ସେ ହେଉଛନ୍ତି "ମ୍ୟାନ୍ ଅଫ୍ ଏ ମିଲିୟନ୍ ଲିଜେଣ୍ଡ" : ନବୀନ
ବିଜୁ ବାବୁ ଥିଲେ ବାସ୍ତବରେ ଡେୟାର ଡେଭିଲ ଡେମକ୍ରାଟ: ନରସିଂହ
ବିଜୁ ବାବୁ ମତେ ନେତା ଭାବେ ପରିଚୟ ଦେଇଥିଲେ : କେଭି
ଭୁବନେଶ୍ବର : ପିଲାଦିନେ ବିଜୁ ବାବୁଙ୍କୁ ମୁ ବହୁତ ଘୃଣା କରିଥିଲି | ମୋ ଜେଜେବାବାଙ୍କ ପାଖକୁ ସେ ଅଧିକାଂଶ ସମୟରେ ଆସୁଥିଲେ | ଆଉ ମୁ ଡିଷ୍ଟର୍ବ ବେଉଥିଲି | ଥରେ ଜେଜେବାପାଙ୍କୁ ପଚାରିଲି " ମୁଁ ଏଇ ଲୋକଟାକୁ ହିଟ କରିବାକୁ ଚାହେଁ, ସେ ମୋତେ ବହୁତ ଡିଷ୍ଟର୍ବ କରୁଛନ୍ତି" | ମୋ ଜେଜେବାପା ମତେ ବାରଣ କରିଥିଲେ | ମୋର ସେଇ ଲୋକଟା ପ୍ରତି ଘୃଣା ଭାବ ରହିଥିଲା | ହେଲେ ୧୯୭୫ରେ ଜେଜେବାପାଙ୍କ ଦେହାନ୍ତ ପରେ ଭୁବନେଶ୍ବରରୁ ବଲାଙ୍ଗୀର ପର୍ଯ୍ୟନ୍ତ ତାଙ୍କ ଶବାଧାରକୁ ଧରି ଅପନ୍ତରିଆ ରାସ୍ତାରେ ୬୦ ବର୍ଷର ବୟସ୍କ ବ୍ୟକ୍ତି ବିଜୁ ବାବୁ ପ୍ରାୟ ୩୦୦ କିଲୋମିଟର ଯାତ୍ରା କରି ନିଜେ ଯାଇ ପହଂଚିବା ପରେ ତାଙ୍କ ପ୍ରତି ମୋ ମନରେ ଥିବା ଧାରଣା ବଦଳି ଥିଲା । ଘୃଣା ଭଲ ପାଇବାରେ ପରିଣତ ହୋଇଥିଲା | ୧୯୯୨ରେ ପଞ୍ଚାୟତ ନିର୍ବାଚନ ବେଳେ ଆମର ଜଣେ ବିଜେପି କର୍ମୀଙ୍କ ହତ୍ୟା କରାଗଲା | ତାହାରି ଉପରେ ସ୍ଥାନୀୟ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ମନୁଆ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓଙ୍କୁ ସାକ୍ଷାତ କରି ଅବଗତ କରାଇଲି | ପ୍ରଧାନମନ୍ତ୍ରୀ ଯେତେବେଲେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ କହିଲେ ଏ ବିଷୟରେ କହିଲେ, ବିଜୁ ବାବୁ କହିଲେ କିଏ କାଇଁ ଆପଣଙ୍କୁ ଜଣାଇଛି ! ପ୍ରଧାନମନ୍ତ୍ରୀ ଯେତେବେଳେ ମୋ ନାଁ କହିଲେ, ସେତେବେଳେ ବିଜୁବାବୁ କହିଲେ " ସେଣ୍ଡ ହିମ ଟୁ ମି ଟୁମାରୋ ମର୍ନିଙ୍ଗ " | ମୁଁ ତା ପରଦିନ ଯାଇ ମୋ ଧର୍ମପତ୍ନୀଙ୍କ ସହ ମିଶି ନବୀନ ନିବାସ ରେ ପହଂଚିଲି | ଆମକୁ ଜଳଖିଆ ଖାଇବାକୁ ଦେଲେ | ଖାଇଲା ବେଳେ କହିଲେ " ଆଇ ଆମ ଗୋଇଙ୍ଗ ଟୁ ଆରେଷ୍ଟ ୟୁ " | ଆମେ ଥଟା ଭାବିଲୁ, ସେଠାରୁ ଚାଲି ଆସିଲୁ, ସିଧା ପାଟଣା ଚାଲିଗଲୁ | ସତକୁ ସତ ପୋଲିସ ଆସି ମୋତେ ଆରେଷ୍ଟ କରି ନେଇଗଲା | ମୁଁ ସେ ଲୋକଟାକୁ ବୁଝି ପାରୁନଥିଲି | ମୋ ମନ ଭିତରେ ଅସମ୍ଭବ କ୍ରୋଧ ବିଜୁ ବାବୁଙ୍କ ବିରୋଧରେ ଜାତ ହେଲା | ମୁଁ ୨୧ ଦିନ ଜେଲରେ ରହିବା ପରେ ଯେତେବେଲେ ଜେଲରୁ ବାହାରିଲି, ସେତେବେଳେ ମୁଁ ପ୍ରଥମେ ନିଷ୍ପତ୍ତି ନେଲି ବିଜୁ ବାବୁଙ୍କୁ ସାକ୍ଷାତ କରି ମୋ ପ୍ରତି କାହିଁକି ଏ ଅନ୍ୟାୟ କଲେ ପଚାରିବି | ତାପରେ ମୋ କାକାଙ୍କ ସହାୟତାରେ ସଚିବାଳୟର ତୃତୀୟ ମହଲରେ ପହଂଚିଲି | ତାଙ୍କ ଚାମ୍ବରରେ ପହଁଚିଲା ପରେ ମତେ ପଶୁ ପଶୁ କହିଲେ " ୟେସ" |
ମୁଁ କହିଲି "ହ୍ବାଟ ୟେସ "
ସେ କହିଲେ " ତୁମେ ମତେ ଧନ୍ୟବାଦ ଦେବନି!"
ମୁଁ କହିଲି " ଆପଣ ମତେ ଆରେଷ୍ଟ କରି ୨୧ ଦିନ ଜେଲରେ ରଖିଲେ | ମୁଁ ପୁଣି ଆପଣଙ୍କୁ ଧନ୍ୟବାଦ ଦେବି !"
ବିଜୁ ବାବୁ କହିଲେ " ତମେ ୨୧ ଦିନ ଯେଉଁ ପବ୍ଲିସିଟି ପାଇଲ ! କୋଉ ତମ ଦଳ ଏତିକି ପାବ୍ଲିସିଟି ଦେଇଥିଲା ! ଲୋକଙ୍କ ଭିତରେ ଚର୍ଚ୍ଚା ହେଲା ଯେ କିଏ ଜଣେ କନକ ବର୍ଦ୍ଧନ, ଯାହାକୁ ବିଜୁ ବାବୁ ଆରେଷ୍ଟ କଲା ! ତମେ ଜେଲ୍ ଯାଇଥିବାରୁ ମତେ ଧନ୍ୟବାଦ ଦିଅ। ଏହାଦ୍ୱାରା ସାରା ଦେଶରେ ତମର ଯଥେଷ୍ଟ ପ୍ରଚାର ହେଲା। ରାଜନୀତିରେ ନାଁ କମେଇବାକୁ ପରିଶ୍ରମ କରିବାକୁ ପଡ଼ିଲାନି। ତମେ ନେତା ହେଇଗଲ | ଯାଅ ଲୋକଙ୍କ ପାଇଁ କାମ କର | "
ବିଜୁ ବାବୁଙ୍କ ଠାରୁ ଏତକ ଶୁଣିବା ପରେ ମୋ ସବୁ ରାଗ କୁଆଡେ ଥଣ୍ଡା ହୋଇଯାଇଥିଲା | ମୁଁ ବୁଝି ପାରିଥିଲେ ମୋତେ ଗିରଫ କରିବା ପଛରେ ତାଙ୍କର ନିହିତ ଉଦ୍ଦେଶ୍ୟ କଣ ଥିଲା ! ଆଉ ତାପରେ ମୁଁ ତାଙ୍କୁ ନମସ୍କାର କରି ସେଠାରୁ ଫେରିଥିଲେ | ତାପରେ ୧୯୯୫ରେ ଯେତେବେଳେ ମୁଁ ନିର୍ବାଚନ ଲଢ଼ିଲି ସେତେବେଳେ ମୋତେ ଆଶୀର୍ବାଦ କରିଥିଲେ " ଫାଇଟ ଦି ଇଲେକ୍ସନ , କମ ଟି ଆସେମ୍ବ୍ଲି " |
ଆଉ ମୋର ରାଜନୈତିକ ଅଭ୍ୟତ୍ଥାନ ପଛରେ ବିଜୁ ବାବୁଙ୍କର ପ୍ରଚ୍ଛନ୍ନ ଆଶୀର୍ବାଦ ଥିଲା | ତାଙ୍କରି ଆଶୀର୍ବାଦରେ ମୁଁ ନେତା ହୋଇ ପାରିଥିଲି" ବୋଲି ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ କହିବା ମାତ୍ରେ ହଲ ତାଳିରେ ଫାଟି ପଡିଥିଲା |
ଅବସର ଥିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ରଚିତ ସ୍ୱତନ୍ତ୍ର ପୁସ୍ତକ " ଦି ଡେୟାର ଡେଭିଲ ଡେମୋକ୍ରାଟ" ଶୁଭ ଉନ୍ମୋଚନ | ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ କଂଗ୍ରେସ ବିଧାୟଜ ଦଳ ନେତା ତଥା ବିଜୁ ବାବୁଙ୍କ ସହଯୋଗୀ ନରସିଂହ ମିଶ୍ର , ବିଜେପି ନେତା କନକ ବର୍ଦ୍ଧନ, ସ୍ୱାଧୀନତା ସଂଗ୍ରାମୀ ତଥା ଆୟୋଜକ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ଭବାନୀ ପଟ୍ଟନୟକ, ସମ୍ପାଦକ ବିମଲ ଦାସ |
