ହେଡଲାଇନସ୍:

ବିଜେଡ଼ିର ମହାନଦୀ ସଂଗ୍ରାମ ଅଭିଯାନ କେବଳ ନାଟକବାଜି- କଂଗ୍ରେସ କୃଷକ ସେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱର,-ମହାନଦୀ ଓଡ଼ିଶାର ୧୫ଗୋଟି ଜିଲ୍ଲାର ଜନସାଧାରଣଙ୍କର ଜୀବନ ରେଖା । କିନ୍ତୁ ଦୁଃର୍ଭାଗ୍ୟର କଥା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ଜଳ ପ୍ରବାହକୁ  ରୋକିବା ଫଳରେ ମହାନଦୀର ପାଣି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଯାହା ଫଳରେ ଚାଷ ବ୍ୟାହତ, ଲୋକେ ପିଇବା ପାଣି ପାଇବାରୁ ବଂଚିତ, ମତ୍ସ୍ୟଜୀବିମାନେ ଜିବୀକା ହରାଉଛନ୍ତି । ସଂଘୀୟ ବ୍ୟବସ୍ଥାରେ ଏହି ଦିଗରେ ଉଭୟ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାର ସାଧରଣ ଲୋକଙ୍କ ସ୍ୱାର୍ଥପାଇଁ କଣ ଚିନ୍ତା କରିଛନ୍ତି ବୋଲି କଂଗ୍ରେସ କୃଷକ ସେଲ୍ ପକ୍ଷରୁ  ପ୍ରଶ୍ନ କରାଯାଇଛି ।  ଅତି ସ୍ପଷ୍ଟ ଭାବେ କହିବାକୁ ଗଲେ ଏପରି ପରିସ୍ଥିତି ପାଇଁ କଣ ଓଡ଼ିଶା ସରକାର ବା ବିଜେଡ଼ି ଦଳ ଆଗରୁ ଜାଣି ନ ଥିଲେ? ଛତିଶଗଡ଼ ବିଜେପି ସରକାର ମହାନଦୀର ଉପର ମୁଣ୍ଡରେ ବେଆଇନ ଭାବେ ବ୍ୟାରେଜ ନିର୍ମାଣ କରି ଚାଲିଥିବା ବେଳେ ରାଜ୍ୟ ସରକାର ସେତେବେଳେ କାହିଁକି ନିରବ ଥିଲେ ତାହା ଆଜି ପର୍ଯ୍ୟନ୍ତ ମଧ୍ୟ ବୁଝା ପଡୁନାହିଁ । ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ପରେ ଏବେ ସରକାରଙ୍କର ଚେତା ପଶିଛି । ୬୦ ପ୍ରତିଶତ ଜଳ ସମୁଦ୍ରକୁ ବୋହି ଯାଉଥିବା ବେଳେ ଏଥି ପ୍ରତି ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଏବେ ରାଜ୍ୟ ସରକାର ୭ଟି ବ୍ୟାରେଜ ସହ ଉପନଦୀରେ ୨୨ଟି ଆଡ଼ିବନ୍ଧ ନିର୍ମାଣ କରିବାର ନିଷ୍ପତି ନେଉଛନ୍ତି ।  ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ।  କିନ୍ତୁ ଏହାର ସର୍ଭେ ଓ କେତେଟଙ୍କା ଖର୍ଚ୍ଚ ହେବ ସରକାର ଅଟକଳ କରିଛନ୍ତି କି ବୋଲି କଂଗ୍ରେସ କୃଷକ ସେଲ୍ ପକ୍ଷରୁ ପ୍ରଶ୍ନ କରାଯାଇଛି । ମହାନଦୀ ସଂଗ୍ରାମ ଅଭିଯାନ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ବିଜେଡ଼ି ଦଳର ଏକ ଅଭିନବ ଉପାୟ ଓ ନାଟକବାଜୀ ବୋଲି ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଏଭଳି ଦୁସ୍ଥିତି ପାଇଁ ପ୍ରଥମେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏହା ବ୍ୟତୀତ ଛତିଶଗଡ଼ର ବିଜେପି ସରକାରଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ଯେଉଁ ଅନୁକମ୍ପା ମୂଳକ ସହଯୋଗ  ମନୋଭାବ ରହିଛି ଏହା ଓଡ଼ିଶା  ରାଜ୍ୟବାସୀଙ୍କ ପ୍ରତି କେନ୍ଦ୍ର ବିଜେପି ସରକାରଙ୍କର ଏକ ବୈମାତୃକ ମନୋଭାବର ନିଚ୍ଛକ ନମୁନା ବୋଲି ସ୍ପଷ୍ଟ ହୋଇଛି । ତେଣୁ  ମହାନଦୀକୁ ବଂଚାାଇବାକୁ ହେଲେ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଦଳମତ ନିର୍ବିଶେଷରେ ପ୍ରଥମେ ସମ୍ମିଳୀତ ଉଦ୍ୟମ ହେବା ଏକାନ୍ତ ଜରୁରୀ ।  ଯାହାକୁ ରାଜ୍ୟ ସରକାର ବାରମ୍ବାର ଏଡ଼ାଇ ଦେଇ ଚାଲିଛନ୍ତି ବୋଲି କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସହିତ ଝାରସୁଗୁଡ଼ା ଜିଲ୍ଲା ସଭାପତି ଜଗନ୍ନାଥ ଜେନା,  କୃଷକ ନେତା ଶ୍ରୀ ଅଶୋକ ପୁରୋହିତ, ଉମେଶ ସାହୁ, ଭଗବାନ ଜେନା, ବେଣୁଧର ଭୋଇ, ଖଗେଶ୍ୱର ଜେନା, ନିତ୍ୟାନନ୍ଦ ପଣ୍ଡା, ସୁକେଶ ପଟ୍ଟନାୟକ, ରଘୁନାଥ  ପଲିଆ, ଧରମ ସିଂହ ବଡ଼ପଣ୍ଡା, ଦୟାସାଗର ମେଣ୍ଡଲୀ, ରବିନ୍ଦ୍ର କୁମାର ହୋତା ପ୍ରମୁଖ ଉଭୟ ବିଜେପି ଓ ବିଜେଡ଼ି ସରକାରକୁ ଚାଷୀ ବିରୋଧୀ ବୋଲି କହିିଛନ୍ତି ।

 

0
0
0
s2sdefault