ମୁନିସିପାଲିଟି ଓ ପଞ୍ଚାୟତ ଉପ-ନିର୍ବାଚନ ପ୍ରମାଣ କରେ ବିଜେଡି ଉପରେ ଲୋକଙ୍କ ଆସ୍ଥା ଅତୁଟ ରହିଛି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର,୨୦/୧/୨୦୧୮: ରାଜ୍ୟରେ ଚଳିତ ମାସ ୧୬ ଓ ୧୯ ତାରିଖରେ ହୋଇଥିବା ସମସ୍ତ ମୁନିସିପାଲିଟି ଓ ପଞ୍ଚାୟତ ସଭ୍ୟ ଉପ-ନିର୍ବାଚନରେ ବିଜେଡି ଓ ଏହି ଦଳ ସମର୍ଥôତ ପ୍ରାର୍ଥୀ ବିଜୟୀ ହେବା ପ୍ରମାଣ କରିଛି, ଓଡ଼ିଶାର ସାଢେ଼ ୪କୋଟି ଜନସାଧାରଣଙ୍କ ବିଜେଡି ଉପରେ ଆସ୍ଥା ଅତୁଟ ରହିଛି ।  ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଏହା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ନୂଆପଡ଼ା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେତେ ଯେଉଁଠି ଉପ-ନିର୍ବାଚନ ହୋଇଛି, ସେଥିରେ ବିଜୁ ଜନତା ଦଳ ପ୍ରାର୍ଥୀ ଜିତିଆସିଛନ୍ତି । କିନ୍ତୁ ବିଜେପି ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ପ୍ରଦାନ ସହ ରାଜ୍ୟର ଶାସନକୁ ନେଇ ଯେଉଁ ପ୍ରଶ୍ନ ଉଠାଉଛି, ସେ ସବୁର ଉତ୍ତର ସଦ୍ୟ ପ୍ରକାଶ ପାଇଥିବା ମୁନିସିପାଲିଟି ଓ ପଞ୍ଚାୟତ ଉପ-ନିର୍ବାଚନରୁ ମିଳିଛି । ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପି ବାରମ୍ବାର ଯେ ଜାଣିଶୁଣି ଭିତ୍ତିହୀନ ଅଭିଯୋଗ ଆଣୁଛି, ଉପ-ନିର୍ବାଚନ ଫଳାଫଳ ତାହାର ଜ୍ୱଳନ୍ତ ଉଦାହରଣ । ତା’ନହୋଇଥିଲେ ଉପ-ନିର୍ବାଚନରେ ବିଜେଡି ବାଲେଶ୍ୱର ଜିଲ୍ଲା ପରିଷଦ ଜୋନ୍‍ ନଂ ୨୬ରୁ ୫୨% ଭୋଟ ପାଇନଥାନ୍ତା । ଗତ ପଞ୍ଚାୟତ ନିର୍ବାଚନରେ ୧୪ ପ୍ରତିଶତ ଅଧିକ ଭୋଟ ପାଇ ଏହି ଆସନ ବିଜେପି କବ୍‍ଜାରେ ଥିଲାବେଳେ ଏଥର ଏହି ଦଳକୁ ମାତ୍ର ୯୩୮୫ ଭୋଟ ମିଳିଥିଲା ବେଳେ ବିଜେଡିକୁ ୧୩,୫୦୦ ଭୋଟ ମିଳିଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ଆମ୍ବିଳ ପଞ୍ଚାୟତରୁ ବିଜେଡି ସମର୍ଥିତ  ପ୍ରାର୍ଥୀ ୧୨୨୫ ଭୋଟ ପାଇ ବିଜୟଲାଭ କରିଥିଲା ବେଳେ ବିଜେପି ତୃତୀୟ ଓ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଳକର ପେଣ୍ଠପାଳ ପଞ୍ଚାୟତରୁ ବିଜେଡି ସମର୍ଥିତ  ପ୍ରାର୍ଥୀ ୧୪୬୧ ଭୋଟ ପାଇ ଜିତିଥିଲା ବେଳେ ବିଜେପି ସମର୍ଥିତ  ପ୍ରାର୍ଥୀଙ୍କ ସ୍ଥାନ ତୃତୀୟରେ ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ୧୬ଟି ୱାର୍ଡ ଉପ-ନିର୍ବାଚନରେ ବିଜେଡି ସମର୍ଥିତ  ପ୍ରାର୍ଥୀ ୧୨ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୩ଟି ଓ ବିଜେପିକୁ ମାତ୍ର ଗୋଟିଏ ଆସନ ମିଳିଛି । ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ ନିଜାମପୁରରେ ବିଜେଡି ସମର୍ଥôତ ସମିତି ସଭ୍ୟ ପ୍ରାର୍ଥୀ ୧୭୦୦ ଭୋଟ ପାଇ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‍ ବ୍ଲକରେ ଖଜାପଲ୍ଲୀ ଏବଂ ଶେରଗଡ଼ ବ୍ଲକର କୁମାରପାଣି, ବାରମୁଣ୍ଡଳୀ ପଞ୍ଚାୟତରେ ବିଜେଡି ସମର୍ଥିତ  ସରପଞ୍ଚ ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ୧୭ ତାରିଖରେ ଅନୁଷ୍ଠିତ  ଉପ-ନିର୍ବାଚନରେ ଅନୁଗୁଳ ମୁନିସିପାଲିଟି ୧୦ନଂ ୱାର୍ଡରୁ ବିଜେଡି ପ୍ରାର୍ଥୀ ୪୭୬ ଭୋଟ, ପାରାଦୀପ ମୁନିସିପାଲିଟି ୬ନଂ ୱାର୍ଡରୁ ବିଜେଡି ୫୬୦ ଭୋଟ୍‍ ଓ ପଟ୍ଟାମୁଣ୍ଡାଇ ମୁନିସିପାଲିଟି ୧୭ନଂ ୱାର୍ଡରୁ ବିଜେଡି ୪୯୧ ଭୋଟ ପାଇ ବିଜୟୀ ହେବା ସହ ଏହା ପ୍ରମାଣ କରିଦେଇଛି, ରାଜ୍ୟବାସୀଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆସ୍ଥା ଓ ଭରସା ଅତୁଟ ରହିଛି ।

ଆଜିର ଫଳାଫଳରେ ଗୋଟିଏ କଥା ସ୍ପଷ୍ଟ ଯେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆଦୌ ମଳିନ ପଡିନି ଏବଂ ରାଜ୍ୟର ଶାସନ ଠିକ୍‍ ଭାବେ ଚାଲିଛି । ବିଜୁ ଜନତା ଦଳ ଆହୁରି ମଜଭୁତ ହେବାରେ ଲାଗିଛି । ଏହା ସତ୍ୟ ହେଲେ ମଧ୍ୟ ବିଜେପି ଏହାକୁ ମାନିବ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ‘କଠିନ ପରିଶ୍ରମ କର, ଲୋକଙ୍କ ପାଖକୁ ଯାଅ, ଲୋକଙ୍କ ସାଙ୍ଗରେ ରୁହ’ ପରାମର୍ଶ ହିଁ ବିଜୁ ଜନତା ଦଳକୁ ଆଗକୁ ନେବାରେ ସହାୟକ ହୋଇଛି ଏବଂ ଭବିଷ୍ୟତରେ ମଧ୍ୟ ରହିବ । ଫଳାଫଳକୁ ନେଇ ବାଲେଶ୍ୱର ୨୬ନଂ ଜିଲ୍ଲା ପରିଷଦ ଜୋନ୍‍, କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠପାଳ ପଞ୍ଚାୟତ ଓ ବଡ଼ଆମ୍ବିଳ ପଞ୍ଚାୟତ, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ନିଜାମପୁର ପଞ୍ଚାୟତ, ବେତନଟୀ ବ୍ଲକ, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‍ ବ୍ଲକର ଖଜାପଲ୍ଲୀ ଓ ଶେରଗଡ଼ ବ୍ଲକର କୁମାରପାଣି ଏବଂ ବାରମୁଣ୍ଡଳୀ ପଞ୍ଚାୟତର ଜନସାଧାରଣ ବିଜୁ ଜନତା ଦଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଦଳ ତରଫରୁ ଧନ୍ୟବାନ ସହ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି ଶ୍ରୀ ଦେବ କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସସ୍ମିତ ପାତ୍ର, ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ ।

0
0
0
s2sdefault