ହେଡଲାଇନସ୍:

କରଞ୍ଜିଆ ନିର୍ବାଚନମଣ୍ଡଳୀ ବାସୀ : କା ମୁଣ୍ଡେ ଢ଼ାଳିବେ ସୁନା କଳସୀ  

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 

ଚୌକା ମାରିବା ଆଶାରେ ବିଜେଡି, ପଦ୍ମଚରଣ ଦେବେନି ତା ଖେଳ ବିଗାଡି

କଂଗ୍ରେସ ବି ଏଠି କମ ନୁହଁ, ତ୍ରିମୁଖୀ ଲଢେଇ ଏବଠୁ ଥୟ

       କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ କରିବେ ଭାଗ୍ୟ ନିର୍ଣ୍ଣୟ

ବାରିପଦା (ଅରବିନ୍ଦ ଦାସ)- କେନ୍ଦୁଝର ଲୋକସଭା କ୍ଷେତ୍ର ସହିତ ମିଶିଥିବା ମୟୂରଭଞ୍ଜ ଜିଲ୍ଲାର ୩୦ ନଂ କରଞ୍ଜିଆ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀ କରଞ୍ଜିଆ ଏନଏସିର ୧୫ ୱାର୍ଡ ସହ କରଞ୍ଜିଆ ବ୍ଲକର ୧୫ଟି ପଞ୍ଚାୟତ ଅଧୀନରେ ଥିବା ୧୮୦ ୱାର୍ଡ, ଠାକୁରମୁଣ୍ଡା ବ୍ଲକର ୧୮ ଟି ପଞ୍ଚାୟତ ଅଧୀନରେ ଥିବା ୨୬୬ଟି ୱାର୍ଡ ଏବଂ କପ୍ତିପଦା ବ୍ଲକର ୯ଟି ପଞ୍ଚାୟତ ଅଧୀନରେ ଥିବା ୧୨୨ ୱାର୍ଡ   ନେଇ ଗଠିତ ହୋଇଥିବା ସମୟରେ ୨୦୧୯ ଜାନୁଆରୀ ୨୧ରେ ପ୍ରକାଶିତ ଭୋଟର ତାଲିକା ଅନୁସାରେ ନିର୍ବାଚନ ମଣ୍ଡଳୀରେ ୯୧,୩୮୭ ପୁରୁଷ , ୯୧,୭୦୩ ମହିଳା ଓ ୬ ଜଣ ଅନ୍ୟାନ୍ୟଙ୍କୁ ମିଶାଇ ମୋଟ ୧,୮୩,୦୯୬ ଭୋଟର ରହିଛନ୍ତି । କେନ୍ଦୁଝର ଲୋକସଭା ଓ କରଞ୍ଜିଆ ବିଧାନସଭା ନିମନ୍ତେ ଆସନ୍ତା ଏପ୍ରିଲ ୨୩ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ  ହେଉଥିବା ବେଳେ  ମାର୍ଚ୍ଚ ୨୮ରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ  ଏପ୍ରିଲ ୪ରେ ଶେଷ ହେବ । ତେଣୁ ଲୋକସଭା ଓ ବିଧାନସଭା ନିର୍ବାଚନ ନିମନ୍ତେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବାର ପରିଲକ୍ଷିତ ହୋଇଛି । ଶାସକ ବିଜଦରୁ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ବାସନ୍ତୀ ହେମ୍ବ୍ରମ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ପୂର୍ବତନ ବିଧାୟକ(ସ୍ୱାଧୀନ) ପଦ୍ମ ଚରଣ ହାଇବୁରୁ ଓ କଂଗ୍ରେସ-ଜେଏମଏମ ମେଣ୍ଟରୁ କଂଗ୍ରେସ ସୁଦାମ ନାଏକଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ନିର୍ବାଚନରେ କିଏ ଜିତିବ ତାହାକୁ ନେଇ ଅଙ୍କକଷା ଚାଲିଛି । ସେହିପରି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣ ମଧ୍ୟ ବଦଳିବାରେ ଲାଗିଛି ।             

