ହେଡଲାଇନସ୍:

ଜିଲ୍ଲାପାଳ ଅଫିସକୁ ଧସେଇ ପଶିଲେ ଆନ୍ଦୋଳନକାରୀ: ଚଟାଣରେ ଅଢେଇ ଘଣ୍ଟା ଧାରଣାରେ ବସିଲେ ସାଂସଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖରିଫ ବକେୟା ଧାନ ସଂଗ୍ରହ ଆନ୍ଦୋଳନ  ତେଜିଲା, ୬୭୫ ଟୋକନରେ ସଂଗ୍ରହ ହେବ ୨୮୭୧୨ କ୍ୱିଣ୍ଟାଲ ଧାନ

ନୂଆପଡ଼ା,(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାରେ ଖରିଫ ଋତୁ ବେକୟା ଧାନ ସଂଗ୍ରହ ଆନ୍ଦୋଳନ  ତେଜିବାରେ ଲାଗିଛି । ମଧ୍ୟାହ୍ନରେ ଶତାଧିକ ବିଜେପି ନେତା, କର୍ମୀ ଓ ଚାଷୀ ମାନେ ପୁଲିସ କର୍ଡନ ଭେଦ କରି ମୁଖ୍ୟ ଗେଟ ଭାଙ୍ଗି ଜିଲ୍ଲାପାଳ ଅଫିସ ଭିତରକୁ ଧସେଇ ପଶିଥିଲେ । ଜିଲ୍ଲାପାଳ ଅଫିସ ଭିତରେ କଲାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡା, ବିଜେପି ନେତା ଓ ଚାଷୀ ମାନେ ଅଢେଇ ଘଣ୍ଟା ଧରି ଚଟାଣାରେ ବସି ଧାରଣା ଦେଇଥିଲେ ।  ଜିଲ୍ଲାପାଳ ମଧୁସ୍ମିତା ସାହୁ ଜିଲ୍ଲାରେ ୬୭୫ ଟି ଟୋକନ ମାଧ୍ୟମରେ ବକେୟା ୨୮,୭୧୨.୯୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ପ୍ରତିଶୃତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହତ ହୋଇଥିଲା । 

 ଚଳିତ ବର୍ଷ କେଏମଏସରେ ୨୩,୫୮୧ ଜଣ ଚାଷୀ ଖରିପ ଧାନ ବିକ୍ରି ପାଇଁ ପଂଜିକୃତ କରିଥିଲେ । ଜିଲ୍ଲାର ୫ଟି ବ୍ଲକରେ ୬୯ ମଣ୍ଡି ଜରିଆରେ ୧୩ ଲକ୍ଷ ୫୨ ହଜାର ୯୪୧.୧୮ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷଧାର୍ଯ୍ୟ ହୋଇଥିଲା । ଗତ ନଭେମ୍ବର ୧୯ ତାରିଖ ଠାରୁ ଜିଲ୍ଲା ପ୍ରଶାସନ ତରଫରୁ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା । ଚଳିତ ଋତୁରେ ଜିଲ୍ଲାର ୨୬ ପେକ୍ସର ୫୬ଟି ମଣ୍ଡି ଜରିଆରେ ୨୦ ହଜାର ୬୮୧ ଜଣ ଚାଷୀଙ୍କ ଠାରୁ ୧୦ ଲକ୍ଷ ୮୭ ହଜାର ୨୯୮.୨୩ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଥିଲା । ସେହିପରି ମହିଳା ସ୍ୱଂୟ ସହାୟକ  ଗୋଷ୍ଠୀ ଜରିଆରେ ୧୩ଟି ମଣ୍ଡିରେ ୨୫୪୯ ଜଣ ଚାଷୀଙ୍କ ଠାରୁ ୧ ଲକ୍ଷ ୩୩ ହଜାର ୩୩୧.୯୯ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଜିଲ୍ଲାରେ ସର୍ବମୋଟ ୬୯ ମଣ୍ଡିରେ ୨୩,୨୩୦ ଜଣ ଚାଷୀଙ୍କ ଠାରୁ ୧୨ ଲକ୍ଷ ୨୦ ହଜାର ୬୩୦.୨୨ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇଛି । ଗତ ୧୩ ତାରିଖ ମଧ୍ୟରାତିରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଧାନ ସଂଗ୍ରହ ବନ୍ଦ କରି ଦେଇଛନ୍ତି । ଏବେ ଲକ୍ଷଧାର୍ଯ୍ୟ ଠାରୁ ୧ ଲକ୍ଷ ୩୨ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ ହେବାକୁ ବାକି ରହିଛି । ଅନ୍ୟପକ୍ଷେ ଜିଲ୍ଲାର ୫ଟି ବ୍ଲକର ୧୧ଟି ପେକ୍ସ ଅଧିନ ୧୮ଟି ମଣ୍ଡିରେ ୪୯୬ ଜଣ ଚାଷୀଙ୍କ ୫୭ ହଜାର ୪୫୫ ବସ୍ତା ଧାନ ପଡି ରହିଛି । ଚାଷୀ ବକେୟା ଧାନ ବିକ୍ରି କରିବା ପାଇଁ ଚିନ୍ତାରେ ପଡି ଯାଇଛନ୍ତି । ଜିଲ୍ଲାପାଳ ଅଫିସ ସମ୍ମୁଖରେ କଲାହାଣ୍ଡି ସାଂସଦ ଶ୍ରୀ ପଣ୍ଡାଙ୍କ ଆହ୍ୱାନ କ୍ରମେ ଶତାଧିକ ବିଜେପି ନେତା, କର୍ମୀ ଓ ଚାଷୀ ମାନେ ଏକତ୍ରିତ ହୋଇଥିଲେ । ସେଠାରେ ପ୍ରତିବାଦ ସଭା ଆୟୋଜନ କରି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଚାଷୀ ମାରଣ ନୀତି ଉପରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।  ବିଜେପି ନେତା ଓ ଚାଷୀ ମାନେ ଉତ୍ୟକ୍ତ ହୋଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜାତୀୟ ରାଜପଥ ୩୫୩୫କୁ ଅବରୋଧ କରିଥିଲେ । ବିଜେପି ନେତା ମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ନାରାବାଜି କରି ବିଷୋଦଗାର କରିଥିଲେ । ଆନ୍ଦୋଳନ ଉତ୍ୟକ୍ତ ହୋଇ ପୁଲିସ ସହ ଠେଲାପେଲା ହୋଇଥିଲା ।

