ହେଡଲାଇନସ୍:

ଏପଟେ ହକି ପ୍ରସାର ଚାଲିଛି ସେପଟେ ଅଲିମ୍ପିଆନଙ୍କ ଗାଁ କୁ ପକ୍କା ସଡକ ନାହିଁ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆୟୋଜନରେ ସରକାର ସୀମିତ,  ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ ଆନ୍ତରିକତା ନାହିଁ

18-03-18-Village-Road-of-Olympian-1.jpg - 369.47 kB

ରାଉରକେଲା(ସୁଶାନ୍ତ ବେହେରା): ୨ବର୍ଷ ହେବ ରାଜ୍ୟ ସରକାର ଜାତୀୟ ଖେଳ ହକିକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇ ଆସୁଛନ୍ତି । ରାଜ୍ୟ ସରକାର ୨୦୧୫ ପେବୃଆରୀରେ ପ୍ରଥମ ଥର ପାଇଁ ହକି ଇଣ୍ଡିଆ ଲିଗ୍(ଏଚ୍ଆଇଏଲ୍) ଆୟୋଜନ କରିଥିଲେ । ସେହିଭଳି ଏହି ଲିଗ୍ରେ କଳିଙ୍ଗ ଲାନ୍ସର ଦଳ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ କରିଥିଲେ । ପରେ ୨୦୧୬ ଓ ୨୦୧୭ ମଧ୍ୟ କଳିଙ୍ଗ ଷ୍ଟାଡ଼ିୟମରେ ଏଚ୍ଆଇଏଲ୍ର ଆୟୋଜନ କରାଯାଇଥିଲା । ସେହିଭଳି ୨୦୧୫ ମସିହାରେ ଅକ୍ଟୋବରରେ ରାଜ୍ୟ ସରକାର ଏହି ଷ୍ଟାଡ଼ିୟମରେ ଚାମ୍ପିଅନସ୍ ଟ୍ରଫି ହକି ଆୟୋଜନ କରିଥିବା ବେଳେ ୨୦୧୭ ଡିସେମ୍ବରରେ ବିଶ୍ୱ ହକି ଲିଗ୍ ଫାଇନାଲ  ପର୍ଯ୍ୟାୟ ମଧ୍ୟ ଏଠାରେ ସଫଳତାର ସହ ଆୟୋଜିତ ହୋଇଥିଲା । ସେହିଭଳି ଚଳିତବର୍ଷ ଶେଷ ଆଡ଼କୁ ଏଠାରେ ବିଶ୍ୱ କପ୍ ହକିର ଆୟୋଜନ ହେବାକୁ ଥିବା ବେଳେ ରାଜ୍ୟ ସରକାର ୫ବର୍ଷ ପାଇଁ ହକି ଇଣ୍ଡିଆର ପ୍ରାୟୋଜକ ହେବାକୁ ଚୁକ୍ତି କରିଛନ୍ତି । ଏଥିପାଇଁ ସରକାର ପ୍ରତିବର୍ଷ ୨୦କୋଟି ହିସାବରେ ମୋଟ ୧୦୦ କୋଟି ଟଙ୍କା ହକି ଇଣ୍ଡିଆକୁ ଦେବେ । ତେବେ ଆନ୍ତର୍ଜାତୀୟ ହକି ଖେଳାଳି ଭରପୁର ରହିଥିବା ଓଡ଼ିଶାରେ ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାରେ କିନ୍ତୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି । ଏଭଳିକି ଗତ ୨୦୧୬ ମସିହାରେ ଅନୁଷ୍ଠିତ  ରିଓ ଅଲିମ୍ପିକ୍ ରେ  ଭାରତୀୟ ଦଳରେ ସାମିଲ ହୋଇଥିବା କିଛି ହକି ଖେଳାଳି ତଥା ପୂର୍ବରୁ ମଧ୍ୟ ଅଲିମ୍ପିକ୍ ଖେଳିଥିବା ବହୁ ହକି ଖେଳାଳିଙ୍କ ଗ୍ରାମକୁ ରାସ୍ତାଟିଏ ମଧ୍ୟ ନାହିଁ । ସେହିଭଳି ସରକାରୀ ନିୟମାନୁଯାୟୀ ଏହି ଆନ୍ତର୍ଜାତୀୟ ଓ ଜାତୀୟ ଖେଳାଳିଙ୍କୁ ଯେତିକି ପ୍ରୋତ୍ସାହନ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ମିଳି ନଥିବା ଅଭିଯୋଗ ସମ୍ନାକୁ ଆସିଛି ।18-03-18-Village-Road-of-Olympian-3.jpg - 285.20 kB

