ଆଦିବାସୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ: ବିଜେପି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

  • ଆଦିବାସୀମାନଙ୍କ ଅର୍ଥନୈତିକ ବିକାଶର ବାଧକ ସାଜିଛନ୍ତି ରାଜ୍ୟ ସରକାର

  • ଖଣିଜ ପାଣ୍ଠିକୁ ଦଳୀୟ କାର୍ଯ୍ୟ ଓ ନେତାଙ୍କ ପାଇଁ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର

ଭୂବନେଶ୍ୱର :ନିଜ ଐତିହ୍ୟ ଏବଂ ସଂସ୍କୃତି ପାଇଁ ଓଡିଶା ପ୍ରଦେଶର ଅନୁସୁଚିତ ଜନଜାତି ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଛି । ମାତ୍ର ଦୀର୍ଘ ୨୦ ବର୍ଷ ଶାସନରେ ଥିବା ବିଜୁ ଜନତା ଦଳର ସ୍ଥାଣୁତା ଓ ଅପାରଗତା କାରଣରୁ ରାଜ୍ୟର ମୋଟ ଜନସଂଖ୍ୟାର ୨୩ ପ୍ରତିଶତ ଅନୁସୁଚୀତ ଜନଜାତି ଲୋକମାନେ ଦିନକୁ ଦିନ ପଛେଇବାରେ ଲାଗିଛନ୍ତି । ରାଜ୍ୟର ଆଦିବାସୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କୌଣସି ଦରଦ ନାହିଁ । ଫଳସ୍ୱରୁପ ରାଜ୍ୟରେ ବାସ କରୁଥିବା ୧୩ ପ୍ରକାର ଆଦିମ ଜନଜାତି ବିକାଶର ପରିଭାଷାରୁ ବାଦ୍ ପଡିସାରିଲେଣି । ସେହିପରି ୭୩ତମ ସମ୍ବିଧାନ ସଂଶୋଧନ ଅନୁସାରେ ଅନୁସୁଚୀତ ଅଂଚଳରେ ସ୍ୱତନ୍ତ୍ର ଭାବେ କ୍ଷମତା ପ୍ରଦାନ କରାଯିବାର ପ୍ରସ୍ତାବ ରହିଛି । ‘ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିନିୟମ (ପେସା)-୧୯୯୬’ ଅଧିନିୟମାନୁଯାୟୀ ଅନସୁଚୀତ କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧିଙ୍କ ସ୍ୱତନ୍ତ୍ର କ୍ଷମତା ରହିଛି । କିନ୍ତୁ ଶାସକ ବିଜେଡି ଓଡିଶାରେ ଏହି ନିୟମକୁ ସଂପୂର୍ଣ୍ଣ ଜଳାଞ୍ଜଳୀ ଦେବା ସହ ଆଦିବାସୀ ବିକାଶ ପରିଷଦରେ ନିଜ ଦଳୀୟ ନେତାଙ୍କୁ ଥଇଥାନ କରି ହୀନ ରାଜନୀତି କରୁଛି ବୋଲି ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ରବି ନାଏକ ଅଭିଯୋଗ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ଅନୁସୁଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ସଂପର୍କରେ ସୂଚନା ଦେଇ ଶ୍ରୀ ନାଏକ କହିଛନ୍ତି ଯେ, ଆଦିବାସୀମାନଙ୍କ ସବୁଠୁ ବଡ ଅଧିକାର ‘ଜଙ୍ଗଲ ଜମି ପଟ୍ଟା’ ପ୍ରଦାନକୁ ନେଇ ରାଜ୍ୟ ସରକାର ଆଦିବାସୀମାନଙ୍କ ଭାବାବେଗ ସହ ଖେଳ ଖେଳୁଛନ୍ତି । ପ୍ରକୃତ ହିତାଧିକାରୀ ବର୍ତମାନ ସୁଦ୍ଧା ‘ଜଙ୍ଗଲ ଜମି ପଟ୍ଟା’ ପାଇବାରୁ ବଂଚିତ ରହିଛନ୍ତି । ‘ବସୁନ୍ଧରା ଯୋଜନା’ରେ ପ୍ରତ୍ୟେକ ଗ୍ରାମାଂଚଳ ପରିବାରକୁ ୪ଡିସିମିଲ ଏବଂ ସହରାଂଚଳରେ ଥିବା ପ୍ରତ୍ୟେକ ପରିବାରକୁ ୨ଡିସିମିଲ ଘରଡିହ ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା ଥିବାବେଳେ ରାଜ୍ୟ ସରକାର ହିତାଧିକାରୀ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି । ଏମ୍ଏମ୍ଡିଆର୍ ଆକ୍ଟ୍-୧୯୫୭ରେ ପ୍ରଣୋଦିତ ଆଇନକୁ ମୋଦି ସରକାର ଗତ ୨୦୧୫ ମସିହାରେ ପୁଣି ଥରେ ପ୍ରଣୟନ କରାଯାଇଛି । ଏହି ଆଇନ ଅନୁଯାୟୀ ଖଣିଜଦ୍ରବ୍ୟ ପ୍ରାପ୍ତ ଅଂଚଳରେ ଖଣିଜ ପାଂଠି ଗଠନ କରାଯାଇ, ସେହି ଅଂଚଳର ସର୍ବଙ୍ଗୀନ ଉନ୍ନତି ପାଇଁ ଖର୍ଚ୍ଚ କରାଯିବା ହେଉଛି ମୂଳ ଲକ୍ଷ୍ୟ । ଆଦିବାସୀ ବିରୋଧୀ ରାଜ୍ୟ ସରକାର ଏହି ଆଇନକୁ ଖୋଲାଖୋଲି ଉଲଂଘନ କରି ଖଣିଜ ପାଣ୍ଠିକୁ ଦଳୀୟ କାର୍ଯ୍ୟ ଓ ନେତାଙ୍କ ପାଇଁ ବ୍ୟବହାର କରୁଛନ୍ତି । ଶାସନ ପ୍ରଣାଳୀକୁ ଗ୍ରାମାଭିମୁଖି କରିବା ହେଉଛି କେନ୍ଦ୍ର ସରକାରଙ୍କ ମୂଳ ଉଦେ୍ଧଶ୍ୟ ଏବଂ ଗ୍ରାମସଭାକୁ ଗୁରୁତ୍ୱ ଦେଇଛନ୍ତି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିକ୍ରମେ ଆସୁଥିବା ଅନୁଦାନ ଅର୍ଥକୁ ଆଦିବାସୀମାନଙ୍କ କଲ୍ୟାଣ ପାଇଁ ଖର୍ଚ୍ଚ କରାଯାଉନାହିଁ । ରାଜ୍ୟ ସରକାର ଗ୍ରାମସଭାକୁ କୋଣଠେସା କରିଦେଇ ଆଦିବାସୀମାନଙ୍କୁ ପ୍ରତାରଣା କରୁଥିବାରୁ କାର୍ଯ୍ୟକାରିଣୀ ଅସନ୍ତୋଷ ବ୍ୟକ୍ତ କରିଛି ।
ପିଏଲସିର ବୈଠକ ସଠିକ ସମୟରେ ହୋଇନପାରିବାରୁ ଆଟିଡିଏର କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।ଏକଲବ୍ୟ, ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ସମେତ ଆବାସିକ ବିଦ୍ୟାଳୟଗୁଡିକରଦୟନୀୟ ହଷ୍ଟେଲ ବ୍ୟବସ୍ଥା, ଛାତ୍ରଛାତ୍ରୀ ଅନୁପାତରେ କମ୍ ସଂଖ୍ୟାରେ ଶିକ୍ଷକ, ବାଳିକା ଆବାସିକ ବିଦ୍ୟାଳୟରେ ନିର୍ଯ୍ୟାତନା ଆଦି ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ନୀରବ ରହିବା ଏବଂ ସମସ୍ୟାର ସମାଧାନ ପାଇଁ କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବୋଲି ଆଜିର କାର୍ଯ୍ୟକାରିଣୀରେ ମତ ପ୍ରକାଶ ପାଇଛି ବୋଲି ଶ୍ରୀ ନାଏକ କହିଛନ୍ତି ।
