ହେଡଲାଇନସ୍:

ନୁଆଁଗୁଡ଼ା ଗାଁକୁ ମିଳିଲା ପ୍ରଥମ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଦିବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲା ପ୍ରଶାସନ 

ନୂଆପଡ଼ା,(ଅମିତ ପୁରୋହିତ): ଆଜି ଆଦିବାସୀଙ୍କ ଆନ୍ଦୋଳନ ଆଗରେ ଜିଲ୍ଲା ପ୍ରଶାସନ ମୁଣ୍ଡ ନୁଆଁଇଛି । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ କାର୍ଯ୍ୟକାରି କରିବା ପାଇଁ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ ତରଫରୁ ୧୧ ଦିନ ଧରି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଆଜି ଅପରାହ୍ନରେ ଜିଲ୍ଲା ପ୍ରଶାସନ ବନବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଥିଲା । ଜିଲ୍ଲା ଇତିହାସରେ ଜଙ୍ଗଲ ଅଧିକାର ଆଇନ ବଳରେ ପ୍ରଥମ କରି ସିନାପାଲି ବ୍ଲକ କୁଶୁମଜୋର ପଞ୍ଚାୟତର  ନୁଆଁଗୁଡ଼ାକୁ  ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କରିଥିଲେ । ଆଗାମୀ ଦୁଇ ମାସ ଭିତରେ ଜଙ୍ଗଲ ଭିତରେ ବସବାସ କରୁଥିବା ଆଦିବାସୀ ଓ ଅନ୍ୟାନ୍ୟ ଜାତିର ଲୋକଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।    

          ଜଙ୍ଗଲକୁ ସୁରକ୍ଷା କରିବା ଉଦ୍ଦେଶ୍ୟରେ  କେନ୍ଦ୍ର ସରକାର ଆଦିବାସୀ, ବନବାସୀ, ଅଣ ଆଦିବାସୀଙ୍କ ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ କରିଥିଲେ । ଇତି ମଧ୍ୟରେ ୧୪ ବର୍ଷ ବିତି ଯାଇଥିଲେ ବି ନୂଆପଡ଼ା ଜିଲ୍ଲାରେ ଏହି ଆଇନ କାର୍ଯ୍ୟକାରୀ ହୋଇନଥିଲା । ଏହାର ପ୍ରତିବାଗରେ ଗତ ୨୭ ତାରିଖ ଠାରୁ ଜିଲ୍ଲାର ବନବାସୀ ମାନେ ୧୬ ଦଫା ଦାବୀରେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବର୍ଷା, ଶୀତ କାକରରେ ୧୧ ଦିନ ଧରି ଦିନ ରାତି ଧାରଣାରେ ବସିଥିଲେ । ଜଙ୍ଗଲ ଜମି ଆଇନ ଅନୁସାରେ ଜିଲ୍ଲାର ସମସ୍ତ ଗାଁର ଗ୍ରାମସଭାରୁ ଗୋଷ୍ଠୀ ଜଙ୍ଗଲ ଓ  ଗୋଷ୍ଠୀ ଜଙ୍ଗଲ ସମ୍ବଲ ଅଧିକାର ପ୍ରଦାନ । ଛୋଟ ଓ ଅଣ ରାଜସ୍ୱ ଗାଁକୁ ତଥା ଜନବସତୀକୁ ରାଜସ୍ୱ ଗାଁର ମାନ୍ୟତା ପ୍ରଦାନ । ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବର୍ଗର ସମସ୍ତ ଆବେଦନକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ । ଜଙ୍ଗଲ ଜମି ଆଇନ କାର୍ଯ୍ୟକାରିତା ନହେବ ଯାଏଁ ସୁନାବେଡା ଅଭୟାରଣ୍ୟ ଘୋଷଣା ବନ୍ଦ ରହୁ । ଆମ ଜଙ୍ଗଲ ଯୋଜନା ଓ ବନ ସୁରକ୍ଷା ସମିତି(ଭିଏସଏସ)କୁ ସମ୍ପୁର୍ଣ୍ଣ ବନ୍ଦ କର । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସଭା ଓ ଜଙ୍ଗଲ ଅଧିକାର କମିଟିର ଅବଗତିରେ ବନ ବିଭାଗର ସମସ୍ତ କାର୍ଯ୍ୟ ପରିଚାଳିତ ହେଉ ଭଳି ୧୬ ଦଫା ଦାବୀ ଉପସ୍ଥାପନା କରିଥିଲେ । କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ନିରୀହ ବନବାସୀ ମାନେ ୧୧ ଦିନ ଧରି ଧାରଣାରେ ବସି ରହିଥିଲେ । ଶେଷରେ ଆଜି ଜିଲ୍ଲା ପ୍ରଶାସନ ବନବାସୀଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ଥିଲା ।   

