ହେଡଲାଇନସ୍:

ଝାଉଁଳି ଗଲେଣି ଭୂମିଜ ସହଚରୀ-ମୁରଲୀଙ୍କୁ ଝୁରି ଝୁରି , ପ୍ରଶାସନର ପ୍ରତାରଣା ସାଜିଛି ବଇରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଉଚ୍ଛନ୍ନ ହୋଇଯାଇଛି ସେମାନଙ୍କ ସଂସାର : ନ୍ୟାୟ ଟିକେ ବି ଦେଇ ପାରିଲେନି "ମୋ ସରକାର " !!!!

ସୁନ୍ଦରଗଡ଼(ହୋରାଚାନ୍ଦ  ଦେଉରିଆ) - ସେମାନଙ୍କ ସଂସାର ଉଚ୍ଛନ୍ନ ହୋଇଯାଇଛି | ଆଖିର ପିତୁଳା ଚାଲିଯାଇଛି | ସେମାନେ ନିର୍ବାକ ହୋଇଯାଇଛନ୍ତି | ଚାରିଦିଗ ସେମାନଙ୍କ ପାଇଁ ଅନ୍ଧାର | ମାଟି ମଂଥକୁ ଆଉଜି ଆଖିରୁ ଲୁହ ଗଡାଉଛନ୍ତି ସହଚରୀ, ଆଉ ଏରୁଣ୍ଡି ବନ୍ଧ ପାଖେ ପଥର ପରି ବସି ଯାଇଛନ୍ତି ଭୂମିଜ | ନିଜ ମନ ଯେତେବେଳେ ବୁଝୁନି, ସେ ସହଚରୀଙ୍କୁ ବା ବୁଝାଇବେ ବା କଣ !!! ମନକୁ ବୁଝାଇ ପାରୁନାହାନ୍ତି ଯେ ତାଙ୍କ ପୁଅ ମୁରଲୀ ଆରପାରିରୁ  ଆଉ ଫେରିବନି | ହେଲେ ପୁଅ ମୃତ୍ୟୁକୁ ସ୍ୱାଭାବିକ ଭାବେ ଗ୍ରହଣ କରି ପାରୁନାହାନ୍ତି ଭୂମିଜ ଆଉ ସହଚରୀ | ଶିକ୍ଷକଙ୍କ ଅମାନବୀୟ ମାତ୍ରାଧିକ ଦଣ୍ଡ ହିଁ ମୁରଲୀଙ୍କୁ ତାଙ୍କଠୁ ଛଡାଇ ନେଇଛି ବୋଲି ସେମାନଙ୍କ ମନ କହୁଛି | ହେଲେ ପ୍ରଶାସନ ପୋଲିସର ଦ୍ୱାରସ୍ଥ ହୋଇଥିଲେ ବି ମିଳିନି ଫଳ | ସତରେ ଯେମିତି ସେଇ ମଳିମୁଣ୍ଡିଆଙ୍କ ପାଇଁ ସରକାରଙ୍କ ୫-ଟି,  ମୋ ସରକାର ଲାଗୁ ନୁହଁ | ସେମାନେ ମାଗୁଛନ୍ତି କଣ ! ନ୍ୟାୟ ଟିକେ ତ ମାଗୁଛନ୍ତି ନାଁ !!!!! 

 ଦଶମ ପଢୁଆ ପୁଅର ମୃତ୍ୟୁପରେ ଜଡ଼ ମଣିଷ ପାଲଟି ଯାଇଥିବା ଲହୁଣୀପଡ଼ା ବ୍ଲକ ଅନ୍ତର୍ଗତ ବେଳକୁଦର ଗ୍ରାମର ଗରିବ, ଅସହାୟ ମା ବାପା ମଙ୍ଗଳ ଭୂମିଜ ଓ ସହଚରୀ ଭୂମିଜଙ୍କ କହୁଛୁ ଆମେ ବେଦନାର କାହାଣୀ | ଏଠାରେ ସୂଚନାଯୋଗ୍ୟ ଯେ ବଣାଇ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ଦଶମ ଶ୍ରେଣୀରେ ପଢୁଥିବା ପୁଅ ମୁରଲୀ ଭୂମିଜ ଶିକ୍ଷକଙ୍କ ଦ୍ଵାରା ମାତ୍ରାଧିକ ଶାରୀରିକ ଦଣ୍ଡବିଧାନର ଶିକାର ହୋଇ ନଭେମ୍ବର- 2 ରେ ମୃତ୍ୟୁବରଣ କରିଛନ୍ତି | ପୁଅର ଶବକୁ ନିଜ କାନ୍ଧରେ ବୋହି ନେଇ ସଂସ୍କାର କଲାପରେ ସେହିଦିନ ଠାରୁ ମଙ୍ଗଳ ଓ ସହଚରୀଙ୍କ ଜୀବନ ଚାପି ହୋଇଯାଇଛି ଦୁଃଖର ପାହାଡ଼ ତଳେ | ଅସହାୟ ହୋଇଯାଇଛନ୍ତି ସେମାନେ | ହେଲେ ଏଭଳି ଦୁଃଖ ବେଳାରେ କିନ୍ତୁ ତାଙ୍କ ପାଖରେ ନା ଛିଡା ହୋଇଛି ପୋଲିସ ନା ଛିଡା ହୋଇଛି ପ୍ରଶାସନ | ଆଇନ ଓ ବ୍ୟବସ୍ଥାର ପ୍ରତାରଣା ଭିତରେ ଆହୁରି ଦୁର୍ଭିସହ ହୋଇଯାଇଛି ତାଙ୍କର ଜୀବନ | ପୁଅର ମୃତ୍ୟୁପରେ ମାନସିକ ଭାରସାମ୍ୟ ହରାଇ ଦେଇଥିବା ମା ବାପା ନ୍ୟାୟ ପାଇଁ ବଣାଇ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ବଣାଇ ଉପ ଜିଲ୍ଲାପାଳ, ରାଉରକେଲା ଏସପିଙ୍କ ଦୁଆରେ  ମଧ୍ୟ ନ୍ୟାୟ ପାଇଁ କାକୁତି ମିନତୀ ହୋଇଛନ୍ତି | ସବୁଠି ମିଳିଛି ନ୍ୟାୟ ପାଇବାର ପ୍ରତିଶୃତି ମଧ୍ୟ | ହେଲେ ଥାନାରେ ଏକ ମାମଲା ରୁଜୁ ଭିତରେ ଅଟକି ଯାଇଛି ଆଇନ | ବାଛବିଚାରର ଉର୍ଦ୍ଧରେ ରହି ନିଜ ରାସ୍ତାରେ ଯାଉଥିବା ଆଇନ ମଙ୍ଗଳ ଓ ସହଚରୀଙ୍କ କ୍ଷେତ୍ରରେ କାହିଁକି ବାଟ ହୁଡ଼ିଗଲା ତାହା ଏବେ ଅନେକ ସଚେତନ ବ୍ୟକ୍ତିଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଛି | ରାଜ୍ୟରେ ଚାଲିଥିବା ମୋ ସରକାର ଓ 5 ଟି କେବଳ ପ୍ରଚାର ସର୍ବସ୍ବ ନା ଏହା ପଛରେ କିଛି ବାସ୍ତବତା ଅଛି ତାକୁ ନେଇ ବୃହତ ସଂଶୟ ସୃଷ୍ଟିହୋଇଛି | 2000 ମସିହାରେ ମଙ୍ଗଳ ଓ ସହଚରୀ ବିବାହ ବନ୍ଧନରେ ଆବଧ ହେଲାପରେ 2004 ରେ ତାଙ୍କ କୋଳକୁ ଆସିଥିଲା ପୁଅ ମୁରଲୀ | ମୁରଲୀଙ୍କୁ ପାଇଲାପରେ ମଙ୍ଗଳ ଓ ସହଚରିଙ୍କ ଗରିବ କୁଡ଼ିଆରେ ଦିନେ ଉଇଁଥିଲା ହସ ଓ ଖୁସିର ରୁପାଜହ୍ନ | ପୁଅକୁ ଲାଳନପାଳନ କରିବା, ଭଲ ପାଠ ପଢାଇ ବଡ଼ ମଣିଷ କରିବାର ସ୍ବପ୍ନ ଆଗରେ ଫିକା ପଡିଥିଲା ତାଙ୍କ ଅଭାବର ଦୁଃଖ ଓ ଦରଦ | ପୁଅ ମୁରଲୀ ମଧ୍ୟ ଦିନକୁଦିନ ପାଠ ପଢ଼ାରେ କୃତିତ୍ୱ ହାସଲ କରୁଥିବା ବେଳେ ଭଲ ପାଠପଢି ଅଭାବୀ ମା ବାପାଙ୍କ କାନ୍ଧର ବୋଝକୁ ହାଲୁକା କରିବା ପାଇଁ କରିଥିଲା ପଣ | ହେଲେ ସେଇ ସବୁ ଆଶା ସବୁ ସ୍ବପ୍ନ ଗୋଟିଏ ଦିନରେ ହେଲା ଧୂଳିସାତ | ଭାଙ୍ଗିଗଲା ଆଶାବାଡି, ସବୁଦିନ ପାଇଁ ଲିଭିଗଲା ଆଶା ଓ ଖୁସିର ଦୀପ | ଦୁଃଖ ଆଉ ଲୁହର ଘେରରେ ବୁଡିଯାଇଛି ଗରିବ କୁଡ଼ିଆ | ଏବେ ଖାଲି ବିରହ ହିଁ ବିରହ | ପୁଅ ମୃତ୍ୟୁରେ ଜଡ଼ ମଣିଷ ପାଲଟି ଯାଇଥିବା ମଙ୍ଗଳ ଓ ସହଚରୀ ନ୍ୟାୟ ପାଇବେ କି ନାହିଁ ତାହା ସମୟ କହିବ |

 

 

0
0
0
s2sdefault