ଆଦିବାସୀମାନଙ୍କ ମୁଖ୍ୟ ବୃତି ହେଉଛି ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ । ମୋଦି ସରକାର ଆଦିବାସୀମାନଙ୍କ ଲଘୁ ବନଜାତଦ୍ରବ୍ୟ ଉପରେ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ଧାର୍ଯ୍ୟ କରିବା ସତ୍ୱେ ରାଜ୍ୟ ସରକାରଙ୍କ କୈାଣସି ବ୍ୟବସ୍ଥା ନଥିବା କାରଣରୁ ଆଦିବାସୀମାନେ ସେମାନଙ୍କ କଷ୍ଟ ଉପାର୍ଜିତ ଶସ୍ୟକୁ ସଠିକ ମୂଲ୍ୟରେ ବିକ୍ରି କରିବାରେ ବିଫଳ ହେବା ସହ ତାଙ୍କ ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଛି । ଆଦିବାସୀବହୁଳ ଜିଲ୍ଲାମାନଙ୍କରେ ଆବଶ୍ୟକ ଡିଗ୍ରୀ କଲେଜ ନଥିବା କାରଣରୁ ଶିକ୍ଷାପ୍ରାପ୍ତିରେ ବାଧା ସୃଷ୍ଟି ହୋଇଛି । ବିଶେଷ ଭାବେ କରୋନା ସଂକଟ ସମୟରେ ଗରୀବ ଆଦିବାସୀ ଛାତ୍ରଛାତ୍ରୀଙ୍କ ନିକଟରେ ଇଂଟରନେଟ ସେବା ଓ ମୋବାଇଲ ନଥିବା କାରଣରୁ ଅନ୍ଲାଇନଶିକ୍ଷାପ୍ରାପ୍ତିରୁ ବଂଚିତ ହେଉଛନ୍ତି ବୋଲି ଶ୍ରୀ ନାଏକ ଅଭିଯୋଗ କରିଛନ୍ତି ।
ଅନ୍ୟ ପଟେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଦିବାସୀଙ୍କ କଲ୍ୟାଣ ପାଇଁ ସର୍ବଦା ଗୁରୁତ୍ୱ ଦେଇ କାର୍ଯ୍ୟ କରିଆସୁଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୮ ଜଣ ଆଦିବାସୀଙ୍କୁ ସ୍ଥାନ ଦେଇଥିବାବେଳେ ଓଡିଆ ସାଂସଦ ଶ୍ରୀ ବିଶେଶ୍ୱର ଟୁଡୁଙ୍କୁ ଆଦିବାସୀ ମନ୍ତ୍ରାଳୟର ଦାୟୀତ୍ୱ ଦେଇଛନ୍ତି ଏବଂ ଆଦିବାସୀ ଆୟୋଗରେ ସଦସ୍ୟ ଭାବରେ ଅନନ୍ତ ନାଏକଙ୍କୁ ଦାୟିତ୍ୱ ଦେଇଛନ୍ତି । ଆଦିବାସୀମାନଙ୍କର ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଲଘୁ ବନଜାତ ଦ୍ରବ୍ୟକୁ ଉପଯୁକ୍ତ ମୂଲ୍ୟରେ ବିକ୍ରି କରିବା ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଜନଜାତି କ୍ଷେତ୍ର ପାଇଁ ମୋଦି ସରକାର ଗତ ୭ ବର୍ଷ ଶାସନ କାଳରେ ଯେଉଁ କଲ୍ୟାଣମୂଳକ ଯୋଜନାଗୁଡିକ କାର୍ଯ୍ୟକାରୀ କରିଛନ୍ତି, ସେଥିପାଇଁ କାର୍ଯ୍ୟକାରିଣୀ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।
କେନ୍ଦ୍ର ସରକାର ଦେଶର ଜନଜାତିର ଉନ୍ନତି ଦିଗରେ କାର୍ଯ୍ୟ କରୁଛନ୍ତି । କିଭଳି ଜନଜାତିର ଲୋକମାନଙ୍କୁ ସାଧାରଣ ବ୍ୟବସ୍ଥା ସହିତ ଯୋଡାଯିବ ସେ ନେଇ ପ୍ରୟାସ ଜାରି ରହିଛି । ସେମାନଙ୍କର ଅଧିକାରକୁ ସୁରକ୍ଷା ଦେବାକୁ ମୋଦୀ ସରକାର ପ୍ରତିଶୃତିବଦ୍ଧ । ତେଣୁ ନିଜ ମନ୍ତ୍ରୀମଣ୍ଡଳରେ ଅଧିକ ଜନଜାତିର ନେତାଙ୍କୁ ସାମିଲ କରାଯାଇଛି ।ବିଜେପି ସର୍ବଦା ଜନଜାତି ସମାଜର ବିକାଶ ପାଇଁ ପ୍ରତିଶୃତିବଦ୍ଧ ବୋଲି ଏହି ଅବସରରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଗଜେନ୍ଦ୍ର ସିଂ ପଟେଲ ସୂଚନା ଦେଇ କହିଛନ୍ତି ।

