୍ଲାପାଳ  ବିନୀତ ଭରଦ୍ୱାଜଙ୍କ  ନିକଟରେ ଆପତ୍ତି ଜଣାଇଥିଲେ ମଧ୍ୟ କୌଣସି ସୁଫଳ ପାଇ ପାରି ନାହାନ୍ତି । ଫଳରେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଥିବା ଉଠାଦୋକାନୀମାନଙ୍କ ମଧ୍ୟରେ ତୀବ୍ର ।ସନ୍ତୋଷ ଦେଖା ଦେଇଛି । 

            ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି , ମୁଖ୍ୟମନ୍ତ୍ରୀ ନବୀନ ଉଠାଦୋକାନୀମାନଙ୍କୁ  ୩ ହଜାର ଟଙ୍କା ସହାୟତା ରାଶି ଯୋଗାଇ ଦେବା ନିମନ୍ତେ ଘୋଷଣା କରିଥିଲେ । ବାରିପଦା ପୌରପରିଷଦରେ  ଉଠା ଦୋକାନୀମାନଙ୍କୁ ଚିହ୍ନଟ କରାଯିବା ନିମନ୍ତେ ୨୦୧୫-୧୬ରେ ହୋଇଥିବା ସର୍ଭେ ଅନୁସାରେ ୭୩୦ ଜଣ ଉଠା ଦୋକାନୀମାନଙ୍କୁ ଉକ୍ତ ୩ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏକ ତାଲିକା ପୌର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ତେବେ ୨୦୧୫-୧୬ରେ ପୌରପରିଷଦ କରିଥିବା ସର୍ଭେ ରିପୋର୍ଟର ବୈଧତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ପୌରପରିଷଦର ସର୍ଭେ କାର୍ଯ୍ୟାଳୟ ସମୟ ମଧ୍ୟରେ ହୋଇଥିଲା । କିନ୍ତୁ ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଗୁପଚୁପ୍, ଚାଟ, ଫାଷ୍ଟ ଫୁଡ଼, ମିକ୍ଚର ଆଦି ଦøାକାନ ଲାଗୁଥିବାରୁ ଏମାନେ ପୌରପରିଷଦର ସର୍ଭେ ତାଲିକାରୁ ବାଦ ପଡ଼ିଯାଇଥିବାର ଅଭିଯୋଗ କରିଛନ୍ତି ଉଠା ଦୋକାନୀ ରାମକୃଷ୍ଣ ଦାସ, ନଳୀନ ଦାସ, ମନୋଜ କୁମାର ଦାସ, ବାନ୍ଛାନିଧି ଦାସ, ରାମଚନ୍ଦ୍ର ଦାସ, କାଳିଚରଣ ଦାସ, ନାରାୟଣ ଦାସ, ପ୍ରିୟବ୍ରତ ଦାସ, ବେବାଶିଷ ଦାସ, ଶାନ୍ତନୁ ସରକାର ଓ ଗୋପାଲ ତରେଇ ପ୍ରମୁଖ । ବାରିପଦା ୱାଡର଼୍ ନମ୍ବର ୭ , ମଧୁବନ ତଳସାହି ଅଞ୍ଚଳର ଗୋପାଳ ତରେଇଙ୍କ କହିବା ଅନୁସାରେ ଆଜକୁ ପ୍ରାୟ ୧୫ ବର୍ଷରୁ ଅଧିକ ସମୟ ଧରି ଠେଲା ଗାଡ଼ିରେ ଦୋକାନ କରିଆସୁଥିବା ବେଳେ ୨୪/୦୭/୨୦୧୫ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସାର୍ଟିଫିକେଟ ନମ୍ବର ୨୨୦୧୫୦୨୨୦୦୦୫୨୬ରେ ଫୁଡ଼ ଲାଇସେନ୍ସ  ନେଇଥିଲେ । ଯଦି ପୌରପରିଷଦ ୨୦୧୫-୧୬ ବର୍ଷର ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ କରୋନା ସାହାୟତା ରାଶି ୩ ହଜାର ଟଙ୍କା ପ୍ରଦାନ କରାଯାଉଛି, ତେବେ ତାଲିକାରୁ ତାଙ୍କର ନାମ ବାଦ ପଡ଼ିଲା କିପରି  । ପୁଣି, ମୁଖ୍ୟମନ୍ତ୍ରୀ ନବୀନ ବର୍ତ୍ତମାନର କରୋନାକୁ ନେଇ ଲକ୍ ଡ଼ାଉନରେ ପ୍ରଭାବିତ ହୋଇଥିବା ଉଠା ଦୋକାନୀମାନଙ୍କ ନିମନ୍ତେ ସହାୟତା ଘୋଷଣା କରିଛନ୍ତି । ୨୦୧୫-୧୬ ବର୍ଷ ପାଇଁ ନୁହେଁ । ପୁଣି ୨୦୧୫-୧୬ ସମୟ ସର୍ଭେ ତାଲିକାରେ ଯେଉଁମାନଙ୍କର ନାମ ରହିଛି ସେମାନଙ୍କ ମଧ୍ୟରୁ କେତେକ ପୌରପରିଷଦରୁ ଘର ପାଇ ବ୍ୟବସାୟ କରୁଛନ୍ତି । ପୁଣି କେହି କେହି ମରିହଜି ଯାଇଛନ୍ତି । ୨୦୧୬ରୁ ୨୦ ମଧ୍ୟରେ ସହରରେ  ଉଠାଦୋକାନୀ ଭାବେ କେତେକ ନୂଆ ମୁହଁ ଦେଖିବାକୁ ମିଳୁଛି । କ୍ଷତିର ସମ୍ମୁଖୀନ ହେଉଛି ଜଣେ, ସହାୟତା ପାଉଛି ଅନ୍ୟ ଜଣେ । ଏହା କେମିତିକା ନ୍ୟାୟ ବୋଲି ଶ୍ରୀତରେଇ ପ୍ରକାଶ କରିଛନ୍ତି । ଏଥି ସହିତ ଏହାର ପୁନଃ ସମୀକ୍ଷା କରାଯିବାର ଦାବି କରିଛନ୍ତି । ଏ ବିଷୟରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ତାଙ୍କ ମୋବାଇଲ ନମ୍ବର ୯୪୩୭୦୩୪୧୮୪ରେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । 

 

0
0
0
s2sdefault