            ଓଡ଼ିଶାରେ ୨୦୦୦ ନିର୍ବାଚନରେ ବିଜଦ ଓ ଭାଜପା ସହ ମେଣ୍ଟ କରି ନିର୍ବାଚନ ଲଢ଼ୁଥିବା ବେଳେ  କରଞ୍ଜିଆ(ଏସଟି) ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପଦ୍ମ ଚରଣ ହାଇବୁରୁ ବିଜେଡ଼ି ପ୍ରାର୍ଥୀଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଥିଲେ ।  ୨୦୦୪ଠାରୁ ନିର୍ବାଚନ ମଣ୍ଡଳୀକୁ ବିଜେଡ଼ି ଦଖଲରେ ରହିଆସିଛି । ୨୦୦୪ରେ ବିଜେଡିର ଅଜିତ ହେମ୍ବ୍ରମ ଜିତିଥିବା ବେଳେ  ୨୦୦୯ ଓ ୨୦୧୪ରେ ବିଜୟ ନାଏକ ଲଗାତର ଦୁଇଥର ବିଜଦରୁ ବିଧାୟକ ହୋଇଥିଲେ | ତେଣୁ ୨୦୧୯ରେ ବିଜଦ ଚଉକା ମାରିବାକୁ ବା ଚତୁର୍ଥ ଥର ପାଇଁ ଜିତିବାକୁ  ଆଶା ବାନ୍ଧିଛି । ୨୦୦୯ ନିର୍ବାଚନରେ ବିଜଦ ଚର୍ତୁମୁଖୀ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହୋଇ ୩୭.୨୫ ପ୍ରତିଶତ ହାରରେ ୩୮,୯୩୪ ଖଣ୍ଡ,  କଂଗ୍ରେସ ୧୬.୭୭ ପ୍ରତିଶତ ହାରରେ ୧୭,୫୩୩ ଖଣ୍ଡ, ଭାଜପା  ୧୫.୯୬ ପ୍ରତିଶତ ହାରରେ ୧୬,୬୮୭ ଖଣ୍ଡ  ଏବଂ ସ୍ୱାଧୀନ ପ୍ରାର୍ଥୀ ପଦ୍ମ ଚରଣ ହାଇବୁରୁ ୧୩.୯୬ ପ୍ରତିଶତ ହାରରେ ୧୪,୫୯୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ । ସେହିପରି ୨୦୧୪ ନିର୍ବାଚନ ବେଳେ ଓଡ଼ିଶା ସହ ମୟୂରଭଞ୍ଜ ଜିଲ୍ଲାରେ ନବୀନ ଲହଡ଼ି କାରଣରୁ ବିଜଦର ବିଧାୟକ ନିର୍ବାଚିତ ହେବାରେ ସଫଳ ହୋଇଥିଲେ । ନିର୍ବାଚନରେ ୧,୬୫,୫୮୨ ଭୋଟରଙ୍କ ମଧ୍ୟରୁ  ୭୮.୨୩ ପ୍ରତିଶତ ହାରରେ ୧,୨୯,୫୮୩ ଭୋଟ ପଡ଼ିଥିବା ବେଳେ ବିଜଦକୁ ୨୯.୭୯ ପ୍ରତିଶତ ହାରରେ ୩୮,୬୦୯ ଖଣ୍ଡ , ଭାଜପାକୁ ୧୯.୩୪ ପ୍ରତିଶତ ହାରରେ ୨୫,୦୫୮ଖଣ୍ଡ, ସ୍ୱାଧୀନ ପ୍ରାର୍ଥୀ ପଦ୍ମଚରଣ ହାଇବୁରୁ ୧୮.୫୪ ପ୍ରତିଶତ ହାରରେ ୨୪,୦୩୦ ଖଣ୍ଡ ଓ କଂଗ୍ରେସକୁ ୧୪.୮୪ ପ୍ରତିଶତ ହାରରେ ୧୯,୨୨୬ ଖଣ୍ଡ ଭୋଟ ମିଳିଥିଲା । ୨୦୦୯ ଓ ୨୦୧୪ ନିର୍ବାଚନକୁ ତୁଳନା କଲେ ବିଜଦ ବିଧାୟକଙ୍କୁ ମିଳିଥିବା ଭୋଟର ହାର ୭.