ବିଜେପି ଅନୁସୁଚିତ ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀର ଓରାଙ୍ଗ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଗଜେନ୍ଦ୍ର ସିଂ ପଟେଲ, କାଳିରାମ ମାଝୀ, ରାଜ୍ୟ ପ୍ରଭାରୀ ଲକ୍ଷ୍ମଣ ଟୁଡୁ, ରାଜ୍ୟ ସହ ପ୍ରଭାରୀ ମହେଶ ଗାଗଡା ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଂଗଠନରେ ମୋର୍ଚ୍ଚାର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ଅନୁସୂଚୀତ ଜନଜାତିଙ୍କୁ ପ୍ରତିନିଧିତ୍ୱ କରୁଥିବା ସମସ୍ତ ବିଜେପି ବିଧାୟକଙ୍କ ସମେତ ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ ଉପସ୍ଥିତ ଥିଲେ ।
ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ବିଧାୟିକା କୁସୁମ ଟେଟେ ରାଜନୈତିିକ ଚିଠା ଉପସ୍ଥାପନା କରିଥିବାବେଳେ ମୋର୍ଚ୍ଚା ରାଜ୍ୟ ସଂପାଦକ ବିଦ୍ୟାଧର ଶବର ସମର୍ଥନ ଜଣାଇଥିଲେ ଏବଂ ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାଏକ ଚିଠା ପ୍ରସ୍ତାବ ସଂକଳନ କରିଥିଲେ ।
ଆଗାମୀ କାର୍ଯ୍ୟକ୍ରମ ପ୍ରସଙ୍ଗରେ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି କାର୍ଯ୍ୟକାରିଣୀକୁ ଅବଗତ କରାଇଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଦିବାସୀକଲ୍ୟାଣ ଯୋଜନା ଓ ରାଜ୍ୟ ସରକାର ଆଦିବାସୀମାନଙ୍କ ବିକାଶରେ ବାଧକ ସାଜିବା ସଂପର୍କରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କାର୍ଯ୍ୟକାରିଣୀରେ ମତ ରଖିଥିଲେ । ସେହିପରି ପୈାର ଓ ପଂଚାୟତ ନିର୍ବାଚନରେ ମୋର୍ଚ୍ଚାର ଭୂମିକା ସଂପର୍କରେ ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ କାର୍ଯ୍ୟକାରିଣୀକୁ ବିସ୍ତୃତ ଅବଗତ କରାଇଥିଲେ ।
କାର୍ଯ୍ୟକାରିଣୀ ଆରମ୍ଭରେ ସାମୂହିକ ବନ୍ଦେ ମାତରଂ ଗାନ କରାଯାଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରାଯାଇଥିଲା । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

 

0
0
0
s2sdefault