ହେଡଲାଇନସ୍:

କଚେରୀ ମାର୍କେଟ ଦୋକାନ ଗୃହ ବଣ୍ଟନ ସର୍ତ୍ତାବଳୀକୁ ନେଇ ଜନ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଜଣେଇଲେ ବ୍ୟବସାୟୀ

ଇଞ୍ଜିନିୟରିଂ ବିଭାଗର ସାର୍ଟିଫିକେଟ ନ ଥାଇ ଟେଣ୍ଡର ଡ଼କାଯିବାକୁ ନେଇ ଉଠିଛି ପ୍ରଶ୍ନ

ବାରିପଦା(ଦିଲ୍ଲୀପ ମହାନ୍ତି)-  ରାଜ୍ୟ ସରକାରଙ୍କ ଡିଭୋଲୁସନ ଫାଣ୍ଡ  ନିର୍ମିତ ବାରିପଦା କଚେରୀ ମାର୍କେଟ କମ୍ପେ୍ଲକ୍ସ ଦୋକାନ ଗୃହ ସହ ପୌରପରିଷଦ ପାଣ୍ଠିର ବ୍ୟୟ ବରାଦରେ ପାର୍କିଂ ଆଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପରେ ତରବରିଆ ଭାବେ ପୌର କାର୍ଯ୍ୟାଳୟ ପକ୍ଷରୁ ଦୋକାନ ଗୃହ ବଣ୍ଟନ ନିମନ୍ତେ ଗଣମାଧ୍ୟମରେ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ବିଜ୍ଞପ୍ତିରେ ରହିଥିବା ସର୍ତ୍ତବାଳୀକୁ ଦେଖି କ୍ଷୁଦ୍ର ବ୍ୟବସାୟୀମାନେ ଛାନିଆ ହୋଇପଡ଼ିଛନ୍ତି ।  ବାରିପଦା କଚେରୀ ମାର୍କେଟ ଦୋକାନ ଗୃହ ବଣ୍ଟନ ସର୍ତ୍ତାବଳୀ କେବଳ ଧନୀକ ବର୍ଗର ଜନସାଧାରଣଙ୍କୁ ସୁହାଇବା ପାଇଁ ଉଦ୍ଧିଷ୍ଟ ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । ତେଣୁ ମଧ୍ୟବିତ୍ତ ବର୍ଗର ବ୍ୟବସାୟୀମାନେ ଏହା ଉପରେ ଅଭିଯୋଗ କରିଛନ୍ତି । 

         ବାରିପଦା କଚେରୀ ମାର୍କେଟରେ ନିର୍ମିତ ହୋଇଛି ବ୍ଲକ-ଏ, ବି, ସି ଓ ଡି ମାର୍କେଟ କମ୍ପେ୍ଲକ୍ସ । ବ୍ଲକ-ଏର ତଳେ ୧୦ ଓ ଉପରେ  ୧୦ଟି ଦୋକାନ ଗୃହକୁ ମିଶାଇ ୨୦ଟି ଗୃହ ରହିଥିବା ବେଳେ ବ୍ଲକ- ବିରେ ତଳେ ୭ ଓ ଉପରେ ୧୦ଟି, ବ୍ଲକ –ସିର ତଳେ ୧୦ ଓ ଉପରେ ୧୦ ଏବଂ ବ୍ଲକ ଡିର ତଳେ ୧୦ ଓ ଉପରେ ୧୦ ଏହିପରି ମୋଟ ୭୭ଟି ୧୪/୧୨ ଫୁଟର ଦୋକାନ ଗୃହ ରହିଛି ।  ପୌରପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଆଧାରରେ ଧର୍ମଗୋଳା(ଲଟେରୀ)  ମାଧ୍ୟମରେ ଦୋକାନ ଗୃହ ବଣ୍ଟନ କରାଯିବ ଏବଂ ଦୋକାନ ଗୃହ ନେବା ନିମନ୍ତେ ଆଗ୍ରହୀ ବ୍ୟକ୍ତିମାନେ ଏକ ହଜାର ଟଙ୍କା(ଅଣଫେରସ୍ତ) ଦାଖଲ କରି ଆବେଦନ ଫର୍ମ  ସର୍ତ୍ତବାଳୀ  ମାର୍ଚ୍ଚ ୬ରୁ ୨୧ ସୁଦ୍ଧା ପୌରପରିଷଦର କାର୍ଯ୍ୟ ଦିବସଗୁଡ଼ିକରେ ପୂର୍ବାହ୍ନ ୧୦ରୁ ଅପରାହ୍ନ ୪ ମଧ୍ୟରେ ସଂଗ୍ରହ କରିବା ନିମନ୍ତେ ଦର୍ଶାଯାଇଛି । ସେହିପରି ଆବେଦନକାରୀମାନେ ଅମାନତ ବାବଦକୁ ୧ଲକ୍ଷ ୬୫ ହଜାର ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଆବେଦନ ଫର୍ମ ସହିତ ଦାଖଲ କରିବା ପରେ ଧର୍ମ ଗୋଳାରେ ଚୟନ ହେଲେ ପୁଣି ୧୫ ଦିନ ମଧ୍ୟରେ ୧ଲକ୍ଷ ୬୫ ହଜାର ଟଙ୍କା ସହିତ ଅଗ୍ରୀମ ଏକ ମାସର ଧାର୍ଯ୍ୟ ଦୋକାନ ଗୃହର ଭଡ଼ା ଜମା ଦେବାକୁ ଉଲ୍ଲେଖ କରାଯାଇଛି । ଏଥି ସହିତ ବିଜ୍ଞପ୍ତିରେ ରହିଥିବା ସର୍ତ୍ତବାଳୀ ପୂରଣ କରାନଗଲେ ଘର ଆବଣ୍ଟନକୁ ଖାରଜ କରିଦିଆଯିବ ବୋଲି କୁହାଯାଇଛି । ଏହି ପ୍ରକାରର ସର୍ତ୍ତାବଳୀକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେବା ସାଙ୍ଗକୁ ସରକାରୀ ଅର୍ଥରେ ନିର୍ମିତ କଚେରୀ ମାର୍କେଟ କମ୍ପେ୍ଲକ୍ସ ଦୋକାନ ଗୃହ ବଣ୍ଟନକୁ ନେଇ ପୌର ନିର୍ବାହୀ ଅଧିକାରୀ ଏକ ବ୍ୟବସାୟ ଆରମ୍ଭ କରିଥିବାର ଅଭିଯୋଗ ହେଉଛି ।  ଏହାକୁ ନେଇ କେତେକ ବ୍ୟବସାୟୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଅମାନତ ଟଙ୍କା ତଳ ମହଲା ନିମନ୍ତେ ୧.୨୦ ଲକ୍ଷ ଓ ଉପର ମହଲା ନିମନ୍ତେ ଏକ ଲକ୍ଷ ଟଙ୍କା ଧାର୍ଯ୍ୟ କରିବା ନିମନ୍ତେ ଦାବି ଜଣାଇଛନ୍ତି । ପୁଣି ପୌର କାର୍ଯ୍ୟାଳୟର ଇଞ୍ଜିନିୟରିଂ ବିଭାଗ କଚେରୀ ମାର୍କେଟ କମ୍ପେ୍ଲକ୍ସକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିନଥିବା ବେଳେ ଦୋକାନ ଗୃହ ବଣ୍ଟନ ନିମନ୍ତେ ବିଜ୍ଞପ୍ତି ପ୍ରକାଶର ବୈଧତା ଉପରେ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଏହାର ସତ୍ୟାସତ୍ୟ ଜାଣିବା ସହିତ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ପ୍ରତିକ୍ରୟା  ଜାଣିବା ନିମନ୍ତେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । 

 

0
0
0
s2sdefault