ହେଡଲାଇନସ୍:

ସରିଲା ୧୯ଟି ଖଣି ନିଲାମ୍: ଆଶଙ୍କିତ ଆଉ ଆତଙ୍କିତ ଖଣି ଶ୍ରମିକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନୂଆ କମ୍ପାନୀଗୁଡ଼ିକ ଖଣି ହାତେଇବା ପରେ ପୁନଃ ନିଯୁକ୍ତି ନେଇ ଭୟଭୀତ ଅବସ୍ଥାରେ ଖଣି ଶ୍ରମିକ। 

ଦାନା ବାନ୍ଧୁଛି ଆନ୍ଦୋଳନ, ପୁନଃ ନିଯୁକ୍ତି ଦାବିରେ ରାଲି ଓ ବିକ୍ଷୋଭ।

ବଡ଼ବିଲ (ଶାସକ ପ୍ରଶାସକ): ଆସନ୍ତା ୨୦୨୦ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ୨୪ଟି ଖଣିର ଲିଜ ଅବଧି ଶେଷ ହେବାକୁ ଯାଉଛି। ନୂତନ ଏମ୍ ଏମ୍ ଡି ଆର୍ ଆକ୍ଟ ଅନୁଯାୟୀ, ସରକାର ଇତି ମଧ୍ୟରେ ୧୯ଟି ଖଣିର ନିଲାମୀ ପ୍ରକ୍ରିୟା ଶେଷ କରିଛନ୍ତି। ତେବେ ୩ଟି ଖଣିକୁ ଛାଡ଼ିଦେଲେ ବାକି ୧୬ଟି ଖଣିକୁ ନୂଆ କମ୍ପାନୀ ଗୁଡ଼ିକ ହାତେଇବାରେ ସକ୍ଷମ ହୋଇଛନ୍ତି। ସେପଟେ ପୁରୁଣା ଖଣି ଖଣି କମ୍ପାନୀ ଗୁଡ଼ିକ ଶ୍ରମିକ ଛଟେଇ ପାଇଁ ନୋଟିସ ଜାରି କରିସାରିଛନ୍ତି। ବର୍ତମାନ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ କିଛି ସ୍ପଷ୍ଟ ନୀତି ନ ଥିବାରୁ ସେ ନେଇ ଆଶା ଆଉ ଆଶଙ୍କା ଲାଗି ରହିଛି। ନିଜର ଜୀବନ ଆଉ ଜୀବୀକା ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଏସବୁ ଖଣି ଶ୍ରମିକ। ଶ୍ରମିକ ମହଲରେ ଦାନା ବାନ୍ଧୁଛି ଆନ୍ଦୋଳନ। ପୁନଃ ନିଯୁକ୍ତି ଦାବିରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଖଣି ଅଂଚଳ ଯୋଡ଼ା-ବଡ଼ବିଲରେ ପାଖା ପାଖି ୩୦ ହଜାର ଶ୍ରମିକ, ଏସବୁ ଖଣିରେ କାମ କରୁଛନ୍ତି। ଛଟେଇ ନୋଟିସ୍ ଜାରି ହେବା ପରେ କାର୍ଯ୍ୟରତ ଖଣି ଶ୍ରମିକ ଏବେ ଆଶା ଆଉ ଆଶଙ୍କା ଭିତରେ ଗତି କରୁଛନ୍ତି। ନୂଆ ଖଣି ଲିଜଧାରୀ ପୁରୁଣା ଶ୍ରମିକଙ୍କୁ ନିଜ ଖଣିରେ ନିଯୁକ୍ତି ଦେବେ କି ନା ସେ ନେଇ ଅନିଶ୍ଚିତତା ଲାଗି ରହିଛି । ନୂଆ ଖଣି ନୀତିରେ ପୁରୁଣା ଶ୍ରମିକଙ୍କୁ ନିଯୁକ୍ତି ଦିଆଯିବା ନେଇ କିଛି ସ୍ପଷ୍ଟ ନ ଥିବାରୁ ନିଜର ଜୀବନ ଆଉ ଜୀବୀକା ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ଏସବୁ ଖଣି ଶ୍ରମିକ। ନୂଆ କମ୍ପାନୀରେ ଚାକିରୀ ମିଳିବ କି ନା ଜଣା ନାହିଁ। ନିଜ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ଓ ଭୟଭୀତ ଅବସ୍ଥାରେ ଦିନ ଗଣୁଛନ୍ତି ଏମାନେ। ରୋଜଗାର ଚାଲିଗଲେ ପରିବାର ପ୍ରତିପୋଷଣ କରିବେ କିପରି ? ନିଜ ପିଲାଙ୍କୁ ପାଠ ପଢ଼ାଇ ପାରିବେତ ? ଦିନକୁ ଦି ମୁଠା ଖାଇବାକୁ ପାଇବେତ ? ଏମିତି ଅନେକ ପ୍ରଶ୍ନ ସେମାନଙ୍କ ଭିତରେ ଉଙ୍କି ମାରୁଛି। 

ଆଦିବାସୀ ଅଧ୍ୟୁଷିତ ଯୋଡ଼ା-ବଡ଼ବିଲ ଓ କୋଇଡ଼ା ଅଂଚଳର ଅଧିବାସୀ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ମୁଖ୍ୟତଃ ଖଣି ଉପରେହିଁ ନିର୍ଭର କରିଥାଆନ୍ତି। ବର୍ଷବର୍ଷ ଧରି ଖଣିରେ ଖଣିରେ ମୂଲ ଲାଗି ନିଜ ପରିବାରର ଭବିଷ୍ୟତ କାମନା କରୁଥିବା ଶ୍ରମିକଙ୍କୁ ବେକାର ହୋଇଯିବାର ଭୟ ଘାରିଛି। ଏଭଳି ଅନିଶ୍ଚିତତା ଫଳରେ ଶ୍ରମିକ ମହଲରେ ଆନ୍ଦୋଳନର ଦାନା ବାନ୍ଧୁଛି। ପୁନଃ ନିଯୁକ୍ତି ଦାବିରେ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ସମସ୍ତ କାର୍ଯ୍ୟରତ ଶ୍ରମିକଙ୍କୁ ନୂତନ ଖଣି କମ୍ପାନୀ ମାନଙ୍କରେ ପୁନଃ ନିଯୁକ୍ତି ଦେବା ପାଇଁ ସରକାର ବିଧିବଦ୍ଧ ଭାବେ ନିର୍ଦ୍ଦେଶନାମା ଜାରି କରିବାକୁ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଶ୍ରମିକ ସଂଗଠନ ସିଆଇଟିୟୁ ଅନୁବନ୍ଧିତ କେନ୍ଦୁଝର ମାଇନିଂ ୱାର୍କର୍ସ ୟୁନିଅନ ପକ୍ଷରୁ ବଡ଼ବିଲ ଠାରେ ବିରାଟ ରାଲି ଓ ବିଯୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକ ନେତା ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବଡ଼ବିଲ ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ତହସିଲଦାରଙ୍କ ଜରିଆରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

0
0
0
s2sdefault