ଟିକସ ଆଦାୟ ବରାବର, ଲୋକେ ହେଉଛନ୍ତି ହରବର : ହେଲେ ସୁଧୁରୁନି ପଦ୍ମପୁର ହାଟର ଅବସ୍ଥା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ ଶାସକ ପ୍ରଶାସକ -କାହିଁ କେତେ ବର୍ଷ ହେବ ଏ ହାଟ ଅଛି ପଦ୍ମପୁର ସହରର ଛାତି ଉପରେ, ଆଉ ଲୋକଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ପାଲଟିଯାଇଛି ପଦ୍ମପୁରିଆଙ୍କ ପାଇଁ  | ଶନିବାର ଆଉ ମଙ୍ଗଳ ବାର ଏଠି ବସେ ବିରାଟ ହାଟ |  ପଦ୍ମପୁର ଆଖପାଖ ଅଂଚଳରୁ ପ୍ରାୟ ଦୁଇଶହ ହାଟୁଆ/ ବେପାରୀ/ ଚାଷୀ ଆସି ସେମାନଙ୍କ ପସରା ମେଲିଦିଅନ୍ତି | ହଜାର  ହଜାର ଲୋକଙ୍କ ବି ସମାଗମ ହୁଏ ହାଟ ଭିତରକୁ ନିଜ ସାପ୍ତାହିକ ଖରିଦ ପାଇଁ | ହେଲେ ଅନ୍ୟ ଦିନମାନଙ୍କରେ ବି  ଏ ହାଟରେ ଥାଏ ଗହଳଚହଳ | ପ୍ରାୟ ୪୦/୫୦ ପାରିବ ବେପାରୀ ବା ଚାଷୀ ବସି ସଜ ତଟକା ପରିବା ବିକ୍ରି କରନ୍ତି | ଆଉ ଲୋକ ବି ଆସନ୍ତି ନିୟମିତ ପାରିବ କିଣିବା ପାଇଁ | ପଦ୍ମପୁର ସହରର ମଧ୍ୟଭାଗରେ  ଅବସ୍ଥିତ ହାଟ ଉପରେ ସହରର ତଥା ଆଖପାଖ ଅଞ୍ଚଳର ଲୋକେ ଅନେକାଂଶରେ ନିର୍ଭରଶୀଳ ।

 ହାଟ ଅଛି ପଦ୍ମପୁର ଏନଏସି ଜିମା | ଆଉ ହାଟ ଦିନ ଟିକସ ବି ଆଦାୟ ହୁଏ ହାଟୁଆଙ୍କ ଠାରୁ ଆଉ ମାର୍କେଟିଙ୍ଗ କରିବାକୁ ଆସୁଥିବା ଲୋକଙ୍କ ଠାରୁ ଗାଡି ସାଇକେଲ ରଖିବା ବାବଦରେ | ଅଥଚ ହାଟର ଆନୁସଙ୍ଗିକ ବିକାଶ କ୍ଷେତ୍ରରେ ଏନଏସି ତରଫରୁ ସାମାନ୍ୟତମ ସହୃଦୟତା  ପ୍ରକାଶ ପାଇନଥିବା ପରି ମନେ ହୁଏ । ସାମାନ୍ୟ ବର୍ଷାରେ ହାଟ ସାରା କାଦୁଅରେ ପଚପଚ ହେଉଛି । ଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ସେଥିରେ ଆବର୍ଜନା ଜମିରହି ଦୂଷିତ ପରିବେଶ ସୃଷ୍ଟି କରି ଚାଲିଛି । କ୍ରେତା ଓ ବିକ୍ରେତା ଉଭୟେ ଏକ ଅସ୍ବାସ୍ଥ୍ୟକର ପରିବେଶ ଭିତରେ କିଣା ବିକା ପାଇଁ ବାଧ୍ୟ ହେଉଛନ୍ତି । ଏଥି ସହିତ ହାଟ ଭିତରେ ନା ପିଣ୍ତି ନା ଛାଉଣୀ ର ସୁବନ୍ଦୋବସ୍ତ ହେଇଛି । ଆଉ ଟିକେ ଜୋର କରି ଅସରାଏ ବର୍ଷା ହୋଇଗଲା ତେବେ ନିସ୍ତାର ନାହିଁ | ଦିକଣି ଓ ଗ୍ରାହକ ଭିଜିବା ଥୟ | ଆଉ ୟା ଭିତରେ ଗାଈଗୋରୁ ଓ ଅନ୍ୟାନ୍ୟ ପଶୁ ମାନଙ୍କର ନିର୍ବିଘ୍ନ ବିଚରଣ |  ଲୋକଙ୍କ ସବୁ ବେଳେ ଷଣ୍ଢ ପ୍ରତି ଉୟ ରହୁଛି। ସେଥିରେ ପୁଣି କିଛି ଲୋକ ହାଟ ଭିତରେ ଦୁଇ ଚକିଆ ଯାନରେ ଘୁରି ଘୁରି ହାଟ କରୁଥିବାରୁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇ ପଡିଛି । ଯେହେତୁ ଲୋକଙ୍କ ଠାରୁ ଟିକସ ନିଆଯାଉଛି । ସେଇ ଆଧାରରେ ହାଟର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ଜନ ସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଏନଏସି କର୍ତ୍ତବ୍ୟ  ନୁହେଁ କି  ବୋଲି ଲୋକଙ୍କ ଭିତରେ ଆଲୋଚନା ହେଉଛି | 

ଏ ସମ୍ପର୍କରେ ପଦ୍ମପୁର ଏନଏସିର ନବନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟନ୍ତ ସାହୁଙ୍କ ମତାମତ ଲୋଡ଼ିବାରୁ ଏ ବିଷୟରେ ଖୁବଶୀଘ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |

 

0
0
0
s2sdefault