ହେଡଲାଇନସ୍:

ପରିବହନ ନିଗମ କୋଠରୀରୁ ୧୦୦ ବସ୍ତା ବେଆଇନ ଗହମ ଜବତ :  ଖାନତଲାସ ଜାରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ରାଜ୍ୟ ପରିବହନ ନିଗମର ନିର୍ମାଣାଧିନ ଏକ ଘରୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ପିଡିଏସ୍ / ଆଇସିଡିଏସ୍ କୁ ଗହମ ଯୋଗାଇ ଦିଆଯାଉଥିବା ୧୧୧ ବସ୍ତା ଅର୍ଥାତ୍ ୫୪ କ୍ୱିଣ୍ଟାଲ ୭୮କେଜି ମହଜୁଦ୍ ଥିବା ବେଆଇନ ଗହମକୁ ଜବତ କରାଯାଇଛି । କେହି ଦାବିଦାର ନଆସିବାରୁ ଓଡ଼ଗାଁ ଅତିରିକ୍ତ ତହସିଲଦାର ଶରତ କୁମାର ମଲ୍ଲିକଙ୍କ  ଉପସ୍ଥିତିରେ ଜବତ୍ ଗହମ ଏନଏସସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଜିମା ଦିଆଯାଇଛି । ଏବଂ ଉକ୍ତ ଗହମ ଏଠାକୁ କିଏ କେତେବେଳେ କିପରି ଆଣି ରଖିଥିଲା ଏବଂ ଏଠାରୁ ଚାଳାଣ କରୁଥିଲା ସେନେଇ ଯୋଗାଣ ବିଭାଗ ତରଫରୁ ଖାନତଲାସ ଆରମ୍ଭ ହୋଇଛି । ଏହାର ସତ୍ୟାସତ୍ୟ ଜଣା ପଡିବା ପରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଧାରା ଉଲଙ୍ଘନ କାରଣରୁ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ । ପରିବହନ ବିଭାଗର ନିର୍ମାଣାଧୀନ  ଘରୁ ସନ୍ଧ୍ୟାର ଅନ୍ଧକାର ଭିତରେ ଏକ ପିକଅପ୍ ଭ୍ୟାନରେ କିଛି ସାମଗ୍ରୀ ଚାଲାଣ କରିବାକୁ ଉଦ୍ୟମ ହେଉଥିବା ଦେଖି କିଛି ଯୁବକ ସେଠାରେ ପହଁଚି ଥିଲେ । ହଠାତ ଘଟଣା ସ୍ଥଳରୁ ପିକଅପ ଭ୍ୟାନଟି କେଉଁଆଡେ ଚାଲିଯାଇଥିଲା । ଫଳରେ ଯୁବକମାନଙ୍କ ମନରେ ସନ୍ଦେହ  ଆସିବାରୁ ସେମାନେ ଏ ସଂକ୍ରାନ୍ତରେ ଓଡ଼ଗାଁ ଥାନା ଆଇଆଇସି ଏବଂ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେରେ ଜିଲ୍ଲା ସହକାରୀ ଯୋଗାଣ ଅଧିାକରୀ ଜୟନ୍ତ କୁମାର ଦାଶ, ଓଡ଼ଗାଁ ଯୋଗାଣ ନିରୀକ୍ଷକ ସୁବ୍ରତ ମଲ୍ଲିକ୍ ଏବଂ ଭାପୁର ଯୋଗାଣ ନିରୀକ୍ଷକ ରାତି ୧୦ ବେଳେ ଆସି ଉକ୍ତ ଘର ଏବଂ ଫାଟକରେ ତାଲା ପକାଇ ଫେରିଯାଇଥିଲେ । ଆଜି ସକାଳେ ଜିଲ୍ଲା ଯୋଗାଣ ଅଧିକାରି ଦେବବ୍ରତ ମହାପାତ୍ରଙ୍କ ସହିତ ଉପରୋକ୍ତ ଅଧିକାରୀ ମାନେ ଆସି ଖାନତଲାସ କଲା ପରେ ସେଠାରୁ ଗହମ ଥିବା ବସ୍ତା ଗୁଡିକୁ ଜବତ୍ କରିଥିଲେ । ଏହି ଗହମ ଆଳରେ ମାରାତ୍ମକ ମାଦକ ଦ୍ରବ୍ୟର ପ୍ରଚଳନ ଚାଲିଥିବା ନେଇ ଓଡ଼ଗାଁ ଅଂଚଳରେ ବହୁଳ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି । ତଦନ୍ତ ପରେ ଏହାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆସିପାରିବ । 

 

 

 

 

0
0
0
s2sdefault