ସୂଚନାଯୋଗ୍ୟ ଅଲିମ୍ପିକ୍ ରେ  ଭାରତୀୟ ହକି ଦଳରୁ ପ୍ରତିନିଧିତ୍ୱ କରିଥିବା ଜନୈକ ଖେଳାଳି ଯାହାଙ୍କ ଘର ରାଜଗାଙ୍ଗପୁର ବିହାବନ୍ଧ ପଞ୍ଚାୟତ ତାନାଟୋଲି ଗ୍ରାମରେ । ସେହିଭଳି ଅନ୍ୟଜଣେ ଅଲିମ୍ପିଆନ୍ ଙ୍କ  ଗ୍ରାମ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲୁଡ଼ୁକିଡିହି ଗ୍ରାମରେ । ଏହି ଦୁଇଜଣଙ୍କ ଗ୍ରାମକୁ ଯିବାପାଇଁ ରାସ୍ତା ନାହିଁ । ଅଙ୍କାବଙ୍କା କଚା ରାସ୍ତା ରହିଥିବା ବେଳେ ରାସ୍ତା ଖାଲଖମାରେ ଭର୍ତ୍ତି । ଏ ନେଇ ଏମାନେ ଜିଲ୍ଲାପାଳଙ୍କ ନିକଟରେ ଅନେକ ଥର ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଜିଲ୍ଲାର କ୍ରୀଡ଼ା ଅଧିକାରୀଙ୍କ ଭାଣିଜି ହେଉଛନ୍ତି ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ ଜଣେ । ମାତ୍ର ଏମାନଙ୍କ ପ୍ରତି ସରକାରଙ୍କ ତଥା ପ୍ରଶାସନ କେତେ ତତ୍ପର  ସେମାନଙ୍କ ଗାଁକୁ ଗଲେ ସହଜେ ଜଣାପଡ଼ିବ । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ୧୨ବର୍ଷ ତଳେ ହକି ଖେଳର ପ୍ରସାର ପାଇଁ ରାଜ୍ୟ ସରକାର ପ୍ରତିଷ୍ଠା  କରିଥିଲେ କ୍ରୀଡ଼ା ଛାତ୍ରାବାସ । ଏଠାରେ ଏବେ ୪୫ଜଣ ପୁରୁଷ ହକି ଖେଳାଳି ରହୁଛନ୍ତି । ମାତ୍ର ଏମାନଙ୍କ ପାଇଁ ଟର୍ଫ ତ ଦୂରର କଥା ଅଭ୍ୟାସ ପାଇଁ ପଡ଼ିଆଟିଏ ବି ନାହିଁ । ସେହିଭଳି ପାନ୍ପୋଷରେ ରହିଥିବା କ୍ରୀଡ଼ା ଛାତ୍ରାବାସରେ ଏବେ ୧୪୦ଜଣ ହକି ଖେଳାଳି ପ୍ରଶିକ୍ଷଣ ନେଉଛନ୍ତି । ଏହି ଦୁଇଟି ହଷ୍ଟେଲର ବହୁ ଜୁନିୟର, ସବ୍ଜୁନିୟର ଖେଳାଳି ରାଜ୍ୟ ଦଳ ପାଇଁ ଖେଳିବାର ଗୌରବ ଅର୍ଜନ କରିଛନ୍ତି । କେବଳ ସେତିକି ନୁହେଁ ଜାତୀୟ ପ୍ରତିଯୋଗିତାରେ ରାଜ୍ୟକୁ ବହୁବାର ଚାମ୍ପିଅନ୍ ମଧ୍ୟ କରିଛନ୍ତି । ମାତ୍ର ଏମାନଙ୍କ ପାଇଁ ଜଣେ ହେଲେ ବି ଫିଜିଓ ନିଯୁକ୍ତ ହୋଇ ନାହାନ୍ତି । ଯାହାଫଳରେ ଏମାନଙ୍କ ଫିଟ୍ନେସ୍ ସବୁ ସମୟରେ ଠିକ୍ ରହୁ ନାହିଁ । ଏଭଳିକି ପ୍ରଶିକ୍ଷାର୍ଥୀଙ୍କୁ ମଧ୍ୟ ଉଚ୍ଚ ମାନର ଖାଦ୍ୟ ମିଳୁ ନଥିବା ଅନେକ ସମୟରେ ଅଭିଯୋଗ ହୋଇଛି । ଏଭଳି ସ୍ଥଳେ ରାଜ୍ୟ ସରକାର ଆନ୍ତର୍ଜାତୀୟ ହକି ଆୟୋଜନ କରିବା ଓ ହକି ଇଣ୍ଡିଆ ପ୍ରାୟୋଜକ ହୋଇ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା କେତେ ଯଥାର୍ଥ ସେ ନେଇ ବହୁ କ୍ରୀଡ଼ା ସମୀକ୍ଷକ ପ୍ରଶ୍ନ କରିଛନ୍ତି । ଓଡ଼ିଶାରେ ହକି ଭିତ୍ତି ଭୂମି ଯେତିକି ତାହାର ୧୦ଗୁଣରୁ ଅଧିକ ଅର୍ଥ ରାଜ୍ୟ ସରକାର ହକି ଇଣ୍ଡିଆ ଖେଳାଳିଙ୍କ ଜର୍ସରେ ‘ଓଡ଼ିଶା’ ଲେଖିବାରେ ଖର୍ଚ୍ଚ କରିଛନ୍ତି ବୋଲି ଏମାନେ ମତ ଦେଇଛନ୍ତି । ଭଲ  କୋଚଙ୍କର  ମଧ୍ୟ ଏହି ସବୁ ହଷ୍ଟେଲମାନଙ୍କରେ ଯଥେଷ୍ଟ ଅଭାବ ରହିଛି । ଏ ସମ୍ପର୍କରେ ପାନପୋଷ କ୍ରୀଡ଼ା ସଂଗଠନର ମହିଳା ହକି ତାରକା ରଶ୍ମିତା କୁଲୁ କହିଛନ୍ତି ଯେ ଓଡ଼ିଶା ୨୦୧୮ ବିଶ୍ୱକପ୍ ଆୟୋଜନ କରୁଛି ଓ ଆସନ୍ତା ୫ବର୍ଷ ପାଇଁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଏହା ଦ୍ୱାରା ଓଡ଼ିଶା ହକି ଖେଳାଳିଙ୍କ କୌଣସି ବିକାଶ ହେବ ନାହିଁ । ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ହକି ଖେଳ ମାତ୍ର ୧୩ଟି ଜିଲ୍ଲାରେ ସୀମିତ ରହିଥିବା ବେଳେ ଏବେବି ରାଜ୍ୟର ସିନିୟର ହକି ପ୍ରତିଯୋଗିତା ଘାଷ ପଡ଼ିଆରେ ଖେଳା ଯାଉଛି । ଏ ସବୁର ପରିବର୍ତ୍ତନ ହେବା ଦରକାର । ଯେଉଁ କ୍ରୀଡ଼ା ସଂଗଠନମାନେ ହକିକୁ ନେଇ ରାଜ୍ୟ ଓ ଜାତୀୟ ଖେଳ ଆୟୋଜନ କରୁଛନ୍ତି ସେମନାଙ୍କୁ ସରକାରୀ ସହାୟତା ସହ ସମ୍ପୂର୍ଣ୍ଣ ସହଯୋଗ କରିବା ଆବଶ୍ୟକ । ସୁନ୍ଦରଗଡ଼ ଏକ କ୍ରୀଡ଼ା ଜିଲ୍ଲା ସହିତ ହକିର ଏନ୍ତୁଡ଼ିଶାଳ । ଜିଲ୍ଲାରେ ଏବେ ବି ଅନେକ ଅଲିମ୍ପିଆନଙ୍କ ଗାଁକୁ ରାସ୍ତା ନାହିଁ । ଜିଲ୍ଲାରେ ଅଛି ୧୨ବର୍ଷର କ୍ରୀଡ଼ା ଛାତ୍ରାବାସ । ହକି ଖେଳାଳିଙ୍କ ପାଇଁ ଟର୍ଫ ତ ଦୂରର କଥା, ପଡ଼ିଆଟିଏ ବି ନାହିଁ । ସରକାର ଏସବୁ ପ୍ରତି ଦୃଷ୍ଟି ଦେବା ସହ ହକି ଖେଳାଳିଙ୍କୁ ଯଥେଷ୍ଟ ସମ୍ମାନ ଦେବା ଉଚିତ । ତାହାଲେ ଯାଇ ହକି ବିଶ୍ୱକପ୍ ଆୟୋଜନ ଓ ହକି ଇଣ୍ଡିଆର ପ୍ରାୟୋଜକ ହେବାର ଗୌରବ ହକି ଖେଳାଳିଙ୍କୁ ଏକ ନୂଆ ଦିଗଦର୍ଶନ  ଦେବ ।

 

0
0
0
s2sdefault