ହେଡଲାଇନସ୍:

କରୋନା ଭାଇରସ  ନ ବ୍ୟାପିବା  ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ  ପଦକ୍ଷେପ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସ ସାରା ଦେଶରେ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଲୋକେ ଏଥିପ୍ରତି ଅତ୍ୟନ୍ତ ଭୟଭୀତ ହୋଇ ପଡିଲେଣି।  ଏ ଦିଗରେ ତପ୍ତରତା ପ୍ରକାଶ କରି ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ  ,ବିଭିନ୍ନ ପ୍ରକାରର ସତର୍କତା ମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବା ଉପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । 

     ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ନିଆ ଯାଉଥିବା  ସତର୍କତା ମୂଳକ ପଦକ୍ଷେପ ଗୁଡିକ ମଧ୍ୟରେ ମୁଖ୍ୟତଃ ଲୋକମାନଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ପ୍ରକାରର ସଭା , ଜନ ସମାବେଶ ଓ ମେଳାକୁ ବନ୍ଦ କରିବା ପାଇଁ  ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ହେଉଥିବା ଶିକ୍ଷାଅନୁଷ୍ଠାନ ଛାଡି ବିଭିନ୍ନ ଶିକ୍ଷା  ଅନୁଷ୍ଠାନ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଆସନ୍ତା ୩୧/୩/୨୦୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ସେହିଭଳି ଯେ କୌଣସି ବିଭାଗର ହେଉନା କାହିଁକି , ସମସ୍ତ ବିଭାଗର ସଭା-ସମିତି ହେବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ସାମାଜିକ ଓ ଧାର୍ମିକ ଉତ୍ସବକୁ ଠିକ ଭାବେ ନିଜ ନିୟନ୍ତ୍ରଣରେ ରଖି ପରିଚାଳନା କରିବା ପାଇଁ ସ୍ଥାନୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି ।

   ଏଥି ସହିତ ସିନେମା ହଲ , ଜୀମ ଓ ସୁଇମିଙ୍ଗ ପୋଲକୁ ମଧ୍ୟ ଆସନ୍ତା ୩୧/୩/୨୦୨୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।  ସ୍ୱତନ୍ତ୍ର ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ଗୁଡିକରେ ସଭା କରାଯାଇ ସ୍ଥାନୀୟ ଜନ ପ୍ରତିନିଧି ଓ ଅଞ୍ଚଳବାସୀଙ୍କୁ  କରୋନା ଭାଇରସ ଉପରେ କିଭଳି ଲୋକେ ସତର୍କତା ସହ ସଫା-ସୁତୁରା ରହିବେ, ସେ ସବୁର ପ୍ରଭୃତି ଦିଗ ସମ୍ପର୍କରେ ସଚେତନତା କରାଯିବ।  ଚନ୍ଦ୍ରଗିରିରେ ଥିବା ବୌଦ୍ଧ ମନ୍ଦିରଓ ଗଣ୍ଡାହାତୀ ଜଳ ପ୍ରପାତକୁ ଭ୍ରମଣକାରୀ ମାନଙ୍କ ପ୍ରବେଶକୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି ।

   କରୋନା ଭାଇରସକୁ ନେଇ ତା'ସମ୍ପର୍କରେ ଭୁଲ ସୂଚନାର ପ୍ରଚାର କି ଗୁଜବ କରିବା ଏବଂ ଦାୟିତ୍ୱ ହୀନତାକୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଥିବା କହିଥିଲେ।

   ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଜିଲ୍ଲାପାଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ବ୍ୟାପି ବିଦ୍ୟୁତ ସେବାକୁ ନିରାଵଛିନ୍ନ ଭାବେ ଯୋଗାଣ କରିବା ପାଇଁ ବିଭାଗୀୟ ସାଉଥ-କୋ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

  ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକ ମାନଙ୍କର ସମ୍ପୂର୍ଣ୍ଣ ରିପୋର୍ଟ  ନିୟମିତ ଭାବେ ପ୍ରତିଦିନ ଜିଲ୍ଲାସ୍ତରକୁ ପଠାଇବା ପାଇଁ ସମସ୍ତ ବ୍ଲକର ବିଡ଼ିଓ ମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଆଯାଇଛି ।  ଜିଲ୍ଲାରେ ହୋଇ ଆସୁଥିବା ସୋମବାର ଦିନର ସାପ୍ତାହିକ  ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଦିଆଯାଇଛି ।

      ସମସ୍ତ ସପିଙ୍ଗ ମଲ , ବିଭିନ୍ନ ସ୍କୁଲ ଓ କଲେଜ ସମେତ  ପାର୍କ , ଶିଶୁ ପାର୍କ , ଟୁଇସନ ଓ କୋଚିଙ୍ଗ ସେଣ୍ଟର ଗୁଡିକୁ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

   ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ତଦାରଖ କରିବା ପାଇଁ ପ୍ରତ୍ୟେକ ବ୍ଲକରେ  ଏଥିପାଇଁ ସ୍କ୍ବାର୍ଡ ସବୁ ଗଠନ କରା ଯାଇ ଥିବା ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ   ସୂଚନା  ଦେଇଥିଲେ ।

       ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ରଦ୍ଦ କରାଯାଇଥିବା ଏବଂ ଯେଉଁମାନେ ବର୍ତ୍ତମାନ ଛୁଟିରେ ଅଛନ୍ତି ସମସ୍ତଙ୍କୁ ନିଜ କ୍ଷେତ୍ରକୁ ଫେରିଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆ ଯାଇଛି । ସାନିଟାଇଜାର ଓ ମାସ୍କ ଚଢା ଦରରେ ଯେଭଳି ବିକ୍ରିବଟା ନ ହେବ , ସେଥିପାଇଁ ସିଏସଓ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ନେଇ ସ୍କ୍ବାର୍ଡ ଗଠନ କରାଯାଇଥିବା ସହ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି  ବୋଲି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରି କହିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ'ରେ ଡିସିପିୟୁ:- ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault