ହେଡଲାଇନସ୍:

କୃଷିଋଣ ଛାଡ ଦାବି ବିଜେପିର ନାଟକବାଜି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ କୃଷିଋଣ ଛାଡ କରନ୍ତୁ - କଂଗ୍ରେସ

ଭୁବନେଶ୍ୱର – ଓଡିଶାରେ କୃଷିଋଣ ଛାଡ ପାଇଁ ବିଜେପି ଦଳ ଦାବି କରୁଥିବା ବେଳେ ସେହି ବିଜେପି ଦଳର କେନ୍ଦ୍ର କୃଷିମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଚାଷୀଙ୍କ ଠାରୁ କୃଷିଋଣ ଛାଡ କରାଯିବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଛନ୍ତି । ଏଥିରୁ ଚାଷୀଙ୍କ ପ୍ରତି ବିଜେପି ସରକାରଙ୍କ କେତେ ଦରଦ ତାହା ସ୍ପଷ୍ଟ ପ୍ରମାଣିତ । ବିଜେପି ଦଳର ଏପରି ଦୋମୁହାଁ ନୀତିକୁ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ୨୦୦୮ ମସିହାରେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରଙ୍କ ସମୟରେ ଚାଷୀଙ୍କ ବାସ୍ତବ ସମସ୍ୟାକୁ ଅନୁଭବ କରାଯାଇ ଦେଶର ପ୍ରାୟ ୫ କୋଟି ଚାଷୀଙ୍କ ଉପରୁ ୭୨ ହଜାର ୬୮୦ କୋଟି ଟଙ୍କା ଜୃଷି ଋଣ ଛାଡ କରାଯାଇଥିବା ବେଳେ ଓଡିଶା ରାଜ୍ୟର ୨୫ ଲକ୍ଷରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କ ଉପରୁ ପ୍ରାୟ ୨୬ ହଜାର କୋଟି ଟଙ୍କା କୃଷିଋଣ ଛାଡ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା କେନ୍ଦ୍ରରେ ବିଜେପି ସରକାର ଶାସନକୁ ଆସିବା ପରେ ଶିଳ୍ପପତିମାନଙ୍କୁ କୋଟି କୋଟି ଟଙ୍କା ଋଣ ଛାଡ କରିଥିବା ବେଳେ ଦୁର୍ଦ୍ଧିନରେ ଥିବା ଚାଷୀମାନଙ୍କ ପାଇଁ ଫଟା ପାହୁଲାଟିଏ ଛାଡ କରିନାହାନ୍ତି । ପଞ୍ଜାବ, କର୍ଣ୍ଣାଟକ ଓ ଅନ୍ୟ କେତୋଟି ରାଜ୍ୟ ସରକାର ଚାଷୀଙ୍କ ଉପରୁ କୃଷିଋଣ ଛାଡ କରିଥିବା ବେଳେ ବର୍ତ୍ତମାନ ବିଜେପି ଦଳର କେନ୍ଦ୍ରମନ୍ତ୍ରୀ କହୁଛନ୍ତି କୃଷିଋଣ ଛାଡ ଏକ ଆଦର୍ଶ ବ୍ୟବସ୍ଥା ନୁହେଁ । ଏପରି ଋଣ ଛାଡ କରାଗଲେ ନିୟମିତ ଋଣ ପରିଶୋଧ କରୁଥିବା ଚାଷୀଙ୍କ ମନରେ ନକରାତ୍ମକ ପ୍ରଭାବ ପକାଇବ । ତେଣୁ ବିଜେପି ଦଳ ଚାଷୀଙ୍କ ପାଇଁ କେବଳ ନାଟକବାଜି କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ଅନ୍ୟ ରାଜ୍ୟ ପରି ଓଡିଶା ସରକାର  ଦୁର୍ଦ୍ଦିନ ଭିତରେ ଥିବା ଚାଷୀଙ୍କ ଠାରୁ ଋଣ ଛାଡ କରିବା ଏକାନ୍ତ ଜରୁରୀ । ତେଣୁ ଉଭୟ ବିଜେପି ଓ ବିଜେଡି ସରକାରଙ୍କର ଯଦି ଚାଷୀଙ୍କ ପ୍ରତି ତିଳେମାତ୍ର ଦରଦ ଥାଏ, ଆଉ କାଳବିଳମ୍ବ ନକରି କେନ୍ଦ୍ର ସରକାରଙ୍କ ଜାତୀୟକରଣ ବ୍ୟାଙ୍କ ଓ ରାଜ୍ୟ ସରକାରଙ୍କ ସମବାୟ ବ୍ୟାଙ୍କଗୁଡିକରୁ କୃଷି ଋଣ ନେଇଥିବା ଚାଷୀଙ୍କ ଠାରୁ ସଂପୂର୍ଣ୍ଣ କୃଷିଋଣ ଛାଡ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ କଂଗ୍ରେସ କୃଷକ ସେଲ୍ ନେତା ଜଗନ୍ନାଥ ଜେନା, ବୃନ୍ଦାବନ ଖଟେଇ, କୃଷ୍ଣଚନ୍ଦ୍ର ନେପାକ, ଲଲାଟେନ୍ଦୁ ପଟ୍ଟନାୟକ, ସୁବୋଧ ବେହେରା, ଉମେଶ ସାହୁ, ସନ୍ତୋଷ ସାହୁ, ନିତ୍ୟାନନ୍ଦ ପଣ୍ଡା, ଜତି ପ୍ରଧାନ, ଖଗେଶ୍ୱର ଜେନା, ପି. ଦେବେନ୍ଦ୍ର ରାଓ, ସୁବାଷ ରାଉତ, ରଘୁନାଥ ପଲିଆ, ପ୍ରମୋଦ ପଟ୍ଟନାୟକ ପ୍ରମୁଖ ଦୃଢ ଦାବି କରିଛନ୍ତି ।

 

 

0
0
0
s2sdefault