ହେଡଲାଇନସ୍:

କରୋନାକୁ ଡରିବାର କିଛି ନାହିଁ, କେବଳ ସତର୍କତା ଜରୁରୀ : ମୁଖ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଞ୍ଚାୟତିରାଜ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଜାରିକଲେ ସୂଚନା 

  • ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନା ବାବଦ ଦେୟ ୪ମାସ ପାଇଁ ମିଳିବ ଅଗ୍ରିମ 

  • NFS Act ଅନ୍ତର୍ଭୁକ୍ତ ସମଗ୍ର ହିତାଧିକାରୀଙ୍କୁ  ୪୫ଦିନ ମଧ୍ୟରେ ତିନିମାସ ପାଇଁ ଚାଉଳ, ଗହମ ଏବଂ କିରୋସିନି ଦିଆଯିବ 

  • ୧୪ ଦିନ ସଙ୍ଗରୋଧ ସମୟ ସୀମା ସଫଳତାର ସହିତ ଶେଷ କରିଥିବା ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ୧୫ହଜାର ଟଙ୍କା ପ୍ରୋତ୍ସାହନ ରାଶି

  • ୩-୬ବର୍ଷ ବୟସ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା  ରାସନ୍, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ହିତାଧିକାରୀମାନଙ୍କ ଘରେ ପହଂଚାଇବେ 

ଭୁବନେଶ୍ୱର(Shasak Prashasak): କରୋନାକୁ ଡରିବାର କିଛି ନାହିଁ, କେବଳ ସତର୍କତା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ପଂଚାୟତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସୂଚନା ଜାରି କରିବା ଅବସରରେ କହିଛନ୍ତି | ସେ କହିଛନ୍ତି କରୋନା ଭଳି ସଂକ୍ରାମକ ରୋଗକୁ କେବଳ ସତର୍କତା ଦ୍ୱାରା ମୁକାବିଲା କରିହେବ | ହାଡଫୁଟିକୁ ଯେମିତି ଆମ ପରିବାର ଭିତରେ ଆମେ ମୁକାବିଲା କରିଥିଲେ, ଏବେ କରଣାକୁ ମଧ୍ୟ ସେମିତି ସତର୍କ ରହି ସାମନା କରିବା | ଏହାର ମୁକାବିଲା ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଆହୁରି ଗୁରୁତ୍ୱପୂର୍ଣ ପଦକ୍ଷେପ ସରକାର ନେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି | 

  ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ପଂଚାୟତ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ସୂଚନାରେ ମୁଖ୍ୟମନ୍ତ୍ରୀ  କହିଛନ୍ତି ଯେ " ଆପଣଙ୍କର ମନେ ଥିବ ପୂର୍ବେ ହାଡ଼ଫୁଟି ପରି ଏକ ଭୟାନକ ରୋଗ ହେଉଥିଲା । ସେତେବେଳେ ସବୁ ଘରେ ଊଣା ଅଧିକେ ସମସ୍ତେ ହାଡ଼ଫୁଟିରେ ପୀଡ଼ିତ ହେଉଥିଲେ । ଆଜି ହାଡ଼ଫୁଟି ପରି ଆଉ ଏକ ରୋଗ କରୋନା (COVID-19) ଆସିଛି । ହାଡ଼ଫୁଟି ପରି କରୋନା ପାଇଁ ମଧ୍ୟ କୌଣସି ଔଷଧ ନାହିଁ । ହାଡ଼ଫୁଟି ପରି କରୋନା ମଧ୍ୟ ଅତ୍ୟନ୍ତ ସଂକ୍ରାମକ । ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ହେଉଛି ସବୁଠାରୁ ବଡ଼ ସୁରକ୍ଷା । ମାଆମାନେ ଯେପରି ହାଡ଼ଫୁଟି ଆମ ସମସ୍ତଙ୍କୁ ୧୪ଦିନ ପର୍ଯ୍ୟନ୍ତ ଅଲଗା ରଖି ଘରେ ଆମର ଯତ୍ନ ନେଉଥିଲେ, ଆମକୁ କରୋନା ପାଇଁ ମଧ୍ୟ ସେହିପରି ବ୍ୟବସ୍ଥା କରିବାକୁ ପଡ଼ିବ । ଘରେ ଅଲଗା ରହିବା ହିଁ ସବୁଠାରୁ ଉପଯୁକ୍ତ ଉପଚାର । ଏହାକୁ ଭୟ କରନ୍ତୁ ନାହିଁ । ନିଜେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ପ୍ରସ୍ତୁତ ରୁହନ୍ତୁ । ଆମେ ଏହାର ମୁକାବିଲା କରିବା । କରୋନା ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ଅନେକ ଆଗୁଆ ପଦକ୍ଷେପ ନେଇଛନ୍ତି । ହିତାଧିକାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ଆଗାମୀ ଚାରିମାସ ପାଇଁ ଏକକାଳୀନ ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତି ନିଆଯାଇଛି ।  

