ହେଡଲାଇନସ୍:

ସମ୍ ହସ୍ପିଟାଲ ପ୍ରତିଷ୍ଠା କଲା ନୂଆ ଏକ କୀର୍ତ୍ତିମାନ, ଓଡ଼ିଶାର ପ୍ରଥମ ସଫଳ ଲାଇଭ ଯକୃତ ପ୍ରତ୍ୟାରୋପଣ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଜୟନ୍ତଙ୍କ ପରିବାର ଜଣାଇଲେ କୃତଜ୍ଞତା 

ଜଟିଳ ଥିଲା ପ୍ରକ୍ରିୟା , ଯଦିଓ ଅସମ୍ଭବ ନଥିଲା | ମନ ଭିତରେ ଜୀବନକୁ ନେଇ ଅନିଶ୍ଚିତତା ଥିଲା ତାଙ୍କର ଓ ତାଙ୍କ ପରିବାରର | ହେଲେ ଉଦ୍ୟମ ଆରମ୍ଭ କରିଥିଲା ସମ୍  | ମାର୍ଗଦର୍ଶନ କରିଥିଲା ଯଶୋଦା | ମାନବିକତାପୁର୍ଣ ସହାୟତାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ସୋଆର ପ୍ରତିଷ୍ଠାତା ପ୍ରଫେସର  ମନୋଜରଞ୍ଜନ ନାୟକ | ଅଙ୍ଗର କିଛି ଅଂଶ ଦାନ ପାଇଁ ଆଗେଇ ଆସିଥିଲେ ୧୯ ବର୍ଷର ପୁଅ | ଶେଷରେ ଦେଢବର୍ଷତଳେ ସମ୍  ଆରମ୍ଭ କରିଥିବା ଉଦ୍ୟମ ରଙ୍ଗ ଆଣିଲା | ସଫଳ ହେଲା "ସମ୍" ପକ୍ଷରୁ  ଓଡ଼ିଶାରେ ପ୍ରଥମ ଥର ପାଇଁ ଲିଭିଂ ଡୋନର ଲିଭର ପ୍ରତ୍ୟାରୋପଣ | ବଂଚିଗଲା ବାଲେଶ୍ୱର ଅଂଚଳର ଜୟନ୍ତ ବିଶ୍ୱାଳଙ୍କ ଜୀବନ | ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ "ସମ୍ "(ସୋଆ) ପ୍ରତିଷ୍ଠା କଲା ଏକ ମାଇଲଖୁଣ୍ଟ |

ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶାର ଚିକିତ୍ସା ଇତିହାସରେ ପ୍ରଥମ ଥର ପାଇଁ ସଫଳତାର ସହ ଯକୃତ ପ୍ରତ୍ୟାରୋପଣ କରିବାରେ ସକ୍ଷମ ହୋଇଛି ସମ୍ ହସ୍ପିଟାଲ । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନଷ୍ଟିଟ୍ୟୁଟ   ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ପ୍ରଥମ ଥର ପାଇଁ ସଫଳତାର ସହ ଲିଭିଂ ଡୋନର ଲିଭର ପ୍ରତ୍ୟାରୋପଣ କରାଯାଇଛି । ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲ୍ ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତର ଏବଂ ବିଶେଷଜ୍ଞ ଟିମର  ମିଳିତ ପ୍ରଚେଷ୍ଟାରେ ଗୁରୁବାର ଦିନ ଦୀର୍ଘ ୯ ଘଂଟା ଧରି ଅଙ୍ଗ ପ୍ରଦାନକାରୀ ବ୍ୟକ୍ତି ଏବଂ ରୋଗୀଙ୍କ ଶରୀରରେ ଏହି ପ୍ରତ୍ୟାରୋପଣ ଅସ୍ତ୍ରୋପଚାର  କରାଯାଇଛି । ଯଶୋଦା ହସ୍ପିଟାଲର  ୧୩ ଜଣିଆ ଟିମ  ସମେତ ସମ୍ ହସ୍ପିଟାଲର  ୪୦ ଜଣିଆ ଟିମ୍ ଏହି ପ୍ରତ୍ୟାରୋପଣରେ ସାମିଲ୍ ଥିଲେ ।

ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳର ଜୟନ୍ତ ବିଶ୍ୱାଳ (୫୫) ୨୦୧୬ ମସିହାରେ ହଠାତ୍ ଯକୃତଜନିତ ରୋଗରେ ପିଡିତ ହୋଇଥିଲେ । ସେ ନନ୍ ଆଲକହଲିକ୍ ଫ୍ୟାଟି ଲିଭର ରୋଗରେ ପୀଡ଼ିତ ହୋଇପଡ଼ିଥିବା ବେଳେ ନିଜ ଜୀବନ ବଂଚାଇବା ପାଇଁ ଲିଭର ପ୍ରତ୍ୟାରୋପଣ କରିବାକୁ ନିଷ୍ପତି ନେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପତ୍ନୀ ଅନୀତା ବିଶ୍ୱାଳ ତାଙ୍କ ଯକୃତର କିଛି ଅଂଶ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ତାଙ୍କ ବ୍ଲଡ ଗ୍ରୁପ୍ ‘ବି’ ପଜିଟିଭ୍ ଥିବାରୁ ତାହା ‘ଏ’ ପଜିଟିଭ୍ ବ୍ଲଡ୍ ଗ୍ରୁପ୍ ଥିବା ଜୟନ୍ତଙ୍କ ସହିତ ମିଶି ନଥିଲା । ତେଣୁ ତାଙ୍କର ଏକ ମାତ୍ର ୧୯ ବର୍ଷୀୟ ପୁଅ  ସୌମ୍ୟରଞ୍ଜନ ବିଶ୍ୱାଳ ଯାହାଙ୍କର ବ୍ଲଡ ଗ୍ରୁପ୍ ‘ଓ’ପଜିଟିଭ୍ ଏବଂ ଯାହା ଜୟନ୍ତଙ୍କ ବ୍ଲଡ ଗ୍ରୁପ୍ ସହ ମିଶିଲା,  ପିତାଙ୍କ ଜୀବନ ବଂଚାଇବା ପାଇଁ ନିଜ ଯକୃତର କିଛି ଅଂଶ ପ୍ରଦାନ କରିବାକୁ ନିଷ୍ପତି ନେଇଥିଲେ । ତାଙ୍କ ନିଷ୍ପତି ପରେ ସମ୍ ହସ୍ପଟାଲର  ଏହି ପ୍ରତ୍ୟାରୋପଣ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । 

ସମ୍ ହସ୍ପିଟାଲରେ କରାଯାଇଥିବା ଏହି ଯକୃତ ପ୍ରତ୍ୟାରୋପଣରେ ଯଶୋଦା ହସ୍ପିଟାଲର  ମୁଖ୍ୟ ଲିଭର ପ୍ରତ୍ୟାରୋପଣ ସର୍ଜନ୍ ପ୍ରଫେସର ଡଃ ପି. ବାଲାଚନ୍ଦ୍ରନ୍ ମେନାନଙ୍କ  ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ପ୍ରତ୍ୟାରୋପଣ କରାଯାଇଥିବା ବେଳେ ତାଙ୍କୁ ଯଶୋଦା ହସ୍ପିଟାଲର  ନିଶ୍ଚେତକ ଏବଂ ଇଂଟେନ୍ସଭ୍ କେୟାରର ନିର୍ଦ୍ଦେଶକ  ଡଃ ଜି. ଭି. ପ୍ରେମ୍ କୁମାର , ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡଃ ମନୋଜ କୁମାର ସାହୁ ଏବଂ ଗ୍ୟାଷ୍ଟେ୍ରାସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡଃ ପ୍ରେମାନନ୍ଦ ପଟ୍ଟନାୟକ ସହଯୋଗ କରିଥିଲେ । 

