ହେଡଲାଇନସ୍:

ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି ବୈଠକ : ଶୃଙ୍ଖଳିତ ଓ ଅବାଧ ଭାବେ ପରିଚାଳନା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ଆସନ୍ତା ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ଆସନ୍ତା ମାର୍ଚ୍ଚ ମାସ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମାଟ୍ରିକ ପରୀକ୍ଷାକୁ ଗଜପତି ଜିଲ୍ଲାରେ ଶାନ୍ତିଶୃଙ୍ଖଳା ଓ ଅବାଧ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଅନୁଷ୍ଠିତ  କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ  ସାହାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ମାଟ୍ରିକ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ ଓ ଇନଭିଜିଲେଟର ମାନଙ୍କ ସମେତ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ନେଇ ପରୀକ୍ଷା ସୁ-ପରିଚାଳନାଗତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।  ମାଟ୍ରିକ ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କିଭଳି ଶୃଙ୍ଖଳିତ ଓ ଅବାଧ ଭାବେ ପରିଚାଳନା ହୋଇ ସମ୍ପନ୍ନ ହେବ , ସେଥିପାଇଁ ସମସ୍ତେ ଯତ୍ନବାନ ହେବାପାଇଁ ଜିଲ୍ଲାପାଳ ଶ୍ରୀ ସାହା ପରାମର୍ଶ ଦେଇଥିଲେ । ମୁଖ୍ୟତଃ ଛାତ୍ରଛାତ୍ରୀ ମାନେ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରିବା ପୂର୍ବରୁ କପି ଓ ମୋବାଇଲ ଯାଞ୍ଚ କରାଯିବ । ସେହିଭଳି ପରୀକ୍ଷା କେନ୍ଦ୍ର ଭିତରକୁ କୌଣସି ଅଧିକ୍ଷକ କିମ୍ବା ଇନଭିଜିଲେଟର ମୋବାଇଲ ନେଇପାରିବେ ନାହିଁ , ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କହିଥିଲେ।  ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ପରିସରରେ ବାହାର ଲୋକଙ୍କ ଅଯଥା ଗହଳି ଥିବା କିମ୍ବା କପି ଯୋଗାଇବା ଉଦ୍ୟମ ହେଉଥିବା ଜଣାପଡିଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ କହିଥିଲେ । ଏଥିସହିତ ପରୀକ୍ଷା ପ୍ରଶ୍ନପତ୍ର ଯେଭଳି ଭାଇରାଲ ନ ହୁଏ , ସେଥିପ୍ରତି କଡା ନଜର ରଖିବା ସହ ପରୀକ୍ଷା ପରିଚାଳନାରେ କୌଣସି ପ୍ରକାରର ବିଭ୍ରାଟ କି ବିଶୃଙ୍ଖଳା ସାମନାକୁ ଆସିଲେ , ସେ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ।

   ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ ଯୋଗଦେଇ ଜିଲ୍ଲାବ୍ୟାପୀ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ନେଇ ପରୀକ୍ଷା କେନ୍ଦ୍ର ଅଧିକ୍ଷକ , ଇନଭିଜିଲେଟର ଓ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିଭିନ୍ନ ସୂଚନା ପ୍ରଦାନ କରି ଉପସ୍ଥିତ ସମସ୍ତଙ୍କୁ ସ୍ଲାଇଡ଼ ଚିତ୍ର ମାଧ୍ୟମରେ ଅବଗତ କରାଇଥିଲେ । ଦେଇଥିବା ସୂୂଚନା ଗୁଡିକ ମଧ୍ୟରେ ମୁଖ୍ୟତଃ ଜିଲ୍ଲାର ଥିବା ସରକାରୀ ସ୍କୁଲ(୧୧୦) , ଏସ୍ଏସ୍ ଡି ସ୍କୁଲ(୧୫) ଓ ବେ-ସରକାରୀ ସ୍କୁଲ(୨୦) ଏଭଳି ମୋଟ ୧୪୫ ଟି ସ୍କୁଲର ୭୬୮୩ ରେଗୁଲାର ଛାତ୍ରଛାତ୍ରୀ ଏବଂ ୯୦୭ ଜଣ ଅଣ-ରେଗୁଲାର ଛାତ୍ରଛାତ୍ରୀ ଚଳିତ ଥର ମାଟ୍ରିକ ପରୀକ୍ଷାରେ ଦେବେ । ଏଥିପାଇଁ ଜିଲ୍ଲାର ୭ ଗୋଟି ବ୍ଲକରେ ମୋଟ ୩୮ ଗୋଟି ପରୀକ୍ଷା କେନ୍ଦ୍ର ନିର୍ଦ୍ଧାରିତ ହୋଇଛି ।

 ଅନ୍ୟପକ୍ଷର ଏ ଦିଗରେ ସମସ୍ତ ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷିତ ରଖିବା ପାଇଁ ୪ ଟି ନୋଡାଲ ସେଣ୍ଟର(ଷ୍ଟ୍ରଙ୍ଗରୁମ) ଯଥା:-ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ରାୟଗଡ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ , ରା:ଉଦୟଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ମୋହନା ସ୍ଥିତ ସରକାରୀ ଏସଏସଡି: ଉଚ୍ଚ ବିଦ୍ୟାଳୟ ଚିହ୍ନଟ କରାଯାଇଛି। 

ପରୀକ୍ଷା ପ୍ରଶ୍ନପତ୍ର ଓ ଉତ୍ତରଖାତା ସୁରକ୍ଷିତ ଭାବେ ନିଆ ଅଣା କରିବା ପାଇଁ ୯ ଗୋଟି ଡେସପାଚ ଦଳ ଗଠନ କରାଯାଇଛି । ମୋଟ ପରୀକ୍ଷା କେନ୍ଦ୍ର ୩୮ ଟି ମଧ୍ୟରୁ ମୋଟ ୧୩ ଗୋଟି ପରୀକ୍ଷା କେନ୍ଦ୍ରରେ ସିସି-ଟିଭିର ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆ ଯାଇଥିଲା । 

  ମାଟ୍ରିକ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ କିଭଳି ସୁ-ପରିଚାଳନା ମଧ୍ୟରେ ସମ୍ପନ୍ନ ହେବ , ସେ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ଼ିଆଇବି ଡିଏସପି ରାଧା ଚରଣ ପଟ୍ଟନାୟକ ମଞ୍ଚାସୀନ ଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ. ବୃଷକେତୁ ଦାସ , ବିଇଓ:-ଠାକୁର ପ୍ରସାଦ ସିଂହ ପ୍ରମୁଖଙ୍କ ସମେତ ସମସ୍ତ ପରୀକ୍ଷା କେନ୍ଦ୍ରର ଅଧିକ୍ଷକ , ଇନଭିଜିଲେଟର ଓ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମାଟ୍ରିକ ପରୀକ୍ଷାର୍ଥୀ , ଅଭିଭାବକ , ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ମାଟ୍ରିକ ପରୀକ୍ଷାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ସ୍ୱତନ୍ତ୍ର ଟିପସ୍ ତଥା ମନ୍ତ୍ର ଉପସ୍ଥିତ ସମସ୍ତଙ୍କୁ ବଣ୍ଟନ କରା ଯାଇଥିଲା ।

0
0
0
s2sdefault