ହେଡଲାଇନସ୍:

ନବୀନଙ୍କ କୋର୍ଟକୁ ବଲଟିଏ ଗଡେଇଦେଲେ ଡିପି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ପ୍ରସଙ୍ଗ ସଂଖ୍ୟାଲଘୁ : ନବୀନ ଓ ନକଭିଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର 

• ଭଦ୍ରକରେ ମେଡିକାଲ କଲେଜ୍ ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ 

• ଭୁବନେଶ୍ୱରେ ସଂଖ୍ୟାଲଘୁ ଛାତ୍ରୀ ମାନଙ୍କ ପାଇଁ ଛାତ୍ରାବାସ ପ୍ରତିଷ୍ଠା  କରିବାକୁ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କୁ ଅନୁରୋଧ 

ଭୁବନେଶ୍ୱର(ଶାସକ ପ୍ରଶାସକ): କିଛି ଦିନତଳେ କେତେକ ସଂଖ୍ୟାଲଘୁ ଧର୍ମାନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ଅନୁଦାନ ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ସଂଖ୍ୟାଲଘୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନାରେ ସୁଅ ଛୁଟିଥିବା ବେଳେ  ଆଜି ସେଇ ସଂଖ୍ୟାଲଘୁଙ୍କ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ ବଲଟିଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋର୍ଟକୁ ବଲଟିଏ ଗଡ଼େଇ ଦେଇଛନ୍ତି ଡିପି ଓରଫ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କୁ ପୃଥକ ପୃଥକ ପତ୍ର ଲେଖି ପରାମର୍ଶ ଓ ଅନୁରୋଧ ରଖିଛନ୍ତି | ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଲେଖିଥିବା ଚିଠିକୁ ରାଜନୈତିକ ଦୃଷ୍ଟିରୁ ଦେଖିଲେ ରାଜନୀତିର ଚେସ ବୋର୍ଡରେ ନବୀନଙ୍କ ଚାଲ ଫିଙ୍ଗାପରେ ଧର୍ମେନ୍ଦ୍ରଙ୍କ ଚାଲ ଫିଙ୍ଗା ବୋଲି ଅନୁମିତ ହୋଇପାରେ | ହେଲେ ଆବଶ୍ୟକତା ଦୃଷ୍ଟିରୁ ଦେଖିଲେ ଧର୍ମେନ୍ଦ୍ରଙ୍କ ପ୍ରସ୍ତାବ ଗୁରୁତ୍ୱପୂର୍ଣ ବୋଲି କୁହାଯାଇପାରେ |  

