ହେଡଲାଇନସ୍:

ଧର୍ମେନ୍ଦ୍ରଙ୍କ ଅହଙ୍କାର ଓ ଔଦ୍ଧତ୍ୟକୁ ଓଡ଼ିଶାବାସୀ ଜାଣିସାରିଲେଣି: ବିଜୟ ନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କହି ହେଉଥାଇ ପରକୁ ବୁଦ୍ଧି ନ ଦିଶଇ ଘରକୁ

ମହାନଦୀ ପ୍ରସଙ୍ଗରେ ଶ୍ରୀ ପ୍ରଧାନଂକ ଅସଲ ଚେହେରା ପଦାରେ ପଡିଯାଇଛି 

ଶସ୍ତା ବୟାନବାଜି ନୁହେଁ, ତେଲ ଦରବୃଦ୍ଧିରୁ ଲୋକଙ୍କୁ ଆଶ୍ୱସ୍ତି ଦିଅ    

 

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅହଙ୍କାରକୁ ପୁଞ୍ଜି କରି ଯେଉଁ ସ୍ତରକୁ ଯିବାକୁ ଚାହୁଁଛନ୍ତି ଯାଆନ୍ତୁ, ସେଥିରେ କାହାର କିଛି ଆପତ୍ତି  ନାହିଁ । କିନ୍ତୁ ଓଡ଼ିଶାକୁ ଆସି ଅହଙ୍କାର ଓ ଔଦ୍ଧତ୍ୟପୂର୍ଣ୍ଣ ବକ୍ତବ୍ୟ ଦେଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରନ୍ତୁ ନାହିଁ | କାରଣ ତାଙ୍କ ପାରିବାରପଣିଆ ଓଡିଶାବାସୀ ଜାଣିସାରିଲେଣି | ନିଜ ହାତରେ ଥିବା ତେଲ ମନ୍ତ୍ରଣାଳୟର ଅପାରଗତା କାରଣରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର କମ ଥିବାବେଳେ ପେଟରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧିରେ  ସାରାଦେଶ   ତଥା ସାଧାରଣ ଜନତା   ସନ୍ତୁଳି ହେଉଛନ୍ତି |  ସେପଟେ ତେଲ ଦର ବୃଦ୍ଧି ମାଧ୍ୟମରେ ସାଧାରଣ ଜନତାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି  ଭଳି ଅକଥନୀୟ ଯନ୍ତ୍ରଣା ଭିତରକୁ ଠେଲି ଦେଇ  ଏଠି ଅହଂକାରପୁର୍ଣ ବୟାନବାଜି କରିବା ଘଟଣାକୁ ରାଜ୍ୟବାସୀ ଠିକ ବୁଝିସାରିଲେଣି ବୋଲି  ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି । 

