ହେଡଲାଇନସ୍:

ଅଗାଡିଆ  ରାଜାକୁ ପାଳଚୁଣ୍ଟା ମନ୍ତ୍ରୀ, ପୂର୍ତ୍ତ ବିଭାଗରେ ଚାଲିଛି ଧୂର୍ତ୍ତ କାରବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 Image result for NALINI PRADHAN

 

ଧନ୍ୟ ମୁଖ୍ୟମନ୍ତ୍ରୀ, ଧନ୍ୟ ଆପଣଙ୍କ ସ୍ୱଚ୍ଛ ସରକାର 

 ଛତ୍ରଛାୟା ତଳେ ମାତିଛନ୍ତି  ବ୍ଲାକ ଲିସ୍ଟେଡ଼ ଠିକାଦାର

ଭୁବନେଶ୍ୱରରୁ ଜ୍ଞାନେଶ୍ବର :  ମଣିଷ ମାରି କଳା ତାଲିକାଭୁକ୍ତ ହେବା ପରେ ବି ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଲୋକଙ୍କୁ ଧୋକା ଦେଇ ଜଣେ ଠିକାଦାର ପୁଣି କାମ ଚଳାଇଛନ୍ତି । ଓପିଡବ୍ଲୁଡି କୋଡ୍ ଅନୁସାରେ ଜଣେ କଳାତାଲିକା ଭୁକ୍ତ ଠିକାଦାରଙ୍କ ସହିତ ରାଜ୍ୟ ସରକାର କୌଣସି ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ କରିବେ ନାହିଁ ବୋଲି ନିୟମ ରହିଛି  । ହେଲେ  ନିୟମର ଧର୍ଷଣ କରି, କେମିତି ପୂର୍ତ୍ତ ସଚିବ ଜଣେ କଳାତାଲିକାଭୁକ୍ତ ଠିକାଦାରଙ୍କ ସହିତ ଫାଇନାନସିଆଲ ଟ୍ରାଞ୍ଜାକ୍ସନ କରୁଛନ୍ତି ? ଆମେ କହୁଛୁ ବମିଖାଲ ଫ୍ଲାଇଓଭର କାମରେ ବ୍ଲାକ ଲିଷ୍ଟେଡ ହୋଇଥିବା ଠିକାଦାର ପଣ୍ଡା  ଇଫ୍ରା ପ୍ରୋଜେକ୍ଟସ ପ୍ରାଇଭେଟ୍ (ଇଣ୍ଡିଆ) ଲିମିଟେଡ  ଓରଫ  ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସର ପଣ୍ଡା ଠିକାଦାରଙ୍କ କଥା  । ରାଜ୍ୟର ବହୁ ସୁପରକ୍ଲାସ କଣ୍ଟ୍ରାକ୍ଟର ଏବେ ସେମାନଙ୍କ ଡବା ଢାବଲ ବାନ୍ଧୁଥିବା ବେଳେ ସେମାନଙ୍କ ଠିକଦାରୀ ପାଇଁ ବ୍ୟବହାର ଯୋଗ୍ୟ ଯନ୍ତ୍ରପାତି ଖତ ଖାଉଥିବା ବେଳେ ଟୁକୁରାଟୁକୁରି କାମରୁ କ୍ୟାରିୟର ଆରମ୍ଭ କରି ମାତ୍ର ୭ବର୍ଷ ଭିତରେ ସୁପର କ୍ଲାସ କଣ୍ଟା୍ରକ୍ଟର ପାଲଟି ୨୫୦ କୋଟିରୁ ଅଧିକ ଟଙ୍କାର କାମ ହାତେଇ ନେଇଥିବା ପଣ୍ଡା କନଷ୍ଟ୍ରକ୍ସନ ପଛରେ ଜଣେ ରାଜନୈତିକ ନେତା ଭାଗୁଆଳି ରହିଥିବା କଥା କୁହାଯାଉଥିଲେ ମଧ୍ୟ ପୁର୍ତ୍ତ ସଚିବ ନଳୀନୀ ପ୍ରଧାନ ପଣ୍ଡା କମ୍ପାନୀର ହିଡେନ ପାର୍ଟନର ବାଗ ଲୁଚାଚୋରା ଭାଗୁଆଳୀ ବୋଲି ପୂର୍ତ୍ତ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି  । 

ପାଠକଙ୍କ ଜମା ମନରୁ ଯାଇନଥିବ ସେଇ ଲୋମହର୍ଷକ ଆଉ ହୃଦୟ ବିଦାରକ ବମିଖାଲ ପୋଲ ଭୂଷଡା ଘଟଣା, ଯେଉଁ ଅଘଟଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଗଲା ଠିକାଦାରର ଦାୟିତ୍ୱହୀନତା ପାଇଁ  । ଆଉ ଜଣେ ଶିଶୁ ଅଳ୍ପକେ ବର୍ତ୍ତିଗଲା । ହେଲେ ସେ ପରିବାରଟି ଉଜୁଡିଗଲା । ବୁଢା ବାପାମା ତାଙ୍କ ପୁଅକୁ ହରାଇଲେ, ଜଣେ ସ୍ତ୍ରୀ ତାଙ୍କ ମଥାର ସିନ୍ଦୁର ହରାଇଲେ  ।  ଆଉ ଜଣେ ଶିଶୁର ଶୈଶବ କ୍ଷତାକ୍ତ ହେଲା । ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ହଇଚଇ ହେଲା  । ଆଉ ବିଜେପି କଂଗ୍ରେସ ବହୁ ଗୁରାଳି ଛାଡିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ବି ଦାବି କଲେ  । ବ୍ଲାକ୍ଲିଷ୍ଟେଡ କରିବା ପାଇଁ ଦାବି ହେଲା  । ହେଲେ କଣ ହେଲା କେଜାଣି, ସେମାନଙ୍କୁ କେମିତି କିଏ କେଉଁ ବାଟରେ ଖୁସି କଲା କେଜାଣି...ସବୁ ଚୁପ୍  । ଭଲ ଡିଲ୍ ବୋଧେ ହୋଇଗଲା  । କୁଣିଆ ଘରକୁ ବୁଲିଗଲା ପରି ପଣ୍ଡା କମ୍ପାନୀର ନିଦେ୍ର୍ଧଶକ ଜେଲ ଗଲେ ଓ ଆସିଲେ । ଆଉ ଏବେ ବହୁଦିନ ଧରି କମ୍ପାନୀ ତା ପୂରୁଣା କାମ ଚଳାଇଛି ବେଧଡକ । ଭୁବନେଶ୍ୱର, ଜଟଣୀ, ସମ୍ବଲପୁର ଇତ୍ୟାଦି ସ୍ଥାନରେ କାମ ଜୋରଦାରରେ ଚାଲିଛି ଓ ସରକାରଙ୍କ ସହ ଫାଇନାନ୍ସିଆଲ ଟ୍ରାନ୍ଜାକ୍ସନ ଚାଲିଛି । 
23-02-18-PWD-1.jpg - 92.79 kB

