ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ : ଟେଲିଭିଜନ ଦେଖାଇଲା ରୋଜଗାର ବାଟ । ଘରୁ ପାଦ କାଢ଼ିଲେ ମହିଳା, ଆଉ ନେଲେ ସେ ସଂକଳ୍ପ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରିବେ । ଆଉ ଏଥିପାଇଁ କୃଷି ଉଦ୍ୟାନ ବିଭାଗ ପକ୍ଷରୁ ନେଲେ ସ୍ବତନ୍ତ୍ର ଭାବେ ତାଲିମ ଏବଂ ଆରମ୍ଭ କଲେ ଛତୁ ଚାଷ । ସରକାରୀ ସହାୟତାକୁ ଅପେକ୍ଷା ନ କରି ନିଜେ ଅକ୍ଲାନ୍ତ ପରିଶ୍ରମ କରି ଘରେ ବସି ବର୍ଷକୁ ଆୟ କରୁଛନ୍ତି ପ୍ରାୟ 9 ରୁ 10 ଲକ୍ଷ ଟଙ୍କା । ନିଜେ ରୋଜଗାରକ୍ଷାମ ହେବା ସହିତ ଗାଁର 12ଟି ପରିବାର ଦେଉଛନ୍ତି ରୋଜଗାର । ଏ ସଫଳ ମହିଳା ଚାଷୀ ହେଉଛନ୍ତି ନୁନିଆ ଜାମପାଲି ଗ୍ରାମର ତାରାବତୀ ଭୋଇ । ଯିଏ ମହିଳା ମାନଙ୍କ ପାଇଁ ପାଲଟିଛନ୍ତି ଏକ ପ୍ରେରଣାର ସ୍ରୋତ ।
ଯୁକ୍ତ 2 ପଢ଼ିବା ପରେ ଉଚ୍ଚଶିକ୍ଷା ପାଇଁ ଲାଗିଲା ଡୋରି । 2012 ମସିହାରେ ପରିବାର ଲୋକେ ତାରାବତୀଙ୍କୁ ବରଗଡ଼ ଜିଲ୍ଳା ସଦର ବ୍ଳକ ନୁନିଆ ଜାମପାଲି ଗ୍ରାମର ଦୟାନିଧି ଭୋଇଙ୍କ ସହ ବିବାହ କରିଦେଲେ । ହେଲେ କାମଧନ୍ଦା ଓ ରୋଜଗାର ଅଭାବରୁ ପରିବାର ପୋଷଣ ଚିନ୍ତା ଘାରିଥିଲା । ଶିକ୍ଷାଗତ ଯୋଗ୍ୟତା ନ ଥିବାରୁ ନିଯୁକ୍ତି ମିଳିନଥିଲା । ପନି ପରିବା ଚାଷ ପାଇଁ ନୁନିଆଁ ଜାମପାଲି ଗାଁ ରାଜ୍ୟରେ ପ୍ରସିଦ୍ଧ ଲାଭ କରିଥିଲେ ବି ତାରାବତୀ ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିଲେ । ଏପରିସ୍ଥଳେ ଛତୁ ଚାଷ କରି ଭଲ ରୋଜଗାର କରିବାକୁ ସ୍ବପ୍ନ ଦେଖିଥିଲେ । ଏହାପରେ ତାରାବତୀ ଘରୁ ପାଦ କାଢ଼ି ରାଜ୍ୟ ସରକାରଙ୍କ ଉଦ୍ୟାନ ଓ କୃଷି ବିଭାଗ ପକ୍ଷରୁ ସ୍ବତନ୍ତ୍ର ତାଲିମ ଓ ପ୍ରଶିକ୍ଷଣ ନେଇଥିଲେ । ଏହାପରେ ତାରାବତୀଙ୍କ ଭାଗ୍ୟ ବଦଳି ଯାଇଥିବା ବେଳେ ଫିଟିଛି ବିକାଶର ବାଟ । ନିଜେ ସ୍ବାବଳମ୍ବୀ ହେବା ସହ ବର୍ଷସାରା 12ଜଣ ମହିଳାଙ୍କୁ କରିଛନ୍ତି ରୋଜଗାରକ୍ଷମ ।
ଇଚ୍ଛା ଶକ୍ତି, ଅଧ୍ୟବସାୟ ଥିଲେ ସବୁ କିଛି ସମ୍ଭବ ହୁଏ । ଚାଷ କାମ ପ୍ରତି ଏବେକାର ଯୁବପିଢ଼ି ଓ ଘରେ ଥିବା ବେକାର ମହିଳାମାନେ ବିମୁଖ ହେଉଛନ୍ତି । କିନ୍ତୁ କଠିନ ପରିଶ୍ରମ, କର୍ମ ପ୍ରତି ଅନୁରାଗ ରଖି ନିଜକୁ ଜଣେ ସଫଳ ଛତୁ ଚାଷୀ ଭାବେ ସମଗ୍ର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ତାରାବତୀ ଭୋଇ । ନିଜେ ରୋଜଗାରକ୍ଷମ ହେବା ସହ ଗ୍ରାମର 12ଜଣ ମହିଳାଙ୍କୁ କରିଛନ୍ତି ରୋଜଗାରକ୍ଷମ । ବର୍ଷସାରା ସେମାନେ ଏହି ଛତୁ ଚାଷରେ କାମ କରି ଜଣେ ଜଣେ ମାସକୁ 7/8ହଜାର ଟଙ୍କା କରୁଛନ୍ତି ରୋଜଗାର । ସେହିପରି ତାରାବତୀ ମଧ୍ୟ ଛତୁ ବିକ୍ରି କରି ବର୍ଷକୁ 9/10ଲକ୍ଷ ଟଙ୍କା ଲାଭ ପାଇପାରୁଛନ୍ତି । ପ୍ରତିଦିନ ନୁନିଆ ଜାମପାଲି ଗ୍ରାମକୁ ବ୍ୟବସାୟୀଙ୍କ ସୁଅ ଛୁଟୁଥିବା ବେଳେ ବରଗଡ଼, ସମ୍ବଲପୁର ଜିଲ୍ଲାରେ ଛତୁ ନିୟମିତ ଭାବେ ବିକ୍ରି କରାଯାଏ । ସେପଟେ ସମାଜର ମୁଖ୍ୟସ୍ରୋତରେ ତାରାବତୀ ମହିଳାମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଓ ଆଗାମୀ ଦିନରେ ତାଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଓ ସ୍ବତନ୍ତ୍ର ତାଲିମ ଦିଆଯିବ ବୋଲି ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି । ଉଦ୍ୟାନ ବିଭାଗର ତାଲିମ ପରେ ମହିଳାଙ୍କ ଚାଷୀ ଛତୁ ଚାଷ ଆଣିଛି ଏକ ବୈପ୍ଳବିକ ପରିବର୍ତ୍ତନ । ଯାହା ସମଗ୍ର ଜିଲ୍ଲା ଓ ରାଜ୍ୟରେ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ।