ହେଡଲାଇନସ୍:

"ୟେସ ଓ କରୋନାକୁ ନେଇ ବିଜେପି ଶସ୍ତା ରାଜନୀତି କରୁଛି "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ରାଶି ସୁରକ୍ଷିତ 

କରୋନା ପାଇଁ ବିଶ୍ୱ ଚିନ୍ତିତ, ରାଜ୍ୟ ସରକାର ନେଇଛନ୍ତି ଯୁଦ୍ଧକାଳୀନ ସତର୍କତା ପଦକ୍ଷେପ '

ବିରୋଧୀଦଳ ନେତା ଓ ଅନ୍ୟ ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଇ ଗୃହ ହୋଇଛି ମୁଲତବୀ 

 "ଓଡିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ  ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ କିଭଳି ଓଡିଶା ଅନୁରୂପ ପଦକ୍ଷେପ  ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ  |" 

ଭୁବନେଶ୍ୱର/ଶାସକ ପ୍ରଶାସକ :  ବିଶ୍ୱ ମହାମାରୀ ଘୋଷିତ କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଯୁଦ୍ଧକାଳୀନ ପଦକ୍ଷେପ ନେବା ସହ କରୋନାକୁ ରାଜ୍ୟ ବିପର୍ଯୟ ଘୋଷଣା କରି ବିଧାନସଭା ସ୍ଥଗିତ ରଖିଥିବା କାରଣରୁ ସରକାରଙ୍କୁ ବିଜେପି ସମାଲୋଚନା କରିଥିଲା |  ବିଜେପିର ସମାଲୋଚନା ଉପରେ ପାଲଟା ଜବାବ ରଖିଛି ବିଜେଡି | ବିଜେପିର ସମାଲୋଚନାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ବିଜେଡି ସମାଲୋଚନା ବଦଳରେ ସମସ୍ତେ ମିଳିମିଶି ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ବିଜେଡି କହିଛି |  ସମଗ୍ର ବିଶ୍ୱ କରୋନାକୁ ନେଇ ଭୀତତ୍ରସ୍ତ ହେବା ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ କରୋନା ପାଇଁ ବିଶାଳ ତଥା ଯୁଦ୍ଧକାଳୀନ ପ୍ରସ୍ତୁତିକୁ ବିଜେପିର ସମାଲୋଚନା କେବଳ ଶସ୍ତା ରାଜନୀତି ବୋଲି ବିଜେଡି ପକ୍ଷରୁ କୁହାଯାଇଛି | ଓଡିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ  ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ କିଭଳି ଓଡିଶା ଅନୁରୂପ ପଦକ୍ଷେପ  ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ଦଳ ପକ୍ଷରୁ କୁହାଯାଇଛି | 

ଆଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତା ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା କହିଛନ୍ତି ଯେ , ୟେସ୍‍ ବ୍ୟାଙ୍କରେ  ଜମା ଥିବା ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ । ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଏ ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ଆମେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍କୁ ବିଶ୍ୱାସ କରି ଏହି ଘଟଣାରେ ରାଜନୀତି କରିବା ଉଚିତ୍‍ ନୁହେଁ । ପ୍ରସଙ୍ଗ ଯାହା ବି ହେଉ, ଆମେ ଆଲୋଚନା ପାଇଁ ପ୍ରସ୍ତୁତ | ବିଧାନସଭାରେ ଆସିଥିବା ମୁଲତବି ପ୍ରସ୍ତାବରେ ୟେସ୍‍ ବ୍ୟାଙ୍କ୍‍ ଘଟଣା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଛି | ତଦନୁଯାୟୀ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ର ଗଭର୍ଣ୍ଣରଙ୍କୁ ଦାବିପତ୍ର ପ୍ରଦାନ ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ୧୨ ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ ହୋଇଛି । ଗୃହ କମିଟି ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ଦାସବର୍ମା  କହିଛନ୍ତି | 

କରୋନା ମୁକାବିଲା ପ୍ରସ୍ତୁତି ସମ୍ପର୍କରି ସୂଚନା ଦେଇ ଶ୍ରୀ ଦାସବର୍ମା କହିଛନ୍ତି ଯେ, କରୋନା ଏକ ଆର୍ନ୍ତଜାତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି । ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହିତ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱର ସହ ନେଇ ମୁକାବିଲା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଓଡିଶା ସରକାର ମଧ୍ୟ ଏ ଦିଗରେ ସମସ୍ତପ୍ରକାର  ପଦକ୍ଷେପ ଗ୍ରହଣ କରୁଛନ୍ତି । ପ୍ରାଥମିକ  ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଭଳି ବିର୍ଯ୍ୟୟର ମୁକାବିଲା ପାଇଁ ଅର୍ଥର ସମସ୍ୟା ହେବନାହିଁ । କେନ୍ଦ୍ର ସରକାର କରୋନାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ଗତକାଲି ରାଜ୍ୟ ସରକାର ମଧ୍ୟ ଏହା ଘୋଷଣା କରିଛନ୍ତି । ତେଣୁ ଓଡିଶା ବିଜେପି ଏହାର ଗୁରୁତ୍ୱକୁ ବୁଝିବା ଆବଶ୍ୟକ ।

 ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ  ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ ଯଥା ହରିଆନା, ଉତ୍ତରପ୍ରଦେଶ ଆଦି କିଭଳି ଓଡିଶା ଅନୁରୂପ ପଦକ୍ଷେପି  ଗ୍ରହଣ କରିଛନ୍ତି ତାହା ଅନୁଧ୍ୟାନ କରିବା ଆବଶ୍ୟକ ବୋଲି ଶ୍ରୀ ଦାସବର୍ମା କହିଛନ୍ତି |

ମାର୍ଚ୍ଚ ୩୦ ତାରିଖ ଦିନ ୧୦.୩୦ ପର୍ଯ୍ୟନ୍ତ ବିଧାନସଭା ମୁଲତବି ପ୍ରସଙ୍ଗରେ ଦଳପକ୍ଷରୁ କୁହାଯାଇଛି ଯେ  ବିରୋଧିଦଳ ନେତାଙ୍କ ସହିତ ବିଜେପି ଓ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବିଶ୍ୱାସକୁ ନେବାପରେ ବିଧାନସଭାକୁ ମୁଲତବି ରଖାଯାଇଛି । ତେଣୁ ବିଜେପି ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ କରିବା ଉଚିତ୍‍ ନୁହେଁ । ଗୃହ ମୁଲତବି ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସମସ୍ତ ବିଧାୟକମାନଙ୍କ ଲାଗି କରୋନା ମୁକାବିଲା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ତେଣୁ ଏ ଆର୍ନ୍ତଜାତୀୟ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ଲାଗି ରାଜନୀତିରୁ ଉଦ୍ଧ୍ୱର୍କୁ ଉଠି ଆମେ ସମସ୍ତେ ଏହାର ମୁକାବିଲା ଲାଗି ଆଗେଇ ଆସିବା ଉଚିତ୍‍ ବୋଲି ଶ୍ରୀ ଦାସବର୍ମା କହିଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ବିଜେଡି ନେତ୍ରୀ ତଥା  ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଓ ମୁଖପାତ୍ର ସସ୍ମିତ ପାତ୍ର ଉପସ୍ଥିତ ଥିଲେ | 

0
0
0
s2sdefault