       ଆଜି ଅପରାହ୍ନରେ ଉପ ଜିଲ୍ଲାପାଳ ତରଣୀସେନ ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ଧ୍ୟା ମାଝି ପ୍ରମୁଖଙ୍କ ଏକ ଜିଲ୍ଲାସ୍ତରୀୟ ଟିମ ଧାରଣା ସ୍ଥଳକୁ ଆସିଥିଲେ । ସେଠାରେ ଆନ୍ଦୋଳନକାରିଙ୍କ ସହ ବହୁ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ଜିଲ୍ଲା ଇତିହାସରେ ପ୍ରଥମ କରି ସିନାପାଲି ବ୍ଲକ କୁଶୁମଜୋର ପଞ୍ଚାୟତ ନୁଆଁଗୁଡ଼ା ଗ୍ରାମସଭାକୁ  ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କରିଥିଲେ । ଏହି ଆଇନ ବଳରେ ଗାଁ ଲୋକଙ୍କୁ ୮୨.୮ ହେକ୍ଟର ଜଙ୍ଗଲର ଏକ ପଟ୍ଟାକୁ ନୁଆଁଗୁଡ଼ା ଗାଁ କମିଟି ସଭାପତି ବଲମତ ମାଝି ଓ ଧନୁ ମାଝିଙ୍କୁ ଉପ ଜିଲ୍ଲାପାଳ ଶ୍ରୀ ନାଏକ ପ୍ରଦାନ କରିଥିଲେ । ସେହିପରି ଆସନ୍ତା ୨ ମାସ ଭିତରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଟିମ ଜଙ୍ଗଲ  ଭିତରେ ବସବାସ କରୁଥିବା ବନବାସୀ, ଆଦିବାସୀ, ଅଣ ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଉପରେ ସର୍ଭେ କରାଯିବ । ସେଥିରେ ଅଧିକାରୁ ଅଧିକ ବନବାସୀଙ୍କୁ ବ୍ୟକ୍ତିଗତ ଜମି ପଟ୍ଟା ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ଭରଯୋଗ୍ୟ ପ୍ରତିଶୃତି ଦେବାରୁ ଆନ୍ଦୋଳନକାରୀ ମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଥିଲା । ଆସନ୍ତା ଫେବୃୟାରୀ ୯ ତାରିଖରେ ନୁଆଁଗୁଡ଼ା ଗାଁରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜମି ଜଙ୍ଗଲ  ମୁକ୍ତି ଆନ୍ଦୋଳନର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ  ହେବ ସ୍ଥିର ହୋଇଥିଲା । ଆସନ୍ତା ଏପ୍ରିଲ ୧ ତାରିଖରେ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନର ସଦସ୍ୟ ମାନଙ୍କୁ ଏକ ବୈଠକ ଅନୁଷ୍ଠିତ  ହେବ ଓ ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତିର କାର୍ଯ୍ୟକାରତା ଉପରେ ସମୀକ୍ଷା କରାଯିବ । ଜିଲ୍ଲା ପ୍ରଶାସନ ତାର ପ୍ରତିଶୃତି ପାଳନ କରିବାରେ ଅବହେଳା କରିଥିଲେ ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ  ତରଫରୁ ଆନ୍ଦୋଳନ ଆହୁରୀ ଭୟାବହ ହେବ ବୋଲି ଜିଲ୍ଲା ପ୍ରଶାସନକୁ ଜମି ଜଙ୍ଗଳ ମୁକ୍ତି ଆନେ୍ଦାଳନର ରାଜ୍ୟ ଆବାହକ ଖୁଟୁରାମ ସୁନାନୀ ଚେତାବନୀ ଦେଇଛନ୍ତି । ଆଦିବାସୀ ନେତା ହୀରାଲାଲ ମାଝି, ମେଘନାଦ ଖର୍ସେଲ, ବିଜୟ ଝାଙ୍କର, ଭୁଜବଲ ମାଝି, ଚୈତନ ମାଝି, ହନୁରାମ ମାଝି, ବଲମତ ମାଝି, ଯୁଧିଷ୍ଠିର ସାହୁ, ଗୋବିନ୍ଦ ମାଝି, ଟିକେରାମ ମାଝି, ଖିରମନ ମାଝି, ଗୌତମ ମିର୍ଦ୍ଧା ପ୍ରମୁଖ ଧାରଣାରେ ସାମିଲ ଥିଲେ ।  

0
0
0
s2sdefault