ଲିଭର ପ୍ରତ୍ୟାରୋପଣ ନିମନ୍ତେ ଦେଢ଼ ବର୍ଷ ତଳୁ ଯଶୋଦା ହସ୍ପିଟାଲ୍ ସହିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ଏମ୍ଓୟୁ ସ୍ୱାକ୍ଷର ହେବା ପରେ ପ୍ରତ୍ୟାରୋପଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ଉଭୟ  ଜୀବନ୍ତ (ଲାଇଭ୍) ଏବଂ ମୃତ (କାଡାଭେରିକ୍) ଲିଭର ପ୍ରତ୍ୟାରୋପଣ ନିମନ୍ତେ ଅନୁମତି ମିଳିବା ପରେ ଏହି ପ୍ରକ୍ରିୟା  ଆରମ୍ଭ କରାଯାଇଥିଲା ବୋଲି ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି । ସୋଆ କର୍ତୃପକ୍ଷ ଏନେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପ୍ରତ୍ୟାରୋପଣ ପାଇଁ ସମ୍ ହସ୍ପିଟାଲର  ଗ୍ୟାଷ୍ଟେ୍ରାଇନ୍ଟେଷ୍ଟାଇନାଲ୍ ସର୍ଜନ, ଆନେସ୍ଥେଟିଷ୍ଟସ୍, ନର୍ସ ଏବଂ ପାରାମେଡିକ୍ସ ମାନେ ଅନେକ ଥର ଯଶୋଦା ହସ୍ପିଟାଲ୍ ଯାଇ ଟ୍ରେନିଂ ନେଇଥିବା ସେ କହିଥିଲେ ।

ଓଡ଼ିଶାରେ ଅନେକ ଲୋକ ଯକୃତଜନିତ ରୋଗରେ ପିଡ଼ିତ ଥିବା ବେଳେ ଫ୍ୟାଟି ଲିଭର୍ ଓ ହେପାଟାଇଟିସ ‘ବି’ ରୋଗୀଙ୍କ ସଂଖ୍ୟା ଅଧିକ । ଗ୍ରାମାଂଚଳରେ ଏହି ସଂଖ୍ୟା ଅଧିକ । ତେବେ ଅର୍ଥାଭାବ ଏବଂ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ଅନେକ ରୋଗୀ ଓଡ଼ିଶାରେ ମୃତ୍ୟୁବରଣ କରୁଛନ୍ତି । ରାଜ୍ୟ ବାହାରେ ଲିଭର ପ୍ରତ୍ୟାରୋପଣ ପାଇଁ ୨୦ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସମରେ  ୧୦ ଲକ୍ଷ ଟଙ୍କାରେ ଏହି ପ୍ରକ୍ରିୟା  କରାଯାଇପାରିବ । ତେବେ ଜୟନ୍ତ ବିଶ୍ୱାଳଙ୍କ ଲିଭର ପ୍ରତ୍ୟାରୋପଣ ସମ୍ ହସ୍ପିଟାଲ୍ ପକ୍ଷରୁ ସମ୍ପୂର୍ଣ୍ଣ ମାଗଣାରେ କରାଯାଇଥିବା ସୂଚନା ଦେଇଛନ୍ତି ଡଃ ସାହୁ । ରୋଗୀ ଏବଂ ଅଙ୍ଗ ପ୍ରଦାନକାରୀ ତାଙ୍କ ପୁଅ ସୁସ୍ଥ ଅଛନ୍ତି ବୋଲି ସେ କହିଛନ୍ତି । ଆଗାମୀ ଦିନରେ ହସ୍ପିଟାଲର  ଉଭୟ ଲାଇଭ୍ ଡୋନର୍ ଏବଂ କାଡାଭେରିକ୍ ଲିଭର ପ୍ରତ୍ୟାରୋପଣ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଡଃ ସାହୁ କହିଛନ୍ତି । 

ଲିଭର ପ୍ରତ୍ୟାରୋପଣ ସମ୍ପର୍କରେ ସୂଚନା ଦେଇ ସମ୍ ହସ୍ପିଟାଲର ଗ୍ୟାଷ୍ଟେ୍ରାସର୍ଜରୀ ବିଭାଗର ମୁଖ୍ୟ ଡଃ ପ୍ରେମାନନ୍ଦ ପଟ୍ଟନାୟକ କହିଛନ୍ତି ଯେ ପ୍ରତ୍ୟାରୋପଣ ନିୟମାନୁଯାୟୀ ରୋଗୀଙ୍କର କୌଣସି  ପରିଚିତ ବ୍ୟକ୍ତି ଯଦି ତାଙ୍କ ସହିତ ନିବିଡ ସମ୍ପର୍କ ରଖିଥିବ ସେ ରକ୍ତ ସମ୍ପର୍କୀୟ ନ ହେଲେ ମଧ୍ୟ ଲିଭରର କିଛି ଅଂଶ ପ୍ରଦାନ କରିପାରିବ । ତେବେ ତାଙ୍କ ମଧ୍ୟରେ କିଛି ଆର୍ଥିକ କାରବାର ହୋଇଛି କି ନାହିଁ ତାହା କର୍ତୃପକ୍ଷ ପ୍ରଥମେ ପରୀକ୍ଷା କରିବେ । 

