ହେଡଲାଇନସ୍:

ପାରଳାଖେମୁଣ୍ଡି-ଗୁଣପୁର ରେଳପଥରେ ବିଦ୍ୟୁତ କରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କଲେ ନିରାପତ୍ତା କମିଶନ ଓ ଡି ଆର୍ ଏମ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି–ଗୁଣୁପୁର ରେଳପଥରେ ଆଉ ମାତ୍ର କିଛି ମାସ ପରେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରିବ । ଏଥିପାଇଁ ରେଳ ବିଭାଗ ପକ୍ଷର ଜୋରସୋରରେ ବିଦ୍ୟୁତକରଣ କାର୍ଯ୍ୟ ଚାଲିଛି , ଏହି ବିଦ୍ୟୁତକରଣ ବ୍ୟବସ୍ଥା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି ।   ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ ପାଇଁ କେବଳ ରେଳବାଇ ନିରାପତ୍ତା କମିଶନରଙ୍କ ସବୁଜ ସଙ୍କେତ ଦେବା ବାକି ରହିଛି ।

ଏହାକୁ ଦୃଷ୍ଟିରେ ରଖି ଆଜି ଏହି ପାରଳାଖେମୁଣ୍ଡି–ଗୁଣୁପୁର ୫୬କିମି: ଦୂରତା ଥିବା ରେଳପଥରେ ଚାଲିଥିବା ଏବଂ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବିଦ୍ୟୁତକରଣ କାର୍ଯ୍ୟର ଅନୁଧ୍ୟାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପହଞ୍ଚି ଥିଲେ କୋଲକାତା ରେଳ ଡିଭିଜନର ବରିଷ୍ଠ ନିରାପତ୍ତା କମିଶନର ଶ୍ରୀ ଅଭୟ କୁମାର ରାୟ ଏବଂ ୱାଲଟିୟର ରେଳ ଡିଭିଜନର ଡିଆରଏମ ଶ୍ରୀ ଚେତନ କୁମାର ଶ୍ରୀବାସ୍ତବ । 

 ନିରାପତ୍ତା କମିଶନର ଶ୍ରୀ ରାୟ ଏବଂ ଡିଆରଏମ: ଶ୍ରୀ ବାସ୍ତବ , ଉଭୟେ ବିଦ୍ୟୁତକରଣ କାର୍ଯ୍ୟର ଟିକିନିଖି ଅନୁଧ୍ୟାନ କରି ଷ୍ଟେସନ ମାଷ୍ଟର କାର୍ଯ୍ୟାଳୟର ସମସ୍ତ ବିଷୟ ପଚାରିବୁଝିଥିଲେ । ଷ୍ଟେସନ ଠାରେ ପୂର୍ବରୁ ଅପେକ୍ଷାରତ ଭାଜପା ଦଳ ଓ ବିଭିନ୍ନ ସଂଗଠନ ଓ ଅଞ୍ଚଳବାସୀ ଉଭୟ ରେଳ ବିଭାଗ ଅଧିକାର ଦ୍ୱୟଙ୍କୁ ଭେଟି ଷ୍ଟେସନର ବିଭିନ୍ନ ମୌଳିକ ସମସ୍ୟା ଉପରେ ଦାବିପତ୍ର ପ୍ରଦାନ କରିଥିଲେ ।ସେହି କ୍ରମରେ ଅଧିକାରୀ ଦ୍ୱୟସମସ୍ତ ସମସ୍ୟା ଯଥା ଯାତ୍ରୀ ଅପେକ୍ଷା ଗୃହ , ପାନୀୟ ଜଳ , ଶୌଚାଳୟ , ନାଳ , ପ୍ଲାଟଫର୍ମ ଉଚ୍ଚତା ଓ ସେଠାରେ ବସିବା ପାଇଁ ସ୍ଥାନାଭାବ ପ୍ରଭୃତି ବୁଲି ଦେଖିଥିଲେ ।

ଶେଷରେ ସାମ୍ବାଦିକ ମାନଙ୍କୁ ସେମାନଙ୍କ ପରିଦର୍ଶନ ଓ ଅନୁଧ୍ୟାନ ଉପରେ ସୂଚନା ଦେଇ କହିଥିଲେ ଯେ , ଏହି ରେଳପଥରେ ବିଦ୍ୟୁତକରଣ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ପରେ ପରୀକ୍ଷା ମୂଳକ ଭାବେ ଟ୍ରେନ ଚଲାଯିବ ।  ସଙ୍ଗେ ସଙ୍ଗେ ବିଦ୍ୟୁତକରଣ କାର୍ଯ୍ୟ ସରିବା ପରେ ସେହି ରେଳପଥରେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରାଯାଇ ପାରିବ ନାହିଁ । ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିଲେ ମଧ୍ୟ ଏହି ବିଦ୍ୟୁତକରଣ କାର୍ଯ୍ୟର ସମସ୍ତ ଅନୁଧ୍ୟାନ କରି ଆମେ ଏହା କହୁଛୁ । ଏହି ରେଳପଥରେ ସମ୍ପୂର୍ଣ୍ଣଭାବେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରିବା ପାଇଁ ଯେଉଁ ସବୁ ଭିତ୍ତିଭୂମି ରହିବା କଥା , ତାହା ସମ୍ପୂର୍ଣ୍ଣ ହୋଇନି।  ବିଦ୍ୟୁତ ଇଞ୍ଜିନ ପାଇଁ ଆବଶ୍ୟକ ପଡୁଥିବା ବିଦ୍ୟୁତ ସପ୍ଲାଇ କାର୍ଯ୍ୟ କିଛିଟା ବାକି ରହିଛି । ଏଥିପାଇଁ ବିଦ୍ୟୁତ-ଶକ୍ତି ସପ୍ଲାଇ ପାଇଁ ଆନ୍ଧ୍ରର ନୌପଡା ଷ୍ଟେସନ ଠାରୁ ସମ୍ପ୍ରସାରଣ କରି ଆଣିବାକୁ ହେବ । 

