ହେଡଲାଇନସ୍:

ନବୀନ ବାବୁ : ଇଏ କି ଆଦିବାସୀ ମଙ୍ଗଳ ଚାଲିଛି !!!! ମୟୁରଭଂଜ ଜିଲ୍ଲାରେ ଆଶ୍ରମ ଓ ସେବାଶ୍ରମରେ ଅଚଳାବସ୍ଥା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 

ବିବାଦରେ ଜିଲ୍ଲା ମଙ୍ଗଳ ଅଧିକାରୀ, ପାଚେରୀ ଡେ଼ଇଁଲେ ୨ ଶହ ଛାତ୍ରୀ 

୧୦ କିମି ଚାଲଚାଲି ଉପଜିଲ୍ଲାପାଳଙ୍କ ନିକଟରେ ପ୍ରଧାନ ଶିକ୍ଷୟତ୍ରୀ ଓ ଅତିରିକ୍ତ ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଫେରାଦ ଜଣାଇଲେ 

ବାରିପଦା/ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା ଦିନକୁ ଦିନ ବିବାଦୀୟ ହୋଇପଡ଼ିଛନ୍ତି । ଏହା ଅନ୍ୟ କୌଣସି ବିଷୟକୁ ନେଇ ନୁହେଁ, ତାଙ୍କ ଅଧୀନରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗକୁ କେନ୍ଦ୍ର କରି । ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀବେହେରା ଜିଲ୍ଲାପାଳଙ୍କ ପାଖ ଲୋକ ଭାବେ ଜନସାଧାରଣଙ୍କ ଚର୍ଚ୍ଚା ପରିସରରେ ରହିଆସିଥିବା ବେଳେ ତାଙ୍କ ଅଧୀନରେ ରହିଥିବା ଆଶ୍ରମ, ସେବାଶ୍ରମ ଆଦି ବିଦ୍ୟାଳୟଗୁଡ଼ିକରେ ଅଚଳାବସ୍ଥା ଦେଖା ଦେଇଛି । ବିଭାଗୀୟ ପଦାଧିକାରୀ ଓ ଅଧିକାରୀମାନେ ବିଦ୍ୟାଳୟର ପରିଦର୍ଶନରେ ଯାଇ  ଶିକ୍ଷା ଓ ପରିଚାଳନା ବ୍ୟବସ୍ଥା ତଦାରଖ କରିବାର ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରିବାରେ ଅସଫଳ ହେଉଥିବାରୁ ଜିଲ୍ଲାରେ ଗୋଟାକ ପରେ ଗୋଟାଏ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ର ସେମାନଙ୍କର ସମସ୍ୟା ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ଆଦିଙ୍କର ଦୃଷ୍ଟି ଆକର୍ଷଣ କରାଇବା ନିମନ୍ତେ ନିଜ ଜୀବନକୁ ପାଣି ଛଡ଼ାଇ ଛାତ୍ରୀ ଓ ଛାତ୍ରାବାସରୁ ପଦାକୁ ଗୋଡ଼ କାଢ଼ି ବାହାରି ଆସିବାକୁ ବାଧ୍ୟ ହେଉଛନ୍ତି । ଏହିଭଳି ଏକ ଅଭାବନୀୟ ଘଟଣା ପରିଲକ୍ଷିତ ହୋଇଛି ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଦ୍ୱାରା ପରିଚାଳିତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅଧୀନରେ ରହିଥିବା ତାଟୋସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ । ଅଭିଯୋଗ ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପରେଣୁ ହରିଚନ୍ଦନ ଉକ୍ତ ବିଦ୍ୟାଳୟରେ ବହୁ ବର୍ଷ ଧରି