ହେଡଲାଇନସ୍:

ଛଅ ଦିନ ଧରି ଚାଲିଥିବା ଦୋଳଉତ୍ସବ ଉଦ୍‍ଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଦୋଳବନ୍ଧ ଓ ଦୋଳତ୍ସବ କମିଟିର ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଦୀର୍ଘ ୬ଦିନ ଧରି ଚାଲିଥିବା ଦୋଳତ୍ସବ ଉଦ୍‍ଯାପିତ ହୋଇଯାଇଛି | 

 ପ୍ରତିଦିନ ସନ୍ଧ୍ୟାରେ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଦୋଳବନ୍ଧ ନିକଟ ଦୋଳମଣ୍ଡପକୁ ବିଜେ କରୁଥିଲେ । ଚତୁର୍ଥ ଦିନର ମୁଖ୍ୟ ଆକର୍ଷଣ ଥିଲା ରାତ୍ରିରେ ମା ମାଣିକେଶ୍ୱରୀ ଓ ରାମଲିଙ୍ଗେଶ୍ୱର ମନ୍ଦିରରୁ ମହାଦେବଙ୍କୁ ବିରାଟ ପଟୁଆରରେ, ଘଣ୍ଟ,ତାଳ,ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ, ବାଜା ବଜାଇ ମେଲଣ ପଡିଆ ନିକଟକୁ ଅଣାଯାଇ ହରିହର ଭେଟ କରାଯାଏ । ପରେ ମୋଘାପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଦେଖିବାକୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଜ ଜମିଥିଲା ।  ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ ବଟକୃଷ୍ଣ ପାତ୍ର ଓ ବିଚିତ୍ରାନନ୍ଦ ବେବର୍ତ୍ତା ଅତିଥି ଭାବେ ଯୋଗ ଦେଇଥିଲେ। 

 ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମହନ୍ତ ମହାରାଜ ରାଧାନନ୍ଦ ଦାସ ଯୋଗ ଦେଇଥିବା ବେଳେ ଦେବଦୀପାବଳି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

  ତୃତୀୟ ସନ୍ଧ୍ୟାରେ ପାରଳା ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିବା ବେଳେ ଅତିଥି ରୂପେ  ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ।  ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

 ଚତୁର୍ଥ ସନ୍ଧ୍ୟାରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୃସିଂହ ଚରଣ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ବିନ୍ଦୁପ୍ରିୟା ବେହେରାଙ୍କ ନିର୍ଦ୍ଦେଶନାରେ ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଦାମୃତ ନୃତ୍ୟାୟନର ନୃତ୍ୟଶିଳ୍ପୀ ମାନଙ୍କ ଦ୍ୱାର ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ ।

 ପଞ୍ଚମ ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାରଳା ରାଜରାଜେଶ୍ୱରୀ  କଲ୍ୟାଣୀ ଗଜପତି ନାରାୟଣ ଦେବ , ପ୍ରଦୀପ କୁମାର ନାୟକ ଅତିଥି ରୂପେ ଯୋଗ ଦେଇଥିଲେ।  ପରେ ରାଜେନ୍ଦ୍ର ରଥଙ୍କ ସଂଯୋଜନାରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦର ଶିଳ୍ପୀ ମାନଙ୍କ ଦ୍ୱାରା ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । 

ଉଦ୍‍ଯାପନୀ ସନ୍ଧ୍ୟାରେ ଜଗଦୀଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା କୁନି କୁନି ପିଲାଙ୍କର ରାଧାକୃଷ୍ଣ ବେଶ ପ୍ରତିଯୋଗିତା।  ରାଧା ବେଶରେ ରଶ୍ମିରେଖା ମିଶ୍ର ପ୍ରଥମ ହୋଇଥିବା ବେଳେ କୃଷ୍ଣ ବେଶରେ ଦୁଶାନ୍ତ ବରାଡ  ପ୍ରଥମ ସ୍ଥାନ ହୋଇଥିଲେ ।

 ପରେ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ପାରଳାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରର ଛାତ୍ରୀମାନେ ଓଡିଶୀ , ମାହାରୀ ନୃତ୍ୟ , ସମ୍ୱଲପୁରୀ ଭଜନ ନୃତ୍ୟ କରିଥିବା ବେଳେ ହୋଲି ଉପରେ  ନୃତ୍ୟ ଦର୍ଶକଙ୍କ ମନ ମୋହିଥିଲା । କାର୍ଯ୍ୟକ୍ରମ ଶେଷରେ ଦେବେନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବିନୋଦ ଚନ୍ଦ୍ର ଜେନା, ବିଚିତ୍ରାନନ୍ଦ ବେବର୍ତ୍ତା, ହରିମୋହନ ପଟ୍ଟନାୟକ ଓ ଦୋଳବନ୍ଧ ଦୋଳ ଉତ୍ସବ କମିଟିର କର୍ମକର୍ତ୍ତା ସମସ୍ତେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

0
0
0
s2sdefault