ଶ୍ରୀ ନାୟକ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ୍ ମନ୍ତ୍ରୀଭାବରେ ଦୈନିକ ବୃଦ୍ଧି ପାଉଥିବା ତୈଳ ଦରକୁ ନିୟନ୍ତ୍ରଣ କରିବା ଦିଗରେ ଏ ପର୍ଯ୍ୟନ୍ତ କ’ଣ କରିଛନ୍ତି, ତାହା ସାଧାରଣ ଲୋକଙ୍କୁ ପ୍ରଥମେ ଜଣାନ୍ତୁ । ତୈଳ ଦର ବୃଦ୍ଧିରେ ସାଧାରଣ ଲୋକେ ଅଣନିଃଶ୍ୱାସୀ ହୋଇଯାଉଥିବା ବେଳେ ଜଣେ ବିଫଳ କେନ୍ଦ୍ରମନ୍ତ୍ରୀ ଭାବରେ ଓଡ଼ିଶା ଆସି ରାଜନୈତିକ ଉଦ୍ଦେଶ୍ୟ  ପ୍ରଣୋଦିତ ମନ୍ତବ୍ୟ ଦେଇ ଓଡ଼ିଶାବାସୀଙ୍କୁ ଭକୁଆ ବନାନ୍ତୁ ନାହିଁ । ମହାନଦୀ ପ୍ରସଙ୍ଗରେ ଶ୍ରୀ ପ୍ରଧାନଂକ ଅସଲ ଚେହେରା ପଦାରେ ପଡିଯାଇଛି | ମହାନଦୀ ପ୍ରସଂଗରେ ଶ୍ରୀ ପ୍ରଧାନ ବିଜେପି ଶାସିତ ଛତିଶଗଡ଼ ସରକାରଙ୍କୁ ସୁହାଇଲା ଭଳି ଓଡ଼ିଶା ମାଟିରେ ଯେଉଁ ଆଚରଣ ଓ ଉଚ୍ଚାରଣ କଲେ, ସେଥିରୁ ଓଡ଼ିଶାବାସୀ ତାଙ୍କର ନଗ୍ନ ଚରିତ୍ରକୁ ଭଲ ଭାବରେ ବୁଝିସାରିଛନ୍ତି । ଧର୍ମେନ୍ଦ୍ର ବାବୁ ଯେଉଁ ରାଜ୍ୟରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ଯେଉଁ ରାଜ୍ୟ ପାଇଁ ଓଡ଼ିଶା ମାଟିରେ ଦଲାଲି କରୁଛନ୍ତି ସେହି ଦୁଇ ରାଜ୍ୟର ଆଭ୍ୟନ୍ତରୀଣ ପ୍ରସଂଗରେ ମୁଣ୍ଡ ଖେଳାଇଲେ ନିଜର ବାସ୍ତବ ସ୍ଥିତି କ’ଣ ତାହା ଜାଣିପାରନ୍ତେ । ତାହା ନକରି ଓଡ଼ିଶା ଗସ୍ତରେ ଆସି ଶସ୍ତା ରାଜନୀତି କରିବା ପାଇଁ ଅହଙ୍କାରପୂର୍ଣ୍ଣ ବୟାନବାଜି ଗଣମାଧ୍ୟମରେ ଦେଇ ରାଜ୍ୟବାସୀଙ୍କ ପାଖରେ ନିଜକୁ ଲଜ୍ଜିତ କରନ୍ତୁ ନାହିଁ । ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରକୃତ ଉଦ୍ଦେଶ୍ୟ  ଓ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ତାଙ୍କର ସମ୍ବେଦନଶୀଳତାକୁ ଓଡ଼ିଶାବାସୀ ଠିକ୍ ଭାବେ ବୁଝିସାରିଲେଣି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ  କହିଛନ୍ତି ।

ଶ୍ରୀନାୟକ କହିଛନ୍ତି, ଶ୍ରୀ ପ୍ରଧାନ କେନ୍ଦ୍ରରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଅଛନ୍ତି । ସେହି ଦୁଇ ବିଭାଗର କାର୍ଯ୍ୟକ୍ରମ ଓ ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ସଦାବେଳେ ଚୁପ୍‍ ରହୁଥିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ଗ୍ୟାସ୍‍ ମନ୍ତ୍ରାଳୟ ଦାୟିତ୍ୱ ଶ୍ରୀ ପ୍ରଧାନ ନେବା ପରେ ପେଟ୍ରୋଲ୍‍, ଡିଜେଲ୍‍ ଓ ରନ୍ଧନ ଗ୍ୟାସ ଦର ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସଂପ୍ରତି ଏହି ତୈଳ ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଗାମୀ ସମୟରେ ଏହି ରେକର୍ଡ ପୁଣି ଭାଙ୍ଗି ନୂଆ ରେକର୍ଡ ଦର ବୃଦ୍ଧିରେ ସୃଷ୍ଟି ହେବ । ଏ କ୍ଷେତ୍ରରେ ସଂପୃକ୍ତ ମନ୍ତ୍ରୀ କିନ୍ତୁ କେବେ ପାଟି ଖୋଲୁନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଶାସନ ଥିବା ସମୟରେ ପେଟ୍ରୋଲ୍‍ ଓ ଡିଜେଲ୍‍କୁ ସରକାରୀ ନିୟନ୍ତ୍ରଣ ମୁକ୍ତ କରି ତୈଳକମ୍ପାନୀମାନଙ୍କ ମର୍ଜି ଉପରେ ଛାଡ଼ି ଦିଆଯାଇଥିଲା, ଯାହାକୁ ସେତେବେଳର ବିରୋଧୀ ଏବଂ ବର୍ତ୍ତମାନର ଶାସକ ଦଳ ତୀବ୍ର ବିରୋଧ କରିବା ସହ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇ ଦେଶବାସୀଙ୍କୁ ଭେଳିକି ଦେଖାଉଥିଲେ । କିନ୍ତୁ ଏବେ କ୍ଷମତାକୁ ଆସିଲା ପରେ ସେ ସଂପର୍କରେ କୌଣସି ନିଷ୍ପତ୍ତି ନେଲେ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂପର୍କରେ ସ୍ପଷ୍ଟୀକରଣ ଦେବା ନିହାତି ଦରକାର । କିନ୍ତୁ ତୈଳ ଦର ବୃଦ୍ଧି ତଥା ତୈଳ କମ୍ପାନୀଙ୍କ ଇଚ୍ଛା ଉପରେ ସାରା ଭାରତକୁ ଛାଡ଼ିଦେବା ବିଷୟରେ ସେ ପଦୁଟିଏ କହୁନାହାନ୍ତି । ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ପଡେ଼ାଶୀ ରାଷ୍ଟ୍ରମାନଙ୍କରେ ଭାରତ ଠାରୁ ଅପେକ୍ଷାକୃତ କମ୍‍ ଥିବାବେଳେ ଆମ ଦେଶର କେନ୍ଦ୍ର ସରକାର ଉପôାଦ ଶୁଳ୍କ ନାମରେ ତୈଳ କମ୍ପାନୀଙ୍କ ସହ ସଲାସୁତୁରାରେ ସାଧାରଣ ଜନତାଙ୍କୁ ଲୁଟିବାରେ ଲାଗିଛନ୍ତି । କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୨୦୧୪ ମସିହା ତୁଳନାରେ ପେଟ୍ରୋଲ ଓ ଡିଜେଲ୍‍ରେ ଯଥାକ୍ରମେ ବର୍ତ୍ତମାନ ୧୨୫% ଓ ୫୦୦% ବଢ଼ାଯାଇଛି । ଏହାକୁ ଖାଉଟିଙ୍କ ସ୍ୱାର୍ଥ ରକ୍ଷାରେ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପଛଘୁଞ୍ଚା ଦେଉଛନ୍ତି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅସହାୟତା ପ୍ରକାଶ କରିଛନ୍ତି । ଏହି ଅହେତୁକ ମୂଲ୍ୟ ବୃଦ୍ଧିରେ ରାଷ୍ଟ୍ରୀୟ ତୈଳ କମ୍ପାନୀଗୁଡିକ ୧୬୦% ଲାଭବାନ ହେଉଥିବା ବେଳେ ତୈଳ ଡିଲରମାନଙ୍କ କମିଶନ ବଢେ଼ଇ ଦିଆଯାଇଛି । କିନ୍ତୁ ଖୁଚୁରା ଖାଉଟି ମୂଲ୍ୟ କମାଇବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କର କୌଣସି ପଦକ୍ଷେପ ନାହିଁ ।