୪୬ ପ୍ରତିଶତ ତଳକୁ ଖସି ଆସିଥିଲା । ଅର୍ଥାତ୍ ନିର୍ବାଚନୀ ଫଳାଫଳ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରାଇଥିଲା । ଏଥିସହିତ ବିଧାୟକ ବିଜୟ ନାୟକ ଏକ ଷ୍ଟିଙ୍ଗ ଅପରେସନରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ କାରଖାନା ନିମନ୍ତେ ଚାନ୍ଦା ମାଗିବା, ମିଥ୍ୟା ସତ୍ୟପାଠ ମାମଲାରେ ମଧ୍ୟ ଛନ୍ଦି ହେବା ସାଙ୍ଗକୁ ଏକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରିବା ଆଦି ଅଭିଯୋଗରେ ଫସି ଯାଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ଗତ ମନ୍ତ୍ରୀ ମଣ୍ଡଳର ଅଦଳବଦଳ ସମୟରେ ଶ୍ରୀନାଏକଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଇବାର ଘୋଷଣା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବାଦ ଦେବାକୁ ବାଧ୍ୟ ହୋଇଥିଲେ । ମୋଟ ଉପରେ ବିଭିନ୍ନ କାରଣରୁ କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ବିଧାୟକ ତାଙ୍କର ଲୋକପ୍ରିୟତା ହରାଇ ବସିଥିବା ରିପୋର୍ଟ ମୁଖ୍ୟମନ୍ତ୍ରୀ ନବୀନଙ୍କ ହସ୍ତଗତ ହେବା ପରେ ୨୦୧୯ ନିର୍ବାନରେ ନିର୍ବାଚନ ମଣ୍ଡଳୀରେ ବିଧାୟକ ଶ୍ରୀ ନାଏକଙ୍କ ବଦଳରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ବାସନ୍ତୀ ହେମ୍ବ୍ରମଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଟିକଟ ଦେଇଛନ୍ତି । ସେହିପରି କଂଗ୍ରେସ ଶିକ୍ଷକ ସୁଦାମ ନାଏକଙ୍କୁ ଟିକଟ ଦେଇଥିବା ବେଳେ  ଭାଜପା ଦଳରୁ  ପୂର୍ବତନ ସ୍ୱାଧୀନ ବିଧାୟକ ପଦ୍ମ ଚରଣ ହାଇବୁରୁଙ୍କୁ ପ୍ରାର୍ଥୀ କରାଇଛି  । ବିଜେପି ପ୍ରାର୍ଥୀ ଶ୍ରୀହାଇବୁରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ୨୦୦୯ରେ ୧୩.୯୬ ପ୍ରତିଶତ ହାରରେ ୧୪,୫୯୭ ଖଣ୍ଡ ଭୋଟ ପାଇ ଚତୃର୍ଥ ଓ ୨୦୧୪ରେ  ୧୮.୫୪ ପ୍ରତିଶତ ହାରରେ ୨୪,୦୩୦ ଖଣ୍ଡ ଭୋଟ ପାଇବା ତୃତୀୟ ସ୍ଥାନରେ ରହିବା ତାଙ୍କ ଲୋକପ୍ରିୟତାର ମାପକାଠି ବୋଲି କୁହାଯାଉଛି । ତେଣୁ ୨୦୧୯ ନିର୍ବାଚନରେ ବିଜେପି ଭୋଟ ଓ ନିଜସ୍ୱ ପକେଟ ଭୋଟ ସପକ୍ଷରେ ଆସିପାରିଲେ ବିଜୟ ଦ୍ୱାର ଦେଶରେ ବୋଲି କୁହାଯାଉଛି । ସେହିପରି ଭାଜପାରୁ ରାଜ୍ୟ ସଭାପତି ରାଜକିଶୋର ଦାସ ଇସ୍ତଫା ଦେଇ ବିଜେଡ଼ିରେ ସାମିଲ ହେବା ପରେ ବିଜେପି ସଂଗଠନ ବିଭାଜିତ ହୋଇଯାଇଛି । କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଶ୍ରୀଦାସଙ୍କ ସଙ୍ଗଠନ ବିଜେଡ଼ିକୁ ସମର୍ଥନ ଦେଉଥିବାରୁ ନିର୍ବାଚନ ମଣ୍ଡଳୀରେ ବିଜଦର ପାଲା ବିଜେପିଠାରୁ ଭାରି ବୋଲି ଆଲୋଚନା ହେଉଛି । ପୁଣି କଂଗ୍ରେସ- ଜେଏଏମ ମେଣ୍ଟ ଫଳରେ କଂଗ୍ରେସ ପ୍ରାର୍ଥୀ ତଥା ଜଣେ ସୁନାମଧନ୍ୟ ଅବସରପ୍ରାପ୍ତ ଶିକ୍ଷକ ଭାବେ ଖ୍ୟାତି ଅର୍ଜନ କରିଥିବା ବାଟପଳସା ଗ୍ରାମର ସୁଦାମ ନାଏକ ମଧ୍ୟ ବିଜେଡ଼ି ଓ ବିଜେଡ଼ିକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଥିବାର ଜଣାପଡ଼ିଛି । ତେବେ ନିର୍ବାଚନ ମଣ୍ଡଳୀରେ କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ ଭୋଟ ନିର୍ଣ୍ଣାୟକ ଭୂମିକା ଲିଭାଉଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀହାଇବୁରୁ କୋହ୍ଲ , କଂଗ୍ରେସ ପ୍ରାର୍ଥୀ ଶ୍ରୀନାୟକ ବାଥୁଡ଼ି ଓ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ହେମ୍ବ୍ରମ ସାନ୍ତାଲ ସମ୍ପ୍ରଦାୟରୁ ରହିଛନ୍ତି । ତେଣୁ ୨୦୧୯ ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ ତାହା ଆକଳନ କରିବା ବର୍ତ୍ତମାନ ସ୍ଥିତିରେ ସମ୍ଭବ ହେବନାହିଁ । ରାଜନୈତିକ ସମୀକରଣ କେଉଁ ଦିଗରେ ଗତି କରୁଛି ଏବଂ ଶ୍ରୀହାଇବୁରୁ ତାଙ୍କ ଲୋକପ୍ରିତାକୁ ବଜାୟ ରଖିପାରୁଛନ୍ତି କି ନାହିଁ, ତାହା କେବଳ ସମୟ ହିଁ କହିପାରିବ । ତେବେ ଏକ ଆକଳନରୁ ଜଣାପଡେ଼, କରଞ୍ଜିଆ(ସଂ) ନିର୍ବାଚନ ମଣ୍ଡଳୀରେ ପ୍ରାୟ ୭୫ ଭାଗ ଆଦିବାସୀ ସମ୍ପ୍ରଦାୟର । ଏମାନଙ୍କ ମଧ୍ୟରୁ କୋହ୍ଲ ସମ୍ପ୍ରଦାୟ ପ୍ରାୟ ୪୦ ପ୍ରତିଶତ ରହିଥିବା ବେଳେ ବାଥୁଡ଼ି ସମ୍ପ୍ରଦାୟ ୩୫ ପ୍ରତିଶତ । ଅବଶିଷ୍ଟ ୨୫ ପ୍ରତିଶତ ସାନ୍ତାଳ ଓ ଅନ୍ୟାନ୍ୟ ଆଦିବାସୀ ସମ୍ପ୍ରଦାୟ ଅଟନ୍ତି । ୨୫ ପ୍ରତିଶତ ସାଧାରଣ ବର୍ଗ ମଧ୍ୟରୁ ଅଧିକାଂଶ ମହାନ୍ତ ସମ୍ପ୍ରଦାୟ ରହିଛନ୍ତି । ତେବେ କୋହ୍ଲ ଓ ବାଥୁଡ଼ି ସମ୍ପ୍ରଦାୟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଲିଭାଇଥାନ୍ତି । 

0
0
0
s2sdefault