ହେଲେ ପାଠକେ ଭାବୁଥିବେ ସେ କାମ କରୁଥିଲା କଲା  । ଏଥିରେ ନୂତନତ୍ୱ କଣ? ଠିକ୍ କଥା  । ହେଲେ ଗୋଟିଏ ସଂସ୍ଥାକୁ ସରକାର ବ୍ଲାକ୍ ଲିଷ୍ଟ କଲାପରେ କେମିତି ତା ସହିତ ଫାଇନାନ୍ସିଆଲ ଟ୍ରାଞ୍ଜାକ୍ସନ କରୁଛନ୍ତି? ସେ କେମିତି ତାହାର କାମ କରୁଛି   । କଥା ହେଉଛି ପଣ୍ଡା ଇଫ୍ରା ପ୍ରୋଜେକ୍ଟସ ପ୍ରାଇଭେଟ୍ (ଇଣ୍ଡିଆ) ଲିମିଟେଡ ଓରଫ  ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସକୁ ବମିଖାଲ ଦୁର୍ଘଟଣା ପରେ ରାଜ୍ୟ ସରକାରଙ୍କ ପୂର୍ତ୍ତବିଭାଗ ବ୍ଲାକ୍ ଲିଷ୍ଟ କରିଥିଲେ ।  ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ) ଓଡିଶାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୪୭୨୯୨/୧୨-୧୨-୨୦୧୭(ଫାଇଲ ନଂ ସି-ଆଇଭିଆର-ସିଏପି-୦୮/୨୦୧୦) ବଳରେ ହୋଇଥିଲା ଏହି ବ୍ଲାକଲିଷ୍ଟିଂ । ସେଥିରେ ଉଲ୍ଲେଖ ଥିଲା ଯେ,  ପୂର୍ତ୍ତବିଭାଗର ଚିଠି ସଂଖ୍ୟା ୧୪୬୨୧/୧୦-୧୦-୨୦୧୭ ବଳରେ ସୁପର କ୍ଲାସ କଣ୍ଟ୍ରାକ୍ଟର ଇଫ୍ରା ପ୍ରୋଜେକ୍ଟସ ପ୍ରାଇଭେଟ୍ (ଇଣ୍ଡିଆ) ଲିମିଟେଡ  ଓରଫ ବର୍ତ୍ତମାନର ପରିବର୍ତ୍ତିତ ନାମ  ପଣ୍ଡା ଇନ୍ଫ୍ରା ପ୍ରୋଜେକ୍ଟସ ଲିମିଟେଡ (ପଞ୍ଜୀକରଣ ନମ୍ବର ୧୮୮/୨୦୦୯-୧୦ରୁ ୪୬୮/୨୦୧୬-୧୭କୁ ବଦଳିଛି ) ଠିକାଦାରଙ୍କୁ ଉଦେ୍ଧଶ୍ୟମୂଳକ ଭାବେ ଠିକା ସର୍ତ୍ତକୁ ଖିଲାପ କରି ମଣିଷ ମାରିଥିବା କାରଣରୁ ବ୍ଲାକ ଲିଷ୍ଟିଂ କରିବା ପାଇଁ ଥିବା କୋଡାଲ ପ୍ରୋଭିଜନ୍ ଆଧାରରେ ତକ୍ରାଳ ବ୍ଲାକଲିଷ୍ଟ ବା କଳାତାଲିକା ଭୁକ୍ତ କରାଗଲା  । ସେହିପରି ତାଙ୍କର ସୁପରକ୍ଲାସ ଠିକାଦାର ଲାଇସେନ୍ସ(ପଞ୍ଜୀକରଣ ନମ୍ବର ୪୬୮/୨୦୧୭)କୁ ନିଲମ୍ବିତ ରଖାଗଲା  । ପୂବରୁ ଥିବା ପଞ୍ଜୀକରଣ ନମ୍ବର ୧୬୮/୨୦୦୯-୧୦ ମଧ୍ୟ ବାତିଲ କରାଗଲା  । ଠିକାଦାର ପଣ୍ଡା ଇନଫ୍ରା  ପ୍ରୋଜେକ୍ଟସ ଲିମିଟେଡ୍ ରାଜ୍ୟ ସରକାରଙ୍କ ଦ୍ୱାରା ହେବାକୁ ଥିବା କୌଣସି କାମ ବା ବିଡ୍ରେ ଅଂଶଗ୍ରହଣ କରିପାରିବେନି  । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହ ଏହି କମ୍ପାନୀ କୌଣସି ପ୍ରକାର ଟ୍ରାଞ୍ଜାକ୍ସନ ସିଧାସଳଖ ବା ନାମ ବଦଳାଇ କରିପାରିବେ ନାହିଁ  ।

