ହେଡଲାଇନସ୍:

ଓଡ଼ିଶା ସମେତ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ  ଅମ୍ଳଜାନ ଉପଲବ୍ଧତା ଏବଂ ଉପଯୋଗର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ (ଶାସକ ପ୍ରଶାସକ):  କୋଭିଡ଼-19 ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ), କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ, ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ, ତଥା ସ୍ୱାସ୍ଥ୍ୟ, ସ୍ୱରାଷ୍ଟ୍ର ବ୍ୟାପାର ବିଭାଗର ସଚିବ ଏବଂ ଓଡ଼ିଶା ସମେତ 12ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବଗଣ ସାମିଲ ହୋଇଥିଲେ । ଓଡ଼ିଶା ବ୍ୟତୀତ ଅନ୍ୟ ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବଗଣ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ସେହିସବୁ ରାଜ୍ୟମାନେ ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଚଣ୍ଡୀଗଡ଼, ତେଲଙ୍ଗାନା, କେରଳ, ଦିଲ୍ଲୀ, ପଞ୍ଜାବ ଏବଂ ପଶ୍ଚିମ ବଙ୍ଗ । ଦେଶର ମୋଟ କୋଭିଡ଼-19 ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ 80 ପ୍ରତିଶତରୁ ଅଧିକ ପଜିଟିଭ୍ କେଶ୍ ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ଏବେ ରହିଥିବା ଜଣାପଡ଼ିଛି ।

ଏହିସବୁ ରାଜ୍ୟର କରୋନା ସ୍ଥିତି ଏବଂ ଅମ୍ଳଜାନ ଉପଲବ୍ଧତା ସଂପର୍କରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ସମୀକ୍ଷା କରିଥିଲେ । ମନ୍ତ୍ରୀ ଶ୍ରୀ ଗୋୟଲ ନିର୍ଦ୍ଦିଷ୍ଟ ଭାବେ ସେହିସବୁ ରାଜ୍ୟମାନଙ୍କୁ ଅନୁରୋଧ କରି କହିଲେ ଯେ ସେମାନେ ଜିଲ୍ଲାସ୍ତରୀୟ କରୋନା ସ୍ଥିତି ସମୀକ୍ଷା କରିବା ସହ ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା ସ୍ଥିତି ସଂପର୍କରେ ମଧ୍ୟ ସବିଶେଷ ବିବରଣୀ ସଂଗ୍ରହ କରନ୍ତୁ । ସେହିଭଳି କରୋନା ନିୟନ୍ତ୍ରଣ ଜନିତ କାର୍ଯ୍ୟଯୋଜନା ପ୍ରବର୍ତ୍ତନ ତଥା ଲଜିଷ୍ଟିକାଲ ପ୍ରସଙ୍ଗ ଓ ଅମ୍ଳଜାନ ଉପଲବ୍ଧତା ସଂପର୍କରେ ମଧ୍ୟ ସମୀକ୍ଷା କରିବା ଆବଶ୍ୟକ । ଏଥିସହ ପ୍ରତ୍ୟେକ ରାଜ୍ୟ ନିଜ ନିଜର କରୋନା ନିୟନ୍ତ୍ରଣ ଓ ପରିଚାଳନା ସଂପର୍କୀତ ଶ୍ରେଷ୍ଠ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅନୁଭୂତିକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ଦରକାର ଯଦ୍ୱାରା ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ମଧ୍ୟ ତାହାକୁ ସଫଳତାର ସହ ପ୍ରବର୍ତ୍ତନ କରାଯାଇପାରିବ ।

କ୍ୟାବିନେଟ ସଚିବ ଏହି ସମୀକ୍ଷା ବୈଠକରେ ନିଜର ମତ ରଖି କହିଲେ ଯେ ରାଜ୍ୟମାନେ ସେମାନଙ୍କର କରୋନା ନମୁନା ପରୀକ୍ଷାକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବା ଉଚିତ । ଏବେସୁଦ୍ଧା ଅନେକ ରାଜ୍ୟରେ କରୋନା ଜନିତ ମୃତ୍ୟୁହାର ଜାତୀୟ ହାର ଠାରୁ ଉପରେ ରହିଥିବାରୁ ସେ ଉଦବେଗ ପ୍ରକଟ କରିଥିଲେ । ରାଜ୍ୟମାନଙ୍କୁ ନିବେଦନ କରି ସେ କହିଥିଲେ ଯେ ପ୍ରତିଜିଲ୍ଲା ତଥା ହସପିଟାଲୱାରି ମୃତ୍ୟୁହାରକୁ ସେମାନେ ବିଶ୍ଳେଷଣ କରିବା ଉଚିତ । ସେହିଭଳି ରାଜ୍ୟମାନଙ୍କୁ ଆହ୍ୱାନ ଜଣାଇ କ୍ୟାନିନେଟ ସଚିବ କହିଲେ ଯେ ଆରଟି- ପିସିଆର କ୍ଷମତାକୁ ମଧ୍ୟ ସେମାନେ ସର୍ବାଧିକ ଉପଯୋଗ କରିବା ଆବଶ୍ୟକ । ଏକଥା ମଧ୍ୟ ସେମାନେ ସୁନିଶ୍ଚିତ କରିବା ଆବଶ୍ୟକ ଯେ କୌଣସି ଗୋଟିଏ ହେଲେ ଲକ୍ଷଣ ନଥିବା ନେଗେଟିଭ କେସ (ରାପିଡ଼ ଆଣ୍ଟିଜେନ ଦ୍ୱାରା କରାଯାଇଥିବା ପରୀକ୍ଷା)ରେ ଯେଭଳି ଗୋଟିଏ ହେଲେ ବ୍ୟତିକ୍ରମ ନହୁଏ ଏବଂ ସେଭଳି ସମସ୍ତ କେସକୁ ଆରଟି- ପିସିଆର ଟେଷ୍ଟ ଦ୍ୱାରା ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବା ଉଚିତ ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହିସବୁ ରାଜ୍ୟମାନଙ୍କ କୋଭିଡ଼-19 ସ୍ଥିତି ସଂପର୍କରେ ସଦ୍ୟତମ ତଥା ବିସ୍ତୃତ ସ୍ଥିତି ଉପସ୍ଥାପନ କରି କହିଲେ ଯେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ପ୍ରତି ଦିନ କେତେ ଲେଖାଏଁ କୋଭିଡ଼-19 ନମୁନା ପରୀକ୍ଷା କରାଯାଉଛି ତାହା ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ । ଏଥି ସହିତ ପ୍ରତ୍ୟେକ ରାଜ୍ୟର ପଜିଟିଭ ହାର ଏବଂ ସେମାନଙ୍କର ଦୈନିକ ହାରାହାରି ସିଏଫଆର, ଉପଲବ୍ଧ ସ୍ୱାସ୍ଥ୍ୟ ସଂସାଧନ ଏବଂ ଜିଲ୍ଲାୱାରୀ ଅମ୍ଳଜାନ ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।

 

 

0
0
0
s2sdefault