ହେଡଲାଇନସ୍:

ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚିଲିକା (ସେକ କୌଶର ): ରାଜ୍ୟରେ ପୌର ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପାଇଁ ଆଜି ଶେଷ ଦିବସ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ଏନଏସି ରେ ଶାସକ ବିଜେଡି, ବିରୋଧୀ ବିଜେପି, କଂଗ୍ରେସ, କମ୍ୟୁନିଷ୍ଟ ସମେତ ଏକାଧିକ ସ୍ୱାଧୀନ ପ୍ରାର୍ଥୀ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଶେଷ କରି ବିଜେପି ଓ ବିଜେଡି ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ପୂର୍ବାନୁମାନ ହୋଇସାରିଥିବା ବେଳେ ଆଜି ଉଭୟ ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ଢୋଲ, ବାଜା ସହିତ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା।

ବାଲୁଗାଁରେ ଆଜି ବିଜେଡିର ସମସ୍ତ ପ୍ରାର୍ଥୀମାନେ ଦଳୀୟ କାର୍ଯ୍ୟାଳୟରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ଯାଇଥିବାବେଳେ ବାଣପୁରରେ ଉଭୟ ବିଜେପି ଓ ବିଜେଡି ମା’ ଭଗବତୀ ମନ୍ଦିର ସମ୍ମୁଖରୁ ପଦଯାତ୍ରା କରି ଏନଏସି କାର୍ଯ୍ୟାଳୟ ପହଞ୍ଚିଥିଲେ। ତେବେ ବାଣପୁର ଏନଏସି ରେ ଅଧ୍ୟକ୍ଷ ପଦବୀ ପାଇଁ ସମୁଦାୟ ୭ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ମିଟୁ ନାୟକ, ବିଜେପିରୁ ନନ୍ଦ କିଶୋର ମିଶ୍ର, କଂଗ୍ରସରୁ ବିଜୟ ରଥ ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ମୁକେଶ କୁମାର ଜେନା, ଲକ୍ଷ୍ମୀଧର ମହାପାତ୍ର, ଅନିଲ ମହାପାତ୍ର ଓ ଶିଶିର ମିଶ୍ର ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ଭାବେ ୧୫ ୱାର୍ଡ ବିଶିଷ୍ଟ କାଉନସିଲର ପଦବୀ ପାଇଁ ବାଣପୁର ଏନଏସି ରେ ସମୁଦାୟ ୩୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୧୨ ନମ୍ବର ୱାର୍ଡରେ କେବଳ ବିଜେଡି ପ୍ରାର୍ଥୀ ଅଶାଲତା ଯାନୀ ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

ଅନୁରୂପ ଭାବେ ବାଲୁଗାଁ ଏନଏସିରେ ଅଧ୍ୟକ୍ଷା ପଦବୀ ପାଇଁ ସମୁଦାୟ ୮ ଜଣ ଆଶାୟୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେଡିରୁ ସୁକାନ୍ତି ପାଇକରାୟ, ବିଜେପିରୁ ସ୍ୱପ୍ନା ବଡ଼ଜେନା, କଂଗ୍ରେସରୁ କମଳୀ ପ୍ରଧାନ, କମ୍ୟୁନିଷ୍ଟରୁ ରେଣୁ ବେହେରା ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ଶ୍ରଦ୍ଧାଞ୍ଜଳି ପାଇକରାୟ, ମମତାରାଣୀ ବଡ଼ଜେନା, ଲକ୍ଷ୍ମୀପ୍ରିୟା ଗୁମାନସିଂହ ଓ ରମାମଣି ବେହେରା ଆଦି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତେବେ ୧୧ ୱାର୍ଡ ବିଶିଷ୍ଟ ବାଲୁଗାଁ ଏନଏସି ରେ କାଉନସିଲର ପଦବୀ ପାଇଁ ସମୁଦାୟ ୨୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ଜଣାପଡିଛି। ଯେଉଁଥିରୁ ୮ ନମ୍ବର ୱାର୍ଡରେ କେବଳ ବିଜେପି ପ୍ରାର୍ଥୀ ମୀରାରାମ ନାଗବଂଶୀ ମୁଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିବାର ଜଣାପଡିଛି।

0
0
0
s2sdefault