ଶେଷରେ ଆନ୍ଦୋଳନକାରୀ ମାନେ ପୁଲିସ କର୍ଡନକୁ ଭେଦ କରି ଜିଲ୍ଲାପାଳ ଅଫିସ ମୁଖ୍ୟଗେଟକୁ ଭାଙ୍ଗି ଅଫିସ ଭିତରକୁ ଧସେଇ ପଶିଥିଲେ । ଜିଲ୍ଲାପାଳ ଅଫିସ ଭିତରେ ଚଟାଣ ଉପରେ ଆନ୍ଦୋଳନକାରୀ ଧାରଣାରେ ବସିଥିଲେ । ଏମିତି କି କଲାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ଅଢେଇ ଘଣ୍ଟା ଧରି ଚଟାଣ ଉପରେ ତଳେ ଧାରଣାରେ ବସିଥିଲେ । ଜିଲ୍ଲାରେ ଟାର୍ଗେଟରୁ ୧ ଲକ୍ଷ ୩୨ ହଜାର କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ବାକି ରହିଛି । ଏବେ ଜିଲ୍ଲାରେ ମଣ୍ଡି ଖୋଳି ଟାର୍ଗେଟର ବକେୟା ଧାନ ସଂଗ୍ରହ କରିବାକୁ ଦାବୀ କରିଥିଲେ । ଏଥିରେ ଟୋକନ ଧାରୀ, ବିନା ଟୋକନ ସମସ୍ତ ଚାଷୀଙ୍କ ଧାନ ସଂଗ୍ରହ କରିବାକୁ ଜୋର ଦେଇଥିଲେ । ଜିଲ୍ଲାପାଳ ମଧୁସ୍ମିତା ସାହୁ, ଏଡିଏମ ସୀତାରାମ ପଟେଲ ଆସି ଉତ୍ୟକ୍ତ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ଚାଷୀଙ୍କ ଘରେ ରଖିଥିବା ଧାନ ଓ ମଣ୍ଡିରେ ପଡି ରହିଥିବା ସମସ୍ତ ଧାନକୁ ସଂଗ୍ରହ କରିବା ପାଇଁ ଲିଖିତ ପ୍ରତିଶୃତି ନଦେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ରୋକଠୋକ  କହିଥିଲେ । ସେହିପରି ମଣ୍ଡିରେ ଚାଷୀଙ୍କ ସମସ୍ୟା ଏବଂ ଯୋଗାଣ, ପେକ୍ସ ଓ ମିଲର୍ସଙ୍କ ସଲାସୁତୁରା  ଉପରେ ସାଂସଦ ଆକ୍ଷେପ କରି ଜିଲ୍ଲା ପ୍ରଶାସନକୁ ଟାର୍ଗେଟ  କରିଥିଲେ । ସ୍ଥିତି ଅଣାୟତ୍ତ  ହେବାରୁ ଏସପି ବିନିତ ଅଗ୍ରୱାଲ, ଏସଡିପିଓ ପ୍ରଶାନ୍ତ ପଟ୍ଟାନାୟକ ଜିଲ୍ଲାପାଳ ଅଫିସରେ ପହଂଚି  ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିଥିଲେ । ଜିଲ୍ଲାରେ ୬୭୫ ଟୋକନରେ ୨୮,୭୧୨.୯୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲିଖିତ ଦେଇଥିଲେ ।  ଲିଖିତ ପ୍ରତିଶୃତି ପାଇ ବିଜେପି ନେତା ଓ ଚାଷୀ ଆନେ୍ଦାଳନରୁ ଓହରି ଯାଇଥିଲେ । ବିଜେପି ରାଜ୍ୟ ଉପ ସଭାପତି ପ୍ରଶନ୍ନ ପାଢ଼ୀ, ଜିଲ୍ଲା ସଦସ୍ୟତା ଅଭିଜାନ ଆବାହକ ଇଂ ହୋମସିଂ ମାଝି, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶୁସାନ୍ତ ପତି, ଗୋଲ୍ଡି ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଚତୁଭୁର୍ଜ ଶର୍ମା, ମନିଜର ଆର୍ଯ୍ୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦିଲିପ ନିର୍ମଲକର, ସାଧାରଣ ସମ୍ପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ଅଭିନନ୍ଦନ ପଣ୍ଡା, କମଲେଶ ଦିକ୍ଷୀତ, ରାମକୁମାର ସାହୁ ପ୍ରମୁଖଙ୍କ ସମେତ ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ ।  

0
0
0
s2sdefault