ଜନସମାବେଶକୁ ସୀମିତ ରଖିବା ନିମନ୍ତେ ଏହି ଭତା ରାଶିକୁ ହିତାଧିକାରୀଙ୍କୁ ସେମାନଙ୍କ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ । ଏଥି ନିମନ୍ତେ ଆସନ୍ତା ମାର୍ଚ୍ଚ ୧୯ତାରିଖରେ ହେବାକୁ ଥିବା ପ୍ରତ୍ୟେକ ଗ୍ରାମ ପଂଚାୟତ ସଭାରେ ଗ୍ରାମୱାରୀ ଭତା ବଂଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯିବ । NFS Act ଅନ୍ତର୍ଭୁକ୍ତ ସମଗ୍ର ହିତାଧିକାରୀଙ୍କୁ ଆସନ୍ତା ଏପି୍ରଲ ୧ତାରିଖଠାରୁ ୧୫ ମଇ ପର୍ଯ୍ୟନ୍ତ ଅର୍ଥାତ୍ ୪୫ଦିନ ମଧ୍ୟରେ ତିନିମାସ ପାଇଁ ଚାଉଳ, ଗହମ ଏବଂ କିରୋସିନି ଇତ୍ୟାଦି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାସନ ଦୋକାନମାନଙ୍କୁ ଗହଳି ମୁକ୍ତ ରଖି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଉଛି । (COVID-19) ଏକ ସଂକ୍ରାମକ ରୋଗ ହୋଇଥିବାରୁ e-POS, Biometric ଏବଂ  IRIS scanning  କରାଯିବ ନାହିଁ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ" ଦେଶ ବାହାରୁ ଓଡ଼ିଶାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ରେଜିଷ୍ଟ୍ରେସନ  ରେଗୁଲେସନ ଅନୁଯାୟୀ ନିଜକୁ ପଞ୍ଜିକୃତ କରାଇବା ସହିତ ନିଜ ଗୃହରେ ୧୪ଦିନ ସଙ୍ଗରୋଧ କରି ରହିବେ । ଉକ୍ତ ସଙ୍ଗରୋଧ ସମୟ ସୀମା ସଫଳତାର ସହିତ ଶେଷ କରିଥିବା ପଞ୍ଜିକୃତ ବ୍ୟକ୍ତିମାନଙ୍କୁ ୧୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ଏହାକୁ ନିୟମିତ ଭାବେ ତଦାରଖ କରାଯିବ । ଏତଦବ୍ୟତୀତ ଗ୍ରାମ ପଂଚାୟତର ସଭ୍ୟମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କର ପଞ୍ଜିକରଣ ପାଇଁ ସୂଚନା ଦେବେ । କରୋନା ଯେହେତୁ ଏକ ସଂକ୍ରାମକ ରୋଗ, ତେଣୁ ବିଶେଷ ସତର୍କତା ଅବଲମ୍ବନ କରାଯିବା ଜରୁରୀ ।  ଦେଶର ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ କରୋନା ରୋଗ ଦେଖାଦେଇଛି । ତେଣୁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସୁଥିବା ବ୍ୟକ୍ତିମାନେ ଯେପରି ସ୍ୱଇଚ୍ଛାରେ ୧୪ଦିନ ପର୍ଯ୍ୟନ୍ତ ନିଜ ଘରେ ଅଲଗା ରହିବେ ସେଥିପାଇଁ ସେମାନଙ୍କୁ ସଚେତନ କରାନ୍ତୁ । ଅନ୍ୟ ରାଜ୍ୟରୁ ଆସୁଥିବା  ବ୍ୟକ୍ତିମାନଙ୍କ ପାଇଁ ରାଜ୍ୟସ୍ତରରେ କୌଣସି ରେଜିଷ୍ଟ୍ରେସନ ଆବଶ୍ୟକ ନାହିଁ ।"

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ " ୭୦ବର୍ଷରୁ ଉର୍ଧ୍ଵ  ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଯଥାସମ୍ଭବ ଘରେ ରହିବା ନିମନ୍ତେ ପରାମର୍ଶ ଦିଆଯାଉଛି ।ଯେହେତୁ ତା ୩୧.୦୩.୨୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ପାଇଁ ନିର୍ଦ୍ଦେଶ  ଦିଆଯାଇଛି ତେଣୁ ୩-୬ବର୍ଷ ବୟସ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ସକାଳ ଜଳଖିଆ ଏବଂ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା  ରାସନ୍, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ହିତାଧିକାରୀମାନଙ୍କ ଗୃହରେ ସିଧାସଳଖ ଯୋଗାଇ ଦେବାର ବ୍ୟବସ୍ଥା କରିବେ । ପ୍ରତି ଗ୍ରାମରେ ଆଶା କର୍ମୀମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଯଥା ପାରାସିଟମଲ୍, ଓଆରଏସ୍ ଇତ୍ୟାଦି ଉପଲବ୍ଧ ହେବ । ଏତଦ୍ ବ୍ୟତୀତ ଅତ୍ୟାବଶ୍ୟକ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଂଟରରେ ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି ।" 

ପ୍ରତ୍ୟେକ ଗ୍ରାମ ପଂଚାୟତରେ ବିଜୁଳି, ପାଣି, ଶୌଚାଳୟ ଏବଂ ପାୱାର ବ୍ୟାକଅପ୍ ସୁବିଧା ଥିବା ଏକ ନିର୍ଦ୍ଧିଷ୍ଟ ଘରକୁ ପ୍ରସ୍ତୁତ ରଖାଯିବ । ଆବଶ୍ୟକ ପଡ଼ିଲେ ଏହାକୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଭାବରେ ବ୍ୟବହାର କରାଯିବ । ଏଥିପାଇଁ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ୫ଲକ୍ଷ ଟଙ୍କା ଅର୍ଥରାଶି ଅନୁମୋଦନ କରିସାରିଛି ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲା ପରିଷଦ, ପଂଚାୟତ ସମିତି ଓ ପଂଚାୟତ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇଛନ୍ତି | 

 

0
0
0
s2sdefault