କାର୍ଯ୍ୟକରି ଆସୁଥିଲେ ଏବଂ ତାଙ୍କ ବିରୋଧରେ ଛାତ୍ରୀ ଓ ଛାତ୍ରୀ ଅବିଭାବକମାନେ ଉପରିସ୍ଥ  ଅଧିକାରୀମାନଙ୍କ ନିକଟରେ ବହୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ସରକାରଙ୍କ ବଦଳି ଆଇନ ତାଙ୍କ କ୍ଷେତ୍ରର ଫାଇଲରେ ବନ୍ଧାଡ଼ିଛି । ଫଳରେ ସେ ଅଧିକ ସ୍ୱେଚ୍ଛାଚାରୀ ହୋଇ ଉଠିଛନ୍ତି । ଛାତ୍ରୀନିବାସରେ ରହୁଥିବା ଅନ୍ତେବାସିନୀମାନଙ୍କୁ ଦରସିଝା ତଥା ଅରୁଚିକର ଖାଦ୍ୟ ପ୍ରଦାନ, ଛାତ୍ରୀମାନେ ପଢ଼ୁଥିବା ସମୟରେ ସେମାନଙ୍କୁ ସଫେଇ କାର୍ଯ୍ୟ କରାଇବା, ଆଦିବାସୀ ବୋଲି କହି ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ଛାତ୍ରୀମାନଙ୍କର ଭଲମନ୍ଦ ବୁଝାସୁଝା କରୁଥିବା ଇଂରାଜୀ ଶିକ୍ଷୟତ୍ରୀ ମଞ୍ଜୁଲତା ଦାସ ଓ ମେଟ୍ରୋନ କୁସୁମତୀ ନାଏକଙ୍କୁ ବିନା କାରଣରେ ଅନ୍ୟତ୍ର ବଦଳି  କରାଇବା ସହିତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ସେମାନଙ୍କ ନାମରେ ମିଥ୍ୟା ଆରୋପ ଲଗାଇବା, ରାତ୍ର ଜଗୁଆଳି ଓ ବିଦ୍ୟାଳୟର ପିଅନ ନିଶାସକ୍ତ ଅବସ୍ଥାରେ  ରହିବା, ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ନ ଥାଇ କେତେକ ନିଶାସକ୍ତ ବ୍ୟକ୍ତିଙ୍କ ବିଦ୍ୟାଳୟକୁ ଅବାଧ ପ୍ରବେଶ କରିବା ଫଳରେ ଅନ୍ତେବାସିନୀମାନଙ୍କ ନିରାପତ୍ତା ବିପନ୍ନର ସମ୍ଭାବନା ଆଦି ବହୁ ସଙ୍ଗୀନ ଅଭିଯୋଗ ଧରି ପ୍ରାୟ ୨ ଶହରୁ ଅଧିକ ଛାତ୍ରୀମାନେ ଗତ ୧୬ରେ ଥିବା ବାର୍ଷିକ ପରୀକ୍ଷାର ବିଷୟ ଶେଷ ହେବା ପରେ ବିଦ୍ୟାଳୟର ପାଚେରୀ ଡେ଼ଇଁ ପ୍ରାୟ ୧୦ କିଲୋମିଟରରୁ ଅଧିକ ଚାଲିଚାଲି ଆସି ଉପଜିଲାପାଳ ଶରତ କୁମାର ପୁରୋହିତଙ୍କ କାର୍ଯାଳୟରେ ପହଁଞ୍ଚି ପ୍ରଧାନ ଶିକ୍ଷୟତ୍ରୀ ପୁଷ୍ପରେଣୁ ହରିଚନ୍ଦନ ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ବାଢ଼ିଥିଲେ । ଉପଜିଲାପାଳ ଶ୍ରୀପୁରୋହିତ ୭ ଦିନ ମଧ୍ୟରେ ଛାତ୍ରୀମାନଙ୍କ ଅଭିଯୋଗ ଉପରେ ତଦନ୍ତ କରାଇ ବିହିତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବାର ନିର୍ଭର ପ୍ରତିଶ୍ରୁତି ଦେଇ ସେମାନଙ୍କୁ ବସ ଯୋଗେ ବିଦ୍ୟାଳୟକୁ ପଠାଇ ଦେଇଥିଲେ । ଏହି ସମୟରେ କରଞ୍ଜିଆ ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ମଧ୍ୟ ସଦଳବଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିଥିଲେ ।

 

0
0
0
s2sdefault