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ଭଦ୍ରକରେ ଏକ ମେଡିକାଲ କଲେଜ୍ ପ୍ରତିଷ୍ଠା  ପାଇଁ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ପ୍ରସ୍ତାବ ଦେବାକୁ ଅନୁରୋଧ କରିଛନ୍ତି । ସେହିପରି ଅନ୍ୟ ଏକ ପୃଥକ ପତ୍ରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ନକଭିଙ୍କୁ ଭୁବନେଶ୍ୱରରେ ସ୍କୁଲ କିମ୍ବା କଲେଜରେ ପାଠ ପଢୁଥିବା ସଂଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଏକ ଛାତ୍ରାବାସ ନିର୍ମାଣ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବର୍ତମାନ ପର୍ଯ୍ୟନ୍ତ ଓଡିଶାର ଭଦ୍ରକ ଜିଲ୍ଲାରେ କୌଣସି ଆଂଚଳିକ ମେଡିକାଲର ସୁବିଧା ନାହିଁ । ଏହି ଜିଲ୍ଲାରେ ମେଡିକାଲ କଲେଜ୍ ନିର୍ମାଣ ହେଲେ ଭଦ୍ରକ ବା ଆଖପାଖରେ ରହୁଥିବା ଲୋକମାନେ ମେଡିକାଲର ସୁବିଧା ପାଇପାରିବେ ।  ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ(ପିଏମଜେଭିକେ) ଯୋଜନା ସଂଖ୍ୟାଲଘୁ ମନ୍ତ୍ରଣାଳୟ(ଏମଓଏମଏ) ଦ୍ୱାରା କ୍ରିୟାନ୍ୱୟନ କରାଯାଇଛି । ଏହି ଯୋଜନା ଅଧୀନରେ ସ୍ୱାସ୍ଥ୍ୟକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି । ଭଦ୍ରକରେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦରକାରୀ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟକୁ ଆବେଦନ କରିବାକୁ ବିଚାର କରିବାକୁ ଆବେଦନ କରନ୍ତୁ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରକଳ୍ପ ପାଇଁ ମୂଳଧନର ୬୦ ପ୍ରତିଶତ ଅର୍ଥ ଯୋଗାଇଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁଷାଙ୍ଗିକ ଖର୍ଚ୍ଚର ଦାୟିତ୍ୱ ନେବେ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଭଦ୍ରକରେ ମେଡିକାଲ କଲେଜ ଖୋଲିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ପିଏମଜେଭିକେ ଯୋଜନାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟକୁ ବିସ୍ତୁତ ବିବରଣୀ ପ୍ରଦାନ କରି ପ୍ରସ୍ତାବ ପଠାଇବାକୁ ଶ୍ରୀ ପ୍ରଧାନ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । 

ଶ୍ରୀ ପ୍ରଧାନ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକବିଙ୍କୁ ଲେଖିଥିବା ଅନ୍ୟ ଏକ ପୃଥକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଏବେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ ଯୋଜନା ଅଧୀନରେ କେବଳ ଅଧିକ ସଂଖ୍ୟାଲଘୁ ଅଂଚଳ ତଥା ଯେଉଁଠାରେ ସଂଖ୍ୟାଲଘୁ ଜନସଂଖ୍ୟା ୨୫ ପ୍ରତିଶତରୁ ଉର୍ଧ୍ଵ  ଏବଂ ଯେଉଁ ଅଂଚଳରେ ଆର୍ଥିକ ବର୍ଗର ପଛୁଆ ଶ୍ରେଣୀର ଲୋକମାନେ ବାସ କରୁଛନ୍ତି ସେମାନଙ୍କ ପାଇଁ ପ୍ରକଳ୍ପମାନ ମଞ୍ଜୁରୀ କରିଛନ୍ତି । ଏହି ମର୍ମରେ ରାଜଧାନୀ କିମ୍ବା ଅନ୍ୟ ମୁଖ୍ୟ ନଗର ଅଂଚଳରେ ଏହି ସବୁ ଶ୍ରେଣୀର ଛାତ୍ରଛାତ୍ରୀ ତଥା ଲୋକମାନଙ୍କ ସୁବିଧା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ନିମନ୍ତେ ବିଭିନ୍ନ ପ୍ରକଳ୍ପ ଯଥା ଛାତ୍ରାବାସ, ଆବାସିକ ବିଦ୍ୟାଳୟ, ଆଇଟିଆଇ ଦକ୍ଷତା କେନ୍ଦ୍ର ଭଳି ପ୍ରକଳ୍ପ କରିବା ପାଇଁ ଅନୁମତି ଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । 

ତେଣୁ ରାଜ୍ୟର ରାଜଧାନୀ ତଥା ପ୍ରମୁଖ ସହରରେ ପିଏମଜେଭିକେ ଯୋଜନାରେ ଉକ୍ତ ସୁବିଧା ଯୋଗାଇଦେବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି । ଏହି ସୁବିଧା ଯୋଗାଇ ଦିଆଗଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ଓ ମହିଳା ସଶକ୍ତିକରଣ ଭଳି ପ୍ରମୁଖ କ୍ଷେତ୍ରର ଭିତିଭୂମି ସୁଦୃଢ ହେବ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

 

0
0
0
s2sdefault