ଅନ୍ୟପକ୍ଷରେ ସମସ୍ତ ବିଦ୍ୟୁତକରଣ କାର୍ଯ୍ୟ ଠିକ ଥିଲେ ମଧ୍ୟ ଏହାର ଟ୍ରେକସନ ସର୍ଭିସ ସେଣ୍ଟର ଗୁଣୁପୁର ଠାରେ ଅଛି । ସେଠାରେ ଇଲେକ୍ଟ୍ରିକସିଟି ବୋର୍ଡ଼ର ଜେନେରାଲ ସର୍ଭିସ ସେଣ୍ଟର , ଯେଉଁଠାରୁ କି ପାୱାର ସପ୍ଲାଇ ଆସିବ , ସେହି କାମ ବାକି ଥିବା ଯୋଗୁଁ ଆମକୁ ନୌପଡା ଠାରୁ ସମ୍ପ୍ରସାରଣ କରି ଦେବାକୁ ହେବ । ଯାହାକି ଏହା ନୌପଡା ଠାରୁ ୯୦ କିମି: ଦୂରତାରେ ସେକ୍ସନ ରହିଛି ।

ମୁଖ୍ୟତଃ ଏହା ବୈଷୟିକ କାମ ହୋଇଥିବା ଯୋଗୁଁ ବିଦ୍ୟୁତକରଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ପରେ ଆମେ ଏହି ରେଳପଥରେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରାଇ ପାରିବୁନି । ଏଥିପାଇଁ ଆଉ ଦେଢ଼ ମାସ ଲାଗିଯିବ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରିବା ପାଇଁ । ପ୍ରଥମେ ଯେଉଁ ଟ୍ରେନ ବର୍ତ୍ତମାନ ଚଳାଚଳ କରୁଛି , ସେଥିରେ ହିଁ ବିଦ୍ୟୁତ ଇଞ୍ଜିନ ଖଞ୍ଜା ଯାଇ ଚଳାଚଳ କରିବା , ତା ପରେ ପର୍ଯ୍ୟାୟ କ୍ରମେ ସଂପୂର୍ଣ୍ଣ ତଥା ନିୟମିତ ଭାବେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରିବ ବୋଲି କହିଥିଲେ ।

ଅଞ୍ଚଳବାସୀ ମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ଗୁଡିକ ଉପରେ ଡିଆରଏମ ଶ୍ରୀବାସ୍ତବ କହିଥିଲେ ଯେ , ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ପାଇଁ ଯେଉଁ ଦାବି ରହିଛି , ସେ ଦିଗରେ ଆମର ମଧ୍ୟ ପ୍ରସ୍ତାବ ଯାଇଛି । 

ଆମେ ଏଠାରୁ ପରିଦର୍ଶନ ଓ ଅନୁଧ୍ୟାନ ଗସ୍ତ ସମ୍ପନ୍ନ କରି ଯିବା ପରେ ଏହାର ନିର୍ମାଣ କାର୍ଯ୍ୟ ପାଇଁ ଆସନ୍ତା ମଇ ମାସ ଶେଷ ସୁଦ୍ଧା ଟେଣ୍ଡର ବାହାରି ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ । ଚଳିତ ବର୍ଷ ଅର୍ଥାତ ୨୦୨୦-୨୧ ଆର୍ଥିକ ବର୍ଷରେ ପାରଳାଖେମୁଣ୍ଡି ଓ ଗୁଣୁପୁର ୨ଟି ଯାକ ରେଳ ଷ୍ଟେସନ ପ୍ଲାଟଫର୍ମର ଉଚ୍ଚତା ବୃଦ୍ଧି ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇ କାର୍ଯ୍ୟକ୍ଷମ ହୋଇଯିବ ଏବଂ ଏଠାରେ ଆଉ ଯଦି କିଛି ମୌଳିକ ସମସ୍ୟା ରହିଛି , ତେବେ ସେ ସମସ୍ତ ଅଭାବନୀୟ କାର୍ଯ୍ୟ ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ନିର୍ମାଣ କାର୍ଯ୍ୟ ସମୟରେ ହିଁ ହୋଇଯିବ ବୋଲି କହିଥିଲେ ।

ରେଳ ନିରାପତ୍ତା କମିଶନର ଅଭୟ କୁମାର ରାୟ ଏବଂ ଡିଆରଏମ:-ଚେତନ କୁମାର ଶ୍ରୀବାସ୍ତବ ଙ୍କ ପରିଦର୍ଶନ ଓ ଅନୁଧ୍ୟାନ ବେଳେ ୱାଲଟିୟର ରେଳ ଡିଭିଜନର ବିଭିନ୍ନ ବିଭାଗର ବୈଷୟିକ ଇଂଜିନିୟର , ଅଧିକାରୀ , ଓ କର୍ମଚାରୀ ମାନେ ବହୁ ସଂଖ୍ୟାରେ ଗ୍ରସ୍ତ କରିଥିଲେ ।

 

0
0
0
s2sdefault