ସୋଆ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରଫେସର ସାମନ୍ତସିଂହାର କହିଥିଲେ ଯେ ସମ୍ ହସ୍ପିଟାଲର ଗ୍ୟାଷ୍ଟେ୍ରାଇନ୍ଟେଷ୍ଟାଇନାଲ୍ ସର୍ଜରୀ ବିଭାଗ, କାର୍ଡିଓଲୋଜି, କ୍ରିଟିକାଲ କେୟାର, ଆନେସ୍ଥେସିଆ, ନେଫ୍ରୋଲୋଜି, ନ୍ୟୁରୋଲୋଜି, କାର୍ଡିଓ ଥୋରାସିକ୍ ଆଣ୍ଡ ଭାସ୍କୁଲାର୍ ସର୍ଜରୀ, ହେମାଟୋଲୋଜି ଲ୍ୟାବ୍, ପାଥ ଲ୍ୟାବ୍, ବ୍ଲଡ୍ ବ୍ୟାଙ୍କ, ନର୍ସିଙ୍ଗ, ବାୟୋମେଡିକାଲ୍, ଡାଏଟିକ୍ସ ଏବଂ ସେଂଟ୍ରାଲ୍ ଷ୍ଟେରାଇଲ୍ ଆଣ୍ଡ ସପ୍ଲାଇ ଡିପାର୍ଟମେଂଟ ମଧ୍ୟ ଏହି ପ୍ରତ୍ୟାରୋପଣ ନିମନ୍ତେ ଗଠିତ ଦଳର ଅଂଶ ଥିଲେ । ସମସ୍ତଙ୍କର ଉତ୍ସର୍ଗୀକୃତ ମନୋଭାବ ଓ ସହଯୋଗରେ ଏହି ପ୍ରତ୍ୟାରୋପଣ ସଳ ହୋଇପାରିଲା ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ । 

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଯଶୋଦା ହସ୍ପିଟାଲ୍ ସିନିୟର୍ ଜେନେରାଲ ମ୍ୟାନେଜର ଶ୍ରୀ ସନ୍ତୋଷ କୁମାର ସାହୁ କହିଥିଲେ ଯେ ଯଶୋଦା ହସ୍ପିଟାଲ୍ ଦେଶ ସମେତ ବିଦେଶରେ ମଧ୍ୟ ଅନେକ ସଫଳ ପ୍ରତ୍ୟାରୋପଣ କରିଛନ୍ତି । ଆଗାମୀ ଦିନରେ ସମ୍ ଟିମ୍ ସଫଳତାର ସହ ଅନେକ ପ୍ରତ୍ୟାରୋପଣ କରିବେ ବୋଲି ଆଶା କରାଯାଏ । 

ଏହି ଅବସରରେ ଜୟନ୍ତ ବିଶ୍ୱାଳଙ୍କ ପତ୍ନୀ ଅନୀତା ବିଶ୍ୱାଳ ଭାବବିହ୍ୱଳ ଭାବେ ସୋଆର ପ୍ରତିଷ୍ଠାତା  ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ଭଳି ମଧ୍ୟବିତ ପରିବାରର ଲୋକଙ୍କୁ ଏଭଳି ସାହାଯ୍ୟ କରିଥିବାରୁ ସେ ଏହା ସାରା ଜୀବନ ମନେ ରଖିବେ ବୋଲି କହିଥିଲେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୋଆର ଜଏଂଟ ରେଜିଷ୍ଟ୍ରାର୍ ଶ୍ରୀ ଶଶାଙ୍କ ଶେଖର ମିଶ୍ର, ଯଶୋଦା ହସ୍ପିଟାଲ୍ର ସର୍ଜନ୍ ଡଃ କ୍ରିଷ୍ଣ ଚୈତନ୍ୟ ଏବଂ ଆନେସ୍ଥେସିଷ୍ଟ ଡଃ ଶକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault