ହେଡଲାଇନସ୍:

ଗରିବ ମଳିମୁଣ୍ଡିଆଙ୍କ ପାଇଁ ବୋଧେ ନାହିଁ "ମୋ ସରକାର" 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  • ଛାତ୍ର ମୃତ୍ୟୁ ଘଟଣା , ଶୁଣିଲେନି ଥାନାଧିକାରୀ 

  • ନ୍ୟାୟ ପାଇଁ ଏସପିଙ୍କ ଦୁଆରେ ଅସହାୟ ମା ବାପା 

  • ପୁଅ ମୃତ୍ୟୁର ଯନ୍ତ୍ରଣା ଠୁ ବଳାଇ ଯାଇଛି ପୋଲିସର ଅସହଯୋଗ 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଶିକ୍ଷକଙ୍କ ମାତ୍ରାଧିକ ଶାରୀରିକ ଦଣ୍ଡବିଧାନ ଯୋଗୁଁ ମୃତ୍ୟୁବରଣ କରିଛି ଦଶମ ପଢୁଆ ପୁଅ | ନିମିଷକ ମଧ୍ୟରେ ଉଜୁଡିଯାଇଛି ସୁଖର ସଂସାର | ଭାଙ୍ଗି ଯାଇଛି ପୁଅକୁ ନେଇ ମନରେ ଆଙ୍କିଥିବା ସବୁତକ ଅସୁମାରୀ ସ୍ବପ୍ନ | ଦୁଃଖ ଆଉ ଲୁହର ଘେରରେ ବୁଡିଯାଇଛି ଗରିବ କୁଡ଼ିଆ | ହେଲେ ସେଥିକି ଦୁଃଖ ଓ ଯାତନା ବୋଧେ ତାଙ୍କ ପାଇଁ ଯଥେଷ୍ଟ ହୋଇନାହିଁ, ନ୍ୟାୟ ପାଇଁ ଯାଇଥିବା ଥାନା ଦୁଆରେ ମଧ୍ୟ ସେମାନେ ହୋଇଛନ୍ତି ଅଣଦେଖା | ଗୋଟିଏ ପଟେ ଜୀବନର ଆଶାବାଡିକୁ ହରାଇବାର ଦୁଃଖ ହେଲେ ଅନ୍ୟପଟେ ବ୍ୟବସ୍ଥା ପାଖରୁ ହାରିଯିବାର ନିରାଶାଭାବ, ଏତେ ବଡ଼ ଦୁନିଆରେ ଏକପ୍ରକାର ଏକା ହୋଇଯାଇଛନ୍ତି ବଣାଇ ଥାନା ଅନ୍ତର୍ଗତ ବେଳକୁଦର ଗ୍ରାମର ଅସହାୟ ବାପା ମାଆ ମଙ୍ଗଳ ଭୂମିଜ ଓ ସହଚରୀ ଭୂମିଜ | ହେଲେ ଥାନାରୁ ଅଣଦେଖା ହୋଇ ନିରାଶ ହୋଇଥିବା ସେଇ ଭଙ୍ଗା ମନରେ ପୁଣି ଟିକେ ଆଶା ଭରି ଆଜି ରାଉରକେଲା ଏସପିଙ୍କ ଦୁଆରେ ପହଞ୍ଚି ପୁଅର ହତ୍ୟାକାରୀ ଉଚିତ ଦଣ୍ଡବିଧାନ କରିବାକୁ ଯୋଡ଼ହସ୍ତରେ ନେହୁରା ହୋଇଛନ୍ତି ସେମାନେ | ଆଜି ରାଉରକେଲା ଏସପିଙ୍କୁ ସାକ୍ଷାତ କରିପାରିନଥିବା ବେଳେ ଅତିରିକ୍ତ ଏସପି ସୁରେଶ ପାଠୀଙ୍କୁ ସାକ୍ଷାତକରି ଭୋ ଭୋ ହୋଇ କାନ୍ଦି ଦଶମ ପଢୁଆ ପୁଅକୁ ହରାଇବାର ଦୁଃଖକୁ ବୟାନ କରିଛନ୍ତି | ତାସହିତ ଗରିବ ଓ ଅସହାୟ ହୋଇଥିବାରୁ ସେମାନେ ବଣାଇ ଥାନାରେ କେମିତି ଅଣଦେଖାର ଶିକାର ହୋଇଛନ୍ତି ସେ ବିଷୟରେ ମଧ୍ୟ ଗୋଟିଗୋଟି କରି ବଖାଣିଛନ୍ତି | ଏହି ଅବସରରେ ସେମାନେ ଅତିରିକ୍ତ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ଟିଏ ମଧ୍ୟ ପ୍ରଦାନ କରିଛନ୍ତି | ଉକ୍ତ ଲିଖିତ ଅଭିଯୋଗରେ ଦର୍ଶାଯାଇଛି ଯେ ତାଙ୍କ ପୁଅ ମୁରଲୀ ଭୂମିଜ (15) ବଣାଇ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ବିଦ୍ୟାଳୟର ଶିକ୍ଷକ ରମେଶ ଚନ୍ଦ୍ର ସେଠିଙ୍କ ଦ୍ଵାରା ମାତ୍ରାଧିକ ଶାରୀରିକ ନିର୍ଯ୍ୟାତନାର ଶିକାରହୋଇ ନଭେମ୍ବର - 2 ରେ ଡାକ୍ତରଖାନା ନେବା ବାଟରେ ମୃତ୍ୟବରଣ କରିଛି | ଅକଟୋବର - 20 ଦିନ ସକାଳୁ  ମୁରଲୀ ସୋଇଥିବା ବେଳେ ଉକ୍ତ ଶିକ୍ଷକ ଉଦେଶ୍ୟମୂଳକ ଭାବରେ 300 ଥର ଯାଏ ଦଣ୍ଡ ବୈଠକ କରିବାକୁ କହିଥିଲେ | ମୁରଲୀ କଷ୍ଟେ ମଷ୍ଟେ 100 ଥର କରି ଥକି ପଡିବାପରେ ଉକ୍ତ ଶିକ୍ଷକ ତାକୁ ମାଡ ମାରିବା ସହିତ ଶାରୀରିକ ନିର୍ଯାତନା ଦେଇଥିଲେ | ଯାହା ଦ୍ଵାରା ମୁରଲୀର ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଖରାପ ହେବା ସହିତ ସେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲା | ହେଲେ ପୁଅର ଏଭଳି ସ୍ୱାସ୍ଥ୍ୟବସ୍ଥା ଖରାପ ସତ୍ୱେ ତାର ଚିକିତ୍ସା କରାଯାଇନଥିଲା କି ମା ବାପାଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ଖବର ଦିଆଯାଇନଥିଲା | ମୁରଲୀ ମୃତ୍ୟୁର ପ୍ରାୟ ଶେଷ ଅବସ୍ଥାରେ ପହଁଚିଲା ପରେ ଆମକୁ ଖବର ଦିଆଯାଇଥିଲା | ହେଲେ ଖବର ପାଇ ପୁଅକୁ ସଙ୍ଗେ ସଙ୍ଗେ ବଣାଇ, ରାଉରକେଲା ହସ୍ପିଟାଲରେ ଚିକିତ୍ସା କଲାପରେ ବୁର୍ଲା ମେଡିକାଲକୁ ନେଇକି ଯାଉଥିବା ବେଳେ ବାଟରେ ମୃତ୍ୟବରଣ କଲା | ଆମେ ଏ ସମ୍ୱନ୍ଧରେ ବଣାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆମେ ଗରିବ, ଅସହାୟ ଲୋକ ହୋଇଥିବାରୁ ଆମ କଥାକୁ କେହି ଗୁରୁତ୍ୱ ଦେଇନାହାନ୍ତି | ତେଣୁ ଆମ  ପୁଅକୁ ମାରିଦେଇ ଆମ ଆଶାବାଡିକୁ ସବୁଦିନ ପାଇଁ ଛଡାଇ ନେଇଥିବା ଉକ୍ତ ଶିକ୍ଷକ ରମେଶ ଚନ୍ଦ୍ର ସେଠିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉଭୟ ମଙ୍ଗଳ ଓ ସହଚରୀ ନିଜ କାନିପଣତ ଫେରାଇ ଅତିରିକ୍ତ ଏସପିଙ୍କୁ ନ୍ୟାୟର ଭିକ ମାଙ୍ଗିଛନ୍ତି | ଉଭୟ ମାଆ ବାପାଙ୍କ ଦୁଃଖ କଥା ଶୁଣିଲାପରେ ଅତିରିକ୍ତ ଏସପି ପାଠୀ ଏହାର ନିରପେକ୍ଷ ତଦନ୍ତ କରିବାର ପ୍ରତିଶୃତି ଦେଇଛନ୍ତି |

 

0
0
0
s2sdefault