ଏ ଅବସରରେ ଉଡାଵହନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜୁ ପଟ୍ଟନାୟକ ଥିଲେ କିମ୍ବଦନ୍ତୀ। ଏବେ ବି କିମ୍ବଦନ୍ତୀ ହୋଇ ରହିଛନ୍ତି। ଗୋଟିଏ ଶବ୍ଦରେ କହିବାକୁ ଗଲେ ସେ ହେଉଛନ୍ତି ‘ମ୍ୟାନ୍ ଅଫ୍ ଏ ମିଲିୟନ୍ ଲିଜେଣ୍ଡ’। ରାଜ୍ୟର ବିକାଶ ତାଙ୍କର ପ୍ରଥମ ଏଜେଣ୍ଡା ଥିଲା। ଏହାଛଡ଼ା ସେ ଅନ୍ୟ କିଛି ଭାବୁ ନ ଥିଲେ। କ୍ଷୀପ୍ରଗତିରେ କାମ କରିବାକୁ ବିଜୁବାବୁ ସବୁବେଳେ ଚାହୁଁଥିଲେ। ଯେତେଶୀଘ୍ର ସମ୍ଭବ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ଲାଗି ଅନବରତ ଉଦ୍ୟମ ଜାରି ରହିଥିଲେ ‘ଡେୟାରଡେଭିଲ୍ ଡେମୋକ୍ରାଟ୍’କୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ |
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ବାବୁଙ୍କ ସଂଗ୍ରାମୀ ଜୀବନର ସ୍ମୃତିଚାରଣ କରି କହିଲେ ଯେ ଇଣ୍ଡୋନେସିଆରେ ନିଜର ଦୁଃସାହାସ ପ୍ରଦର୍ଶନ କରିଥିଲେ ବିଜୁ। ସ୍ବାଧୀନତା ଆନ୍ଦୋଳନ ସମୟରେ ରୟାଲ ଏୟାର ଫୋର୍ସର ପାଇଲଟ୍ ଭାବେ ଜାତୀୟସ୍ତରର ନେତା ଅରୁଣା ଅସଫ୍ ଅଲ୍ଲି, ରାମ ମୋହନ ଲୋହିଆ ପରି ସଂଗ୍ରାମୀଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇଥିଲେ। ସେ ଏପରି ଏକ ସଚ୍ଚୋଟ ନେତା ଥିଲେ, ଯିଏ କି ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଆଗଧାଡ଼ିରେ ରହି ଶ୍ରୀନଗରକୁ ପ୍ରବେଶ କରିଥିଲେ। ଏଭଳି ଜଣେ ବ୍ୟକ୍ତିଙ୍କ ଉପରେ ପ୍ରସ୍ତୁତ ହୋଇଥିବା ଏହି ପୁସ୍ତକଟି ପିଲାମାନଙ୍କ ପାଇଁ ବେଶ ଉପଯୋଗୀ ହେବ। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ତାଙ୍କ ପଦାଙ୍କ ଅନୁସରଣ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |
ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଜଣେ ଡେୟାର ଡେଭିଲ କେବେ ଡେମୋକ୍ରାଟ ହୋଇପାରେନା | ହେଲେ ବାସ୍ତବିକ ବିଜୁ ବାବୁ ଥିଲେ ଦୁଇଟିଯାକର ସମିଶ୍ରଣ | ବିଜୁ ବାବୁ ଥିଲେ ଜଣେ ପ୍ରକୃତ ଡେମୋକ୍ରାଟ୍। ତାଙ୍କ କାର୍ଯ୍ୟ କରିବାର ଶୈଳୀ ଥିଲା ସମ୍ପୂର୍ଣ୍ଣ ନିଆରା। କେହି କେହି ତାଙ୍କୁ ଏକଛତ୍ରବାଦୀ ବୋଲି କୁହନ୍ତି। ହେଲେ ଏତେ ଦିନ କାମ କରିବା ଭିତରେ ମୁଁ କେବେ ଅନୁଭବ କରିନି | ଯିଏ ତଥ୍ୟ ଭିତ୍ତିକ ଯୁକ୍ତି କରୁଥିଲା ତାକୁ ବିଜୁ ବାବୁ ଭଲ ପାଇଥିଲେ | ବିଜୁ ବାବୁଙ୍କ ଭଳି ଉଦାର ଓ ସହିଷ୍ଣୁ ବ୍ୟକ୍ତିତ୍ୱ ରାଜନୀତିରେ ବିରଳ। ଏଥିସହ ବିଜୁ ବାବୁଙ୍କ ସହ ତାଙ୍କର ରାଜନୈତିକ ଜୀବନର କିଛି କଥା ଅବତାରଣା କରିବା ବେଳେ ବିରୋଧୀଙ୍କ କଥାକୁ ସେ କିଭଳି ସମ୍ମାନ ଦିଅନ୍ତି ଓ ଓଡିଶା ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସବୁ ଦଳର ନେତାମାନେ ତାଙ୍କୁ ସମ୍ମାନ କରୁଥିଲେ ତାହା ମୁଁ ନିଜ ଆଖିରେ ଦେଖିଛି ବୋଲି ଶ୍ରୀ ମିଶ୍ର କହିଥିଲେ।
କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଲୋକାର୍ପଣ ଉତ୍ସବରେ ଟ୍ରଷ୍ଟ ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ବିଜୁବାବୁଙ୍କ ସହ ତାଙ୍କ ସମ୍ପର୍କର ସ୍ମୃତିଚାରଣ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିଜ ସ୍ୱାଗତ ଅଭିଭାଷଣରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ବିଜୁ ବାବୁଙ୍କ ମହନୀୟତା ଓ ବ୍ୟକ୍ତିତ୍ୱର ଅବତାରଣା କରିଥିଲେ | କେନ୍ଦ୍ରାପଡ଼ା ଜିଲ୍ଲା ସହ ବିଜୁ ବାବୁଙ୍କ ସମ୍ପର୍କ, ମହାବାତ୍ୟା ସମୟରେ ଦୁଃଖରେ ଠିଆ ହୋଇ ଭବିଷ୍ୟତରେ କେନ୍ଦ୍ରାପଡ଼ାର ଆଉ ଜଣକୁ କାହାକୁ ମରିବାକୁ ଦେବି ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଆଉ ସେ ଦିଗରେ ପଦକ୍ଷେପ ପାଇଁ ସେ ଆଜି ବି କେନ୍ଦ୍ରାପଡା ବାସି ସର୍ବୋପରି ଓଡିଶା ବାସୀଙ୍କ ହୃଦୟରେ ଅମର ହୋଇ ରହିଥିବେ | ବିଜୁ ବାବୁ ସମସ୍ତଙ୍କ ପାଇଁ ଟାଇଲ ଛପର ଘର ପ୍ରତିଶ୍ରୁତି ଦେଇ କାମ କରିଥିବା ବେଳେ ଆଜି ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ସ୍ୱପ୍ନକୁ ଆଗେଇ ନେଇ ୨୦ ଲକ୍ଷ ପରିବାରକୁ ପକା ଘରର ପ୍ରତିଶ୍ରୁତି ପତ୍ର ଦେଇଛନ୍ତି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ | ଶେଷରେ ଟ୍ରଷ୍ଟର ସମ୍ପାଦକ ବିମଳ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।