ଏଭଳି ସ୍ପଷ୍ଟ ନିର୍ଦ୍ଦେଶ  ଥିବା ବେଳେ କାହା ବଳରେ ପଣ୍ଡା ଇନ୍ଫ୍ରା ପାଇଥିବା ଠିକା କାମକୁ ଜାରି ରଖିଛନ୍ତି ଫୁଲ୍ ଦମ୍ ରେ  ? କଥାରେ ଅଛି ‘ତୁ ଗୁହାରି କରିବୁ ଯାହାକୁ, ମୁଁ ଘଇତା କରିଛି ତାହାକୁ’ । କଳାତାଲିକା ଭୁକ୍ତ ଠିକାଦାରମାନଙ୍କ ତ୍ରାଣକର୍ତ୍ତା ପାଲଟିଥିବା ପୂର୍ତ୍ତ ସଚିବ ନଳୀନୀ ପ୍ରଧାନ ଯେତେବେଳେ ମୁଣ୍ଡରେ ହାତ ରଖିଛନ୍ତି ତେବେ ଡରକ କାହାକୁ । ପୂର୍ବରୁ କଳାତାଲିକାଭୁକ୍ତ ଠିକାଦାର ସଂସ୍ଥା ଏଆରଏସଏସ କୁ ରାଜମହଲ ଅଣ୍ଡର ୱେ କାମ ଦେଇଥିବା ନଳୀନୀ ବାବୁଙ୍କ ଜାଣତରେ ଓ ପ୍ରଚ୍ଛନ୍ନ ଆଶିର୍ବାଦରେ ପଣ୍ଡା ଠିକାଦାର କାମ ଚଳାଇଛନ୍ତି  । ସବୁଠାରୁ ମଜାର କଥା ହେଉଛି ଡିସେମ୍ବର ୧୨, ୨୦୧୭ରୁ ପଣ୍ଡା ଇନଫ୍ରା ପ୍ରୋଜେକ୍ଟସ କଳାତାଲିକା ଭୁକ୍ତ ହୋଇଥିବା ବେଳେ ଏହାକୁ ବିଭାଗର ପୋର୍ଟାଲରେ ଉଦ୍ଦେଶ୍ୟମୂଳକ ଭାବେ ପକାଗଲା ନାହିଁ ।  ଏହାକୁ ଅତ୍ୟନ୍ତ ଗୋପନୀୟ ଭାବେ ରଖାଯାଇ କଳାତାଲିକାଭୁକ୍ତ ଠିକାଦାର ପଣ୍ଡା ଇନ୍ଫ୍ରା ପୋଜେକ୍ଟସକୁ ନିୟମର ଧର୍ଷଣ କରି ବେଆଇନ ଭାବେ କାମ କରିବାକୁ ସୁଯୋଗ ଦେବା ପଛରେ ସଚିବଙ୍କ କି ଅହେତୁକ ପ୍ରେମ ରହିଛି ତାହା ଜଣାପଡିଯାଇଛି । ବିଜେଡିର ଦିଳ୍ଲୀ ସମାବେଶ ପାଇଁ ଚାନ୍ଦା ଯୋଗାଡ କରି ତକ୍ରାଳୀନ ସଚିବ ଇଂ ରାୟଙ୍କୁ ହଟାଇ ସଚିବ ହୋଇଥିବା ନଳୀନୀ ପ୍ରଧାନଙ୍କ ସଚିବ କ୍ୟାରିୟର ଅପାରଗତାର ଛାପରେ ଭରି ହୋଇଥିବା ବେଳେ(କାଠଯୋଡି, ଜାତମୁଣ୍ଡିଆ ଗୁରୁପ୍ରିୟା ଭଳି ଅନେକ ପୋଲ ଭୁଷୁଡା ଘଟଣା ଘଟିବା ସତ୍ତ୍ୱେ ) ତାଙ୍କୁ କିଏ ଘଣ୍ଟ ଘୋଡାଇ ରଖିଛି ? ଚର୍ଚ୍ଚା ହେଉଛି ପାଣ୍ଡିଆନ ବାବୁଙ୍କ ବଳରେ ସେ କୁଆଡେ ବଳିୟାନ । କେବଳ ସେତିକି ନୁହେଁ ଅବସର ପୂର୍ବରୁ ନିଜର ଏକ୍ସଟେନସନ ବା ତୃତୀୟ ମହଲାରେ ପୂର୍ତ୍ତ ବିଭାଗ ଦାୟିତ୍ୱରେ ଥଇଥାନ ହେବାକୁ ଲବି ଚଳାଇଥିବା ନଳିନୀ ଏବେ ତାହା ଯଦି ନହେଉଛି ନିଜର ଜଣେ ଅନୁଗତ ପଟେଲଙ୍କୁ ସଚିବ କରାଇବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି, ଯାହା ଦ୍ୱାରା କି ତାଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତା ଉପରେ ପରଦା ଢଙ୍କାଯାଇପାରିବ । ଆଉ ଏଇଥିପାଇଁ ତ ସର୍ବୋଚ୍ଚ ଯନ୍ତ୍ରୀ ପଦ ପାଇଁ ହୋଇଥିବା ଡିପିସି ବା ବିଭାଗୀୟ ପଦୋନ୍ନତି କମିଟି ରିପୋର୍ଟକୁ ଚପାଇ ରଖି ବିଳମ୍ବିତ କରିଆସିଛନ୍ତି  । 

ଧନ୍ୟ ମୁଖ୍ୟମନ୍ତ୍ରୀ, ଧନ୍ୟ ସରକାରଙ୍କ ସ୍ୱଚ୍ଛତା  । ନାକ ତଳେ ପୂର୍ତ୍ତ ବିଭାଗରେ ଦୂର୍ନୀତିର ସାମ୍ରାଜ୍ୟ ବିସ୍ତାର କରିଚାଲିଥିବା ବେଳେ ତୃତୀୟ ମହଲା ଜାଣିପାରୁନି ନା ଜାଣି ନଜାଣିବାର ଅଭିନୟ କରୁଛି  ।  

0
0
0
s2sdefault