ହେଡଲାଇନସ୍:

 କହିଁପେ ନୀଗାହେ କହିଁପେ ନିଶାନା : ମେକ୍ ଇନ୍ ଓଡିଶା ନାଁରେ ନିର୍ବାଚନ ପାଇଁ ପାଣ୍ଠି ଯୋଗାଡ ଅସଲ ଉଦ୍ଦେଶ୍ୟ : କଂଗ୍ରେସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର  – ମେକ୍ ଇନ୍ ଓଡିଶା କନକ୍ଳେଭ ନାଁରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମଟି ହେଲା ବିଗତ ସାଢେ ଅଠର ବର୍ଷରେ ଶିଳ୍ପାୟନରେ ବିଫଳତାକୁ ଲୁଚାଇବା, ଦ୍ୱିତୀୟରେ ନିର୍ବାଚନ ପୂର୍ବରୁ ଏହି ଉତ୍ସବ ଆଳରେ ଶିଳ୍ପପତିଙ୍କ ଠାରୁ ନିର୍ବାଚନ ପାଣ୍ଠି ଯୋଗାଡ କରିବା ବୋଲି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ମେକ୍ ଇନ୍ ଓଡିଶା କନକ୍ଳେଭ  ଦ୍ୱାରା ଓଡିଶାର ଶିଳ୍ପଦ୍ୟୋଗ କ୍ଷେତ୍ରରେ ଏକ ବିରାଟ ପରିବର୍ତନର ଯେଉଁ ସବୁଜ ଚିତ୍ର ରାଜ୍ୟ ସରକାର ବିଜ୍ଞାପନ ଜରିଆରେ ବାଂଟୁଛନ୍ତି ତାହା କେବଳ ରାଜ୍ୟବାସୀଙ୍କୁ ଭୁଅାଁ ବୁଲାଇବା ପାଇଁ ଉଦ୍ଧିଷ୍ଟ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୁହାଯାଇଛି । କ୍ଷୁଦ୍ର,ମ ଧ୍ୟମ ଓ ବୃହତ୍ ଏ ତିନୋଟିଯାକ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଓ ବିକାଶ ଦିଗରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏପରିସ୍ଥଳେ ମେକ୍ ଇନ୍ ଓଡିଶା କନକ୍ଲେଭକୁ ନେଇ ସରକାର ରାଜକୋଷର ପଇସାକୁ ଯେଭଳି ପାଣିଭଳି ଖର୍ଚ୍ଚ କରୁଛନ୍ତି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ କହିଛି । ଯଦି ଶିଳ୍ପ ବିକାଶ ନେଇ ନବୀନ ବାବୁଙ୍କର ପ୍ରକୃତରେ ଆନ୍ତରିକତା ଅଛି, ତାହେଲେ ଉପରୋକ୍ତ ପ୍ରସଙ୍ଗରେ ବିଫଳତାର ଯେଉଁ ତଥ୍ୟ ଦିଆଯାଇଛି ତା’ର ସ୍ପଷ୍ଟୀକରଣ ତାଙ୍କର ଶିଳ୍ପମନ୍ତ୍ରୀ ଓ ଶିଳ୍ପ ସଚିବ ଦେବେ କି ବୋଲି ଶ୍ରୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।

ବିଗତ ୧୮ ବର୍ଷରେ ଶିଳ୍ପାୟନରେ ଓଡିଶାର ଚରମ ବିଫଳତାର ଲେଖାଯୋଖା ତଥ୍ୟ ରଖି ଶ୍ରୀ ନାୟକ କହିଛନ୍ତି ଯେ, ୨୦୦୫-୨୦୧୭ ମଧ୍ୟରେ ରାଜ୍ୟ ସରକାର ଅନୁମୋଦନ କରିଥିବା ୨୭୯ଟି ପ୍ରକଳ୍ପ ମଧ୍ୟରୁ ୨୨୦ ଟି ଶିଳ୍ପସଂସ୍ଥା କାର୍ଯ୍ୟକ୍ଷମ ହୋଇନାହିଁ ଏବଂ ୭ଟି ସଂସ୍ଥା ଓହରି ଯାଇଛନ୍ତି । ଦୁଇଦିନ ତଳେ ଶିଳ୍ପ ସଚିବ ସାମ୍ବାଦିକଙ୍କୁ ୬୫ ପ୍ରତିଶତ ଶିଳ୍ପ ସଂସ୍ଥା କାର୍ଯ୍ୟକ୍ଷମ ହୋଇଛି ବୋଲି ଯେଉଁ ତଥ୍ୟ ଦେଇଛନ୍ତି, ତାହା ସଂପୂର୍ଣ୍ଣ ମିଥ୍ୟା । ମାତ୍ର ୧୮ ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିଛି । ସରକାର ୯୨ଟି ଶିଳ୍ପସଂସ୍ଥା ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ଯେଉଁଥିରେ ୫ ଲକ୍ଷ ୬୮ ହଜାର ୬୪୮ କୋଟି ଟଙ୍କା ପୁଞ୍ଜି ନିବେଶର ଆକଳନର ତଥ୍ୟ ଦେଇଛନ୍ତି । ଅନ୍ୟପଟେ ସଂପୃକ୍ତ କମ୍ପାନୀମାନେ କେତେ ପୁଞ୍ଜି ବିନିଯୋଗ ବା ଖର୍ଚ୍ଚ କରିଛନ୍ତି ତା’ର ତଥ୍ୟ ସରକାରଙ୍କ ପାଖରେ ନାହିଁ ବୋଲି ନିଜେ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି । ୨୦୧୫ ସୁଦ୍ଧା ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଶିଳ୍ପକୁ ମିଶାଇ ମୋଟ୍ ୧୫୩୧୫ ଗୋଟି ଶିଳ୍ପ ସଂସ୍ଥା ବନ୍ଦ ହୋଇ ପଡିଛି । ସେଗୁଡିକର ପୁନଃରୁଦ୍ଧାର ବାବଦରେ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ଏସ୍.ଏମ୍.ଇ. ପଲିସି ୨୦୧୬ ଅନୁଯାୟୀ ୩୦ଟି ଜିଲ୍ଲାରେ କେଉଁଠି, କେତେ ସଂଖ୍ୟକ, କେଉଁଭଳି ଶିଳ୍ପ ପ୍ରତିଷ୍ଠା  କରାଯିବ ତା’ର କୌଣସି ଲକ୍ଷ୍ୟ ଧାର୍ଯ୍ୟ ସରକାର ଏଯାବତ୍ କରିନାହାନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି |

0
0
0
s2sdefault