ସ୍ୱାଧୀନତାର ୭ ଦଶନ୍ଧି ପରେ ଭାରତ ବର୍ଷରେ ମୋଦି ସରକାର ନୂଆ ନିୟମ ପ୍ରଣୟନ କଲେ- ପ୍ରତିଦିନ ତୈଳ ଦର ନିର୍ଦ୍ଧାରଣ ହେବ । ସେଥିରେ ଦେଖାଗଲା ଯେ ୩୬୫ ଦିନରୁ ୩୨୩ ଦିନ ଦର ବଢ଼ୁଛି ଏବଂ ୪୨ଦିନ କମୁଛି । ଲୋକଙ୍କୁ ଲୁଟିବାରେ ମୋଦି ସରକାରଙ୍କର ନୂଆ ନିୟମ ବୋଲି ଲୋକେ ଏହାକୁ ଧରିନେଇଛନ୍ତି । ବର୍ତ୍ତମାନ ସାଧାରଣରେ ଚର୍ଚ୍ଚା ହେଉଛି, କେବେ ମୋଦି ସରକାର ପ୍ରତି ଘଣ୍ଟାରେ ତୈଳ ଦର ନିର୍ଦ୍ଧାରଣ କରିବାକୁ ନିଦେ୍ର୍ଧଶ ଦେଉଛନ୍ତି । ଏବେ ମଧ୍ୟ କେନ୍ଦ୍ର ସରକାର ଯେଉଁମାନଙ୍କୁ ସବ୍‍ସିଡିରେ ଗ୍ୟାସ୍‍ ଦେଇଛନ୍ତି ସେମାନେ ଏବେ ନିୟମିତ ଦରବୃଦ୍ଧି ଯୋଗୁ ରିଫିଲିଂ କରିପାରୁ ନାହାନ୍ତି । ସବ୍‍ସିଡି ପାଇଥିବା ମହିଳାଙ୍କ ମଧ୍ୟରୁ ୨୦ ପ୍ରତିଶତ ମହିଳା ସିଲିଣ୍ଡର ଭରୁଥିବା ବେଳେ ବାକି ୮୦ ପ୍ରତିଶତ ମହିଳାଙ୍କ ପକ୍ଷରେ ଗ୍ୟାସ୍‍ରେ ରୋଷେଇ କରିବା ସ୍ୱପ୍ନ ପାଲଟିଯାଇଛି ଏବଂ ଗରିବଙ୍କ ରୋଷେଇ ଘରୁ ଧୂଆଁ ହଟାଇବା କେନ୍ଦ୍ରର ପରିକଳ୍ପନା ଏବେ ତାଙ୍କ ପ୍ରତି ଉପାହାସ ସଦୃଶ ହୋଇଛି । ପରବର୍ତ୍ତୀ ଓଡ଼ିଶା ଗସ୍ତ ସମୟରେ ତୈଳମନ୍ତ୍ରୀ ଏ ସଂପର୍କରେ ଉତ୍ତର ଦେବେ କି? ସେହିଭଳି ତାଙ୍କୁ ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ମୋଦି ସରକାର ବର୍ଷକୁ ଯୁବକମାନଙ୍କୁ ୨ କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଶାସନକୁ ଆସିବା ପରେ ଏ କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇ ଅତ୍ୟନ୍ତ ଜନଅସନ୍ତୋଷର ସାମ୍ନା କରୁଛନ୍ତି । ଶ୍ରୀ ପ୍ରଧାନ ଏ ସଂପର୍କରେ କ’ଣ କହିବେ? କେନ୍ଦ୍ରମନ୍ତ୍ରୀ ଭାବରେ ଦକ୍ଷତା ବିକାଶ ପାଇଁ ଓଡ଼ିଶାର ଯୁବବର୍ଗଙ୍କ ପାଇଁ କ’ଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ସେ ସଂପର୍କରେ ତଥ୍ୟ ରଖିବାକୁ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ଆହ୍ୱାନ ଦେଇଛନ୍ତି । ଏ ସମସ୍ତ କଥାର ଉତ୍ତର ନଦେବା ପର୍ଯ୍ୟନ୍ତ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନପୂରାଇବା ଉଚିତ୍‍ ହେବ ବୋଲି ଶ୍ରୀ ନାୟକ କହିଛନ୍ତି । କହି ହେଉଥାଇ ପରକୁ ବୁଦ୍ଧି

 ନ ଦିଶଇ ଘରକୁ  ବୋଲି ଧର୍ମେନ୍ଦ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ବିଜେଡି ସମ୍ପାଦକ ଶ୍ରୀ ନାୟକ |

 

 

 

 

0
0
0
s2sdefault